Indus Valley Times

ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅନୁସୂଚିତ ଜନଜାତି ଛାତ୍ରାବାସ ଉଦଘାଟିତ

 Breaking News

ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅନୁସୂଚିତ ଜନଜାତି ଛାତ୍ରାବାସ ଉଦଘାଟିତ

ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅନୁସୂଚିତ ଜନଜାତି ଛାତ୍ରାବାସ ଉଦଘାଟିତ
October 01
21:11 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧/୧୦ : ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପରିସରରେ ଦୁଇଶହ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜନଜାତି ଛାତ୍ରାବାସ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଉକ୍ତ ଛାତ୍ରବାସରେ ୧୨ ଜଣ ଛାତ୍ର ରହିବା ଆରମ୍ଭ କରିଛନ୍ତି ।
ପ୍ରକାଶ ଯୋଗ୍ୟ କି, ବୌଦ୍ଧ ସଦର ମହକୁମାରେ ଅବସ୍ଥିତ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଜିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟ ଅଟେ । ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିବା ପାଇଁ ଦୂରଦୂରାନ୍ତ ଜାଗାରୁ ଆସିଥାନ୍ତି । ସେମାନଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ବୌଦ୍ଧ ବିଧାୟକ ପ୍ରଦିପ ଅମାତଙ୍କ ପ୍ରଚେଷ୍ଟାରେ ଛାତ୍ରବାସଟି ୨୦୧୭ ମସିହାରେ ନିର୍ମିତି ହୋଇସାରିଥିଲା । ହେଲେ ଦୀର୍ଘ ଚାରିବର୍ଷ ବ୍ୟବଧାନ ପରେ ଆଜି ଛାତ୍ରବାସର କାର୍ଯ୍ୟକ୍ଷମ ହୋଇଛି ।
ବୌଦ୍ଧ, : ଆମ୍ବଝରୀ ସେବା ସମବାୟ ସମିତି କାର୍ଯ୍ୟାଳୟ ନିର୍ମାଣ ନେଇ ସ୍ଥଗିତାଦେଶ ଜାରିକଲେ ଉଚ୍ଚନ୍ୟାୟାଳୟ
ବୌଦ୍ଧ,୧/୧୦: ବୌଦ୍ଧବ୍ଲକ ଆମ୍ବଝରୀଠାରେ ନୂତନ ସମବାୟ ସମିତି କାର୍ଯ୍ୟାଳୟ ନିର୍ମାଣ ପାଇଁ ବିଭାଗୀୟ ପଦକ୍ଷେପ ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ସ୍ଥଗିତା ଦେଶ ଜାରି କରିଥିବା ଜଣାଯାଇଛି । ସୂଚନା ମୁତବାକ ୨୦୧୮ ମସିହାରେ ଆମ୍ବଝରୀ ସେବା ସମବାୟ ସମିତି କାର୍ଯ୍ୟାଳୟ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିଲା । ଉକ୍ତ କାର୍ଯ୍ୟାଳୟ ଆମ୍ବଝରୀଠାରେ ନିର୍ମାଣ ପାଇଁ ଉପନିବନ୍ଧକ ଫୁଲବାଣୀ ତା ୩୧.୦୫.୨୦୧୮ରିଖରେ ପ୍ରଶାସନିକ ଅନୁମୋଦନ ଦେଇଥିଲେ ।
