Indus Valley Times

ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

 Breaking News

ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

August 07
12:48 2024

କମ୍ଭୁଧର କ୍ଷେତିଙ୍କ ରପୋର୍ଟ
ବୌଦ୍ଧ, ୭/୮: ବୌଦ୍ଧ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ୩୬ ତମ ବିଦ୍ୟାଳୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଭାଗର ବିଜ୍ଞାନ ଅଧ୍ୟାପକ ପ୍ରବୀର ଦାସ ଓ ବିଦ୍ୟାଳୟ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ପୁରୋହିତ ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀବତ୍ସ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପତି ଯୋଗଦେଇଥିଲେ । ବିଚାରକ ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ବିଜ୍ଞାନ ଅଧ୍ୟାପିକା କରିଶ୍ମା ସେଠୀ, କେଳାକଟା ଉଚ୍ଚବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ ଓ ସରସରା ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ପ୍ରଭୁଦତ୍ତ ବେହେରା ଦାୟିତ୍ଵ ତୁଲାଇଥିଲେ ।
ଏହି ଉତ୍ସବରେ ବିଦ୍ୟାଳୟର ସମ୍ପାଦକ ସାର ପ୍ରଧାନ ଯୋଗଦେଇ କୁନି ବିଜ୍ଞାନୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଉକ୍ତ ଜ୍ଞାନ ବିଜ୍ଞାନ ମେଳା ରେ ପ୍ରାକ୍ ଶିଶୁ ,ଶିଶୁ, ବାଲ୍ ଓ କିଶୋର ବର୍ଗରେ ବିଜ୍ଞାନ ବିଭାଗରେ ରେ ୧୪୮ ଟି ଓ ଗଣିତ ବିଭାଗରେ ୧୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।
ମୁଖ୍ୟ ଅତିଥି ଶ୍ରୀ ପତି ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ଓ ଗଣିତର ଗୁରୁତ୍ଵ ସହ ଭବିଷ୍ୟତରେ କିଭଳି ଜଣେ ଜଣେ ବୈଜ୍ଞାନିକ ହେବେ ସେ ବିଷୟରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ସ୍ତରରେ ଚୟନ ହୋଇଥିବା ଛାତ୍ର ଛାତ୍ରୀମାନେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଯୋଗଦାନ କରିବେ । ଶେଷରେ ବିଦ୍ୟାଳୟର ସହ-ପ୍ରଧାନ ଆଚାର‌୍ୟ୍ୟ ଅଶୋକ କୁମାର ପୁରୋହିତ ଧନ୍ୟବାଦ୍ ପ୍ରଦାନ କରିଥିଲେ ।
ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି : ସପ୍ତାହରେ ୮ ରୋଗୀ ଚିହ୍ନଟ
