Indus Valley Times

ଚିନ୍ତାରେ ଚାଷୀ: ରାଜ୍ୟରେ ୧୭ଟି ଜିଲ୍ଲାରେ ୨୧ପ୍ରତିଶତରୁ କମ୍ ବର୍ଷା

 Breaking News

ଚିନ୍ତାରେ ଚାଷୀ: ରାଜ୍ୟରେ ୧୭ଟି ଜିଲ୍ଲାରେ ୨୧ପ୍ରତିଶତରୁ କମ୍ ବର୍ଷା

July 13
08:48 2021

ଭୁବନେଶ୍ୱର,୧୩/୭ : ଚଳିତ ବର୍ଷ ଧୋକା ଦେଇ ଚାଲିଛି ମୌସୁମୀ । ରାଜ୍ୟରେ ବର୍ଷା ଅଭାବ ସ୍ଥିତି ଗୁରୁତର ହେଲାଣି । ଜୁନ୍ ପହିଲାରୁ ଏଯାଏଁ ୨୧% କମ୍ ରହିଛି ବର୍ଷା । ୧୭ ଜିଲ୍ଲା ଶୁଖିଲା ପଡ଼ିଛି । ବର୍ଷାର ଦେଖା ନାହିଁ । ସବୁଠୁ ସଙ୍ଗୀନ ସ୍ଥିତି ଭଦ୍ରକ ଜିଲ୍ଲାର । ୬୦% ବର୍ଷା କମ୍ ରହିଛି ଭଦ୍ରକ ଜିଲ୍ଲାରେ ।କେନ୍ଦୁଝର, ଗଜପତି ଓ ଯାଜପୁର ଜିଲ୍ଲାରେ ବର୍ଷା ଅଭାବରୁ ଜମି ଫାଟି ଆଁ କରିଛି । ସ୍ଥିତି ଯାହା ଥିଲା, ଏଇ ସପ୍ତାହକ ଭିତରେ ଆହୁରି ବିଗିଡ଼ିଯାଇଛି । ଯେଉଁଥିପାଇଁ ଧାନ ଚାଷ କାମ ଆଗେଇ ପାରୁନି । ଚାଷୀ ଆକାଶକୁ ଅନେଇ ବସିଛି ।
ଯଦିଓ ବଙ୍ଗୋପସାଗରରେ ଲଘୁଚାପ ରହିଛି, କିନ୍ତୁ ଏହା ଏତେ ଦୁର୍ବଳ ଯେ, ବର୍ଷା ନାହିଁ । ଓଡ଼ିଶାରେ ଏହାର ସାମାନ୍ୟତମ ପ୍ରଭାବ ଦେଖାଯାଉନି । କାଁ ଭାଁ ବର୍ଷା ହେଉଛି । ପାଣିପାଗ ପୂର୍ବାନୁମାନ, ଏବେ ବିଶେଷ ବର୍ଷା ସମ୍ଭାବନା ନାହିଁ ରାଜ୍ୟରେ । ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟ ବର୍ଷା ହୋଇପାରେ ଆସନ୍ତା ୪ ଦିନ ଭିତରେ ।
ଜୁଲାଇ ମାସରେ ବର୍ଷା ଅଭାବ ସ୍ଥିତି ଆହୁରି ଗୁରୁତର ରୂପ ନେଇଛି । ଗତ ସପ୍ତାହର ବର୍ଷା ରେକର୍ଡ କହୁଛି, ଗତ ୬ ତାରିଖରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି ୪୫ ମିଲିମିଟର ବର୍ଷା ହୋଇଛି । ଏହା ସ୍ୱାଭାବିକଠାରୁ ୩୬% କମ୍ । ୨୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଏଇ ସପ୍ତାହରେ । ଜୁଲାଇ ୬ରୁ ୧୨ ତାରିଖ ଭିତରେ ଭଦ୍ରକରେ ଯେତିକି ବର୍ଷା ହେବା କଥା, ତା’ଠାରୁ ୮୬% କମ୍ ବର୍ଷା ହୋଇଛି । ଏହି ସମୟରେ ଝାରସୁଗୁଡ଼ାରେ ୮୫%, ସୁନ୍ଦରଗଡ଼ରେ ୮୧%, ସମ୍ବଲପୁରରେ ୬୫%, ଯାଜପୁରରେ ୬୪%, ପୁରୀରେ ୬୩% ନିଅଣ୍ଟିଆ ରହିଛି ବର୍ଷା ।
ଏଇ ସପ୍ତାହକରେ କେନ୍ଦ୍ରାପଡ଼ାରେ ସ୍ୱାଭାବିକଠାରୁ ୫୮%, ଜଗତସିଂହପୁରରେ ୫୭%, କନ୍ଧମାଳରେ ୫୬%, ବଲାଙ୍ଗିରରେ ୫୪%, କୋରାପୁଟରେ ୪୯%, ନୂଆପଡ଼ାରେ ୪୯%, ସୋନପୁରରେ ୪୭%, ରାୟଗଡ଼ାରେ ୪୫% ବର୍ଷା କମ୍ ହୋଇଛି । ଏହାବାଦ୍ ଆଉ ୭ଟି ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି ଗତ ୭ ଦିନରେ ।
ମୋଟ ହିସାବ କହୁଛି, ଜୁନ୍ ପହିଲାରୁ ଆଜି ସୁଦ୍ଧା ୧୭ ଜିଲ୍ଲାରେ ବର୍ଷା କମ୍ ଅଛି । ଭଦ୍ରକରେ ଏଇ ସମୟରେ ୧୨୩.୭ ମିମି ବର୍ଷା ହୋଇଛି । ଏହା ସ୍ୱାଭାବିକଠାରୁ ୬୦% କମ୍ । ଯାଜପୁରରେ ୪୭% କମ୍ ବର୍ଷା ରେକର୍ଡ ହୋଇଥିବା ବେଳେ ଗଜପତିରେ ୪୬%, କେନ୍ଦୁଝରରେ ୪୧% ବର୍ଷା ଅଭାବ ରହିଛି । ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ମୟୂରଭଞ୍ଜରେ ବର୍ଷା ଅଭାବ ଲାଗି ରହିଛି ।
ଏଭଳି ବର୍ଷା ଅଭାବରୁ ଅଧା ଓଡ଼ିଶାରେ ଚାଷ କାମ ଆଗେଇ ପାରୁନି । ଧାନ ରୁଆ, ତଳି ପକା କାମ ଠପ୍ ହୋଇପଡ଼ିଛି । ବିଲରେ ଯେତିକି ଫସଲ ଅଛି, ତାହା ବି ଉଜୁଡ଼ିବା ଉପରେ । ମାଟି ପୂରା ଶୁଖି ଆଁ କରିଛି । ବର୍ଷା ବିଳମ୍ବ ହେଲେ ଏ ବର୍ଷ ମରୁଡ଼ି ସ୍ଥିତି ଉପୁଜିବା ଆଶଙ୍କା ରହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031