Indus Valley Times

ବୌଦ୍ଧ ସଂସ୍କୃତି ଭବନ ଉଦଘାଟିତ

 Breaking News

ବୌଦ୍ଧ ସଂସ୍କୃତି ଭବନ ଉଦଘାଟିତ

ବୌଦ୍ଧ ସଂସ୍କୃତି ଭବନ ଉଦଘାଟିତ
July 14
10:13 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୪/୭: ବୌଦ୍ଧ କଚେରୀ ରୋଡ ଠାରେ ମାଧବ ସେବା ଟ୍ରଷ୍ଟ ପକ୍ଷରୁ ସଂସ୍କୃତି ଭବନ କାର୍ଯ୍ୟାଳୟ ଆଜି ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟୀୟ ସ୍ୱୟଂସେବକ ସଂଘର ପଶ୍ଚିମ ପ୍ରାନ୍ତ କାର୍ଯ୍ୟକାରୀଣୀ ସଦସ୍ୟ ବିଷ୍ଣୁ ଚରଣ ପାତ୍ର ଯୋଗ ଦେଇ ରାଷ୍ଟ୍ର ହିତ ପାଇଁ ସ୍ୱୟଂସେବକ ସର୍ବଦା ଉତ୍ସାର୍ଗୀକୃତ ରହିବା ପାଇଁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ, ପୂର୍ବ ପ୍ରାନ୍ତ ଗ୍ରାମବିକାଶ ପ୍ରାନ୍ତ ସଂଯୋଜକ ଆଲୋକ ଖଟୁଆ, ଓଡିଶା ପଶ୍ଚିମ ଗ୍ରାମବିକାଶ ସଂଯୋଜକ ସ୍ଵପ୍ନେଶ୍ଵର ପ୍ରଧାନ, ସହପ୍ରାନ୍ତ ପ୍ରଚାର ପ୍ରମୁଖ ପ୍ରଣବ କୁମାର ନାୟକ, ଜ଼ିଲ୍ଲା କର୍ମକର୍ତ୍ତା ଓ ସ୍ୱୟଂ ସେବକ ଯୋଗ ଦେଇଥିଲେ ।
ଉଦଘାଟନ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଜ଼ିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ସପତ୍ନୀକ ଯଜ୍ଞ କାର୍ଯ୍ୟ ତୁଲାଇ ଥିଲେ । ଏହି ଉତ୍ସବରେ ଅନ୍ନ ଯଜ୍ଞ, ଘୃତ ଯଜ୍ଞ, ନାମ ଯଜ୍ଞ, ବାଳକ ଭୋଜନ କାର‌୍ୟ୍ୟକ୍ରମ ଓ ଜପ ଯଜ୍ଞ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ତପସ୍ୱିନୀ ମାତୃ ମଣ୍ଡଳୀ, ବଜରଙ୍ଗ ଦଳ, ବିଦ୍ୟାର୍ଥୀ ପରିଷଦର ସଦସ୍ୟ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ ।

ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ଅସ୍ତିତ୍ୱ ହରାଉଛି ଜିଲ୍ଲା ସଂଗ୍ରହାଳୟ