ବୌଦ୍ଧ,୭/୮: ବୌଦ୍ଧଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସରକାରୀ ଭାବରେ ମିଳିଥିବା ରିପୋର୍ଟ ଅନୁଯାୟୀ ସପ୍ତାହକ ମଧ୍ୟରେ ଜିଲ୍ଲାରେ ୮ ଜଣ ନୂତନ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ସମୁଦାୟ ରୋଗୀଙ୍କ ସଂଖ୍ୟା ୨୬ ରେ ପହଞ୍ଚିଛି ।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଶା କାମୁଡାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ ରହିବାକୁ ନିବେଦନ କରାଯାଇଛି । ଜନବସତି ଅଞ୍ଚଳରେ ପାଣି ଜମା କରି ନରଖିବା,ଶୋଇବା ସମୟରେ ମଶାରୀ ବ୍ୟବହାର କରିବା,ଶରୀରଙ୍କୁ ଢାଙ୍କିବା ପରି ପୋଷାକ ବ୍ୟବହାର କରିବା ଓ ବ୍ୟାପକ ଭାବରେ ସଚେତନତା କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଜିଲ୍ଲାର ହରଭଙ୍ଗା ବ୍ଲକକୁ ସର୍ବାଧିକ ମ୍ୟାଲେରିଆ ଓ ଡେଙ୍ଗୁ ପ୍ରବଣ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଥିବାବେଳେ ଲୋକଙ୍କୁ ସଚେତନ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବୌଦ୍ଧ ଏନଏସି ପକ୍ଷରୁ ବିଭିନ୍ନ ୱାର୍ଡରେ ରହିଥିବା ଡ୍ରେନ ଗୁଡିକରେ ମଶାତେଲ ପକାଯିବା ସହିତ ମେସିନ ସାହାଯ୍ୟରେ ମଶାଧୂଆଁ ଦିଆଯାଉଅଛି । ଲଗାଣବର୍ଷା ଯୋଗୁଁ ଖାଲୁଆ ଅଞ୍ଚଳରୁ ପାଣି ନିଷ୍କାସନ ହୋଇପାରୁନଥିବାବେଳେ ମଶା ଜନିତ ରୋଗ ବୃଦ୍ଧି ପାଇବା ଆଶଙ୍କା ଦେଖାଯାଇଛି । ସହରରେ ପାଣି ଜମା ହୋଇ ରହୁଥିବା ବସ୍ତି ଅଞ୍ଚଳରୁ ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଉଅଛି । ତେବେ ସମସ୍ତ ବ୍ୟବସ୍ଥା ମଧ୍ୟରେ ଲୋକଙ୍କୁ ବ୍ୟାପକ ଭାବରେ ସଚେତନ କରାଇବାକୁ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦିଆଯାଇଛି ।
ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷାରେ ବନ୍ୟା ପରିସ୍ଥିତି
ବୌଦ୍ଧ,୭/୮: ବୌଦ୍ଧଜିଲ୍ଲାରେ ଗତକାଲି ରାତିରୁ ଲଗାଣବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୌଦ୍ଧ ସହରର ଅଧା ଅଂଚଳ ବର୍ଷାରେ ଉବୁ ଟୁବୁ ହୋଇଛି । ସରକାରୀ ଭାବରେ ସୂଚନା ମୁତବାକ ୧୨ ଘଣ୍ଟା ମଧ୍ୟରେ ବୌଦ୍ଧରେ ସର୍ବାଧିକ ୧୪୫,୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଣ୍ଟାମାଳ ବ୍ଲକରେ ୮୪.୪ ଓ ହରଭଙ୍ଗା ବ୍ଲକରେ ସର୍ବନିମ୍ନ ୩୫.୪ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଦିନ ତମାମ ୫୭ ମିଲିମିଟର ବର୍ଷା ହୋଇଥିବା ଜଣାପଡିଛି ।
ତେବେ ଦିନ ତମାମ ବର୍ଷା ଲାଗି ରହିଥିବାରୁ ସହର ତଳି ଅଞ୍ଚଳ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୌଦ୍ଧ ଏନଏସିର ୧ ନମ୍ବର ୱାର୍ଡର ଗାଈଗୋଠ ପଡିଆ ଅଞ୍ଚଳରେ ୧୩୦ ଜଣକୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିବା ବେଳେ ୧.୫.୬.୭.