Legatus

ଅଶୁଭ  ନୁହେଁ ଅଷ୍ଟମ ଗର୍ଭ

 Breaking News

ଅଶୁଭ  ନୁହେଁ ଅଷ୍ଟମ ଗର୍ଭ

ଅଶୁଭ  ନୁହେଁ ଅଷ୍ଟମ ଗର୍ଭ
March 22
11:54 2024

ନିବେଦିତା ପଟ୍ଟନାୟକ

କମ୍ ଉଚ୍ଚତା, ପତଳା, ବୟସ ଖୁବ୍ ବେଶୀରେ ୩୨-୩୩ ବର୍ଷ ହେବ । କାଖରେ ଦୁର୍ବଳ ଛୁଆଟିକୁ ଧରି ଆମ ପାଖରେ ବସିଲା ସରଶୀ । ଯେଉଁ ଛୁଆଟି ତା କାଖରେ ଥିଲା ସେ ତାର ଅଷ୍ଟମ ଗର୍ଭର ଛୁଆ । ଯାହାକୁ ନେଇ ଅନେକ କଥା… କାହାଣୀ ଆଉ ରୋଚକ ତଥ୍ୟ ।

ବିଷମ କଟକ ବ୍ଲକର କୁର୍ଲୀ ଗ୍ରାମ ଯେଉଁଠାରେ ସମୁଦାୟ ୧୪୫ ପରିବାର ବାସ କରନ୍ତି । ସେମାନଙ୍କ ମଧ୍ୟରେ ହରିଜନ ପରିବାର ୧୧୦ ଓ ୩୫ ପରିବାର PTVG ସମ୍ପ୍ରଦାୟର । ଗ୍ରାମର ଲୋକସଂଖ୍ୟା ୧୦୦୩ । ୪ଝିଅ, ୪ପୁଅ, ସ୍ୱାମୀ, ସ୍ତ୍ରୀ ଓ ଶାଶୁ ଏପରି ମୋଟ ୧୧ଜଣଙ୍କୁ ନେଇ ସରଶୀର ପରିବାର ।

ସରଶୀ ଜାଣେ ନାହିଁ ସେ କେତେବର୍ଷରେ ବିବାହ କରିଥିଲା । ତା’ ବଡ଼ଝିଅକୁ ବର୍ତମାନ ୧୪ବର୍ଷ । ତେଣୁ ଅନୁମାନ କରାଯାଏ ଯେ ସେ ୧୫-୧୬ ବର୍ଷରେ ବିବାହ କରିଥିଲା । ଧୀର,ସ୍ଥିର,ଅଳ୍ପ କଥା କହୁଥିବା ସରଶୀ ବିବାହ ପରେ ଶାଶୁଘରକୁ ଆସି ଅନ୍ୟ ଆଦିବାସୀ ଝିଅମାନଙ୍କ ପରି ଘର କାମଧନ୍ଦା ସହ ଜଙ୍ଗଲକୁ ଯାଇ କାଠ ହାଣିବା, ଅଦା,ହଳଦୀ ଖୋଳିବା, ଆମ୍ବ, ପଣସ ତୋଳିବା ପରି କାର୍ଯ୍ୟ କରୁଥିଲେ । ସମୟ ଗଡ଼ିବା ସହ ସେ ୭ଟି ଛୁଆଙ୍କର ମା’ ହୋଇଥିଲେ । ଲଗାତର ଛୁଆ ଜନ୍ମ ହେବାଦ୍ୱାରା ତାଙ୍କ ଶରୀର ଦୁର୍ବଳ ହୋଇଥିଲା । ତଥାପି ସେ ଅଷ୍ଟମ ଥର ପାଇଁ ପୁଣି ମା’ ହେବେ ବୋଲି ଜଣାପଡ଼ିଲା ପରେ ଆରମ୍ଭ ହୋଇଥିଲା ଦ୍ୱନ୍ଦ୍ୱ । ଯାହାକୁ ନେଇ ସରଶୀ କୁହନ୍ତି, “ମୁଁ ଯେତେବେଳେ ଅଷ୍ଟମ ଥର ପାଇଁ ଗର୍ଭଧାରଣ କଲି ସେତେବେଳେ ଆମ ସମ୍ପ୍ରଦାୟରେ ଥିବା ପରମ୍ପରାଗତ ବିଶ୍ୱାସ ମତେ ଅସୁବିଧାରେ ପକାଇଥିଲା” । PTVG ମାନଙ୍କର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିଶ୍ୱାସ କରନ୍ତି ଯେ ଅଷ୍ଟମ ଗର୍ଭରେ ଜନ୍ମ ହେଉଥିବା ଶିଶୁ ଅଶୁଭ । ସେ ଶିଶୁଟି ନିଜେ ମୃତ୍ୟୁବରଣ କରେ କିମ୍ବା ତା’ ବାପା, ମା’ଙ୍କ ଭିତରୁ କାହାର ଜଣଙ୍କର କିମ୍ବା ଉଭୟଙ୍କର ମୃତ୍ୟୁ ହୁଏ । ଏହି ଅନ୍ଧବିଶ୍ୱାସ ପାଇଁ ସରଶୀ ନିଜର ଅଷ୍ଟମ ଗର୍ଭକୁ ନେଇ ସହଜ ଅନୁଭବ କରୁନଥିଲେ । ପରିବାର,ସମ୍ପ୍ରଦାୟ ଚାପରେ, ଜଣେ ମା’ ଭାବରେ ଶିଶୁକୁ ନଷ୍ଟ କରିବାକୁ ଚାହୁଁନଥିଲେ । ଅପର ପକ୍ଷରେ ଭାବୁଥିଲେ ଯଦି ଶିଶୁ ଜନ୍ମ ହେବା ପରେ ସଂଯୋଗବଶତଃ କିଛି ଅଘଟଣ ଘଟେ ତେବେ ସେ କ’ଣ କରିବେ?

