Indus Valley Times

ବ୍ରହ୍ମଗିରି ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣା : ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

 Breaking News

ବ୍ରହ୍ମଗିରି ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣା : ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

December 24
19:40 2021

ପୁରୀ,୨୪/୧୨: ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣାରେ ଶୁକ୍ରବାର ୨ ଜଣଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ। ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଦୁଇ ଅଭିଯୁକ୍ତ ହେଲେ- ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ। କ୍ରାଇମବ୍ରାଞ୍ଚ ଡିଏସ୍ପି ଶିଶିର ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଶ୍ରୀ ମିଶ୍ରଙ୍କ ସୂଚନା ଅନୁଯାୟୀ, ଆଇପିସିର ଧାରା ୩୦୨, ୧୨୦ ବି, ୨୦୧, ୩୪ରେ ଜଗନ୍ନାଥ ଓ ଅଶୋକଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯାଇଛି। ଘଟଣାର ତଦନ୍ତ ବେଳେ ଅଶୋକ ଏଥିରେ ସଂପୃକ୍ତ ଥିବା ଜଣାପଡ଼ିଥିଲା। ତେଣୁ ତାଙ୍କୁ ଗିରଫ କରାଯାଇଛି।
ଘଟଣାଟି କେମିତି ଘଟିଲା, ସେ ନେଇ କ୍ରାଇମବ୍ରାଞ୍ଚ ଡିଏସ୍ପି କିଛି ବିସ୍ତୃତ ସୂଚନା ଦେଇ ନାହାନ୍ତି। ତେବେ ଆଉ କିଛି ଲୋକ ଏଥିରେ ସଂପୃକ୍ତ ଥିବା ଓ ଘଟଣାର ତଦନ୍ତ ଚାଲିଥିବା ସେ କହିଛନ୍ତି।
ସେହିପରି ଏହି ଘଟଣାରେ ଯେଉଁ ମହିଳାଙ୍କ କଥା ଉଠୁଥିଲା, ସେ ସଂପର୍କରେ ଡିଏସ୍ପି ମିଶ୍ର ଅଧିକ କିଛି କହି ନାହାନ୍ତି। ସେ କେବଳ କହିଛନ୍ତି ଯେ ସେହି ମହିଳାଙ୍କ ଘରକୁ ଜଗନ୍ନାଥ ଯିବାଆସିବା କରୁଥିଲେ। କିନ୍ତୁ ଘଟଣା ଦିନ ସେଠାକୁ ଚିତ୍ତରଞ୍ଜନ ଯାଇଥିଲେ। ଆଉ ଏହାକୁ ନେଇ ସେଠାରେ ବିବାଦ ସୃଷ୍ଟି ହୋଇଥିଲା।
ଚିତ୍ତରଞ୍ଜନ ପଲେଇ ଥିଲେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଥିବା ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ। ଚିତ୍ତରଞ୍ଜନଙ୍କୁ ହତ୍ୟା କରାଯାଇଥିବା ଓ ଏହି ହତ୍ୟାକାଣ୍ଡରେ ସଞ୍ଜୟ ଦାସବର୍ମାଙ୍କ ହାତ ଥିବା ଅଭିଯୋଗ ହୋଇଥିଲା।
ଏହି ଘଟଣାର ତଦନ୍ତ ସଠିକ୍ ବାଟରେ ଯାଉ ନଥିବା ନେଇ ଆଜି ବ୍ରହ୍ମଗିରିର ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଅଭିଯୋଗ କରିଥିଲେ। ଏହା ସହିତ ସାହାସ ଥିଲେ ଘଟଣାର ସିବିଆଇ ତଦନ୍ତ କରାଇବାକୁ ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଥିଲେ।
ଡିସେମ୍ବର ୧୩ ତାରିଖରେ ଚିତ୍ତରଞ୍ଜନଙ୍କ ମୃତଦେହ ପୁରୀ ନୂଆନଈ ନିକଟରୁ ମିଳିଥିଲା। ପ୍ରଥମେ ପୁଲିସ୍ ଏହାର ତଦନ୍ତ କରୁଥିଲା। କିନ୍ତୁ ୧୫ ତାରିଖରେ ତଦନ୍ତ ଭାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିଲା। ସେହିଦିନ ଠାରୁ କ୍ରାଇମବ୍ରାଞ୍ଚ ପୁରୀରେ କ୍ୟାମ୍ପ କରି ଘଟଣାର ତଦନ୍ତ କରୁଛି।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031