Indus Valley Times

ବୌଦ୍ଧ :ପୌର ନିର୍ବାଚନ ପାଇଁ ପ୍ରାଥମିକ ଭୋଟର ତାଲିକା ପ୍ରକାଶ

 Breaking News

ବୌଦ୍ଧ :ପୌର ନିର୍ବାଚନ ପାଇଁ ପ୍ରାଥମିକ ଭୋଟର ତାଲିକା ପ୍ରକାଶ

February 11
07:23 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୨ : ପଞ୍ଚାୟତ ନିର୍ବାଚନର ସରଗରମ ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ପୌର ନିର୍ବାଚନର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗୁରୁବାର ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ପୌର ନିର୍ବାଚନ ପାଇଁ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯାଇଛି । ବୌଦ୍ଧଜିଲ୍ଲାର ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ନୋଡାଲ ଅଧିକାରୀ ଭାବରେ ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆଙ୍କୁ ନିଯୁକ୍ତି ଦିଆଯାଇଛି ।
ବୁଧବାର ନିର୍ବାଚନ ଅଧିକାରୀ ଶ୍ରୀପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ସର୍ବଦଳୀୟ ବୈଠକ ଡକାଯାଇ ୧୭ ଗୋଟି ୱାର୍ଡ ପାଇଁ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯାଇଛି । ପ୍ରାଥମିକ ଭୋଟର ତାଲିକାରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୧୫୭୨୮ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୭୮୧୦ ଜଣ ପୁରୁଷ ଓ ୭୯୧୮ ଜଣ ମହିଳା ଭୋଟର ରହିଥିବା ଜଣାଯାଇଛି ।
୨୦୨୨ ଜାନୁୟାରୀ ମାସରେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଧାନସଭା ଚୂଡାନ୍ତ ଭୋଟର ତାଲିକା ଆଧାରରେ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯାଇଥିବାବେଳେ ଏଥିରେ କୌଣସି ଆପତ୍ତି କିମ୍ବା ସଂଶୋଧନ ଆବଶ୍ୟକ ଥିଲେ ୧୧ ରୁ ୧୬ ତାରିଖ ମଧ୍ୟରେ ନିର୍ଦ୍ଧାରିତ ଫର୍ମରେ ପରିଷଦ କାର୍ଯ୍ୟାଳୟରେ ଆବେଦନ କରିବାକୁ ସୂଚନା ଦିଆଯାଇଛି ।