୯ ଓ ୧୧ ନମ୍ବର ୱାର୍ଡରେ ଜମି ରହିଥିବା ବର୍ଷାଜଳକୁ ମୋଟର ସାହାଯ୍ୟରେ ନିଷ୍କାସନ କରାଯାଇଛି । ପ୍ରଶାସନ ପକ୍ଷରୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସତର୍କ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସହିତ କୌଣସି ଅଧିକାରୀ ମୁଖ୍ୟାଳୟ ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଜିଲ୍ଲାରେ ଗତ ପଂଚାୟତ ନିର୍ବାଚନରେ ୧୨ ୱାର୍ଡରେ ହୋଇନଥିଲା ନାମାଙ୍କନ ପତ୍ର ଦାଖଲ :ପୁନଃ ନିର୍ବାଚନ ପାଇଁ ସରକାରଙ୍କ ନିଷ୍ପତିକୁ ଅପେକ୍ଷା
ବୌଦ୍ଧ,୭/୮: ବୌଦ୍ଧଜିଲ୍ଲାରେ ଗତ ୨୦୨୨ ଫେବୃଆରୀ ମାସରେ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ ଥିବା ୬୯ ଟି ପଂଚାୟତରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ହେଲେ ଏହି ନିର୍ବାଚନରେ ଜିଲ୍ଲାର ୧୨ଟି ୱାର୍ଡରେ ନାମାଙ୍କନ ପତ୍ର ଦାଖଲ ହୋଇ ପାରିନଥିଲା ।
ଏହି ସବୁ ୱାର୍ଡରେ ବିଭିନ୍ନ ବର୍ଗ ପାଇଁ ସଂରକ୍ଷିତ ରହିଥିବାରୁ କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିନଥିଲେ । ଯାହାଫଳରେ ଏହି ସବୁ ୱାର୍ଡରେ ନିର୍ବାଚନ ହୋଇନଥିଲା । ହେଲେ ସେଥିମଧ୍ୟରୁ ୧୧ ଟି ୱାର୍ଡରେ ପୁନଃ ନିର୍ବାଚନ କରିବାକୁ ଜିଲ୍ଲା ପଂଚାୟତ ବିଭାଗ ପକ୍ଷରୁ ରାଜ୍ୟ ସରକାର ଜଣାଇଦିଆଯାଇଛି ।
ସେଥିପାଇଁ ଜିଲ୍ଲା ପଂଚାୟତ କାର୍ଯ୍ୟାଳୟ ପକ୍ଷରୁ ବାଲେଟ ପେପର ସହ ଅନ୍ୟ ସମସ୍ତ ପ୍ରସ୍ତୁତି କରାସରିଛି । ନିର୍ବାଚନ ତାରିଖକୁ ନେଇ କେବଳ ସରକାରୀ ଘୋଷଣାକୁ ଅପେକ୍ଷା କରିଛି । ହେଲେ ତତ୍କାଳିନ କଣ୍ଟାମାଳ ବିଡିଓ ରେଙ୍ଗାଲି ପଂଚାୟତର ୧ ନମ୍ବର ୱାର୍ଡରେ ନାମାଙ୍କନ ପତ୍ର ଦାଖଲ ହୋଇନଥିବା ନେଇ କୌଣସି ସୂଚନା ଦେଇନଥିବାରୁ ସେହି ୱାର୍ଡକୁ ବାଦଦେଇ ବାକି ୧୧ଟି ୱାର୍ଡରେ ନିର୍ବାଚନ କରିବା ପାଇଁ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଇଦିଆଯାଇଥିବା ଜିଲ୍ଲା ପଂଚାୟତ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଜିଲ୍ଲା ପଂଚାୟତ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ, କଣ୍ଟାମାଳ ବ୍ଲକ ରେଙ୍ଗାଲି ପଂଚାୟତର ୧ ନମ୍ବର ୱାର୍ଡ, ବୌଦ୍ଧ ବ୍ଲକର ରକ୍ସା ପଂଚାୟତର ୧୮ ନମ୍ବର ୱାର୍ଡ, ବୌଦ୍ଧ ବ୍ଲକର ତାଳସରଡା ପଂଚାୟତର ୫ ନମ୍ବର ୱାର୍ଡ ଓ ୧୧ ନମ୍ବର ୱାର୍ଡ, ବୌଦ୍ଧ ବ୍ଲକର ବଘିଆପଡା ପଂଚାୟତର ୧୨ ନମ୍ବର ୱାର୍ଡ, ବୌଦ୍ଧ ବ୍ଲକର ବହିରା ପଂଚାୟତର ୭ ନମ୍ବର ୱାର୍ଡ, ବୌଦ୍ଧ ବ୍ଲକର ଖୁଣ୍ଟବନ୍ଧ ପଂଚାୟତର ୪ ନମ୍ବର ୱାର୍ଡ, ବୌଦ୍ଧ ବ୍ଲକର ଲକ୍ଷ୍ମୀପ୍ରସାଦ ପଂଚାୟତର ୮ ନମ୍ବର ୱାର୍ଡର ନାମାଙ୍କନ ପତ୍ର ଦାଖଲ କରିନଥିଲେ ।
