Indus Valley Times

୨୦୨୧ର ଶ୍ବେତପତ୍ର ଜାରି କଲା ଗୃହ ବିଭାଗ, ୨୦୨୦ ତୁଳନାରେ ବଢ଼ିଛି ଦୁଷ୍କର୍ମ ଓ ଡକାୟତି

 Breaking News

୨୦୨୧ର ଶ୍ବେତପତ୍ର ଜାରି କଲା ଗୃହ ବିଭାଗ, ୨୦୨୦ ତୁଳନାରେ ବଢ଼ିଛି ଦୁଷ୍କର୍ମ ଓ ଡକାୟତି

୨୦୨୧ର ଶ୍ବେତପତ୍ର ଜାରି କଲା ଗୃହ ବିଭାଗ, ୨୦୨୦ ତୁଳନାରେ ବଢ଼ିଛି ଦୁଷ୍କର୍ମ ଓ ଡକାୟତି
July 20
11:12 2022

ଭୁବନେଶ୍ବର, ୨୦/୭ : ରାଜ୍ୟରେ ଦିନକୁ ୯ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ଏମିତି ଉଦ୍ବେଗଜନକ ତଥ୍ୟ ମିଳିଛି ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ୨୦୨୧ ଶ୍ବେତପତ୍ରରୁ। କେବଳ ଏତିକି ନୁହେଁ, ଡକାୟତି ମାମଲା ବି ଚିନ୍ତାଜନକ। ପ୍ରତି ମାସରେ ରାଜ୍ୟରେ ୪୫ ଜଣ ଡକାୟତିର ଶିକାର ହେଉଛନ୍ତି।
୨୦୨୦ ତୁଳନାରେ ଦୁଷ୍କର୍ମ ଓ ଡକାୟତି ମାମଲା ବଢ଼ିଛି। ଆସନ୍ତାକାଲି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା ହେବ। ତାହା ପୂର୍ବରୁ ଆଜି ସନ୍ଧ୍ୟାରେ ବିଭାଗ ପକ୍ଷରୁ ଶ୍ବେତପତ୍ର ଜାରି କରାଯାଇଛି। ରାଜ୍ୟରେ ୨୦୨୦ରେ ୨୯୮୪ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ବେଳେ ୨୦୨୧ରେ ଏହି ସଂଖ୍ୟା ୩୩୨୭ ରହିଛି।
ପଞ୍ଜୀକୃତ ହୋଇଥିବା ଏହି ମାମଲା ମଧ୍ୟରୁ ୩୨୪୪ ସତ୍ୟ ମାମଲା ଅଟେ। ତାହା ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୨୩୩୫ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ସେହିପରି ୨୦୨୦ରେ ୫୧୪ ଡାକୟତି ମାମଲା ରୁଜୁ ହୋଇଥିଲା ବେଳେ ୨୦୨୧ରେ ଏହି ସଂଖ୍ୟା ୫୫୨ରେ ପହଞ୍ଚିଛି।
ଶ୍ବେତପତ୍ରରେ ଦିଆଯାଇଥିବା ସୂଚନା ଅନୁଯାୟୀ ୨୦୨୧ ମସିହାରେ ଓଡ଼ିଶାରେ ମୋଟ୍ ୧,୫୫,୪୨୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି। ଏହା ମଧ୍ୟରେ ରହିଛି ୧୩୯୪ଟି ହତ୍ୟା, ୫୫୨ଟି ଡକାୟତି, ୨୮୨୬ ଲୁଣ୍ଠନ, ୫୧୩୩ ସିନ୍ଧିଚୋରି, ୧୩,୦୨୪ ଚୋରି, ୫୧୩୮ ପ୍ରତାରଣା, ୨୨୨୦ ଦଙ୍ଗା, ୩୩୨୭ ଦୁଷ୍କର୍ମ, ୧୦,୯୮୩ ମୋଟରଯାନ ଦୁର୍ଘଟଣା ଓ ୧,୧୦,୮୨୩ ଅନ୍ୟାନ୍ୟ ମାମଲା।
ଏହା ମଧ୍ୟରୁ ମୋଟ୍ ୧,୪୯,୨୩୨ଟି ମାମଲା ସତ୍ୟ ଉପରେ ଆଧାରିତ। ବର୍ଷ ଶେଷ ସୁଦ୍ଧା ମୋଟ୍ ୧,୦୬,୨୮୩ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ସୂଚନାଯୋଗ୍ୟ ଯେ ୨୦୨୦ରେ ଧର୍ତ୍ତବ୍ୟ ଅପରାଧ ମାମଲା ସଂଖ୍ୟା ଥିଲା ୧,୩୪,୨୩୦। ଯୌତୁକ ଜନିତ ମାମଲା ମଧ୍ୟ ଚିନ୍ତାଜନକ ରହିଛି। ୨୦୨୦ରେ ୪୦୮୮ ମାମଲା ରୁଜୁ ହୋଇଥିଲା ବେଳେ ୨୦୨୧ରେ ଏହି ସଂଖ୍ୟା ୫୦୮୦ ରହିଛି।
