Indus Valley Times

ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ

 Breaking News

ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ

ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ
June 12
17:35 2024

ଭୁବନେଶ୍ବର, ୧୨/୬: ‘ଦୁଇ ଥର ପଦ୍ମ, ଦୁଇ ଗୁଣା ବିକାଶ। ଓଡ଼ିଶାରେ ହେବ ବିଜେପି ସରକାର।’ ସାଧାରଣ ନିର୍ବାଚନ-୨୦୨୪ର ପ୍ରଚାର ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି) ଏହି ଶ୍ଲୋଗାନକୁ ବ୍ୟବହାର କରିଥିଲା। ଓଡ଼ିଆ ଟିଭି ଚ୍ୟାନେଲ୍ରେ ବାରମ୍ବାର ଏହି ବିଜ୍ଞାପନ ଦେଖାଯାଉଥିଲା।
ସାମାଜିକ ଗଣମାଧ୍ୟମରେ ମଧ୍ୟ ସମାନ କଥା। ଏହି ଶ୍ଲୋଗାନକୁ ଓଡ଼ିଶାବାସୀ ବିପୁଳ ସମର୍ଥନ ଦେଇଛନ୍ତି। ବିଜେପିକୁ ସରକାର ଗଢ଼ିବାକୁ ସୁଯୋଗ ଦେଇଛନ୍ତି। ଏଥି ସହିତ ଓଡ଼ିଶାରେ ଆଜି(୨୦୨୪ ଜୁନ୍ ୧୨)ଠାରୁ ବିଜେପି ସରକାର ଆରମ୍ଭ ହୋଇଛି। ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ କାର‌୍ୟ୍ୟକ୍ରମରେ କେନ୍ଦୁଝର ବିଧାନସଭା ଆସନରୁ ୪ ଥର ନିର୍ବାଚିତ ମୋହନ ଚରଣ ମାଝୀ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ରାଜ୍ୟପାଳ ରଘୁବର ଦାସଙ୍କ ଠାରୁ ଶ୍ରୀ ମାଝୀ ପଦ ଓ ଗୋପନୀୟତାର ସହିତ ଶପଥ ଗ୍ରହଣ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ପରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଶପଥ ଗ୍ରହଣ କରିଛନ୍ତି।
ମୋହନ୍ ମାଝୀଙ୍କ ଶପଥ ଗ୍ରହଣ ସମାରୋହରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ଜଗତ ପ୍ରକାଶ ନଡ୍ଡା, ନିତିନ ଗଡ଼କରୀ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ବିନୀ ବୈଷ୍ଣବ, ଓଡ଼ିଶାରୁ ନବନିର୍ବାଚିତ ସାଂସଦ ଏବଂ ବିଧାୟକ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
ମୋହନ ମାଝୀ ମୁଖ୍ୟମନ୍ତ୍ରୀ ପଦବିର ଶପଥ ନେବା ପୂର୍ବରୁ ସମାରୋହରେ ପହଞ୍ଚି ଥିବା ଜନସାଧାରଣଙ୍କ ସହିତ କଥା ହୋଇଥିଲେ। ସାଧାରଣ ଜନତା ମଧ୍ୟ ଉତ୍ସାହିତ ଥିଲେ। ସେମାନେ ମୋହନ ମାଝୀଙ୍କ ସହିତ ମୋବାଇଲ୍ରେ ସେ୍ଲଫି ନେଇଥିଲେ।
ସେହିପରି ମୋହନ ମାଝୀ ଆଜି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବରରେ ତାଙ୍କ ସହ ଦୁଇ ଭାବୀ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତି ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ। ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ଯାଉଥିବା ବେଳେ ରାସ୍ତାରେ ଠିଆ ହୋଇଥିବା କିଛି ସାଧାରଣ ଲୋକଙ୍କ ସହ କଥା ହୋଇଥିଲେ। ଜଣେ ଗରିବ ମହିଳାଙ୍କ ଦୁଃଖ ଶୁଣିଥିଲେ।
ଖାଲି ସେତିକି ନୁହେଁ କେତେକ ଅଟୋ ଚାଳକଙ୍କ ସହ ମଧ୍ୟ ସେମାନଙ୍କର ସମସ୍ୟା ନେଇ ଆଲୋଚନା କରିଥିଲେ। ଏଣେ ସେ ପରିବହନ ବିଭାଗର ଜଣେ କର୍ମଚରୀଙ୍କ ଅସୁବିଧା ଶୁଣିଥିଲେ। ସେହିପରି ମୋହନ ମାଝୀ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବାସକୁ ଯାଇ ସମାରୋହକୁ ଆସିବା ପାଇଁ ନିମନ୍ତ୍ରଣ ଦେବା ସହିତ ଆଶୀର୍ବାଦ ମାଗିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031