Indus Valley Times

ସମଗ୍ର ରାଜ୍ୟକୁ କବଳିତ କରିଛି ହାଡ଼ଭଙ୍ଗା ଶୀତ : ତୀବ୍ର ଶୀତ ଲହରୀ ପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୟୋଲୋ ୱାର୍ଣ୍ଣିଂ ଜାରି

 Breaking News

ସମଗ୍ର ରାଜ୍ୟକୁ କବଳିତ କରିଛି ହାଡ଼ଭଙ୍ଗା ଶୀତ : ତୀବ୍ର ଶୀତ ଲହରୀ ପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୟୋଲୋ ୱାର୍ଣ୍ଣିଂ ଜାରି

ସମଗ୍ର ରାଜ୍ୟକୁ କବଳିତ କରିଛି ହାଡ଼ଭଙ୍ଗା ଶୀତ : ତୀବ୍ର ଶୀତ ଲହରୀ ପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୟୋଲୋ ୱାର୍ଣ୍ଣିଂ ଜାରି
December 22
10:02 2021

ଭୁବନେଶ୍ବର, ୨୨/୧୨: ସୂର୍ଯ୍ୟ ନଇଁଲେ ବାହାରକୁ ବାହାରିବା ମୁସ୍କିଲ୍ ହୋଇପଡ଼ୁଛି। ପବନ ବାଜିଲେ ଦେହ ଶିହରି ଉଠୁଛି। ଶୀତବସ୍ତ୍ର ପିନ୍ଧିଲେ ବି ହାତ, ଗୋଡ଼ ଥରୁଛି। ରାତି ଯେତେ ବଢ଼ୁଛି, ପାରଦ ସେତେ ଖସୁଛି। ଗତ ୩ ଦିନ ହେବ ହାଡ଼ଭଙ୍ଗା ଜାଡ଼ ଏମିତି ରାଜଧାନୀବାସୀଙ୍କୁ ଥରାଉଛି।
ରାଜଧାନୀରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରି କମ୍ ରହୁଥିବାରୁ ଲୋକଙ୍କ ସମସ୍ୟା ବଢ଼ି ଯାଇଛି। ବୟସ୍କ ଓ ଶିଶୁମାନେ ଜ୍ବର, ଥଣ୍ଡା, କାଶରେ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛି। ନିରାଶ୍ରିତମାନେ ରାସ୍ତାକଡ଼ରେ ନିଆଁ ଜାଳି ଶୀତରୁ ରକ୍ଷା ପାଇବା ପାଇଁ ଉଦ୍ୟମ କରୁଛନ୍ତି।
ଆଗରୁ ରାତି ୧୦ଟା ବେଳକୁ ରାସ୍ତାଘାଟରେ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଏବେ କମ୍ ସଂଖ୍ୟକ ଲୋକଙ୍କୁ ଦେଖିବାକୁ ମିଳୁଛି। କାଁ ଭାଁ ଗାଡ଼ି ଚଳାଚଳ କରୁଛି। ରାସ୍ତାରେ ଯିବା ଏକପ୍ରକାର ମୁସ୍କିଲ୍ ହୋଇପଡ଼ୁଛି। ଘଣ୍ଟା ପ୍ରତି ବେଗ ୪୦ କିମିରୁ ଅଧିକ ବଢ଼ୁନାହିଁ। ବସ୍ତି ଅଞ୍ଚଳ କଥା ନ କହିବା ଭଲ।
ଥଣ୍ଡାରୁ ରକ୍ଷା ପାଇବା ଲାଗି ଲୋକେ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ନିଆଁ ଜାଳି ବସୁଛନ୍ତି। ସପରିବାର ରାସ୍ତାପାର୍ଶ୍ବରେ ଶୋଉଥିବା ଦିନ ମଜୁରିଆ ମଧ୍ୟ ଥଣ୍ଡାରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି।
ଚଳିତବର୍ଷ ପ୍ରଥମଥର ପାଇଁ ସହରରେ ଏଭଳି ଥଣ୍ଡା ଅନୁଭୂତ ହୋଇଛି। ରବିବାର ରାତି ପର୍ଯ୍ୟନ୍ତ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହୁଥିବା ବେଳେ ସୋମବାର ରାତିରେ ହଠାତ୍ ୧୦ ଡିଗ୍ରିକୁ ଖସି ଆସିଛି। ବୁଧବାର ସକାଳୁ ବି ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି। ସକାଳ ୯ଟା ପର୍ଯ୍ୟନ୍ତ ଥଣ୍ଡାର ପ୍ରକୋପ କମି ନଥିଲା। ଖରା ହେଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନ ଥିଲା।
ପୂର୍ବାହ୍ନ ୧୦ଟା ପରେ ସ୍ଥିତିରେ କିଛିଟା ପରିବର୍ତନ ଆସିଥିଲା। ମଙ୍ଗଳବାର ରାତିରେ ବି ସହରରେ ଥଣ୍ଡାର ପ୍ରକୋପ ଲାଗି ରହିଛି। ଲୋକେ ନିଆଁ ଜାଳି ଘର ବାହାରେ ବସି ରହିଥିବା ଦେଖିବାକୁ ମିଳିଛି। ରାସ୍ତାପାର୍ଶ୍ବ ଓ ବସ୍ତି ଅଞ୍ଚଳରେ ରହୁଥିବା ଲୋକେ ଥଣ୍ଡା ଯୋଗୁଁ ଅସ୍ତବ୍ୟସ୍ତ ହେଉଥିଲେ ମଧ୍ୟ ପ୍ରଶାସନର ସେଥିପ୍ରତି ନିଘା ନାହିଁ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଗତ ୩ରୁ ୪ଦିନ ହେଲା ଓଡ଼ିଶା ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗରେ ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଛି। ପ୍ରଭାବରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜଧାନୀରେ ଶୀତ ଲହର ଅନୁଭୂତ ହେବ। ସହରର ସର୍ବୋଚ୍ଚ ତାପମାତ୍ରା ୨୪ ଡିଗ୍ରି ଓ ସର୍ବନିମ୍ନ ୧୦ ଡିଗ୍ରି ରହିବ। ରାତି ସମୟରେ ସ୍ଥିତି ଅଧିକ ଖରାପ ହେବ।
ଲୋକେ ବାହାରକୁ ବାହାରିବା ସମୟରେ ଶୀତବସ୍ତ୍ର ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି। ସହରକୁ ଲାଗି ରହିଥିବା ପାହାଡ଼ିଆ ତଥା ଜଙ୍ଗଲ ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ବିମାନବନ୍ଦର, ଚନ୍ଦ୍ରଶେଖରପୁର, ଚନ୍ଦକା ପ୍ରଭୃତି ଅଞ୍ଚଳରେ ରାତିରେ ପାରଦ ବହୁତ କମ୍ ରହୁଛି।ଏହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନୁଗୁଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ନୟାଗଡ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ଥିବାରୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031