Indus Valley Times

ମାଞ୍ଜା ସୂତା ତିଆରି କରୁଥିବା ଲୋକଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ : ଡିସିପି

 Breaking News

ମାଞ୍ଜା ସୂତା ତିଆରି କରୁଥିବା ଲୋକଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ : ଡିସିପି

December 27
16:00 2021

କଟକ,୨୭/୧୨ : କଟକରେ ଗୁଡ଼ିସୂତାରେ ଯୁବକଙ୍କ ମୃତ୍ୟୁ ଘଟଣାରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି କଟକ ଡିସିପି। ଆଇପିସିର ଧାରା ୩୦୪-ଏ ରେ ମାମଲା ରୁଜୁ କରାଯାଇଛି। ଅର୍ଥାତ ଅବହେଳାରୁ ମୃତ୍ୟୁ ନେଇ ଜଗତପୁର ଥାନାରେ ମାମଲା କରିଛି ପୁଲିସ।
କଟକ ଡିସିପି ପ୍ରତୀକ ସିଂ କହିଛନ୍ତି ଏହି ଅଘଟଣ ପରେ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି ପୁଲିସ। ଯେଉଁମାନେ ଏହିଭଳି ଗୁଡ଼ିସୂତାରେ ମାଞ୍ଜା ପ୍ରସ୍ତୁତ କରୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କମିସନରେଟ ପୁଲିସ ନନ୍ଦି ସାହି, ନୟାସଡ଼କ ଓ ପୁରୀଘାଟ ଥାନା ଅଞ୍ଚଳର ଗୁଡ଼ି ଦୋକାନଗୁଡ଼ିକରେ ଚଢ଼ାଉ କରୁଥିବା ଜଣାଯାଇଛି।
ଏଣେ ଗୁଡ଼ି, ନଟେଇ, ମାଞ୍ଜା ସୂତା ଜବତ କରି ଏସବୁ ବିକ୍ରି କରୁଥିବା କିଛି ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖାଯାଇଥିବା କହିଛନ୍ତି କଟକ ଡିସିପି। ଗତକାଲି ଗୁଡ଼ିମାଞ୍ଜା ସୂତାରେ କଟି ବାଇକରେ ରାସ୍ତାରେ ଯାଉଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। କଟକ ଜଗତପୁର ଅଞ୍ଚଳରେ ଏଭଳି ଅଘଟଣ ଘଟିଥିବା ବେଳେ ମୃତ ଯୁବକ କଟକ ଭୟରପୁର ଅଞ୍ଚଳର ଜୟନ୍ତ ସାମଲ ବୋଲି ଜଣାପଡ଼ିଥିଲା ।
ରାଜମିସ୍ତ୍ରୀ ଓ ସେଣ୍ଟ୍ରିଂ ମିସ୍ତ୍ରୀ କାମ କରୁଥିବା ଭୟରପୁରର ଜୟନ୍ତ ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ବାଇକ୍ରେ ପତ୍ନୀଙ୍କୁ ନେଇ କଟକର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ତେବେ ପୀରବଜ଼ାରର ପରିବର୍ତ୍ତନ ଡ୍ରେସ୍ ଦୋକାନ ସମ୍ମୁଖ ରାସ୍ତାରେ ଏକ ଗୁଡ଼ିର ମାଞ୍ଜାସୂତା ତାଙ୍କ ବେକରେ ଗୁଡ଼େଇ ହୋଇଯାଇଥିଲା।
ସୂତାଟି ଅତି ଶକ୍ତ ଓ ଧାରୁଆ ଥିବାରୁ ସେଥିରେ ଜୟନ୍ତଙ୍କ ବେକ କଟିଯାଇଥିଲା। ଏତେ ତୀବ୍ର ଗତିରେ ଏହା ହୋଇଥିଲା ଯେ ଜୟନ୍ତ ଭାରସାମ୍ୟ ହରାଇଥିଲେ ଓ ସ୍ବାମୀ-ସ୍ତ୍ରୀ ବାଇକ୍ରୁ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଜୟନ୍ତଙ୍କୁ ଉଦ୍ଧାର କରି ଜଗତପୁରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଜଗତପୁର ଥାନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ମେଡିକାଲ୍କୁ ପଠାଇବା ସହ ମୃତକଙ୍କ ପରିବାରର ଅଭିଯୋଗ ପରେ ଗୁଡ଼ି ଉଡ଼ାଉଥିବା ଯୁବକଙ୍କୁ ଖୋଜାଖୋଜି କରିଛି। ଦୁର୍ଘଟଣା ଘଟାଇଥିବା ଗୁଡ଼ିର ମାଞ୍ଜାସୂତାକୁ ପୁଲିସ ଜବତ କରିବା ସହ ପୀରବଜାର ଖ୍ବାଜାନଗର ଅଞ୍ଚଳର ଜଣେ ନାବାଳକକୁ ଡାକି ପଚରାଉଚରା କରିଥିଲା।
ସୂଚନାଯୋଗ୍ୟ ଯେ ଗତ ୭ବର୍ଷ ଭିତରେ କଟକ ସହରରେ ଗୁଡ଼ି ସୂତାରେ ବେକ କଟି ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଜଣ ଆହତ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031