ଏହା ମଧ୍ୟରୁ ୩୭୦୭ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ୨୯୮ଟି ଯୌତୁକ ଜନିତ ହତ୍ୟା ମାମଲା ମଧ୍ୟରୁ ୧୮୧ଟିରେ ଚାର୍ଜସିଟ୍ ଦାଖଲ ହୋଇଛି। ୧୨୯ଟି ଯୌତୁକ ଜନିତ ଆତ୍ମହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି। ୨୦୨୦ ତୁଳନାରେ ରାଜ୍ୟରେ ଲୁଣ୍ଠନ ମାମଲା ମଧ୍ୟ ବଢ଼ିଛି।
୨୦୨୧ରେ ୨୦୩୭ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ତାହା ମଧ୍ୟରୁ ୩୦୭ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ଏହି ମାମଲାଗୁଡ଼ିକରେ ୫୪୨ ଜଣ ଅପରାଧୀ ସଂପୃକ୍ତ ଥିଲା ବେଳେ ୪୨୫ ଜଣ ଅପରାଧୀଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି।
ମାଓବାଦୀ କାର୍ଯ୍ୟକଳାପ ସମ୍ପର୍କରେ ଶ୍ବେତପତ୍ରରେ କୁହାଯାଇଛି, ୨୦୨୧ରେ ମାଓ କାର୍ଯକଳାପ ସାମଗ୍ରିକ ଭାବେ ନିୟନ୍ତ୍ରଣାଧୀନ ଅଛି। ମାଓବାଦୀ ପ୍ରଭାବିତ ୧୦ଟି ଜିଲ୍ଲା ମଧ୍ୟରୁ ପ୍ରଭାବୀ ଢଙ୍ଗରେ ପୁଲିସ ଓ ପ୍ରଶାସନିକ କାର‌୍ୟ୍ୟାନୁଷ୍ଠାନ ଯୋଗୁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ଓ କଳାହାଣ୍ଡି-ରାୟଗଡ଼ା-କନ୍ଧମାଳ ଜିଲ୍ଲା ସମେତ ଅଧିକାଂଶ ଅଞ୍ଚଳର ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଥିଲା।
ଏହି ବର୍ଷ ମାଓବାଦୀମାନଙ୍କ ସହିତ ସଂଗଠିତ ୨୧ଟି ଗୁଳି ବିନିମୟ ଘଟଣା ସମେତ ରାଜ୍ୟରେ ମୋଟ୍ ୨୮ଟି ଘଟଣା ଘଟିଥିଲା। ଏଥିରେ ଦୁଇ ଜଣ ସାଧାରଣ ବ୍ୟକ୍ତିଙ୍କର ପ୍ରାଣହାନୀ ହୋଇଥିଲା ଓ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ପୁଲିସ ସହ ପୃଥକ ପୃଥକ ଗୁଳି ବିନିମୟ ଘଟଣାରେ ୭ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା ବେଳେ ୩୬ ଜଣଙ୍କୁ ଗିରଫ କରାଯାଇଥିଲା। ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ।
କରୋନା ମହାମାରୀ ପରିପ୍ରେକ୍ଷୀରେ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଉଲ୍ଲଂଘନକାରୀଙ୍କୁ ଗିରଫ କରାଯାଇ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଚାରୁରୂପେ ପୁଲିସ ନିୟନ୍ତ୍ରଣ କରିବରେ ସଫଳ ହୋଇଛି ବୋଲି ଶ୍ବେତପତ୍ରରେ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031