ଆମ୍ବଝରୀ ମୌଜାରେ ସମିତି ନାମରେ ଥିବା ଜମିରେ ଉକ୍ତ କାର୍ଯ୍ୟାଳୟ ନିର୍ମାଣ ପାଇଁ ସମିତି ସମ୍ପାଦକ ଅଶୋକ ବସ୍ତିଆ ସମିତି ଜମାଖାତାରୁ ଦେଢଲକ୍ଷ ଟଙ୍କା ଉଠାଇ ନେଇଥିଲେ । ତତ୍କାଳୀନ ନିର୍ବାଚିତ ପରିଚାଳନା କମିଟି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାପରେ ସମ୍ପାଦକ ବସ୍ତିଆ କିଛିଟଙ୍କା ଖାତାରେ ଜମା ଦେଇଥିଲେ । କିନ୍ତୁ ଆମ୍ବଝରୀ ମୌଜାରେ ସମିତି ନାମରେ ନିଜସ୍ୱ ଜମି ଥିବାବେଳେ ସମ୍ପାଦକ ଶ୍ରୀବସ୍ତିଆ ଖଜୁରୀପଡା ଗ୍ରାମରେ ଅନ୍ୟ ଏକ ସ୍ଥାନରେ ସମିତି କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।
ଏହାକୁ ନେଇ ସ୍ଥାନୀୟ ଲୋକମାନେ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ସମିତି ସମ୍ପାଦକ ଶ୍ରୀବସ୍ତିଆଙ୍କ ନାମରେ ଦୁର୍ନୀତି ଓ ବେନିୟମ କାମ ପ୍ରତିବାଦରେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ସମ୍ପାଦକଙ୍କ କାର୍ଯ୍ୟକଳାପରେ ବିଭାଗୀୟ ଅଧିକାରୀମାନେ ଜାଣିଶୁଣି ଚୁପ୍ ରହିବା ଯୋଗୁଁ ଆମ୍ବଝରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ କ୍ଷୀରାର୍ଣ୍ଣବ କର୍ଣ୍ଣ ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରିଥିଲେ ।
ମାନ୍ୟବର ଉଚ୍ଚ ନ୍ୟାୟାଳୟ ଡବ୍ଲୁ.ପି(ସି)୨୬୨୮୩ ଓ ଆଇ.ଏ.୧୨୧୬୫/୨୦୨୧ ରେ ଉକ୍ତ ମାମଲାକୁ ବିଚାର କରି ଅଦାଲତରେ ମାମଲା ନସରିବା ପର୍ଯ୍ୟନ୍ତ ଖଜୁରୀପଡାଠାରେ ଆମ୍ବଝରୀ ସମବାୟ ସମିତି କାର୍ଯ୍ୟାଳୟ ନିର୍ମାଣ ନକରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏଥିସହିତ ଆବେଦନକାରୀ କ୍ଷୀରାର୍ଣ୍ଣବ କର୍ଣ୍ଣ ଓ ଆମ୍ବଝରୀ ଗ୍ରାମବାସୀ ଗତ ତା ୦୫.୦୪.୨୦୨୧ ରେ କରିଥିବା ଅଭିଯୋଗର ୬ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।
ବୌଦ୍ଧ,: ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ
ବୌଦ୍ଧ,୧/୧୦: ବୌଦ୍ଧ ଥାନା ଅନ୍ତର୍ଗତ ବୁଟୁପାଲି-ବଘିଆପଡା ରାସ୍ତାର ତେତେଲେଙ୍ଗା ଗ୍ରାମ ନିକଟସ୍ଥ ରାସ୍ତାକଡରେ ଥିବା ଏକ ମଠ ନିକଟରେ ଶୁକ୍ରବାର ପ୍ରତ୍ୟୁଷରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ଯ୍‌ୁବକର ନାମ ହେମନ୍ତ ମେହେର(୩୮) ତାଙ୍କ ଘର ବାଉଁଶୁଣୀଥାନା ମୁଣ୍ଡିପଦର ଗ୍ରାମର ବୋଲି ଜଣାପଡିଛି ।