ଓଡ଼ିଶାରେ ୧୩ ପ୍ରକାର PTVG ବାସକରନ୍ତି । ଯେଉଁ ଜନଜାତି ମାନଙ୍କର କମ୍ ବିକାଶ ହୋଇଥିଲା,ସେମାନଙ୍କୁ ୧୯୭୩ ମସିହାରେ ଧେବର କମିଶନ ପ୍ରିମିଟିଭ ଟ୍ରାଇବାଲ ଗ୍ରୁପ୍ ଭାବରେ ଏକ ବିଶେଷ ମାନ୍ୟତା ପ୍ରଦାନ କରିଥିଲେ । ୨୦୦୬ ମସିହାରେ ଭାରତ ସରକାର ଏହାକୁ ପର୍ଟିକୁଲାର ଭଲନେରବଲ ଟ୍ରାଇବାଲ ଗ୍ରୁପ (PTVG)ଭାବରେ ପୁନର୍ବାର ନାମିତ କରିଥିଲେ । ଏମାନେ ମୁଖ୍ୟତଃ ୪ଟି କାରଣ ଯୋଗୁଁ ଅନ୍ୟମାନଙ୍କ ଠାରୁ ପଛୁଆ ରହିଥାନ୍ତି ।ବୈଷୟିକ କୃଷିର ବ୍ୟବହାର ନ କରିବା

୧.           ଜନସଂଖ୍ୟା ସ୍ଥିର ରହିବା ବା ହ୍ରାସ ପାଇବା

୨.           ଅତ୍ୟଧିକ ନିମ୍ନ ସାକ୍ଷରତା

୩.           ଆର୍ଥିକ ସ୍ତରରେ ଅନଗ୍ରସର ଓ ପଛୁଆ

ଅଷ୍ଟମ ଶିଶୁ ଅଶୁଭ ଏହା କ’ଣ ସତ ?