ସେହିପରି ହରଭଙ୍ଗା ବ୍ଲକ ବନ୍ଧାପଥର ପଂଚାୟତର ୧୨ ନମ୍ବର ୱାର୍ଡ, ହରଭଙ୍ଗା ବ୍ଲକ ବାମଣ୍ଡା ପଂଚାୟତର ୫ ନମ୍ବର ୱାର୍ଡ, ହରଭଙ୍ଗା ବ୍ଲକ ରାଧାନଗର ପଂଚାୟତର ୧ ନମ୍ବର ୱାର୍ଡ, ହରଭଙ୍ଗା ବ୍ଲକ ରାମଗଡ ପଂଚାୟତର ୨୦ ନମ୍ବର ୱାର୍ଡରେ ନାମାଙ୍କନ ପତ୍ର ଦାଖଲ ହୋଇନଥିବା ଜଣାପଡିଛି । ସେହିପରି ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ବିଧାୟକ ହେବା ପୂର୍ବରୁ ହରଭଙ୍ଗା ବ୍ଲକ ରାଧାନଗର ପଂଚାୟତର ସମିତି ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ବିଧାୟକ ଭାବରେ ନିର୍ବାଚିତ ହେବା ପରେ ସମିତି ସଭ୍ୟ ପଦବିରୁ ଇସ୍ତଫା ଦେବା ପରେ ସେହି ସ୍ଥାନଟି ଖାଲି ପଡିଛି ।
ଏହି ପଦବି ପାଇଁ ନିର୍ବାଚନ କରିବାକୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି । ସେହିପରି ସ୍ଥାନିୟ ସମସ୍ୟାକୁ ନେଇ ଆଡଣୀଗଡ ପଂଚାୟତର ୭ ନମ୍ବର ୱାର୍ଡ ଓ ୧୩ ନମ୍ବର ୱାର୍ଡରେ ଭୋଟ ବର୍ଜନ ହୋଇଥିଲା । ଏହିକୁ ମଧ୍ୟ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି । ସେହିପରି ଜଣେ ୱାର୍ଡ ମେମ୍ବର ପଦବିରୁ ଇସ୍ତାଫା ଦେଇଥିବା ବେଳେ ଆଉ ଜଣେ ୱାର୍ଡ ମେମ୍ବରଙ୍କ ଇତି ମଧ୍ୟରେ ଦେହାନ୍ତ ହୋଇଥିବା ଜଣାପଡିଛି ।
ପାଣିଘେରରେ କେନ୍ଦ୍ରୀୟ ବିଦ୍ୟାଳୟ
ବୌଦ୍ଧ,୭/୮: ବୌଦ୍ଧଜିଲ୍ଲାରେ ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିବା ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ତଳିଆ ଅଂଚଳ ଗୁଡିକରେ ରହୁଥିବା ବସ୍ତି ଗୁଡିକରେ ବର୍ଷା ପାଣି ପ୍ରବେଶ କରିଛି । ଯାହାଫଳରେ ଲୋକେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ତଳିଆ ଅଂଚଳ ଗୁଡିକରେ ପାଣି ପମ୍ପ ସାହାର୍ଯ୍ୟରେ ବର୍ଷା ପାଣି ନିଷ୍କାସନ କରାଯାଉଛି । ବର୍ଷା ଯୋଗୁଁ ଅନେକ ନାଳ ବଢି ଥିବା ବେଳେ ମହାନଦୀର ଜଳସ୍ତର ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ବର୍ଷା ଯୋଗୁଁ ରାମଜାଙ୍ଗି ନାଳରେ ପାଣି ଆସି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଯାହାଫଳରେ ଜଗନ୍ନାଥ ସଡକରେ ଏକ ପ୍ରକାର ଯୋଗାଯୋଗ ବିଛିନ୍ନ ହୋଇ ପଡିଛି । ଲୋକେ କାଲେଶ୍ୱର, ମାଉଲସିଙ୍ଗା ଦେଇ ବୁଟୁପାଲି ରାସ୍ତାରେ ବୌଦ୍ଧ ସହରକୁ ଯିବା ଆସିବା କରୁଛନ୍ତି ।
ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟଟି ରାମଜାଙ୍ଗି ନାଳ କଡରେ ରହିଥିବା ବେଳେ ବିଦ୍ୟାଳୟର ପଛ କଡରେ ମହାନଦୀ ସହିତ ମିଶିଛି । ଏଠାରେ ଜଳସେଚନ ବିଭାଗ ପକ୍ଷରୁ ବନ୍ୟା ନିୟନ୍ତ୍ରଣ ପାଇଁ ଦୁଇଟି ସ୍ରୋତ କବାଟ ନିର୍ମାଣ କରାଯାଇଥିଲେ ମଧ୍ୟ ପରିଚାଳନାରେ ତୃଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି । ସ୍ରୋତ କବାଟର ଦୁଇଟି ଆଗରୁ ଠିକ ଭାବରେ ଖୋଲା ଯାଇନଥିବାରୁ ରାମଜାଙ୍ଗି ନାଳର ପାଣି ମହାନଦୀକୁ ଯାଇନ ପାରି ତୁଡା ମାରିବାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପାଖକୁ ପାଣି ଆସିଯାଇଛି ।
