Legatus

ମାସେ ତଳେ ବାପା ହୋଇଥିଲେ, ମାଟି ମା’ ପାଇଁ ସହିଦ ହୋଇଗଲେ

 Breaking News

ମାସେ ତଳେ ବାପା ହୋଇଥିଲେ, ମାଟି ମା’ ପାଇଁ ସହିଦ ହୋଇଗଲେ

September 14
18:04 2023

ନୂଆଦିଲ୍ଲୀ,୧୪/୯: ବାହାଘରକୁ ମାତ୍ର ବର୍ଷେ ପୂରିଥିଲା। ମାସକ ତଳେ ସେ ପୁତ୍ର ସନ୍ତାନର ବାପା ହୋଇଥିଲେ।
ପୁଅ ଓ ପତ୍ନୀଙ୍କ ପାଇଁ ସେ ଅନେକ ସ୍ୱପ୍ନ ଦେଖିଥିଲେ। ପୁଅକୁ ବଡ଼ କରିବେ ଓ ପତ୍ନୀଙ୍କ ସହ ସାରା ଜୀବନ ଏକାଠି ରହିବେ।
ହେଲେ ଏହି ହସ ଖୁସିର ସଂସାର ଉପରେ ସତେ ଯେମିତି ଛିଡ଼ି ପଡ଼ିଛି ଦୁଃଖର ପାହାଡ଼। ପୁଅ, ପତ୍ନୀ ଓ ପୂରା ପରିବାରକୁ ଏକା କରି ସବୁ ଦିନ ପାଇଁ ଚାଲି ଯାଇଛନ୍ତି ଜମ୍ମୁ-କଶ୍ମୀର ପୁଲିସ୍ରେ ଡିଏସ୍ପି ଭାବେ କାମ କରୁଥିବା ହିମାୟୁନ ଭଟ।
ପତ୍ନୀ, ପୁଅ ଓ ପରିବାର ଅପେକ୍ଷା ସେ ଦେଶକୁ ଆଗରେ ରଖିଥିଲେ। ଆଉ ସେହି ଦେଶ ପାଇଁ ସେ ଆତଙ୍କବାଦୀଙ୍କ ଗୁଳି ଖାଇବାକୁ ମଧ୍ୟ ପଛାଇ ନାହାନ୍ତି।
ଆତଙ୍କବାଦୀଙ୍କ ସହ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଲଢ଼େଇ କରିବା ବେଳେ ପ୍ରାଣବଳୀ ଦେଇଛନ୍ତି ଏହି ଯୁବ ଡିଏସ୍ପି ଜଣଙ୍କ।
ସେ ଦେଶ ପାଇଁ ସହିଦ ହୋଇଥିବାରୁ ପୂରା ପରିବାର ଓ ଅଞ୍ଚଳବାସୀ ତାଙ୍କ ପାଇଁ ଗର୍ବ କରୁଛନ୍ତି। ତାଙ୍କୁ ସମସ୍ତେ ସଲାମ ମଧ୍ୟ କରୁଛନ୍ତି। ହେଲେ ବାପାଙ୍କୁ ଠିକ ଭାବେ ଦେଖି ନଥିବା କଅଁଳ ଶିଶୁ କେବଳ ରାହା ଧରି କାନ୍ଦୁଛି।
ସତେ ଯେମିତି ସେ ବି ତା’ ବାପା ହିମାୟୁନଙ୍କୁ ଖୋଜୁଛି। ପତ୍ନୀଙ୍କ କଥା ନ କହିବା ଭଲ।
ସ୍ୱାମୀଙ୍କୁ ହରାଇ ସତେ ଯେମିତି ସେ ପାଗଳ ପ୍ରାୟ। ସେ କେବଳ ସ୍ୱାମୀଙ୍କ ପାର୍ଥିବ ଶରୀରକୁ ଚାହିଁ ରହିଛନ୍ତି। ତାଙ୍କ ଆଖିରୁ ଖାଲି ଲୁହ ଝରିବା ବେଳର ଦୃଶ୍ୟ ସମସ୍ତଙ୍କୁ ହତବାକ କରିଛି।
ଆଜି ବଡ଼ଗାମରେ ହିମାୟୁନଙ୍କ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ଅନ୍ତିମ ଯାତ୍ରାର ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଛି। ପତ୍ନୀ ଓ ତାଙ୍କ ବାପାଙ୍କ ନେତୃତ୍ୱରେ ଶତାଧିକ ଲୋକ ହିମାୟୁନଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି।
ହିମାୟୁନଙ୍କ ବାପା ଗୁଲାମ ହାସନ ଭଟ ମଧ୍ୟ ଜମ୍ମୁ-କଶ୍ମୀର ପୁଲିସ୍ରେ ଆଇଜି ଭାବେ କାମ କରି ସାରିଛନ୍ତି।
ଜମ୍ମୁ-କଶ୍ମୀରରେ କାମ କରିବା କେତେ ଯେ ବିପଦ ସେକଥା ତାଙ୍କୁ ବେଶ ଭଲ ଭାବେ ଜଣାଥିଲା। ତଥାପି ସେ ନିଜର ୩୩ ବର୍ଷୀୟ ପୁଅକୁ ଦେଶର ସେବା କରିବାକୁ ପଠାଇ ଥିଲେ।