ବୌଦ୍ଧ,୧୪/୭: ବୌଦ୍ଧଗଡଜାତ ରାଜଙ୍କ ଦ୍ୱାରା ନିର୍ମିତ ଶହେ ବର୍ଷର କଚେରୀ କୋଠାକୁ ୨୦୨୧ ଜାନୁଆରୀ ମାସରେ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା ସଂଗ୍ରହାଳୟର ରୂପ ଦିଆଯାଇଥିଲା । ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ଏହି ଜିଲ୍ଲା ସଂଗ୍ରହାଳୟ ଧିରେଧିରେ ତାର ଅସ୍ତିତ୍ୱ ହରାଉଥିବା ଅଭିଯୋଗ ହେଉଛି । ଆଗ ପ୍ରତିଦିନ ଜିଲ୍ଲା ଓ ଜିଲ୍ଲା ବାହାରୁ ଜିଲ୍ଲା ସଂଗ୍ରହାଳୟ ବୁଲିବା ପାଇଁ ଶହ ଶହ ପର୍ଯ୍ୟଟକ ଆସୁଥିବା ବେଳେ ଏବେ ପର୍ଯ୍ୟଟକମାନେ ମୁହଁ ଫେରାଇ ନେଉଛନ୍ତି । ଏବେ ଖାଁ ଖାଁ ଲାଗୁଛି ଜିଲ୍ଲା ସଂଗ୍ରହାଳୟ ପରିସର ।
ବର୍ତ୍ତମାନ ଏହି ଜିଲ୍ଲା ସଂଗ୍ରହାଳୟରେ ୮ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ହେଲେ ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ପାଂଚମାସ ହେବ ଦରମା ପାଇନାହାନ୍ତି । ସ୍ୱଳ୍ପ ବେତନ ପ୍ରାପ୍ତ ଏହି କର୍ମଚାରୀମାନେ ଦରମା ନ ପାଇବା ଫଳରେ ସେମାନଙ୍କର ପରିବାର ଚଳିବା କଷ୍ଟକର ହୋଇ ପଡିଛି । ଏପରିକି ଅନେକ ଧାର କରଜ କରି ପରିବାର ଚଳାଉଛନ୍ତି । ଗତ ଜାନୁଆରୀ ମାସରେ ଦରମା ପାଇଥିବା ବେଳେ ବର୍ତ୍ତମାନ ଜୁଲାଇ ମାସ ହେଲାଣି ହେଲେ ସେମାନଙ୍କ ଦରମା ଦେଖା ନାହିଁ । ବୌଦ୍ଧଜିଲ୍ଲାରେ ରଥଯାତ୍ରା ଏକ ପ୍ରମୁଖ ପର୍ବ ଭାବରେ ଜିଲ୍ଲାରେ ପାଳନ କରାଯାଉଥିଏ ।
ରଥଯାତ୍ରା ପାଇଁ ଘରେ ଘରେ ପିଠାପଣା, ନୂଆଁବସ୍ତ୍ର ଆଦି ପାଇଁ ଆଗୁଆ ପ୍ରସ୍ତୁତି ଚାଲିଥିବା ବେଳେ ଏହି କର୍ମଚାରୀମାନେ ଦରମା ନ ପାଇବା ସେମାନଙ୍କ ପାଇଁ ଯାତ୍ରା ଫିକା ପଡିଯାଇଛି । ଜିଲ୍ଲା ସଂଗ୍ରହାଳୟ ଉଦଘାଟନ ପରେ ଜିଲ୍ଲାକୁ ଯେତେ ମନ୍ତ୍ରୀ, ଅଧିକାରୀ,ସଚିବ ଆସୁଛନ୍ତି ନିଶ୍ଚୟ ଜିଲ୍ଲା ସଂଗ୍ରହାଳୟକୁ ବୁଲିବାକୁ ଯାଇ ତାରିଫ କରୁଛନ୍ତି ।