ଏଥିପାଇଁ ପରିଷଦ କାର୍ଯ୍ୟାଳୟ ମଧ୍ୟରେ ନିର୍ବାଚନ ବିଭାଗ ନିର୍ଦ୍ଧାରିତ ଦିବସ ସହିତ ଛୁଟି ଦିନରେ ମଧ୍ୟ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି । ସେହିପରି ୨୨ ତାରିଖ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭୋଟର ତାଲିକା ନେଇ ଆପତ୍ତି ଅଭିଯୋଗ କରାଯାଇପାରିବ ଏବଂ ୨୩ ତାରିଖରେ ଜିଲ୍ଲା ମୁଖ୍ୟନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଦ୍ୱାରା ସମସ୍ତ ଆପତ୍ତି ଅଭିଯୋଗର ବିଚାର କରାଯିବା ପରେ ଫେବୃୟାରୀ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜଣାଯାଇଛି ।
ଏହି ବୈଠକରେ ବିଜେଡିର ସଂପାଦକ ଶିତାଂଶୁ ଶେଖର ମହାକୁଳ,ବିଜେପି ସଂପାଦକ ତାପସ କୁମାର ପଟ୍ଟନାୟକ,କଂଗ୍ରେସ ପକ୍ଷରୁ ପଲସ୍ତି ପ୍ରଧାନା ଓ ପ୍ରାଉଟିଷ୍ଟ ବ୍ଲକ ପକ୍ଷରୁ କେଦାରନାଥ ସାହୁ ଯୋଗଦେଇଥିଲେ । ପରିଷଦର ନିର୍ବାହୀ ଅଧିକାରୀ ଇଂ.ମନୋରଂଜନ ପଣ୍ଡା ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।
ରାଜ୍ୟସ୍ତରୀୟ ବିୱାସି କପ ଫୁଟବଲ ଟୁଣ୍ଟାମେଣ୍ଟଉଦଯାପିତ,କୁଚିଣ୍ଡାକୁ ହରାଇ ସୋନପୁର ଚମ୍ପିଆନ
ବୌଦ୍ଧ,୧୧/୨: ବୌଦ୍ଧଜିଲ୍ଲା ତାଳସରଡା ଗ୍ରାମ ପଂଚାୟତ ସଂଗ୍ରାମପୁର ହାଇସ୍କୁଲ ଖେଳ ପଡିଆ ଠାରେ ବିଜୟା ୟୁଥ କ୍ଲବ ଆନୁକୁଲ୍ୟରେ ଚାଲିଥିବା ବିୱାସି କପ ରାଜ୍ୟସ୍ତରୀୟ ଫୁଟବଲ ଟୁଣ୍ଟାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ସସାଇ ସ୍ପୋଟିଙ୍ଗ ସୋନପୁର ଓ ବିଏଫସି କୁଚିଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ଦ୍ଦାରିତ ଖେଳ ସମୟ ମଧ୍ୟରେ ଉଭୟ ଦଳ ୧-୧ ଗୋଲ କରିଥିଲେ ।
ଫଳରେ ଟାଇବ୍ରେକର ଜରିଆରେ ୩-୧ ଗୋଲରେ ସୋନପୁର ଦଳ ବିଜୟ ଲାଭ କରି ଟୁଂନାମେଂଟର ଚମ୍ପିଆନ ହୋଇଥିଲା । ଖେଳକୁ ଜାତୀୟ ରେଫରୀ ସୁବ୍ରତ ପୁରୋହିତ, ସଲିଲ ବେହେରା, ଶେଷଦେବ ବେହେରା , ଦିଲ୍ଲିପ ରାଉତ ପରିଚାଳନା କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂସଦର ସଂପାଦକ ରବିନ୍ଦ୍ର କୁମାର ରାଉତ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ କ୍ରୀଡାବିତ ଜିତେନ୍ଦ୍ର ପାଣ୍ଡେ, ସଂଗ୍ରାମପୁର ହାଇସ୍କୁଲର ଉପଦେଷ୍ଠା ଚେତାରାମ ପଟ୍ଟନାୟକ ଯୋଗଦେଇ ବିଜୟତା ଓ ଉପବିଜତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।
ସଂଗ୍ରାମପୁର ହାଇସ୍କୁଲର କ୍ରୀଡା ଶିକ୍ଷକ ନୟନ ମହାନ୍ତି, ଗନ୍ଧରାଢୀ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁଭାଷ ଭୋଇ ତାପସ ଭୋକ୍ତ ମ୍ୟାଚର ଧାରାବିବରଣୀ ପ୍ରଦାନ କରିଥିଲେ । ଟୁଣାଂମେଟଂକୁ ପରିଚାଳନାରେ ଶୁଭେନ୍ଦୁ ନାୟକ,ସତ୍ୟଜିତ ବେହେରା, ସଂଜୟ ଅଦାବର,ଜିତେନ୍ଦ୍ର, କାହ୍ନା ପ୍ରମୁଖ କ୍ଲବର ସମସ୍ତ ସହଯୋଗ କରିଥିଲେ ।
