Indus Valley Times

ରାୟଗଡା: ବର୍ଜ୍ୟବସ୍ତୁ ପରିଚାଳନା ଲାଗି କୋଟି କୋଟି ଟଙ୍କାର କିଣା ଯାଇଥିବା ମେସିନ୍ ଖତ ଖାଉଛି

 Breaking News

ରାୟଗଡା: ବର୍ଜ୍ୟବସ୍ତୁ ପରିଚାଳନା ଲାଗି କୋଟି କୋଟି ଟଙ୍କାର କିଣା ଯାଇଥିବା ମେସିନ୍ ଖତ ଖାଉଛି

November 12
10:27 2020

By Gouranga Charan Rout

ରାୟଗଡ଼ା,୧୧/୧୧/୨୦: ସ୍ବାସ୍ଥ୍ୟକେନ୍ଦ୍ରକୁ ସଂକ୍ରମଣମୁକ୍ତ କରିବାକୁ ଗୁରୁତ୍ବ ଦେଉଛନ୍ତି ସରକାର। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଭିନ୍ନ ମେସିନ୍ ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରିଛନ୍ତି। ହେଲେ କୋଟି କୋଟି ଟଙ୍କା ବ୍ୟୟରେ କିଣା ଯାଇଥିବା ମେସିନ୍ ସ୍ବାସ୍ଥ୍ୟକେନ୍ଦ୍ରରେ କାମରେ ଲାଗିବା ବଦଳରେ ଖୋଲା ଆକାଶ ତଳେ ପଡି ରହିଛି। ଫଳରେ ରାୟଗଡ଼ାରେ ଜୈବ ଆବର୍ଜନା ପରିଚାଳନା ଦିଗହରା ହୋଇ ପଡିଛି।
ରାୟଗଡ଼ା ଜିଲ୍ଲାର ୧୧ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୩୪ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଟିଏ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର, ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରୁ ଦୈନିକ ବାହାରୁଥିବା ଗଜ, ବ୍ୟାଣ୍ଡେଜ, ସିରିଞ୍ଜ ଭଳି ଆବର୍ଜନାକୁ ବାହାରେ ନ ପକାଇ ମେସିନ୍ ମାଧ୍ୟମରେ ନଷ୍ଟ କରିବାକୁ ଯୋଜନା କରିଛନ୍ତି ସରକାର। ଏଥି ଲାଗି ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ୍ ପକ୍ଷରୁ ୨୫ଟି ଅଟୋ କ୍ଲେଭ ଓ ୨୫ଟି ସେଡର୍ ମେସିନ୍ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯାଇଛି।
କରୋନା ସଂକ୍ରମଣ ବ୍ୟାପିବା ପୂର୍ବରୁ ୫୦ଟି ମେସିନ୍ ରାୟଗଡ଼ା ସ୍ବାସ୍ଥ୍ୟ ବିଭାଗର ହସ୍ତାନ୍ତର ହୋଇଛି। ହେଲେ ବିଗତ ୮ ମାସ ଧରି ଏହି ମେସିନ୍ ଗୁଡ଼ିକୁ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାନଯାଇ ସ୍ବାସ୍ଥ୍ୟ ବିଭାଗର ବାରିଝୋଲାସ୍ଥିତ କାର‌୍ୟ୍ୟାଳୟରେ ଖୋଲା ଆକାଶ ତଳେ ପକାଇ ରଖାଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଖୋଲା ଆକାଶ ତଳେ ପଡିଥିବା ମେସିନ୍ ଗୁଡ଼ିକ ନଷ୍ଟ ହେବାକୁ ବସିଲାଣି। ପୁଣିଥରେ କାର‌୍ୟ୍ୟକ୍ଷମ କରିବା ପାଇଁ ବି ସରକାରୀ ଅର୍ଥ ର ବ୍ୟୟ ଉଊଗଙ ଙ୍କୁ ଯୋଗା ଯୋଗ କରିବାରୁ ମୁ କିଛି ଜାଣିନି ବୋଲି କହିବା ଏକ ହାସ୍ୟାସ୍ପଦ ଘଟଣା । ବିଭାଗ ମୁଖ୍ୟ ଜାଣୁନାହାନ୍ତି, କିନ୍ତୁ ସ୍ବାସ୍ଥ୍ୟ ବିଭାଗର ଏଥି ପ୍ରତି ଯତ୍ନଶୀଳ ନଥିବା ଭଳି ମନେ ହେଉଛି। ଖରା, ବର୍ଷା ପ୍ରଭାବରେ କୋଟି କୋଟି ଟଙ୍କା ବ୍ୟୟରେ କିଣାଯାଇଥିବା ମେସିନ୍ ଗୁଡ଼ିକର ଅବସ୍ଥା ଏମିତି ହେଲାଣି ଯେ ବ୍ୟବହାର ବେଳକୁ ପୁଣି ଥରେ ମରାମତି କରିବାକୁ ପଡିବ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବାନୁଯାୟୀ, ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମେସିନ୍ ଗୁଡ଼ିକ ଇନଷ୍ଟାଲେସନ୍ କରିବା କଥା। ବହୁତ ଓଜନର ମେସିନ୍ ହୋଇଥିବାରୁ ଏହାକୁ ସ୍ଥାନାନ୍ତର ପାଇଁ ଜେସିବି ମେସିନ୍ ଓ ଟ୍ରକର ଆବଶ୍ୟକତା ରହିଛି। କିନ୍ତୁ ମେସିନ୍ ପ୍ରଦାନ ଓ ଇନଷ୍ଟାଲେସନ୍ ପାଇଁ ଠିକା ନେଇଥିବା କଂପାନି ମେସିନ୍ ପ୍ରଦାନ କରିବା ପରଠାରୁ ଆଉ ଆସିନଥିବାରୁ ମେସିନ୍ ଗୁଡ଼ିକ ଖୋଲା ଆକାଶ ତଳେ ପଡିଛି।
ସ୍ବାସ୍ଥ୍ୟକେନ୍ଦ୍ରରେ ମେସିନ୍ ଗୁଡ଼ିକ କାର‌୍ୟ୍ୟକ୍ଷମ ହେଲେ ଅପରେସନ୍, ଡ୍ରେସିଂ ଓ ଚିକିତ୍ସା ପରେ ବାହାରୁଥିବା ଗଜ, ବ୍ୟାଣ୍ଡେଜ, ସିରିଞ୍ଜ ଗୁଡ଼ିକୁ ବାହାରେ ନ ପକାଇ ମେସିନରେ ପକାଇ ନଷ୍ଟ କରାଯାଇ ପାରନ୍ତା। ବ୍ଲକ୍ ଓ ଗ୍ରାମାଞ୍ଚଳରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରୁ ବାହାରୁଥିବା ଆବର୍ଜନାକୁ ବର୍ତ୍ତମାନ ବାହାରେ ଫିଙ୍ଗାଯାଉଛି। ଯାହା ଫଳରେ ପରିବେଶ ପ୍ରଦୂଷିତ ହେବା ସହିତ ଏହା ପ୍ରଭାବରେ ଲୋକ ସଂକ୍ରମଣର ଶିକାର ହେଉଛନ୍ତି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କୁ ପଚାରିବାରୁ କରୋନା ସଂକ୍ରମଣ ଯୋଗୁ ମେସିନ୍ ଗୁଡ଼ିକ କାର‌୍ୟ୍ୟକ୍ଷମ ହୋଇପାରିନଥିଲା। ବର୍ତ୍ତମାନ ପରିସ୍ଥିତିରେ ସୁଧାର ଆସିଲାଣି। ତୁରନ୍ତ ଏ ଦିଗରେ ଦୃଷ୍ଟି ଦିଆଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରର ପରିଷ୍କାର, ପରିଚ୍ଛନ୍ନତା ଓ ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ୨୦୧୯ରେ ରାୟଗଡ଼ା ଜିଲ୍ଲାକୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ‘କାୟାକଳ୍ପ’ ଯୋଜନାରେ ପୁରସ୍କୃତ କରାଯାଇଥିଲା।
ଇତି ମଧ୍ୟରେ ପୁରସ୍କାର ଗ୍ରହଣକୁ ବର୍ଷେ ବିତିନଥିବା ବେଳେ ଜୈବ ଆବର୍ଜନା ପରିଚାଳନା ପାଇଁ ଆସିଥିବା ମେସିନ୍ ଗୁଡ଼ିକ ଖୋଲା ଆକାଶ ତଳେ ପଡି ରହିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋବୃତ୍ତିକୁ ପ୍ରମାଣିତ କରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031