ଯାହାଫଳରେ କେନ୍ଦ୍ରୀୟ ବିଦ୍ୟାଳୟଟି ସଂପୂର୍ଣ୍ଣ ଭାବରେ ପାଣି ଘେରରେ ରହିଛି । ଏହା ସହ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଥିବା କର୍ମଜିବୀ ମହିଳା ନିବାସ, ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବାକର କାର୍ଯ୍ୟାଳୟ, ଜିଲ୍ଲା ଶିଳ୍ପ କେନ୍ଦ୍ର, ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ପାଣି ଘେରରେ ରହିଛି । ପାଣିଘେର ଯୋଗୁଁ ରେଭ୍ୟୁନ୍ୟୁ କଲୋନୀରେ ରହୁଥିବା କର୍ମଚାରୀମାନେ ଏବେ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଯିବା ଆସିବା କରୁଛନ୍ତି । ସେହିପରି ରାମଜାଙ୍ଗି ନାଳର ତୁଡା ପାଣିରେ କାଲେଶ୍ୱର ଗ୍ରାମ ଆଡକୁ ପାଣି ପଶିବା ଆରମ୍ଭ କଲାଣି । ସେହିପରି ଜଗନ୍ନାଥ ସଡକର ହାଟଗାଁ ନିକଟରେ ଥିବା ନାଳରେ ପାଣି ଆସି ଯୋଗାଯୋଗ ବିଛିନ୍ନ ହୋଇଛି ।
ପ୍ରାଣୀ କଲ୍ୟାଣ ମଂଚ ପକ୍ଷରୁ ସର୍ପ ଦଂଶନ ସଚେତନତା କାର୍ଯ୍ୟକ୍ରମ
ବୈାଦ୍ଧ,୭/୮: ବୌଦ୍ଧ ପ୍ରାଣୀ କଲ୍ୟାଣ ମଂଚ ପକ୍ଷରୁ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ସର୍ପ ଦଂଶନ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ରାଜକିଶୋର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେନତା କାର୍ଯ୍ୟକ୍ରମରେ ପ୍ରାଣୀ କଲ୍ୟାଣ ମଂଚର ଉପଦେଷ୍ଟା ସମୀର କୁମାର ସାହୁ ଯୋଗଦେଇ ସର୍ପ ପ୍ରଜାତି ତଥା ସାପ କାମୁଡାରୁ କିପରି ନିଜକୁ ରକ୍ଷା ପାଇ ପାରିବେ ଏବଂ ଅନ୍ଧ ବିଶ୍ୱାସର ଶିକାର ନ ହୋଇ ନିଜକୁ ସଚେତନ ରହିବା ସହିତ ସାପ କାମୁଡିଥିବା ବ୍ୟକ୍ତିଙ୍କୁ କିପରି ଭାବରେ ଡାକ୍ତଖାନା ନେଇ ଡାକ୍ତଙ୍କ ପରାମର୍ଶ କ୍ରମେ ଉଚିତ୍ ଚିକିତ୍ସାର ବ୍ୟବସ୍ଥା କରିବା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ।
ବିଦ୍ୟାଳୟର ସମସ୍ତ ପିଲାଙ୍କ ଶିକ୍ଷା ଉପଯୋଗୀ ସର୍ପ ଦଂଶନ ସଚେତନତା କାର୍ଯ୍ୟକ୍ରମ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ପ୍ରାଣୀ କଲ୍ୟାଣ ମଂଚ ବୈାଦ୍ଧକୁ ଭୁୟସୀ ପ୍ରଶଂସା କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପୃଷ୍ଟି ମହାଶୟ । ଏହି ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ । ଶେଷରେ ସହକାରୀ ଶିକ୍ଷକ ଦେବବ୍ରତ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30