ଅଭିଯୋଗ ଅନୁଯାୟୀ ବୌଦ୍ଧବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମର ହେମନ୍ତ ମେହେର ଗୁରୁବାର ପିତୃପକ୍ଷ ଶ୍ରାଦ୍ଧରେ ଯୋଗଦେବାକୁ ଶ୍ୱଶୁର ଘର ବନ୍ଧାପଥର ପଞ୍ଚାୟତର ବାଘପାଲି ଗ୍ରାମକୁ ପତ୍ନୀଙ୍କ ସହ ଆସିଥିଲେ । ଏଠାରେ ରାତ୍ରୀଯାପନ କରିବା ପରେ ସେ ଶୁକ୍ରବାର ପ୍ରତ୍ୟୁଷରୁ ବାଇକ୍ (ଓଡ଼ି ୨୭ ସି ୦୦୬୦) ଯୋଗେ ମୁଣ୍ଡିପଦର ଫେରୁଥିବା ସମୟରେ ତେତେଲେଙ୍ଗା ଗ୍ରାମ ନିକଟସ୍ଥ ମଠ ସମ୍ମୁଖରେ କୌଣସି ଅଜଣାଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଗାଡି ଧକ୍କାରେ ହେମନ୍ତ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବାପରେ ରାସ୍ତା ତଳକୁ ଛିଟିକି ପଡିବା ସହ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ସକାଳୁ ସ୍ଥାନୀୟଲୋକମାନେ ବୌଦ୍ଧ ପୋଲିସକୁ ସୂଚନା ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା । ଏକ ବଲେରୋ ଗାଡି ଏହି ଦୁର୍ଘଟଣା ଘଟାଇଥିବା ମୃତକଙ୍କ ପତ୍ନୀ ଥାନାରେ ଅଭିହେଯାଗ କରିଥିବାବେଳେ ପୋଲିସ ଏ ସଂପର୍କରେ ତଦନ୍ତ ଜାରି ରଖିଛି ।
ଜାତୀୟ ରକ୍ତଦାତା ଦିବସ ପାଳିତ
ବୌଦ୍ଧ,୧/୧୦: ବୌଦ୍ଧ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତ୍ତକ ସଂଘ ପକ୍ଷରୁ ଜାତୀୟ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ରକ୍ତଦାନ କାର୍ଯ୍ୟକ୍ରମ ସହିତ ଜଡିତ ବିଭିନ୍ନ ସଂଗଠର କାର୍ଯ୍ୟକର୍ତ୍ତାଙ୍କୁ ନେଇ ବୌଦ୍ଧ ରକ୍ତଭଣ୍ଡାରଠାରେ ଆୟୋଜିତ ଏକ ବୈଠକରେ ଜିଲ୍ଲାରେ ଆବଶ୍ୟକ ହେଉଥିବା ରକ୍ତ କିଭଳି ଭାବରେ ପୂରଣ କରାଯାଇପାରିବ ଯୋଜନା ପ୍ରସ୍ତୁତ କରାଯାଇଥିଲା । ରକ୍ତଦାନ କାର୍ଯ୍ୟକ୍ରମ ପାଇଁ ଆଗ୍ରହୀ ସଂଗଠନମାନଙ୍କୁ ନେଇ ଏକ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବା ସହିତ ଅଧିକରୁ ଅଧିକ ଶିବିର ଆୟୋଜନ କରାଯିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।
ରକ୍ତଦାତା ପ୍ରବର୍ତ୍ତକ ସଂଘର ସଭାପତି ଅଧ୍ୟାପକ ପ୍ରବୀର କୁମାର ଦାସଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ଏହି ଆଲୋଚନା ବୈଠକରେ ରକ୍ତଭଣ୍ଡାର ଅଧିକାରୀ ଡା. ମଳୟ କୁମାର ସାହୁ,ରକ୍ତଦାତା ପ୍ରବର୍ତ୍ତକ ସଂଘର ସମ୍ପାଦକ ଦେବାଶିଷ ପୁରୋହିତ, ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ମୃତ୍ୟୁଂଜୟ ମିଶ୍ର,ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ,ଜିଲ୍ଲାରେ ସର୍ବାଧିକ ରକ୍ତଦାନ କରିଥିବା ସମାଜସେବୀ ଜୟନାରାୟଣ ମହାନ୍ତି ଓ ଇଂ. ସଂଜୟ କୁମାର ପଣ୍ଡା,ଜ୍ଞାନଚାନ୍ଦ ଶତପଥୀ,ସୁରେଶ୍ୱର ଯୋଷୀ,ପ୍ରଭାତ କୁମାର ମିଶ୍ର ଓ ସାମ୍ବାଦିକ ଶଶାଙ୍କ ଶେଖର ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031