ଦୁର୍ଗମ ଅଞ୍ଚଳବାସୀଙ୍କ ଚେତାବନୀ ବିକାଶ ନାହିଁ ,ଭୋଟ ନାହିଁ
ବୌଦ୍ଧ,୧୧/୨ : ବୌଦ୍ଧଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗୁଡିକରେ ଭୋଜି ଭାତର ମାହୋଲ ଜମିଥିବାବେଳେ ନେତାମାନେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ତେବେ ଭୋଟରଙ୍କ ଦିନେ କୁ ନେତାଙ୍କ ୫ ବର୍ଷ ନ୍ୟାୟରେ ଅନେକ ଗ୍ରାମରେ ଲୋକମାନେ ଭୋଟ ସମୟରେ ନେତାମାନଙ୍କ ସମ୍ମୁଖରେ ନିଜର ଦାବି ଆପତ୍ତି ମଧ୍ୟ ଉପସ୍ଥାପନ କରୁଥିବା ଦେଖାଯାଇଛି । ତେବେ ବୌଦ୍ଧ ବ୍ଳକର ଦୁର୍ଗମ ଅଞ୍ଚଳ ଭାବରେ ଜଣାଶୁଣା ଟିକରପଡାର ପଞ୍ଚାୟତର କିଛି ଗ୍ରାମରେ ଏଥର ବିକାଶ ନାହିଁ ତ ଭୋଟ ନାହିଁ ବୋଲି ଚେତାବନୀ ଦେବା ସହିତ ସେମାନଙ୍କ ଦାବି ପୂରଣ ନହେଲେ ଭୋଟ ବର୍ଜନ କରିବାକୁ ନିଷ୍ଫତି ନେଇଥିବା ଜଣାପଡିଛି ।

ସୂଚନା ମୁତାବକ ବୌଦ୍ଧ ବ୍ଳକର ଟିକରପଡା ପଞ୍ଚାୟତ ବଣ ପାହାଡ ମଧ୍ୟରେ ଅବସ୍ଥିତ ।
ପଞ୍ଚାୟତର ଅନେକ ଗ୍ରାମକୁ ସବୁଦିନିଆଁ ରାସ୍ତା ନଥିବାବେଳେ ପାଣି ବିଜୁଳି ସେମାନଙ୍କ ପାଇଁ ସାତ ସପନ ହୋଇପଡିଛି । କେବଳ ନିର୍ବାଚନ ସମୟରେ ନେତାଙ୍କ ପାଦ ଗ୍ରାମ ଗୁଡିକରେ ପଡୁଥିବାବେଳେ ଅନ୍ୟ ସମୟରେ ସେମାନେ ବିଭିନ୍ନ ସମସ୍ୟା ସହିତ ବଞ୍ଚିବାକୁ ସଂଗ୍ରାମ ଜାରି ରଖିଛନ୍ତି ।
ତେଣୁ ଏଥର ନିର୍ବାଚନରେ ନେତାଙ୍କୁ ଗ୍ରାମବାସୀମାନେ ସିଧା ଚେତାବନୀ ଦେଇଛନ୍ତି । ଏନେଇ ଗ୍ରାମବାସୀ ମାନେ ଗତ ବୁଧବାର ଦିନ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଗ୍ରାମର ସମସ୍ୟା ଗୁଡିକ ଦୁର କରାନଗଲେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଲିଖିତ ଭାବରେ ଜଣାଇଛନ୍ତି । ଗୁରୁବାର ଦିନ ପଞ୍ଚାୟତର ୧୩ ନମ୍ବର ୱାର୍ଡ ଅର୍ନ୍ତଭୁକ୍ତ ଦମଣ୍ଡା, ସାଲଦରଙ୍ଗା , ଲକଡପାଜୁ, ନୁଆସାହି ଓ କୁମନାଲି ସମେତ ଅଞ୍ଚଳର ଦୁର୍ଗମ ଗ୍ରାମ ଗରୁଜୀମୁଣ୍ଡା,ଶାସନମୁଣ୍ଡା, ଲିମଖୋଲି ଆଦିର ବାସୀନ୍ଦାମାନେ ଗୁରୁଜୀମୁଣ୍ଡା କେନ୍ଦୁପତ୍ର ଫଡି ନିକଟରେ ଏକ ବୈଠକ କରି ଗାଁର ବିକାଶ ନାହିଁ ତ ଭୋଟ ଦେବୁ ନାହିଁ ବୋଲି ନିଷ୍ପତି ଗ୍ରହଣ କରିଥିବା ଜଣାଯାଇଛି ।
ତିଲେଶ୍ୱର ପଂଚାୟତ ତାକୁଡ ଗ୍ରାମରେ ନିର୍ବାଚନି ହିଂସା
