ବୌଦ୍ଧ : ଜିଲ୍ଲାସ୍ତରୀୟ କୁଇଜ ବିଜ୍ଞାନ ପ୍ରତିଯୋଗିତା
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୦/୧୧: ବୌଦ୍ଧଜିଲ୍ଲାସ୍ତରୀୟ କୁଇଜ ବିଜ୍ଞାନ ପ୍ରତିଯୋଗିତା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଗାଷ୍ଠୀ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୁଇଜ ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡମ୍ବରୁଧର ଭୋଇ ଓ କାର୍ଯ୍ୟକ୍ରମର ଆବାହକ ବିଜ୍ଞାନ ଶିକ୍ଷକ ସତ୍ୟନାରାୟଣ ସ୍ୱାଇଁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ଜିଲ୍ଲାର ଉଚ୍ଚବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୮୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ମଞ୍ଚ ସଂଯୋଜନା କରିଥିବାବେଳେ ବିଚାରକ ଭାବରେ ରମେଶ ସାମଲ, ପ୍ରଫୁଲ୍ଲ ପ୍ରଧାନ, ଶେଷଦେବ ପ୍ରଧାନ ଓ ବିଭୀଷଣ ନାଏକ କାର୍ଯ୍ୟ ତୁଲାଇ ଥିବାବେଳେ ପର୍ଯ୍ୟବେକ୍ଷକ ଭାବରେ ଶିକ୍ଷକ ସୌମିତ୍ରି ନାଏକ ଦାୟିତ୍ୱ ତୁଲାଇଥିଲେ । ବରିଷ୍ଠ ବିଭାଗରେ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ମାନସ ମହଲା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଆଦର୍ଶ ବିଦ୍ୟାଳୟ ଅଇଁଳାଚୁଆଁ କଣ୍ଟାମାଳର ଛାତ୍ର ମାନସ ମଞ୍ଜିତ ଭୋଇ ଦ୍ୱିତିୟ ସ୍ଥାନ ଓ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ଚିତ୍ରାଙ୍ଗଦା ସୁବୁଦ୍ଧି ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି କନିଷ୍ଠ ବିଭାଗରେ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ମୁଣ୍ଡିପଦରର ଛାତ୍ର ଶ୍ରୀକାନ୍ତ ଚାଉଳିଆ ପ୍ରଥମ,ଓଡିଶା ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗା ର ଛାତ୍ର ଶସିଜ୍ଞାନ ରଥ ଦ୍ୱିତିୟ ଓ ଆଦର୍ଶ ବିଦ୍ୟାଳୟ ଅଇଁଳାଚୁଆଁର ଛାତ୍ର ସୌମ୍ୟକାନ୍ତ ପ୍ରହରାଜ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି କୁଇଜ ବିଜ୍ଞାନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି ।
