Indus Valley Times

ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR)-୨୦୨୬ : ଦାବି ଓ ଆପତ୍ତି ଦାଖଲ ସମୟସୀମା ଅଗଷ୍ଟ ୧୯ ପର୍ଯ୍ୟନ୍ତ ବୃଦ୍ଧି

 Breaking News

ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR)-୨୦୨୬ : ଦାବି ଓ ଆପତ୍ତି ଦାଖଲ ସମୟସୀମା ଅଗଷ୍ଟ ୧୯ ପର୍ଯ୍ୟନ୍ତ ବୃଦ୍ଧି

August 04
22:25 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪ /୮ : ଭାରତ ନିର୍ବାଚନ ଆୟୋଗ ୦୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ -SIR- ୨୦୨୬ କାର୍ଯ୍ୟକ୍ରମର ସଂଶୋଧିତ ସମୟସୂଚୀ ପ୍ରକାଶ କରିଛନ୍ତି।
ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁରୋଧକ୍ରମେ ଭୋଟରମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ସମୟସୀମା ବୃଦ୍ଧି କରାଯାଇଛି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ଭୋଟର ତାଲିକାରେ ନାମ ଯୋଡିବା, କାଟିବା, ସଂଶୋଧନ ଓ ସ୍ଥାନାନ୍ତର ସମ୍ବନ୍ଧୀୟ ଦାବି ଓ ଆପତ୍ତି ଦାଖଲ ୦୫ ଜୁଲାଇରୁ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କରାଯାଇପାରିବ।
ସେହିପରି, ଦାବି ଓ ଆପତ୍ତିର ଶୁଣାଣି ଏବଂ ନିଷ୍ପତ୍ତି ପ୍ରକ୍ରିୟା ୧୭ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ୨୧ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ୩ ଅଗଷ୍ଟ ୨୦୨୬ ସକାଳ ୧୦ଟା ସୁଦ୍ଧା ବୌଦ୍ଧ ଜିଲ୍ଲାରେ ନୋଟିସ ବିତରଣ କାର‌୍ୟ୍ୟ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି।
୮୫-କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦,୦୩୨ଟି ନୋଟିସ ମଧ୍ୟରୁ ୧୮,୭୦୭ଟି ଏବଂ ୮୬-ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦,୪୬୮ଟି ନୋଟିସ ମଧ୍ୟରୁ ୨୦,୧୧୪ଟି ନୋଟିସ ସଫଳତାର ସହ ବିତରଣ କରାଯାଇଛି।
ସେହିପରି, ଏପର୍ଯ୍ୟନ୍ତ କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୪,୭୬୪ଟି ଏବଂ ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀରେ ୬,୭୧୬ଟି ଦାବି ଓ ଆପତ୍ତିର ଶୁଣାଣି ସମ୍ପନ୍ନ ହୋଇଛି।
ଦାବି ଓ ଆପତ୍ତି ଦାଖଲ ସମୟସୀମା ବୃଦ୍ଧି ପାଇଥିବାରୁ ଯେଉଁ ଭୋଟରମାନେ ଏପର୍ଯ୍ୟନ୍ତ ଆବେଦନ କରିପାରି ନାହାନ୍ତି, ସେମାନଙ୍କୁ ଆଉ ଚିନ୍ତିତ ନହୋଇ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ଦାବି ଓ ଆପତ୍ତି ଦାଖଲ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ଦାବି ଓ ଆପତ୍ତିର ଶୀଘ୍ର ନିଷ୍ପତ୍ତି ପାଇଁ ବୌଦ୍ଧ ଜିଲ୍ଲାରେ ପୂର୍ବରୁ କାର୍ଯ୍ୟରତ ୧୧ ଜଣ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO)ଙ୍କ ସହ ଅତିରିକ୍ତ ୧୨ ଜଣ AEROଙ୍କୁ ନିଯୁକ୍ତ କରାଯାଇଛି। ଏହାଦ୍ୱାରା ଯାଞ୍ଚ ପ୍ରକ୍ରିୟାର ପ୍ରଭାବଶାଳୀ ତଦାରଖ, ଉତ୍ତମ ସମନ୍ୱୟ ଏବଂ ସମୟବଦ୍ଧ ନିଷ୍ପତ୍ତି ସୁନିଶ୍ଚିତ ହେବ।
ଭାରତ ନିର୍ବାଚନ ଆୟୋଗ, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ସହିତ ବୌଦ୍ଧ ଜିଲ୍ଲା ପ୍ରଶାସନଙ୍କ ଲକ୍ଷ୍ୟ ହେଉଛି ଏକ ସଠିକ୍, ସ୍ୱଚ୍ଛ, ଅନ୍ତର୍ଭୁକ୍ତିମୂଳକ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା। ଏହି ପ୍ରକ୍ରିୟାର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ସମସ୍ତ ଯୋଗ୍ୟ ଭୋଟରଙ୍କ ସକ୍ରିୟ ସହଯୋଗ ଓ ସହଭାଗିତା କାମନା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031