Indus Valley Times

ବୌଦ୍ଧ ଜିଲ୍ଲାରେ ୨୦୨୬-୨୭ ବର୍ଷ ପାଇଁ ଆଇଏମଏଫଏଲ୍ ଦୋକାନ ବଣ୍ଟନ ଲଟେରି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ

 Breaking News

ବୌଦ୍ଧ ଜିଲ୍ଲାରେ ୨୦୨୬-୨୭ ବର୍ଷ ପାଇଁ ଆଇଏମଏଫଏଲ୍ ଦୋକାନ ବଣ୍ଟନ ଲଟେରି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ

ବୌଦ୍ଧ ଜିଲ୍ଲାରେ ୨୦୨୬-୨୭ ବର୍ଷ ପାଇଁ ଆଇଏମଏଫଏଲ୍ ଦୋକାନ ବଣ୍ଟନ ଲଟେରି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ
June 02
19:07 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨/୬ : ବୌଦ୍ଧ ଜିଲ୍ଲାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଇଏମଏଫଏଲ୍ (IMFL “OFF”) ଦୋକାନଗୁଡ଼ିକର ବଣ୍ଟନ ନିମନ୍ତେ ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଖୋଲା ଲଟେରି ପ୍ରକ୍ରିୟା ସଫଳତାର ସହ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଲଟେରି ପ୍ରକ୍ରିୟାରେ ଜିଲ୍ଲାର ୧୦ଟି ଆଇଏମଏଫଏଲ୍ ଦୋକାନ ପାଇଁ ମୋଟ ୧୩୭ଟି ଆବେଦନ ପତ୍ର ଗ୍ରହଣ କରାଯାଇଥିଲା ।
ସୂଚନା ଅନୁଯାୟୀ, ବାଉଁଶୁଣୀ ଦୋକାନ ପାଇଁ ସର୍ବାଧିକ ୩୦ଟି ଏବଂ କଣ୍ଟାମାଳ ଦୋକାନ ପାଇଁ ୨୯ଟି ଆବେଦନ ପତ୍ର ଦାଖଲ ହୋଇଥିଲା।
ଲଟେରି ପ୍ରକ୍ରିୟାକୁ ୧୦ଟି ପର୍ଯ୍ୟାୟରେ ସମ୍ପନ୍ନ କରାଯାଇଥିବା ବେଳେ ପ୍ରତ୍ୟେକ ପର୍ଯ୍ୟାୟ ଶେଷରେ ସମ୍ପୃକ୍ତ ଦୋକାନ ପାଇଁ ଅସ୍ଥାୟୀ ଭାବେ ମନୋନୀତ ଆବେଦନକାରୀଙ୍କ ନାମ ଘୋଷଣା କରାଯାଇଥିଲା ।
ଏହି ଲଟେରି ପ୍ରକ୍ରିୟା ମାଧ୍ୟମରେ ରାଜ୍ୟ ସରକାରଙ୍କ ରାଜସ୍ୱ ବୃଦ୍ଧିରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ମିଳିଛି । ମୋଟ ୧୩୭ଟି ଆବେଦନ ପତ୍ର ପାଇଁ ପ୍ରତ୍ୟେକ ଆବେଦନ ବାବଦରେ ୩ ଲକ୍ଷ ଟଙ୍କା ହିସାବରେ ସରକାରଙ୍କ ରାଜକୋଷକୁ ୪ କୋଟି ୧୧ ଲକ୍ଷ ଟଙ୍କା ଆବେଦନ ଶୁଳ୍କ ବାବଦରେ ଆଦାୟ ହୋଇଛି ।
ଲଟେରିରେ ମନୋନୀତ ଆବେଦନକାରୀଙ୍କ ଆବେଦନପତ୍ର ଓ ଆବଶ୍ୟକ ଦଲିଲପତ୍ର ଯାଞ୍ଚ ପରେ ଏବଂ ନିର୍ଦ୍ଧାରିତ ଫି ଜମା କରିବା ପରେ ସେମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ। ଲଟେରିର ଫଳାଫଳ ଇ- ଅବକାରୀ ପୋର୍ଟାଲରେ ମଧ୍ୟ ଅପଲୋଡ୍ କରାଯାଇଛି ।
ଲଟେରି ପ୍ରକ୍ରିୟାର ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସଭାଗୃହ ପ୍ରବେଶ ଦ୍ୱାରରେ କଡ଼ା ସୁରକ୍ଷା ଯାଞ୍ଚ (ଫ୍ରିସ୍କିଙ୍ଗ) କରାଯାଇଥିବା ବେଳେ କେବଳ ଆବେଦନକାରୀ ଏବଂ ସେମାନଙ୍କ ଅନୁମୋଦିତ ପ୍ରତିନିଧିଙ୍କୁ ପ୍ରବେଶ ଅନୁମତି ଦିଆଯାଇଥିଲା ।
ଆବେଦନକାରୀଙ୍କ ସୁବିଧା ପାଇଁ ପ୍ରଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଆବଶ୍ୟକ ସେବାର ବ୍ୟବସ୍ଥା କରାଯାଇଥିଲା । ସମଗ୍ର ଲଟେରି ପ୍ରକ୍ରିୟାର ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଥିଲା ।
ଲଟେରି ପ୍ରକ୍ରିୟା ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିବାରୁ ଜିଲ୍ଲାପାଳ ସମସ୍ତ ଆବେଦନକାରୀ, ପ୍ରଶାସନିକ ଅଧିକାରୀ, ପୁଲିସ ବିଭାଗ ଏବଂ ଅବକାରୀ ବିଭାଗର କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀମତୀ ଶାନ୍ତି ମାରାଣ୍ଡି, ଏସ୍‌ଡିପିଓ ବୌଦ୍ଧ, ଆଇଆଇସି ବୌଦ୍ଧ, ସମସ୍ତ ଡେପୁଟି କଲେକ୍ଟର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930