ପୁଅ ହିମାୟୁନ ମଧ୍ୟ ନିରାଶ ନ କରି ଡିଏସ୍ପି ଭାବେ ଦେଶର ସେବା ଆରମ୍ଭ କରିଥିଲେ। ସେବା କରିବା ସମୟରେ ସେ ଏବେ ସହିଦ ହୋଇଛନ୍ତି।
ଗୁଲାମ ଆଶା କରିଥିଲେ ଯେ ସେ ପୁଅର କାନ୍ଧରେ ପରପାରିକୁ ଯିବେ। ହେଲେ ଏବେ ନିଜ ଭେଣ୍ଡିଆ ପୁଅର ମରଶରୀରକୁ ସେ କାନ୍ଧରେ ବୋହିଛନ୍ତି।
ଆଜି ହିମାୟୁନଙ୍କ ପାର୍ଥିକ ଶରୀରରେ ଗୁଲାମ ପୁଷ୍ପଗୁଚ୍ଛ ଦେଇ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇବା ବେଳର ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଛି।
ପୁଅକୁ ହରାଇ ତାଙ୍କ ଛାତିର କଲିଜା ଓ କୋହ ଫାଟି ପଡ଼ୁଥିଲା। କିନ୍ତୁ ସେ ନିଜର ସବୁ କୋହକୁ ଚାପି ରଖିଥିଲେ। ପୁଅ ଦେଶ ପାଇଁ ସହିଦ ହୋଇଥିବାରୁ ସତେ ଯେମିତି ସେ ଗର୍ବ କରୁଥିବା ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରୁଥିଲେ।
ଆଗରେ ପୁଅର ପାର୍ଥିକ ଶରୀର ରହିଥିବା ବେଳେ ଗୁଲାମ କେବଳ ଚୁପଚାପ ଏହାକୁ ଦେଖିଥିଲେ। ଶ୍ରଦ୍ଧାଞ୍ଜଳି ଦେବାର ସମୟ ଆସିବାରୁ ସେ ୧୦ ପାଦ ଚାଲି ଚାଲି ଆଗକୁ ଯାଇଥିଲେ। ପୁଅର ପାର୍ଥିକ ଶରୀରରେ ପୁଷ୍କଗୁଚ୍ଛ ଦେଇଥିଲେ ଓ ନିଜର ଭାବନାକୁ ପ୍ରକାଶ ନ କରି ସିଧା ମୁହଁ ବୁଲାଇ ଆସି ଯାଇଥିଲା।
ବାପା ପାଇଁ ପୁଅକୁ ଶ୍ରଦ୍ଧାଞ୍ଜଳି ଦେବା ହୁଏତ ଏ ଦୁନିଆରେ ସବୁଠାରୁ ବଡ଼ କଷ୍ଟ। ତଥାପି ଏହି କଷ୍ଟକୁ ନିଜ ଛାତି ତଳେ ଚାପି ରଖିଥିଲେ ଗୁଲାମ। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଆଉ ଗୋଟିଏ ଭିଡିଓରେ ସେ ପୁଅର ଜନାଜାକୁ କାନ୍ଧ ଦେଇ କବର ଯାଏ ନେଉଥିବା ଦେଖିବାକୁ ମିଳିଛି।
ଅନନ୍ତନାଗରେ ବୁଧବାର ହୋଇଥିବା ଏନକାଉଣ୍ଟରେ ହିମାୟୁନଙ୍କ ବ୍ୟତୀତ ହରିଆଣାର ମେଜର ଆଶିଷ ଧୋନାକ ଓ ଚଣ୍ଡିଗଡ଼ର କର୍ଣ୍ଣେଲ ମନପ୍ରୀତ ସିଂହ ମଧ୍ୟ ସହିଦ ହୋଇଥିଲେ।
ହିମାୟୁନଙ୍କ ଦେହରେ ଏକାଧିକ ଗୁଳି ବାଜିଥିଲା। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ସେ ଆଖି ବୁଜିଥିଲେ। ୨୦୧୮ରେ ହିମାୟୁନ ପୁଲିସ୍ ଫୋର୍ସରେ ଯୋଗ ଦେଇଥିଲେ।
୫ ବର୍ଷର କ୍ୟାରିୟରରେ ମଧ୍ୟରେ ସେ ଅନେକ ଚ୍ୟାଲେଞ୍ଜିଂ ଅପରେସନ କରିଥିଲେ। ବିଶେଷ କରି ସେ ଆତଙ୍କବାଦ ଧମନ ଅଭିଯାନରେ ସାମିଲ ହେଉଥିଲେ। ଏବେ ସେହି ଆତଙ୍କବାଦୀଙ୍କ ସହ ଲଢ଼େଇ କରି ସେ ଦେଶ ପାଇଁ ନିଜ ଜୀବନକୁ ଉର୍ତ୍ସଗୀକୃତ କରି ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930