ବୌଦ୍ଧ,୧୧/୨: ବୌଦ୍ଧଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ସ୍ଥାନରେ ନିର୍ବାଚନି ହିଂସା ବୃଦ୍ଧି ପାଇବାରେ ଲାଗିଛି । ଆଜି ଅପରାହ୍ନରେ ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକର ତାକୁଡ ଗ୍ରାମରେ ଏକ ନିର୍ବାଚନି ହିଂସା ଦେଖିବାକୁ ମିଳିଛି । ମିଳିଥିବା ସୂତ୍ରରୁ, ଆଜି ଅପରାହ୍ନରେ ତାକୁଡ ଗ୍ରାମର ସୁରେଶ ଦେହୁରୀ(୪୭)ଙ୍କୁ ଗ୍ରାମର ଦୁଇଜଣ ଯୁବକ ଆସି ଏକ ନିର୍ଦ୍ଦିଷ୍ଠ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ବାଧ୍ୟ କରାଇଥିଲେ ।
ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଫଳରେ ଉକ୍ତ ଦୁଇଜଣ ଯୁବକ ସୁରେଶକୁ ପଥରରେ ଆକ୍ରମଣ କରିଥିଲେ । ସୁରେଶର ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ସୁରେଶକୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ନେଇ ଅଂଚଳରେ ଉତେଜନା ଦେଖାଦେଇଛି । ଏହି ଘଟଣାକୁ ନେଇ ଗ୍ରାମରେ ବୈଠକ ବସିକୁ ଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି ।
ବାଇକ ସହ ୨୧ କିଲୋ ଗଂଜେଇ ଜବତ, ୨ ଗିରଫ
ବୌଦ୍ଧ,୧୧/୨:ଗଂଜେଇ ଚୋରା ଚାଲାଣ ହେଉଥିବା ସମୟରେ ବୌଦ୍ଧ ପୁଲିସ ଏକ ବାଇକ(ଓଡି ୨୭ସି ୫୩୭୦) ଉପରେ ଚଢାଉ କରି ୨୧ କିଲୋ ଗଂଜେଇ ଜବତ କରିବା ସହିତ ୨ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମନମୁଣ୍ଡା ଥାନା ରୁଗୁଡିଗୁରା ଗ୍ରାମର ବିରାଟ ସାହାଣୀ(୩୦) ଓ ବାଉଁଶୁଣୀ ଥାନା ଅନ୍ତର୍ଗତ ଜମଘାଟୀ ଗ୍ରାମର ପ୍ରଦିପ ମହାନନ୍ଦିଆ(୩୫) ବୋଲି ଜଣାପଡିଛି ।
ପୁଲିସ ସୁତ୍ରରୁ ପ୍ରକାଶ, ବିରାଟ ସାହାଣୀ ଓ ପ୍ରଦିପ ମହାନନ୍ଦିଆ ଏକ ବାଇକ ଯୋଗେ ବୌଦ୍ଧ ବାଇବାଶ ରାସ୍ତାରେ ଗଂଜେଇ ଧରି ଯାଉଥିବା ସମୟରେ ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟ ନିକଟରେ ପୁଲିସ ଉକ୍ତ ବାଇକ ଉପରେ ଚଢାଉ କରି ୨୧ କିଲୋ ଗଂଜେଇ ସହ ବାଇକକୁ ଜବତ କରିଛି ଓ ସେମାନଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି । ଗଂଜେଇ ଚାଲାଣ ଅଭିଯୋଗରେ ପୁଲିସ ବିରାଟ ଓ ପ୍ରଦିପକୁ ଗିରଫ କରାଯାଇଥିବା ଆଦର୍ଶ ଥାନା ଅଧିକାରୀ ମାଧବ ନନ୍ଦ ନାୟକ ସୁଚନା ଦେଇଛନ୍ତି ।
ବୌଦ୍ଧ କୋର୍ଟରୁ ରେକର୍ଡ ଉଭାନ , ଥାନାରେ ମାମଲା
