Indus Valley Times

ଭଙ୍ଗାଗଲା ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ, ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ

 Breaking News

ଭଙ୍ଗାଗଲା ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ, ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ

ଭଙ୍ଗାଗଲା ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ, ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ
January 17
17:25 2025

ଭୁବନେଶ୍ୱର,୧୭/୧: ଭରତପୁର ଥାନା ଅଧୀନ ଘାଟିକିଆ ମୌଜାରେ ସରକାରୀ ଜମି ଉପରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମକୁ ଶୁକ୍ରବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବୁଲ୍‌ଡୋଜର ଲଗାଇ ଭାଙ୍ଗି ଦିଅଯାଇଛି। ନିର୍ଦ୍ଧାରିତ ସମୟ ୧୨ଟାରେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ସୂଚନା ଯୋଗ୍ୟ, ବିଡିଏ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍ ପକ୍ଷରୁ ଗୁରୁବାର ଆଶ୍ରମ ନିକଟରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଶୁକ୍ରବାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଘୋଷଣା କରାଯାଇଥିଲା। ସରକାରୀ ପ୍ଲଟ୍ ନଂ.୯୦୩୭/୯୦୩୮ ଉପରେ ଥିବା ଏହି ବେଆଇନ ନିର୍ମାଣ ଉପରୁ ଜିନିଷପତ୍ରଗୁଡ଼ିକୁ ନିଜ ଯତ୍ନରେ କାଢ଼ିନେବାକୁ କୁହାଯାଥିଲା। ଏପରିକି ଅନ୍ତେବାସୀଙ୍କୁ ମଧ୍ୟାହ୍ନ ୧୨ଟା ସୁଦ୍ଧା ଆଶ୍ରମ ପରିତ୍ୟାଗ କରିବାକୁ ପରାମର୍ଶ ଦିଆଯାଇଥିଲା।
ପୂର୍ବରୁ ଗତ ନଭେମ୍ବର ୨୨ରେ ବିଡିଏ ପକ୍ଷରୁ ଆଶ୍ରମ ଉଚ୍ଛେଦ କରାଯିବା ନେଇ ୨୧ରେ ଘୋଷଣା କରାଯାଇଥିଲା। ହେଲେ ଏହାକୁ ଚ୍ୟାଲେଞ୍ଜ କରି ଆଶ୍ରମ ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ପିଟିଶନ୍ ଦାଖଲ କରାଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଶ୍ରମ ନିର୍ମାଣ ଅନୁମତି ଦିଆଯାଇଥିବା ନେଇ ଟ୍ରଷ୍ଟ ପକ୍ଷରୁ କୁହାଯାଇଥିଲା। ପରେ ହାଇକୋର୍ଟ ଏହି ଉଚ୍ଛେଦ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ପରେ ମାମଲା ଭିନ୍ନ ମୋଡ଼ ନେଇଥିଲା। ତେବେ ପରବର୍ତ୍ତୀ ସମୟରେ ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଅନୁମତି ପତ୍ରର ସତ୍ୟାସତ୍ୟ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ସରକାରଙ୍କୁ ବିଚାରପତି ଆଦେଶ ଦେଇଥିଲେ।
ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଆଶ୍ରମକୁ କୌଣସି ଅନୁମତିପତ୍ର ଦିଆଯାଇନାହିଁ ବୋଲି ଉଲ୍ଲେଖ କରାଯାଇଥିଲା। ଏପରି କି ଆଶ୍ରମକୁ ମିଳିଥିବା ଅନୁମତି ପତ୍ର ଜାଲ୍ ବୋଲି ଜଣାପଡ଼ିଥିଲା। ଫଳରେ ଜାନୁଆରୀ ୧୦ରେ ହୋଇଥିବା ମାମଲା ଶୁଣାଣିରେ ହାଇକୋର୍ଟ ଉଚ୍ଛେଦ ଉପରେ ଜାରି ରହିତାଦେଶକୁ ହଟାଇ ଦେଇଥିଲେ। ଏପରିକି ଫେବୃଆରୀ ୩ ତାରିଖ ସୁଦ୍ଧା ଆଶ୍ରମ କର୍ତ୍ତୃପକ୍ଷଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଅପରପକ୍ଷରେ ହାଇକୋର୍ଟ ଉଚ୍ଛେଦ ଉପରେ ରହିତାଦେଶ ହଟାଇଦେଇଥିବା ବେଳେ ବିଡିଏ ତାହାର କାର‌୍ୟ୍ୟାନୁଷ୍ଠାନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଛି।
ସୂଚନାଯୋଗ୍ୟ, ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍‌କୀ ଅବତାର କହି ତାଙ୍କ ପାଦ ଉପରେ ତୁଳସୀ ଥୋଇ ପୂଜା କରିବା ପ୍ରସଙ୍ଗରେ ବିବାଦ ସାମ୍ନାକୁ ଆସିଥିଲା। ଏନେଇ ଭରତପୁର ଥାନାରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା। ଆଶ୍ରମର ବହୁ ଅନିୟମିତତା ହେଉଥିବା ଅଭିଯୋଗ ହୋଇଥିଲା। ଦିନକୁ ଦିନ ଏହି ଅଭିଯୋଗର ଲମ୍ବା ଫର୍ଦ୍ଦ ବଢ଼ିବାକୁ ଲାଗିଥିଲା। ପରେ ନଭେମ୍ବର ୧୮ରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଭୁବନେଶ୍ୱର ତହସିଲ ପକ୍ଷରୁ ମିଳିତ ଭାବେ ଆଶ୍ରମର ଜମିକୁ ମାପଚୁପ କରାଯିବା ପରେ ତାହା ସରକାରୀ ଜମିରେ ଥିବା ଜଣାପଡ଼ିଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031