ନିଶା ନିବାରଣ ଓ ତମାଖୁ ମୁକ୍ତ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୧୦/୧୧: ବୌଦ୍ଧ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ସଂସ୍ଥାନ ଠାରେ ନିଶା ନିବାରଣ ଓ ତମାଖୁ ମୁକ୍ତ ନିୟନ୍ତ୍ରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଣସଂକ୍ରାମକ ରୋଗ ପରାମର୍ଶଦାତା ଆଲୋକ କୁମାର ମିଶ୍ର ଯୋଗଦେଇ ନିଶା ନିବାରଣ ଏବଂ ତମାଖୁ ବର୍ଜନ ଉପରେ ସଚେତନ କରିବା ସହିତ ନିଶା ସେବନର ଅପକାରୀତା ଓ ମଣିଷର ସୁସ୍ଥ ଜୀବନ ଉପରେ ଏହାର ପ୍ରଭାବ ନେଇ ଆଲୋକପାତ କରିଥିଲେ । ନେହେରୁ ଯୁବକେନ୍ଦ୍ର ର କାର୍ଯ୍ୟକ୍ରମ ପରିଚାଳକ ଆସମାନ ମହାକୁଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ସଂସ୍ଥାନର ଅଧ୍ୟକ୍ଷ ବୃନ୍ଦାବନ ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଶିବାନୀ ପଟ୍ଟନାୟକ ସହଯୋଗ କରିଥିଲେ ।
ଜାତୀୟ ଆଇନ ସେବା ଦିବସ ପାଳନ ଉପଲକ୍ଷେ ପଦଯାତ୍ରା
ବୌଦ୍ଧ,୧୦/୧୧: ବୌଦ୍ଧଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ପ୍ରତାପ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏବଂ ତତ୍ୱାବଧାନରେ ବୌଦ୍ଧବ୍ଲକ ର ସାନଗୋଛାପଡା ଓ ବଘିଆପଡାଠାରେ ଜାତୀୟ ଆଇନ ସେବା ଦିବସ ପାଳନ ଉପଲକ୍ଷେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାକୁ ଆଇନ ସେବା ପ୍ରାଧିକରଣ ର ସଚିବ ଶାଶ୍ୱତୀ ମିଶ୍ର ଶୁଭାରମ୍ଭ କରିଥିଲେ ।
ପଦଯାତ୍ରାରେ ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଢିମାଳର ଛାତଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଲୋକମାନେ ଆଇନ ସେବା ପ୍ରାଧିକରଣ ଦ୍ୱାରା ମାଗଣାରେ ପ୍ରଦାନ କରାଯାଉଥିବା ଆଇନ ସେବା ଗୁଡିକ ଉପରେ ସାଧାରଣଲୋକଙ୍କୁ ସଚେତନ କରାଯିବା ସହିିତ କୋର୍ଟ କଚେରୀରେ ମୋକଦ୍ଦମା ଲଢିବା ପାଇଁ ଓକିଲ ଯୋଗାଇଦେବା,କୋର୍ଟ କେସ କରିବା ପୂର୍ବରୁ ଆପୋଷ ବୁଝାମଣା କରି ଗଣ୍ଡଗୋଳର ସମାଧାନ କରିବା,ସରକାରଙ୍କ ଦ୍ୱାରା ଗଠିତ ବିଭିନ୍ନ ଯୋଜନାର ଲାଭ ପାଇବାରେ କୌଣସି ସରକାରୀ କାର୍ଯ୍ୟାଳୟରେ ଆବେଦନ କିମ୍ବା ଅଭିଯୋଗ ଦାଖଲ କରିବା ଇତ୍ୟାଦିରେ ଆଇନଗତ ସ।।ଯ୍ୟ କିମ୍ବା ପରାମର୍ଶ ପ୍ରଦାନ କରିବା ଆଦି ଉପରେ ପଦାତ୍ରାରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।
ଗ୍ରାମ୍ୟ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ
ବୌଦ୍ଧ,୧୦/୧୧: ଧରତୀ ଆବା ଜନଜାତି ଗ୍ରାମ୍ୟ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ଆଦିବାସୀ ମନ୍ତ୍ରଣାଳୟ ଭାରତ ସରକାରଙ୍କ ପକ୍ଷରୁ ଆସନ୍ତା ୧୫ ତାରିଖରେ ଏହା ଅନୁଷ୍ଠିତ ହେବାକୁଥିବା ଜିଲ୍ଲାସ୍ତରୀୟ ସମାରୋହ ଜିଲ୍ଲାର ତିନୋଟି ବ୍ଲକର ଚିହ୍ନିତ ୭ ଟି ଗ୍ରାମରେ ଗ୍ରାମସଭା ଆୟୋଜନ କରିବା ପାଇଁ ଆଲୋଚନା ହୋଇଥିଲା । ପ୍ରତ୍ୟେକ ଗ୍ରାମସଭା ପାଇଁ ୧୦ ହଜାର ଟଙ୍କା ସରକାରଙ୍କ ତରଫରୁ ଅନୁଦାନ ରାଶି ମିଳିଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରକାଶ କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତ୍ୟକ ଗ୍ରାମରେ ଗ୍ରାମ ସଭା କରାଇବା ପାଇଁ ଜଣେ ବ୍ଲକସ୍ତରୀୟ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବରେ ଦାୟିତ୍ୱ ଦେବା ପାଇଁ ଅନୁରୋଧ କରିଥିଲେ ଏବଂ ଆଇଇସି ମେଟେରିଆଲସ ସଠିକ୍ ସମୟରେ ଯୋଗାଇଦେବା ପାଇଁ ନିଷ୍ପତି ନିଆଯାଇଥିଲା । ଏହି ସଭାରେ ବହୁ ସଂଖ୍ୟକ ଜନସମାଗମ ପାଇଁ ବ୍ଲକ ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୌଦ୍ଧ: ଆନ୍ତଃକ୍ଲବ ସିନିଅର କ୍ରିକେଟ ଟୁର୍ଣ୍ଣାମେଣ୍ଟ,ଷ୍ଟ୍ରିକ୍ଟ ସ୍ପୋର୍ଟିଂ ୬୯ ରନ୍ରେ ବିଜୟୀ
ବୌଦ୍ଧ,୧୦/୧୧: ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ପ୍ରାୟୋଜିତ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ବୌଦ୍ଧଜିଲ୍ଲା ଷ୍ଟାଡିୟମ ପଡିଆରେ ଚାଲିଥିବା ଆନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ଅଷ୍ଟମ ଦିନରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ଓ ଗେହ୍ଲା ମା କ୍ଲବ ବୌଦ୍ଧ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଗେହ୍ଲାମା କ୍ଲବ ପ୍ରଥମେ ଟସ୍ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଇନିଙ୍ଗସରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ୪୦ ଓଭରରେ ସମସ୍ତ ୱିକେଟ ହରାଇ ୨୧୨ ରନ୍ କରିଥିଲା । ଦଳ ତରଫରୁ ସୌରଭ କନୌଜିଆ ୩୮ ବଲ୍ରୁ ୫୨ରନ୍ ଆଶିଷ ମଲ୍ଲିକ ୩୬ ବଲ୍ରୁ ୩୯ ରନ୍ ଓ ତୁଷାର ୫୭ ବଲ୍ରୁ ୩୮ ସଂଗ୍ରହ କରିଥିଲେ । ଗେହ୍ଲାମା କ୍ଲବର ତାପସ ପଣ୍ଡା ଓ କୈଳାସ ମହାନନ୍ଦିଆ ଉଭୟ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଦ୍ୱିତୀୟ ଇନିଙ୍ଗସରେ ଗେହ୍ଲାମା କ୍ଲବ ବୌଦ୍ଧ ୨୧୩ ରନ୍ର ପିଛାକରି ୩୧.୨ ଓଭରରେ ସମସ୍ତ ୱିକେଟ ହରାଇ ୧୪୩ରନ୍ କରିପାରିଥିଲା ।