ବୌଦ୍ଧ,୧୧/୨: ବୌଦ୍ଧ ବିଚାରବିଭାଗୀୟ ଅଦାଲତରୁ ଏକ ଗୁରୁତ୍ୱପୁର୍ଣ୍ଣ କେସର ରେକର୍ଡ ହଜିଯାଇଥିବା, ମିଳୁନଥିବା କିମ୍ବା ଚୋରୀ ହୋଇଯାଇଥିବା ନେଇ ବୌଦ୍ଧ ଥାନାରେ ଲିଖିତ ଭାବରେ ଅଭିଯୋଗ କରାଯାଇଛି । ବୌଦ୍ଧ ସିଭିଲ କୋର୍ଟର ରେଜିଷ୍ଟ୍ରାର ଙ୍କ ପକ୍ଷରୁ ଥାନାରେ ଦିଆଯାଇଥିବା ଲିଖିତ ମାମଲା ଅନୁଯାୟୀ ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜଙ୍କ ଅଦାଲତର ସ୍ୱେଶାଲ କେସ ୪/୧୮( ପସ୍କୋ)ର ରେକର୍ଡ ହଜିଯାଇଥିବା, ମିଳୁନଥିବା କିମ୍ବା ଚୋରୀ ହୋଇଯାଇଥିବା ଅଭିଯୋଗ କରାଯାଇଛି ।
ପୋଲିସ ଏନେଇ ଥାନା କେସ ନଂ ୫୪/୨୨ ତା ୮.୨.୨୦୨୨ ରିଖ ଦଫା ୩୮୦ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ତେବେ ଜିଲ୍ଲା ଦୌରାଜଜଙ୍କ ଅଦାଲତର ବିଭିନ୍ନ ବିଭାଗରେ ବହୁ ସଂଖ୍ୟକ କେସର ରେକର୍ଡ ରହିଥିବାବେଳେ ସଂପୃକ୍ତ କେସର ରେକର୍ଡ ହଠାତ୍ କାହିଁକି ଉଭାନ ହୋଇଗଲା ଏନେଇ ସାଧାରଣରେ ସଂଶୟ ସୃଷ୍ଟି ହୋଇଛି । ତେବେ ପୋଲିସ ପକ୍ଷରୁ ମାମଲାର ତଦନ୍ତ କରାଗଲେ ରେକର୍ଡ ଉଭାନ ହେବାର କାରଣ ଲୋକଲୋଚନକୁ ଆସିପାରିବ ।
ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷଙ୍କୁ କର୍ମଚାରୀଙ୍କ ହତ୍ୟା ଧମକ ଥାନାରେ ମାମଲା
ବୌଦ୍ଧ,୧୧/୨: ବୌଦ୍ଧ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଅବିନାଶ ମିଶ୍ରଙ୍କ ତାଙ୍କର ଜଣେ କର୍ମଚାରୀ ହତ୍ୟା ଧମକ ଦେଇଥିବା ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ଶିଳ୍ପ ତାଲିମ କେନ୍ଦ୍ରର ୱେଲଟଡର ପ୍ରଶାନ୍ତ ମିଶ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର ପାଇଁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ । ବୁଧବାର ଅଧ୍ୟକ୍ଷ ଶ୍ରୀମିଶ୍ର ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ଦେଖିବାକୁ ତାଲିମ କେନ୍ଦ୍ରର େଓଲଡର ୱାର୍କସପକୁ ଯାଇଥିବାବେଳେ ହଠାତ ୱେଲଡର ପ୍ରଶାନ୍ତ ଅଧ୍ୟକ୍ଷଙ୍କୁ ଅସଭ୍ୟ ଭାଷାରେ ଗାଲି ଗୁଲଜ କରିବା ସହିତ ହତ୍ୟା ଧମକ ଦେଇଥିବା ସେ ବୌଦ୍ଧ ଥାନାରେ ଲଖିତ ଅଭିଯୋଗ କରିଛନ୍ତି । ଏନେଇ ଥାନା କେସ ନମ୍ବର ୫୭/୨୨ ରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।
