Indus Valley Times

ରାସ୍ତା ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ୧୭ ଖଣ୍ଡ ଗ୍ରାମବାସୀ ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

 Breaking News

ରାସ୍ତା ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ୧୭ ଖଣ୍ଡ ଗ୍ରାମବାସୀ ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ରାସ୍ତା ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ୧୭ ଖଣ୍ଡ ଗ୍ରାମବାସୀ ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ
June 27
09:45 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୭/୬ : ନୟାଗଡ଼ ସଦରଥାନା ଅନ୍ତର୍ଗତ ମାଳିସାହି, ଢେଙ୍କେଣା ଓ ଖଣ୍ଡୁଗାଁ ପଞ୍ଚାୟତର ୧୭ ଖଣ୍ଡ ମୈାଜାବାସୀ ରାସ୍ତା ନିର୍ମାଣ ଦାବିରେ ଆଜି ଶିମିଳିସାହି ନିକଟରେ ୩ ହଜାର ଲୋକ ମେଳି ହୋଇଥିଲେ।
ପୂର୍ବ ପ୍ରସ୍ତୁତି ଅନୁସାରେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ ପାଇଁ ୧୭ ଖଣ୍ଡ ମୌଜାବାସୀ ସଜବାଜ ହେଉଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ନୂଆଗାଁ ତହସିଲଦାର ହେମନ୍ତ ନାୟକ, ବିଡିଓ ଅମିତ କୁମାର ରାହୁଲ, ଡିଏସପି ସୁକାନ୍ତ ପାତ୍ର ସେଠାରେ ପହଞ୍ଚିଥିଲେ। ଲୋକଙ୍କୁ ବୁଝାଶୁଝା କରିବା ପରେ ଆଲୋଚନା ପାଇଁ ୧୭ ଖଣ୍ଡ ମୌଜା ମୁଖିଆମାନେ ରାଜି ହୋଇଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଦୀର୍ଘ ୧୦ ବର୍ଷ ଧରି ୧୭ ଖଣ୍ଡ ମୈାଜା ଓ ଗୁଡ଼ୁପାଙ୍ଗୀ ମଧ୍ୟରେ ରାସ୍ତା ପାଇଁ ବିବାଦ ଲାଗି ରହିଛି। ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ଅଧାପନ୍ତରିଆ ଅବସ୍ଥାରେ ରହିଛି।
୧୭ ଖଣ୍ଡ ମୈାଜାବାସୀ ବଳଭଦ୍ରପୁର ଢିପାମାଳ ରାସ୍ତାକୁ ସଦାବନ୍ଧ ଛକ ଦେଇ ନିର୍ମାଣ କରିବାକୁ ଦାବି କରୁଥିବା ବେଳେ ଗୁଡ଼ୁପାଙ୍ଗୀ ଏହାକୁ ବିରୋଧ କରୁଛି। ଗୁଡ଼ୁପାଙ୍ଗୀ ରାସ୍ତା ତାଙ୍କ ଗ୍ରାମ ଦେଇ ନିର୍ମାଣ କରିବା ଜିଦରେ ଅଟଳ ରହିଛି। ଏହି ବିବାଦକୁ ନେଇ ବିଗତ ଦିନରେ ଅନେକ ରାସ୍ତାରୋକ, ପ୍ରଜାମେଳି ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ।
ମାଳିସାହି ପଞ୍ଚାୟତର ୫ ଖଣ୍ଡ ଆଦିବାସୀ ଗ୍ରାମ ଏବଂ ଦେଉଳି ଗାଈଚରା ପଡ଼ିଆ ସଂଯୋଗ କରୁଥିବା ଏହି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଆରମ୍ଭ ହୋଇଥିଲା। ଏହାକୁ ବିରୋଧ କରି ଗୁଡ଼ୁପାଙ୍ଗୀ ୨୦୧୪ ମସିହାରେ ଲଙ୍କାକାଣ୍ଡ ସୃଷ୍ଟି କରିଥିଲା। ଠିକା ସଂସ୍ଥାର ଅନେକ ମେସିନ ପୋଡ଼ି ଦେବା ସହ ପୁଲିସକୁ ଆକ୍ରମଣ କରିଥିଲା।
ଏହାକୁ ନେଇ ରାସ୍ତାର ଗତିପଥ ପରିବର୍ତ୍ତନ କରାଯାଇ ଗୁଡ଼ୁପାଙ୍ଗୀ ଗ୍ରାମ ଦେଇ ନିର୍ମାଣ କରାଯାଇଥିଲା। ଉକ୍ତ ରାସ୍ତା ନିର୍ମାଣ ଅଧାପନ୍ତରିଆ ଭାବେ ରହିଥିବା ବେଳେ ୧୭ ଖଣ୍ଡ ବାସୀ ବଳଭଦ୍ରପୁର ଦେଇ ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଛନ୍ତି। ରାସ୍ତା ନିର୍ମାଣକୁ ବିରୋଧ କରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ପର୍ଯ୍ୟନ୍ତ ମାମଲା ଯାଇଛି।
ସେଠାରୁ ଫେଲ ମାରିବା ପରେ ବି ବଳଭଦ୍ରପୁର ଦେଇ ରାସ୍ତା ନିର୍ମାଣକୁ ଗୁଡ଼ୁପାଙ୍ଗୀ ବିରୋଧ କରିଛି। ଫଳରେ ୫ ଖଣ୍ଡ ଆଦିବାସୀ ଗାଁ ବାସିନ୍ଦା ଜଙ୍ଗଲ ପରିସରରୁ ବାହାରକୁ ବାହାରିବା ପାଇଁ ଯନ୍ତ୍ରଣା ଭୋଗୁଛନ୍ତି। ବିଗତ ଦିନରେ ଜିଲ୍ଲାପାଳ ୪୦ ଲକ୍ଷ ଟଙ୍କା ମଞ୍ଜୁର କରି ପୁଲିସ ଫୋର୍ସ ଉପସ୍ଥିତିରେ ମାଟି ରାସ୍ତା ନିର୍ମାଣ କରିଥିଲେ।
ଏହା ଅଧାପନ୍ତରିଆ ହୋଇ ରହିଥିବା ବେଳେ ତୁରନ୍ତ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦାବି କରୁଛନ୍ତି ୧୭ ଖଣ୍ଡ ମୌଜାବାସୀ। ଆଜି ରାସ୍ତାରୋକ ପୂର୍ବରୁ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ସେଠାରେ ପହଞ୍ଚି ଆଲୋଚନା କରିଛନ୍ତି। ଦାବି ମୁତାବକ ୧୫ ଦିନ ମଧ୍ୟରେ ଜଙ୍ଗଲ ବିଭାଗ ଅନୁମତି ଆଣି ରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଏହାସହ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧିମାନେ ଏହି ପ୍ରତିବାଦର ନେତୃତ୍ୱ ନେଇଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930