ଏହି ସଂଗ୍ରହାଳୟକୁ ଅଧିକ ଆକର୍ଷିଣ କରିବା ପାଇଁ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ନୂତନ ପଦକ୍ଷେପ ନିଆଯାଇଛି । ପର୍ଯ୍ୟଟକମାନେ ସଂଗ୍ରହାଳୟରେ ପୁରୁଣା କିର୍ତ୍ତିରାଜୀ ସହିତ କଳା,ସଂସ୍କୃତି, ଐତିହ୍ୟ ଗୁଡିକୁ ବୁଲି ଦେଖିବା ସହିତ ୧୧ଡି, ଭୂଲଭୁଲେୟା, ଆକ୍ୟୁରିୟମ, ଗ୍ରାଭିଟି ଟନେଲ ଆଦିର ମଜା ନେବା ପାଇଁ ତିଆରି କରାଯାଇଛି ।
ପର୍ଯ୍ୟଟକମାନେ ପ୍ରାଚୀନ କର୍ତ୍ତିରାଜୀ ସହିତ ଏହି ସବୁ ଜିନିଷର ମଜା ଉଠାଉବା ବେଳେ ରାଜ୍ୟର ପ୍ରଥମ ୧୧ଡି କୁ ଦେଖିବା ପାଇଁ ପ୍ରତିଦିନ ଲୋକଙ୍କ ଭିଡ ଜମୁଥିଲା । ହେଲେ ଏବେ ଲୋକଙ୍କ ଆସିବା କମିବାରେ ଲାଗିଛି । ଜିଲ୍ଲାର ଏହି ହେରିଟେଜ କୋଠାରେ ସଂଗ୍ରହାଳୟ ପ୍ରତିଷ୍ଠା ହେବା ଦ୍ୱାରା ବୌଦ୍ଧଜିଲ୍ଲାର କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ପ୍ରଚାର ପ୍ରସାର ହୋଇ ପାରିବ ବୋଲି ଆଶା କରାଯାଇଥିଲା ।
ଏହି ଐତିହାସିକ ବୌଦ୍ଧଜିଲ୍ଲାର ପବିତ୍ର ଓ ଗୈାରବମୟ ଐତିହ,ସାହିତ୍ୟ ସଂସ୍କୃତି ଓ କୀର୍ତ୍ତିରାଜୀକୁ ସ୍ମରଣ ରଖିବା ତଥା ଉତ୍ତର ପିଢିଙ୍କ ପାଇଁ ପ୍ରେରଣାଦାୟୀ ହେବା ଉଦ୍ଦେଶ୍ୟରେ ଜିଲ୍ଲା ସଂଗ୍ରହାଳୟ ଆରମ୍ଭ କରାଯାଇଥିଲା । ସଂଗ୍ରହାଳୟ ମଧ୍ୟରେ ରାଜା ରାଜୁଡା ସମୟର ସ୍ମୃତି ଚିହ୍ନ ସହିତ ଜିଲ୍ଲାର,କଳା ସଂସ୍କୃତି,ହସ୍ତକଳା, ପ୍ରାଚୀନ କିର୍ତ୍ତିରାଜୀ,ରାଜାଙ୍କ ଶାସନ ସମୟର ଦୁର୍ଲଭ ସାମଗ୍ରୀ,ଜିଲ୍ଳାର ହସ୍ତଶିଳ୍ପ ଓ କାରିଗରୀ,କଳା ସଂସ୍କୃତି,ପୂରାତନ ପୋଥି,ଦସ୍ତାବେଜ, ଫଟୋଚିତ୍ର ଓ ପୁସ୍ତକ ଆଦି ସ୍ଥାନ ପାଇଛି ।
ସଂଗ୍ରହାଳୟକୁ ୧୬ ଗୋଟି ବିଭାଗରେ ବିଭକ୍ତ କରାଯାଇ ରାଜକୀୟ କକ୍ଷ, ଟେରାକୋଟା, ମୁଦ୍ରା ଓ ପୋଥିଲେଖ ବିଭାଗ, ଚାରୁ ଓ ଚାରୁକଳା ପ୍ରକୋଷ୍ଠ, ପରମ୍ପରାଗତ ସଙ୍ଗିତ ଓ ନୃତ୍ୟକଳା, ପର୍ଯ୍ୟଟନ ପ୍ରକୋଷ୍ଠ, ଉନ୍ନୟନ ମୂଳକ ପ୍ରକଳ୍ପ, ଜିଲ୍ଲାର ଖ୍ୟାତିସଂପର୍ଣ୍ଣ ବ୍ୟକ୍ତିବିଶେଷ, ଜନଜାତି ପ୍ରକୋଷ୍ଠ, ହସ୍ତଶିଳ୍ପ, ଶସ୍ତ୍ରଶାଳା, ଚାନ୍ଦୁଆ ଶିଳ୍ପ, ପୂରାତନ ଅଭିଲେଖାଗାର, ହସ୍ତତନ୍ତ ପ୍ରକୋଷ୍ଠ ଏøତିହାସିକ ଓ ସ୍ଥାପତ୍ୟ କଳା ଏବଂ ସ୍ମରଣିକା ଆଦି ସ୍ଥାନ ଦିଆଯାଇଛି । ପ୍ରତ୍ୟେକ ପ୍ରକୋଷ୍ଠକୁ ଇଣ୍ଟରିୟର ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ସଂଗୃହୀତ ସାମଗ୍ରୀ ଗୁଡିକୁ ସେଥିରେ ସଜାଇ ରଖା ଯାଇଛି ।
କିନ୍ତୁ ଉପଯୁକ୍ତ ରକ୍ଷଣା ବେକ୍ଷଣ ର ଅଭାବ,କର୍ମଚାରୀ ଅଭାବ ଓ ସର୍ବୋପରି ଅର୍ଥାଭାବରୁ ଜିଲ୍ଲା ସଂଗ୍ରହାଳୟରେ ଅଚଳାବସ୍ଥା ଦେଖାଦେଲାଣି । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ ଯେକୌଣସି ସମୟରେ ସଂଗ୍ରହାଳୟ ଫାଟକରେ ତାଲା ଝୁଲିବାର ସମ୍ଭାବନା ଦେଖାଦେଇଥିବା ନେଇ ସାଧାରଣରେ ଆଲୋଚନା ହେବା ସହିତ ଅସନ୍ତୋଷ ପ୍ରକାଶ ପାଉଛି ।
କେବେହେବ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ପୁରୁଣାକଟକ ବସଷ୍ଟାଣ୍ଡ
ବୌଦ୍ଧ,୧୪/୭: ଯୋଗାଯୋଗ ହେଉଛି ବିକାଶର ଆଧାର ଏବଂ ଅର୍ଥନିତିର ମୁଖ୍ୟଶକ୍ତି । ଏହାକୁ ଦୃଷ୍ଟିରେ ରଖି ଗାଁଠୁ ସହର ସବୁଆଡେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବାକୁ ସେତେବେଳର ରାଜ୍ୟ ସରକାର ଆମ ବସଷ୍ଟାଣ୍ଡ ଯୋଜନାରେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ପୁରୁଣାକଟକ ଠାରେ ହରଭଙ୍ଗା ବସଷ୍ଟାଣ୍ଡ ନିର୍ମାଣ କରିଥିଲେ । ବସଷ୍ଟାଣ୍ଡ ଟି ୫୭ ନମ୍ବର ଜାତୀୟ ରାଜପଥ କଡରେ ନିର୍ମାଣ ହୋଇଛି ।
ଏହି ହରଭଙ୍ଗା ବସଷ୍ଟାଣ୍ଟ ଗତ ଫେବୃଆରୀ ୧୫ ତାରିଖରେ ଉଦଘାଟନ ହୋଇଥିଲା । ବସଷ୍ଟାଣ୍ଡ ଟି ୬୮୯.୧୭ ଲକ୍ଷ ଟଙ୍କାରେ ବ୍ୟୟରେ ନିର୍ମାଣ ହୋଇଛି । ବସଷ୍ଟାଣ୍ଡ ଟି ଅତ୍ୟାଧୁନିକ ଜ୍ଞାନ କୌଶଳ ନିର୍ମିତ ହୋଇଥିବା ବେଳେ ସୁନ୍ଦର ଆଲୋକିକରଣ ସାଙ୍ଗକୁ ସୁନ୍ଦର ଘାସ ପଡିଆ,ମାର୍କେଟ କଂପ୍ଲେକ୍ସ,ସିକ୍ୟ୍ରୁଟି ସୁବିଧା, ବସ ଚାଳକ ଓ ଯାତ୍ରୀଙ୍କ ପାଇଁ ବିଶ୍ରାମ ଗୃହ ସହିତ କ୍ୟାଣ୍ଟିନ, ପାନୀୟ ଜଳର ସୁବିଧା ପାଇଁ ନିର୍ମାଣ ହୋଇଛି ।
