Indus Valley Times

ବୌଦ୍ଧ: ଖଜୁରୀଗୁଡ ଉତ୍ପାଦନକାରୀ ପରିବାରମାନଙ୍କୁ ଆର୍ଥୀକ ସ୍ୱାବଲମ୍ବୀ କରାଯିବ: ଜିଲାପାଳ ସତ୍ୟରଞ୍ଜନ

 Breaking News

ବୌଦ୍ଧ: ଖଜୁରୀଗୁଡ ଉତ୍ପାଦନକାରୀ ପରିବାରମାନଙ୍କୁ ଆର୍ଥୀକ ସ୍ୱାବଲମ୍ବୀ କରାଯିବ: ଜିଲାପାଳ ସତ୍ୟରଞ୍ଜନ

February 22
16:44 2023

By Kambhudhar Kheti

ବୌଦ୍ଧ, ୨୧/୨ : କୃଷି ଭିତିକ ବୌଦ୍ଧଜିଲାରେ ଅନେକ ସାମଗ୍ରୀର ଉତ୍ପାଦନ ହେଉଥିଲେ ମଧ୍ୟ ପ୍ରକୃତ ବଜାର ମିଳିପାରୁନଥିବାରୁ ଉତ୍ପାଦକମାନେ ସାମଗ୍ରୀର ପ୍ରକୃତ ମୂଲ୍ୟ ପାଇବାରୁ ବଞ୍ଚିତ ହେବା ସହିତ ଏହାର ପ୍ରଚାର ପ୍ରସାର ମଧ୍ୟ ହୋଇପାରୁନାହିଁ । ଜିଲାପାଳ ଭାବରେ ସତ୍ୟ ରଞ୍ଜନ ସାହୁ ଯୋଗଦେବାରେ ଜିଲାରେ ଉତ୍ପାଦିତ ସାମଗ୍ରୀ ଗୁଡିକର ଚିହ୍ନଟ ଓ ପଂଜିକରଣ ପ୍ରକ୍ରିୟାକୁ ଗୁରୁତ୍ୱ ଦେବା ସହିତ ଉତ୍ପାଦକମାନଙ୍କୁ ବଜାର ସହିତ ଯୋଡି ସେମାନଙ୍କୁ ଆର୍ଥୀକ ସ୍ୱାବଲମ୍ବୀ କରାଇବା ଦିଗରେ ଉଦ୍ୟମ ଆରମ୍ଭ କରିଛନ୍ତି ।
ବୌଦ୍ଧରେ ଉତ୍ପାଦିତ ବୁଣାକାର ସାମଗ୍ରୀକୁ ବୁଣାକାର ବଜାର ଜରିଆରେ ବିକ୍ରୟ କରାଯିବା ସହିତ ବିଭିନ୍ନ ଅଞ୍ଚଳର ବ୍ୟବସାୟୀଙ୍କୁ ବୌଦ୍ଧ ପ୍ରତି ଆକୃଷ୍ଟ କରାଯାଇପାରିଛି । ସେହିପରି ବୌଦ୍ଧରେ ଉତ୍ପାଦିତ କଳାମୁଗ, ହରଡଡାଲି, ଆମ୍ବ, ପିଜୁଳି, ତରଭୁଜ, ପିଆଜ ଏବଂ ସର୍ବୋପରି ନଦୀମାଛ ଓ ଚିଙ୍ଗୁଡିର ଚାହିଦା ବାହାର ବଜାରରେ ବହୁତ ରହିଛି । କିନ୍ତୁ ଉତ୍ପାଦକମାନଙ୍କୁ ପ୍ରକୃତ ବଜାର ଓ ପ୍ରୋତ୍ସାହନ ମିଳିପାରୁନଥିବାରୁ ସେମାନେ ଏସବୁ ସାମଗ୍ରୀର ଉତ୍ପାଦନ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁନଥିବା ପରିଲକ୍ଷିତ ହୋଇଛି ।
ବୌଦ୍ଧରୁ ଉତ୍ପାଦିତ ଅନ୍ୟ ଏକ ସାମଗ୍ରୀ ଖଜୁରୀରୁ ପ୍ରସ୍ତୁତ ଗୁଡ ରାଜ୍ୟରେ ସର୍ବୋକ୍ତୃଷ୍ଟ ବୋଲି ଜଣାପଡିଛି । ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଉଦ୍ୟମକ୍ରମେ ବୌଦ୍ଧର ଖଜୁରୀଗୁଡକୁ ରାଜ୍ୟ ବଜାର ସହ ସଂଯୁକ୍ତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ବୌଦ୍ଧଜିଲା ହରଭଙ୍ଗା ବ୍ଲକର ନାୟକପଡାଠାରେ ଖଜୁରୀଗୁଡକୁ ପ୍ରସ୍ତୁତ ତାଲିମ କାର‌୍ୟ୍ୟକ୍ରମକୁ ଜିଲାପାଳ ଶ୍ରୀସାହୁ ଉଦଘାଟନ କରିବା ସହିତ ଉତ୍ପାଦନକାରୀ ପରିବାରମାନଙ୍କୁ ଆର୍ଥୀକ ସ୍ୱାବଲମ୍ବୀ କରାଇବା ଦିଗରେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ରାଜ୍ୟ ତାଳଗୁଡ ସମବାୟ ସଂଘ ସହାୟତାରେ ଖଜୁରୀଗୁଡ ପ୍ରସ୍ତୁତକାରୀମାନଙ୍କୁ ସମସ୍ତ ସରଞ୍ଜାମ ଯୋଗାଇ ଦିଆଯିବା ସହିତ ସେମାନଙ୍କୁ ତାଲିମ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଜିଲାପାଳଙ୍କ ପରାମର୍ଶକ୍ରମେ ସ୍ୱତନ୍ତ୍ର ପରିଚାଳନା ଅଧିକାରୀ ଗୋପାଳକୃଷ୍ଣ ପଟ୍ଟନାୟକ ଓ ପରିଚାଳକ ଅଜିଜ କିରନ ପାଲ ଗତ ଅକ୍ଟୋବର ମାସରେ ହରଭଙ୍ଗା ଓ ବୌଦ୍ଧ ବ୍ଲକର ଖଜୁରୀ ଓ ତାଳଗଛ ଅଧିକମାତ୍ରାରେ ରହିଥିବା ଅଞ୍ଚଳଗୁଡିକର ଅନୁଧ୍ୟାନ କରିବାସହ ୧୦ ଗୋଟି ଗ୍ରାମରେ ଗୁଡ ପ୍ରସ୍ତୁତି ତାଲିମ ଓ ଉତ୍ପାଦନ କରିବା ପାଇଁ ସ୍ଥିର କରିଥିଲେ ।