ଫଳରେ ୬୯ ରନ୍ରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ବିଜୟୀ ହୋଇଥିଲା । ଦଳ ତରଫରୁ ତୀର୍ଥାନନ୍ଦ ମହାପାତ୍ର ୨୧ ବଲ୍ରୁ ୩୧ ରନ୍, ପ୍ରକାଶ ଝା ୪୨ ବଲ୍ରୁ ୨୭ ରନ୍ ସ୍ୱାଗତ ୩୪ ବଲ୍ରୁ ୨୩ ରନ୍ କରିଥିଲେ । ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ଦଳର ମନୋଜ ନାୟକ ୪ଟି, ଶୋଭନ ଦେବ ୩ଟି ଓ ରଜନୀଶ ୟାଦବ ୨ଟି ୱିକେଟ ନେଇଥିଲେ । ଆଜିର ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ମନୋଜ କୁମାର ନାୟକ ପୁରସ୍କୃତ ହୋଇଥିଲେ । ଅଂପାୟାର ଭାବେ ଆଜିର ମ୍ୟାଚକୁ ବିଶ୍ୱଜିତ ପ୍ରଧାନ ଓ ଆଶୁତୋଷ ଦାଶ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଦାୟିତ୍ୱ ସ୍ୱାଗତ ଦେହୁରୀ ତୁଲାଇଥିଲେ । ଆସନ୍ତାକାଲି ଗ୍ରାମ୍ୟ ବିକାଶ ପରିଷଦ ଜହ୍ନାପଙ୍କ ଓ ମହାନଦୀ ସ୍ପୋର୍ଟିଂ ମଧ୍ୟରେ ଅନୁଷ୍ଠିତ ହେବ ।
ଅଷ୍ଟମ ଗଡଜାତ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ,ଡିସେମ୍ବର ୧୫ରୁ ଓ ୧୯ ପାଂଚ ଦିନ ଧରି ହେବ ମହୋତ୍ସବ
ବୌଦ୍ଧ,୧୦/୧୧: ହରଭଙ୍ଗା ବ୍ଳକର ବୀରନରସିଂହପୁର ଠାରେ ଗଡଜାତ ମହୋତ୍ସବ ପରିଷଦ ପକ୍ଷରୁ ଆୟୋଜିତ ଅଷ୍ଟମ ଗଡଜାତ ଲୋକମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନ ବନବିଭାଗ ନର୍ସରୀ ଠାରେ ଅନୁଷ୍ଠିତ ହୋଇଛି । ସମାଜସେବୀ ଜୟ କିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସର୍ବସମ୍ମିତ କ୍ରମେ ଏହି ମହୋତ୍ସବ ଆସନ୍ତା ଡିସେମ୍ବର ୧୫ ତାରିଖ ଠାରୁ ଆରମ୍ଭ ହୋଇ ଦୀର୍ଘ ୫ ଦିନ ଧରି ହେବାସହ ୧୯ ତାରିଖରେ ଶେଷ ହେବାକୁ ସ୍ଥିର ହୋଇଛି ।
ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ଆକର୍ଷଣ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଉଦଘାଟନ ଦିନ ବିରାମଚନ୍ଦ୍ରପୁର ଗ୍ରାମର ସୁବର୍ଣ୍ଣେଶ୍ୱର ମନ୍ଦିରରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିବ । ମଂଚ ସଜ୍ଜା, ମୀନା ବଜାର, ଖାଦ୍ୟ ଷ୍ଟଲ ପାଇଁ ଡ୍ରାଇଭର ସହାସଂଘକୁ ଦାୟୀତ୍ୱ ଦିଆଯାଇଛି । ଗ୍ରାମ କମିଟି ସଭାପତି ବୁଦ୍ଧି ସାଗର ମିଶ୍ର,ବସନ୍ତ ସାହୁ, ରଘୁନାଥ ଷଡଙ୍ଗୀ, ନରେନ୍ଦ୍ର ସାହୁ,ଦେବେନ୍ଦ୍ର ସାହୁ,ଦୁଃଖୀ ଶ୍ୟାମ ଗାଇଗୌରିଆ,ସୁଜ୍ଞାନ ପ୍ରଧାନ, ଶଙ୍କର ଦଣ୍ଡସେନା, ସୁଶାନ୍ତ ପାତ୍ର, ଅରୁଣ ମେଣ୍ଡୁଳି,ବାଂଛାନିଧି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ପୂର୍ଣ୍ଣଚନ୍ଦ୍ର ଗାଇଗୌରିଆ ଧନ୍ୟବାଦ ପ୍ରଦାନ କରିଥିଲେ ।