ଯାହାକି ଏକ ସୁନ୍ଦର ପାର୍କ ଭଳି ମନେହେଉଛି । ହେଲେ ଏହାର ସୁବିଧା ଯାତ୍ରୀମାନେ ପାଇ ପାରିନାହାନ୍ତି । ବର୍ତ୍ତମାନ ଏହି ବସଷ୍ଟାଣ୍ଡ ରେ ତିନିଟି ଲକ୍ଷ୍ମୀବସ ରହୁଥିବା ବେଳେ ସେଥିରୁ ଗୋଟିଏ ବସ ଧଳପୁରକୁ ଆଉ ଗୋଟିଏ ବସ ତଳଗାଁ ଏବଂ ଆଉ ଗୋଟିଏ ବସ ବନ୍ଧାପଥରକୁ ଯିବା ଆସିବା କରୁଛି । ବସଷ୍ଟାଣ୍ଡ କେବଳ ତିନିଟି ବସରେ ସିମିତ ରହିଥିବା ବେଳେ ଏପର୍ଯ୍ୟନ୍ତ ବସଷ୍ଟାଣ୍ଡ ମଧ୍ୟକୁ କୌଣସି ସରକାରୀ ବସ କିମ୍ବା ଘରୋଇ ବସ ପ୍ରବେଶ କରିନାହିଁ । ବସଷ୍ଟାଣ୍ଡ ଟି କେବଳ ଲକ୍ଷ୍ମୀ ବସ ପାଇଁ ଉଦ୍ଦିଷ୍ଟ ନା ଅନ୍ୟ ବସ ମଧ୍ୟ ଏଠାକୁ ଆସି ପାରିବେ ତାହାକୁ ନେଇ ଅଂଚଳବାସୀ ଦ୍ୱନ୍ଦ୍ୱରେ ରହିଛନ୍ତି ।
ଯଦି ସମସ୍ତ ବସ ଏଠାକୁ ଆସି ପାରିବେ ତାହାହେଲେ ତୁରନ୍ତ କାର୍ଯ୍ୟକ୍ଷମ କରିବାର ଆବଶ୍ୟକତା ରହିଛି । ଏବଂ ବସଷ୍ଟାଣ୍ଡିଟି କେବେ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଅଂଚଳବାସୀ ଅପେକ୍ଷା କରିବସିଛନ୍ତି । ସୂଚନା ମତେ, ହରଭଙ୍ଗା ବ୍ଲକର ପୁରୁଣାକଟକ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ । ପ୍ରତିଦିନ ଏହି ଅଂଚଳକୁ ହଜାର ହଜାର ଲୋକ ବିଭିନ୍ନ କାମରେ ଆସିଥାନ୍ତି ।
ପୁରୁଣାକଟକ ଯୋଗାଯୋଗର ଏକ ପ୍ରମୁଖ କେନ୍ଦ୍ରସ୍ଥଳ ହୋଇଥିବା ବେଳେ ପୁରୁଣାକଟକ ପଂଚାୟତ ସମେତ ତିଲେଶ୍ୱର,ପିତାମ୍ବରପୁର,ଧଳପୁର, ରାମଗଡ ଆଦି ପଂଚାୟତର ବିଭିନ୍ନ ଗ୍ରାମା ଗୁଡିକର ଯାତ୍ରୀମାନେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ପୁରୁଣାକଟକକୁ ଆସିଥାନ୍ତି । ସେମାନେ ଖରା,ବର୍ଷା.ଶୀତ ରାସ୍ତା କଡରେ କିମ୍ବା କାହାର ବାରଣ୍ଡାରେ ଠିଆହୋଇ ବସକୁ ଅପେକ୍ଷା କରିଥାନ୍ତି ।