ଚିହ୍ନଟ ହୋଇଥିବା ଗ୍ରାମ ଗୁଡିକ ମଧ୍ୟରୁ ପ୍ରାଥମିକ ପର‌୍ୟ୍ୟାୟରେ ନାୟକପଡା,ତାଳବାହାଲ ଓ ଚନ୍ଦନନଗର ଗ୍ରାମର ୧୫ ଜଣ ଲେଖାଏଁ ବ୍ୟକ୍ତିଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଅନ୍ୟ ଜିଲାରେ ୧୦ଲିଟର ଖଜୁରୀ ରସରୁ ୧ କିଲୋ ଗୁଡ ସଂଗ୍ରହ କରାଯାଉଥିବାବେଳେ ବୌଦ୍ଧଜିଲାରେ ୭ ଲିଟର ରସରୁ ୧ କିଲୋ ସର୍ବୋକ୍ତୃଷ୍ଟ ମାନର ଗୁଡ ପ୍ରସ୍ତୁତ ହେଉଥିବା ଜାଣି ଅଧିକାରୀମାନେ ଖୁସିବ୍ୟକ୍ତ କରିଥିଲେ ।
ରାଜ୍ୟର ବଜାରରେ ବୌଦ୍ଧରୁ ପ୍ରସ୍ତୁତ ଖଜୁରୀ ଗୁଡର ଚାହିଦା ଅଧିକ ରହିବ ବୋଲି ତାଳଗୁଡ ମହାସଂଘର ପରିଚାଳନା ନିର୍ଦ୍ଦେଶକ ଚିଦାନନ୍ଦ ମିଶ୍ର ପ୍ରକାଶ କରିବା ସହିତ ଉତ୍ପାଦନକାରୀମାନଙ୍କୁ ପ୍ରସ୍ତୁତ ଗୁଡର ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ବର୍ଷକୁ ମାତ୍ର ତିନିମାସ ଏହି ଗୁଡ ପ୍ରସ୍ତୁତ ହୋଇପାରିବ, ତେଣୁ ଏଥିରେ ନିୟୋଜିତ ପରିବାରମାନଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ କାର‌୍ୟ୍ୟକାରୀ ହେଉଥିବା ଯୋଜନାରେ ସାମିଲ କରି ଆର୍ଥୀକ ସ୍ୱାବଲମ୍ବୀ କରାଯିବ ବୋଲି ଜିଲାପାଳ ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଥିଲେ ।
ଏହି ଅବସରରେ ଖଜୁରୀ ରସରୁ ପ୍ରସ୍ତୁତ ୫୦ କିଲୋ ଗୁଡକୁ ବିକ୍ରୟ ପାଇଁ ଉତ୍ପାଦକମାନଙ୍କ ପକ୍ଷରୁ ତାଳଗୁଡ ମହାସଂଘକୁ ପ୍ରଦାନ କରାଯାଇଥିଲା । ସମସ୍ତ ଉତ୍ପାଦନକାରୀ ଗୋଟିଏ ସ୍ଥାନରେ ଗୁଡ ପ୍ରସ୍ତୁତ କରିବାକୁ ଏକ ସାମୁହିକ ୱାର୍କସେଡ ନିର୍ମାଣ କରିବା ସହିତ ସେଠାରେ ଆଲୋକ ବ୍ୟବସ୍ଥା କରାଯିବାକୁ ଏବଂ ଉତ୍ପାଦନକାରୀ ପରିବାରମାନଙ୍କୁ ନେଇ ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରିବାକୁ ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ଦେବଦତ୍ତ ମିଶ୍ରଙ୍କୁ ଜିଲାପାଳ ଶ୍ରୀସାହୁ ନିର୍ଦ୍ଦେଶ ଦେଇଥିଲେ । ନାୟକପଡାଠାରେ ଏହି କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲପାଳ ରବିନ୍ଦ୍ରନାଥ କହଁର,ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶ, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ, ଜିଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବଳଭଦ୍ର ନାୟକ,ଆର୍କିଟେକ୍ ଡଃ.ସୁମନ ଷଡଙ୍ଗୀ ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031