Indus Valley Times

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପ୍ରଚାର ସରିଲା: ଶନିବାର ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୪.୪୮ଲକ୍ଷ ଭୋଟର

 Breaking News

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପ୍ରଚାର ସରିଲା: ଶନିବାର ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୪.୪୮ଲକ୍ଷ ଭୋଟର

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପ୍ରଚାର ସରିଲା: ଶନିବାର ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୪.୪୮ଲକ୍ଷ ଭୋଟର
May 23
20:45 2024

ଭୁବନେଶ୍ବର, ୨୩/୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଅନ୍ତିମ ଦିନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର କରିଛନ୍ତି। ଏହି ପର୍ଯ୍ୟାୟ ରେ ରାଜ୍ୟର ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ର ଓ ଏହାର ଅଧୀନ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖ ସକାଳ ୭ଟାରୁ ମତଦାନ ହେବ। ଏଥି ପାଇଁ ୯୪ଲକ୍ଷ ୪୮ହଜାର ୫୫୩ଜଣ ମତଦାତା ମୋଟ ୪୪୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।
ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ୧୨୧ କମ୍ପାନି କେନ୍ଦ୍ରୀୟ ଫୋର୍ସକୁ ମୁତୟନ କରାଯାଇଛି। ରାଜ୍ୟ ପୁଲିସ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି କହିଛନ୍ତି।
ଶ୍ରୀ ଧଳ କହିଛନ୍ତି ଯେ, ୨୫ତାରିଖରେ ଭୁବନେଶ୍ୱର ସମେତ ପୁରୀ, କଟକ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ସମସ୍ତ ୪୨ଟି ବିଧାନସଭା ଆସନରେ ଭୋଟଗ୍ରହଣ ହେବ।
ଏହି ୬ଟି ସଂସଦୀୟ କ୍ଷେତ୍ରରେ ୯ଜଣ ମହିଳାଙ୍କ ସମେତ ମୋଟ୍ ୬୪ଜଣ ସାଂସଦ ପ୍ରାର୍ଥୀ ଏବଂ ୪୨ଟି ବିଧାନସଭା ଆସନରେ ୪୪ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୩୮୩ଜଣ ପୁରୁଷ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।
ତୃତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ୪୮.୨୯ଲକ୍ଷ ପୁରୁଷ ଓ ୪୬.୧୭ଲକ୍ଷ ମହିଳା ଭୋଟର ଏବଂ ୧୨୯୧ଜଣ ତୃତୀୟ ଲିଙ୍ଗ ମତଦାତା ଅଛନ୍ତି। ଏମାନଙ୍କ ମଧ୍ୟରେ ୨୦ରୁ୨୯ବର୍ଷ ବୟସ ମଧ୍ୟରେ ୧୮.୪୫ଲକ୍ଷ ମତଦାତା ସାମିଲ ରହିଛନ୍ତି।
ସେହିପରି୧୮-୧୯ବର୍ଷ ବୟସର ୨.୩୭ଲକ୍ଷ ଭୋଟର ପ୍ରଥମଥର ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ ମୋଟ ୧୦,୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ହାରାହାରି ୮୯୬ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିପାରିବେ।
ତୃତୀୟ ପର୍ଯ୍ୟାୟ ରେ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ, ଭୁବନେଶ୍ବରରୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବାଲେଶ୍ବରରୁ ପ୍ରତାପ ଷଡ଼ଙ୍ଗୀ, ପୁରୀରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ କଟକରୁ ଭର୍ତ୍ତୃହରି ମହତାବ, ପୁରୀରୁ ଅରୂପ ପଟ୍ଟନାୟକ, କଟକରୁ ସନ୍ତୃପ୍ତ ମିଶ୍ର ପ୍ରମୁଖ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930