ବିଶେଷ କରି ରାତିରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ରାତିରେ ଏକୁଟି ଠିଆ ହୋଇ ବସକୁ ଅପେକ୍ଷା କରିବା ଯାତ୍ରୀମାନେ ସୁରକ୍ଷିତ ମଣୁନାହାନ୍ତି । ବସଷ୍ଟାଣ୍ଡ ଟି ଯଦି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରନ୍ତା ତାହେଳେ ଯାତ୍ରୀମାନେ ସିଧାସଳଖ ଏଠାରୁ ବସରେ ଯିବା ଆସିବା କରିବାରେ ସୁବିଧା ହେବ । ଖରାଦିନେ ଜିଲ୍ଲାରେ ୪୫ ଡିଗ୍ରୀ ଖରା ହେଉଥିବା ବେଳେ କିମ୍ବା ଝଡି ବର୍ଷାରେ ଯାତ୍ରୀମାନେ ରାସ୍ତା କଡରେ ଠିଆ ହୋଇ ବସକୁ ଅପକ୍ଷୋ କରିବା କଷ୍ଟକର ହୋଇପଡୁଛି ।
ଯଦି ବସଷ୍ଟାଣ୍ଡ ଟି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରନ୍ତା ଓ ସମସ୍ତ ପ୍ରକାରର ବସ ଯିବା ଆସିବା କରନ୍ତି ତାହାହେଲେ ଯାତ୍ରୀମାନେ ଖରା, ବର୍ଷା ଓ ଶୀତରୁ କିଛିଟା ସୁବିଧା ପାଇପାନ୍ତେ । ଯାତ୍ରୀମାନଙ୍କ ପାଇଁ ବସଷ୍ଟାଣ୍ଡ ମଧ୍ୟରେ ଅନେକ ସୁବିଧା ରହିଥିବାରୁ ଯାତ୍ରୀମାନେ ତାହାର ମଧ୍ୟ ସୁବିଧା ପାଇପାରନ୍ତେ ।
ଲୋକଙ୍କ ପାଇଁ ନିର୍ମିତ ଏହି ବସଷ୍ଟାଣ୍ଡରେ ଯଦି ଲୋକ ସୁବିଧା ନ ପାଇଲେ ତାହାହେଲେ ସରକାର ଲୋକଙ୍କ ପାଇଁ ଲକ୍ଷାଧିକ ଟଙ୍କାରେ ନିର୍ମାଣ କରିଥିବା ଏହି ଆଧୁନିକ ବସଷ୍ଟାଣ୍ଡରେ ଯଦି ଯାତ୍ରୀମାନେ ବ୍ୟବହାର ନ କରି ପାରିଲେ ଧିରେ ଧିରେ ଏହା ନଷ୍ଟ ହୋଇଯିବାର ସମ୍ଭାବନା ରହିଛି ।
ବିଶ୍ୱ ଶାନ୍ତି ବିଷ୍ଣୁ ମହା ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭ ସ୍ଥାପନ
ବୌଦ୍ଧ, ୧୪/୭: ବିଶ୍ୱ ଶାନ୍ତି ବିଷ୍ଣୁ ମହା ଯଜ୍ଞ ନିମନ୍ତେ ବୌଦ୍ଧ ସଦର ବ୍ଲକ ତାଲସରଡ଼ା ପଂଚାୟତ ସିଦ୍ଧ ତପୋସେବା ବନ ଡମ୍ବରୁଗଡ଼ ମଠ ଠାରେ ଶୁଭ ସ୍ଥମ୍ଭ ସ୍ଥାପନ ଓ ଧ୍ବଜା ରୋପଣ ହୋଇଯାଇଛି । ସର୍ବ ପ୍ରଥମେ ଆନୁଷ୍ଠାନିକ ଭାବେ ପୂଜାର୍ଚନା, ହୋମ ଯଜ୍ଞ ସହିତ ସାକେତ ଗୁରୁ ତ୍ୟାଗୀ ଗିରିବର ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ ପରେ ନାମ ସଂକୀର୍ତ୍ତନ୍ୟ ସହିତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଯଜ୍ଞ କର୍ତ୍ତା ଭାବେ ବ୍ରହ୍ମଚାରୀ ଆଦିତ୍ୟ ଦାସ ତୁଳାଇଥିବାବେଳେ ପୂଜକ ଭାବେ ପଣ୍ଡିତ ପ୍ରଦୀପ କୁମାର ପାଢ଼ୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ।
ଏହି ଅବସରରେ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା । ଏଥିରେ ମଠର ମହନ୍ତ ସର୍ବେଶ୍ୱର ଦାସ ଅଧକ୍ଷତା କରିଥିବା ବେଳେ ଯଜ୍ଞ କମିଟି ସଭାପତି ପ୍ରବକ୍ତା ଗୌରୀ ପ୍ରସାଦ ସାହୁ ସଭା ପରିଚାଳନା କରିଥିଲେ । ଆସନ୍ତା କାର୍ତ୍ତିକ ମାସରେ ପାଞ୍ଚ ଦିନ ବ୍ୟାପି ବିଶ୍ୱ ଶାନ୍ତି ବିଷ୍ଣୁ ମହା ଯଜ୍ଞ ନିମନ୍ତେ ସମସ୍ତ ଉପସ୍ଥିତ ଭକ୍ତ ମାନେ ସଂକଳ୍ପ କରିଥିଲେ ।
ଏହି ଅବସରରେ ମଠ ପରିସରରେ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ମଠରେ ମାସିକ ଷଷ୍ଠୀ ସତସଙ୍ଗ କାର‌୍ୟ୍ୟକ୍ରମ ପୂଜକ ରବି ନନ୍ଦନ ଦାସ ପୂଜାର୍ଚ୍ଚନା କରିଥିଲେ । ସତସଙ୍ଗରେ ପ୍ରବକ୍ତା ଗୌରୀ ପ୍ରସାଦ ସାହୁ ପ୍ରବଚନ ଦେଇଥିଲେ ।
ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଠ କମିଟି ସଭାପତି ପୟୋଧର ମହାକୁଡ଼, ଯଜ୍ଞ କମିଟି ସମ୍ପାଦକ କୃତ୍ତିବାସ ପଲିଆ, ସହ ସମ୍ପାଦକ ଆକାଶ ଜେନା, ସଦସ୍ୟ ଶିବ କର୍ମୀ, ଦାଶରଥୀ ମହାକୁଡ଼, ପ୍ରଶାନ୍ତ କର୍ଣ୍ଣ, ଶ୍ରୀପତି ମହାକୁଡ଼, ଶ୍ରୀକ୍ଷେତ୍ର ମହାକୁଡ଼, ଶଶାଙ୍କ ପ୍ରଧାନ,ଧୃତରାଷ୍ଟ୍ର ମହାକୁଡ଼,ପଞ୍ଚାନନ ସାହୁ, ଲୋକନାଥ ମେହେର, ସିକୁନ ମହଲା, କାର୍ତ୍ତିକ ବେଜି, ସୁଶାନ୍ତ ପାଣ୍ଡେ, ରବି ବେହେରା, ଦଣ୍ଡଧର ମହାକୁଡ଼, ରତ୍ନାକର ଭୋଇ, କମ୍ଭୁଧର ଗୁରୁ,ଗୌର ବଗର୍ତ୍ତୀ, ଚିତ୍ତରଞ୍ଜନ ମେହେର, ଶୁରେଶ ବସ୍ତିଆ, ପାଣ୍ଡବ ମହାକୁଡ଼ ପ୍ରମୁଖ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30