ବୌଦ୍ଧ ଜିଲ୍ଲାରେ କୋଭିଡ୍ ଟିକାକରଣ ସଂପୂର୍ଣ୍ଣ କରିବାପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୧/୨:ବୌଦ୍ଧ ଜିଲ୍ଲାରେ କୋଭିଡ୍ ଟିକାକରଣକୁ ସଂପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ବର୍ତମାନ ସୁଦ୍ଧା କୋଭିଡ୍ ଟିକାକରଣ ୯୨.୭୫ ପ୍ରତିଶତ ଥିବାରୁ ଏହାକୁ ଶତପ୍ରତିଶତ କରିବାକୁ ସବୁସ୍ତରରେ ଉଦ୍ୟମ କରାଯାଉଅଛି । ବିଶେଷକରି ୧୫ ରୁ ୧୮ ବର୍ଷ ବୟସ୍କ ବର୍ଗରେ ଟିକାକରଣ ୬୯ ପ୍ରତିଶତ ଥିବାହେତୁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡ଼ିକରେ ଟିକା ନେଇ ନଥିବା ୧୫ ରୁ ୧୮ ବର୍ଷ ବୟସ୍କ କିଶୋରକିଶୋରୀଙ୍କୁ ଶିକ୍ଷକଙ୍କ ଦ୍ବାରା ଚିହ୍ନଟ କରି ସ୍ବାସ୍ଥ୍ୟ ବିଭାଗ ସହାୟତାରେ କୋଭିଡ୍ ଟିକାକରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।
ଏଥିନିମନ୍ତେ ଜିଲ୍ଲା ଶିକ୍ଷାବିଭାଗକୁ ବିଦ୍ୟାଳୟ ଓ୍ବାରି ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରି ସ୍ଵାସ୍ଥ୍ୟ ବିଭାଗକୁ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ, ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ଆଶାକର୍ମୀଙ୍କ ଜରିଆରେ ଚିହ୍ନଟ କରି ସ୍ଵାସ୍ଥ୍ୟକର୍ମୀ ମାନଙ୍କ ଦ୍ବାରା କୋଭିଡ୍ ଟିକାକରଣ ଅଭିଯାନକୁ ସଂପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
କୋଭିଡ୍ ଟିକାକରଣକୁ ତ୍ବରାନ୍ବିତ ଓ ବ୍ୟାପକ କରିବାକୁ ପ୍ଲାନ୍ ଇଣ୍ଡିଆ, ଆକ୍ସନ୍ ଏଡ୍ ତଥା ସିଡିଏ ସଂଗଠନର କର୍ମକର୍ତା ମାନଙ୍କୁ ସହେଯାଗ କରିବାପାଇଁ ବୈଠକରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ,ଏଥିସହିତ ଜିଲ୍ଲାରେ ଧାର‌୍ୟ୍ୟ ମୁତାବକ ଦୈନିକ କୋଭିଡ୍ ଟେଷ୍ଟି, କୋଭିଡ୍ ଚିକିତ୍ସାକେନ୍ଦ୍ର ତଥା ଗୃହପୃଥକବାସରେ ଥିବା କୋଭିଡ୍ ସଂକ୍ରମିତଙ୍କୁ ନିୟମିତ ଚିକିତ୍ସା ଜାରି ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ବୈଠକରେ ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହେଉଥିବା ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ଓ ଫେବ୍ରୁଆରୀ ୨୭ ରୁ ମାର୍ଚ୍ଚ ୧ ତାରିଖ ଯାଏଁ ହେବାକୁ ଥିବା ପଲସ୍ ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ସଫଳ ରୂପେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ଵାନ କରିଥିଲେ, ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ଜନସ୍ଵାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଶ ମହାପାତ୍ର, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ଭଞ୍ଜ କିଶୋର ରାମଚନ୍ଦ୍ର ଦେଓ ହେମ୍ବ୍ରମ୍, ଜିଲ୍ଲା ମ୍ୟାଲେରିଆ ନିରାକରଣ ଅଧିକାରୀ ଡା, ମଦନମୋହନ ପ୍ରଧାନ, ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡା. କିଶୋର ପଟ୍ଟନାୟକ, ଡିପିଏମ୍ ରୂପକ ମହାପାତ୍ର ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ ଓ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

ବୌଦ୍ଧ ,୧୧/୨: ବୌଦ୍ଧ ଜିଲ୍ଲା ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଗତ ଜାନୁଆରୀ ୨୯ ତାରିଖରେ ଅନୁଷ୍ଠିତ ହୋଇଥିଲା , ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ଉଦୟନାଥ ମାଝୀ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ୧୦ ଘଣ୍ଟା ରୁ ୪ଟା ପର୍ଯ୍ୟନ୍ତ ୬ ଘଣ୍ଟା ବିଦ୍ୟାଳୟରେ ଉପସ୍ଥିତ ରହି ଆଭାସି, ଓ ଶଙ୍କା ମୋଚନ ପ୍ରତ୍ୟକ୍ଷ ଶିକ୍ଷଣ କାର୍ଯ୍ୟ ଛୋଟ ଛୋଟ ଦଳରେ କୋଭିଡ ନିୟମ ପାଳନ ପୂର୍ବକ କରିବାକୁ ନିର୍ଦେଶ ଦେଇଥିଲେ ।
ଆଜି ଉକ୍ତ କାର୍ଯ୍ୟକୁ ତଦାରଖ ସକାଶେ କଣ୍ଟାମଳ ବ୍ଲକର କିଛି ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିବା ବେଳେ କିଛି ବ୍ୟତିକ୍ରମ ଦେଖିବାରୁ ସେମାନଙ୍କ ସକାଶେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଛନ୍ତି ।
ବିରସିଂପୁର କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାଲିକୁଦ ୧୦ ଘଣ୍ଟା ସୁଦ୍ଧା ଖୋଲା ନ ଥିଲା ଏବଂ ଛାତ୍ର ଛାତ୍ରୀ ମାନେ ଗେଟ ସାମ୍ନାରେ ମୁଖ୍ୟ ରାସ୍ତା ଉପରେ ରୁଣ୍ଡ ହୋଇଥିଲେ ତେଣୁ ଉକ୍ତ ସ୍କୁଲର ସମସ୍ତ ଶିକ୍ଷକଙ୍କୁ କୈଫିୟତ ତଲବ ସହିତ ଦରମା ବନ୍ଦ, ଖଟଖଟିଆ କ୍ଲଷ୍ଟରର ସାନ ମନମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମଶ୍ରେଣୀ ପିଲାମାନେ ତୁଣ୍ଡି ପିନ୍ଧି ନଥିଲେ, ୪ ଜଣ ଶିକ୍ଷକଙ୍କ ମଧ୍ୟରୁ ୨ ଜଣ ଉପସ୍ଥିତ ଥିଲେ ।
ଅନୁପସ୍ଥିତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ମହାପାତ୍ର ଓ ସହକାରୀ ଶିକ୍ଷକ ବୀରେନ୍ଦ୍ର କୁମାର ପ୍ରଧାନଙ୍କୁ କୈଫିୟତ ତଲବ ସହିତ ଦରମା ବନ୍ଦ ଏବଂ ଶିକ୍ଷୟିତ୍ରୀ ରଞ୍ଜିତା ମହାଲିକ ଓ ଶିକ୍ଷକ ଆନନ୍ଦ କୁମ୍ଭାର ଉପସ୍ଥିତ ଥାଇ ମଧ୍ୟ ପିଲାମାନେ କୋଭିଡ ନିୟମ ପାଳନ କରି ନ ଥିବାରୁ ଏବଂ ଶିକ୍ଷଣରେ ଅବହେଳା ପାଇଁ କୈଫିୟତ ତଲବ ଓ ଦରମାବନ୍ଦ ଆଦେଶ ଦେଇଛନ୍ତି ।
ଦପଲା କ୍ଲଷ୍ଟରର ବଉଳସିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧ ଘଣ୍ଟା ୧୫ ମିନିଟ ସମୟରେ ଜଣେ ଶିକ୍ଷକ ଉପସ୍ଥିତ ଥିଲେ ଏବଂ ସ୍କୁଲରେ ତାଲା ପଡିଥିଲା , ଅନୁପସ୍ଥିତ ଥିବା ପ୍ରଧାନ ଶିକ୍ଷକ ଦିଲ୍ଲୀପ ମହାନ୍ତି, ଶିକ୍ଷକ ସୁଶାନ୍ତ କୁମାର ବଣ୍ଡକି, କେଶବ ପ୍ରଧାନ, ଲିଙ୍ଗରାଜ ତାଣ୍ଡିଆ, ଗୀତାଞ୍ଜଳି ବେହେରା ଙ୍କୁ କୈଫିୟତ ତଲବ ସହିତ ଦରମା ବନ୍ଦ ନିର୍ଦେଶ ଦେଇଛନ୍ତି ,ଉକ୍ତ ତିନି କ୍ଲଷ୍ଟର ର ସି ଆର ସି ସି ମାନଙ୍କୁ ସେମାନଙ୍କ କ୍ଲଷ୍ଟରରେ ବିଭାଗୀୟ ନିର୍ଦେଶ କାର୍ଯ୍ୟକାରି ହେଉ ନ ଥିବାରୁ କୈଫିୟତ ତଲବ ପାଇଁ ବି ଇ ଓ କଣ୍ଟାମାଳଙ୍କୁ ନିର୍ଦେଶ ଦିଆଯାଇଛି , ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଉମା ଏବଂ ଲକ୍ଷ୍ମୀପ୍ରସାଦ ଠିକ ଭାବରେ କାର୍ଯ୍ୟ ଚାଲୁଥିବାର ଜିଲ୍ଲା ଶିକ୍ଷା ଧିକାରୀ ଶ୍ରୀ ମାଝୀ ଅନୁଭବ କରିବାରୁ ଖୁସି ବ୍ୟକ୍ତ କରିଥିଲେ କ୍ଷ

ବଘିଆପଡା ସେବା ସମବାୟ ସମିତି ଆଗରେ ଚାଷୀଙ୍କ ଶହ ଶହ ବସ୍ତା ଧାନ

ବୌଦ୍ଧ,୧୧/୨: ବୌଦ୍ଧଜିଲ୍ଲା ବଘିଆପଡା ସେବା ସମବାୟ ସମିତି ଆଗରେ ଚାଷୀଙ୍କ ଶହ ଶହ ବସ୍ତା ଧାନ ଦୀର୍ଘ ଦିନ ହେବ ପଡ଼ି ରହିଥିବା ବେଳେ ଆଜି ବିଜେପିର କିଛି କର୍ମକର୍ତ୍ତା ଏହା ଜାଣି ସେଠାରେ ପହଞ୍ଚି ଥିଲେ ।, ହେଲେ ଧାନ ବସ୍ତା ପଡ଼ିଥିବା ବେଳେ ସମିତିରେ କେହି ନ ଥିଲେ ।
ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ମୁଣ୍ଡାପଡା ମଣ୍ଡଳ ସଭାପତି ଯୀଶୁ ପଧାନ, ବିଜେପି ନେତା ପ୍ରତାପ କର୍ଣ୍ଣ, ବଂଶୀଧର ମହାକୁଡ,ଅଶୋକ ସିଂହ, ଅଭୟ ସିଂହ ସହିତ ଚାଷୀ ଶ୍ରୀବନ୍ତ ମାଝୀ, ଗୋକୁଳ ଭୁକ୍ତା, ଗୋକୁଳେଶ୍ୱର ଭୋଇ, ଛବିନ୍ଦ୍ର ବେହେରା, ବିରବର ମୁଦୁଲି, ଦଶରଥ ବେହେରା, ସୁଶାନ୍ତ ମିର୍ଦ୍ଧା ସମେତ ଅନେକ ଚାଷୀ ଥିଲେ, ମଣ୍ଡିରୁ ଧାନ ଉଠାଣ ପାଇଁ ବିଭିନ୍ନ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଧାନ ଉଠି ନଥିବା ସେମାନେ ଅଭିଯୋଗ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031