କୁର୍ଲୀ ଗାଁର ଜଣେ ବୟୋଜ୍ୟୋଷ୍ଠ ମହିଳା କହିଲେ, କାହିଁ କେତେ କାଳରୁ ଏପରି ବିଶ୍ୱାସ ଚଳିଆସୁଛି ଯେ ଅଷ୍ଟମ ଶିଶୁ ପରିବାର ପାଇଁ ଅଶୁଭ, ତାଙ୍କ ଜାଣିବାରେ ଅନେକ ବର୍ଷ ପୂର୍ବରୁ ସେ ଯେତେବେଳେ ବିବାହ କରି ଆସିଥିଲେ, ସେତେବେଳେ ମହିଳାଟି ଅଷ୍ଟମଥର ଗର୍ଭଧାରଣ କଲେ, ତା ଗର୍ଭକୁ ନଷ୍ଟ କରି ଦିଆଯାଉଥିଲା । ଏବେ ସେପରି ବିଶ୍ୱାସ ଅଛି କି ? ସେ କହିଲେ, ହଁ ଅଛି, କିନ୍ତୁ କିଛି ପରିମାଣରେ କମିଛି । ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ଓ ଏଏନ୍‌ଏମ ଦିଦି ଘରକୁ ଘର ବୁଲି ଏହା ଏକ ଅନ୍ଧବିଶ୍ୱାସ ବୋଲି ବୁଝାଇବାରୁ ସରଶୀ ପରି ମା’ଟି ଅଷ୍ଟମ ଗର୍ଭକୁ ଜନ୍ମ ଦେବାକୁ ସାହାସ କରୁଛନ୍ତି । ସେମାନଙ୍କ ମତରେ ୭ମ ଗର୍ଭ, ନବମ ଗର୍ଭର ଶିଶୁ,ବାପା, ମା, ପରିବାର ପାଇଁ ଶୁଭ କିନ୍ତୁ ପରିବାରର ଭଲ ପାଇଁ ଅଷ୍ଟମଗର୍ଭର ଜନ୍ମକୁ ବାରଣ କରାଯାଏ । ଗାଁର ଅଙ୍ଗନୱାଡ଼ି ଦିଦି କୁହନ୍ତି ଯେ, “ଯେତେବେଳେ ସରଶୀର ଅଷ୍ଟମ ଗର୍ଭ ହେଲା ସେତେବେଳେ ସେ ବହୁତ ଡରି ଯାଇଥିଲେ, କଣ କରିବେ, କଣ ନ କରିବେ କିଛି ଚିନ୍ତା କରି ପାରୁ ନଥିଲେ । ମୁଁ, ଆଶା ଦିଦି ସବୁବେଳେ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ବୁଝାଉ । ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିନି ((CINI)) ର କର୍ମକର୍ତା ଆମ ସାଙ୍ଗରେ ମିଶି ପରିବାର ଲୋକଙ୍କୁ ବୁଝାଇବାରେ ଲାଗିଲେ । ସେମାନେ ଗାଁର କିଛି ବୟୋଜ୍ୟୋଷ୍ଠ ଲୋକଙ୍କୁ ଏକାଠି କରି ଏହା ଏକ ଅନ୍ଧବିଶ୍ୱାସ ବୋଲି ବୁଝାଇଲେ । କିନ୍ତୁ ଆମେମାନେ ୧୦୦ ପ୍ରତିଶତ ସଫଳ ହୋଇପାରୁନଥିଲୁ । ଯେତେବେଳେ ସରଶୀ ନିଜେ ସିଦ୍ଧାନ୍ତ ଗ୍ରହଣ କଲେ ଯେ ସେ ଏ ଶିଶୁକୁ ଜନ୍ମ ଦେବେ ସେତେବେଳେ ଆମ ପାଇଁ ରାସ୍ତା ସୁଗମ ହୋଇଥିଲା ।” ଏ ଗାଁରେ ଆଉ କେହି ଅଷ୍ଟମଗର୍ଭ ଶିଶୁ ନାହାନ୍ତି କି ? ପ୍ରଶ୍ନର ଉତରରେ ଆଶାକର୍ମୀ କହିଲେ, ଜଣେ ପୁଅଟିଏ ଅଛି ସେ ଏବେ ବଡ଼ ହୋଇ ବାହାରେ କାମ କରୁଛି ।

ପରିବାର ନିୟୋଜନ ବ୍ୟବସ୍ଥାରେ ଚଠଞଏ କୁ ଅନ୍ତର୍ଭୁକ୍ତ କରାଯାଇନଥିବାରୁ ପ୍ରାୟତଃ ସମସ୍ତଙ୍କର ପାଂଚ, ଛଅ, ସାତ ଛୁଆ ଅଛନ୍ତି । କିନ୍ତୁ ଏବେ ବି ଅଷ୍ଟମ ଛୁଆ ଉପରେ ପ୍ରଶ୍ନବାଚୀ ଛିଡ଼ା ହୋଇଛି । ଏହା ସେମାନଙ୍କର ପରମ୍ପରାଗତ ଅନ୍ଧବିଶ୍ୱାସ, ଅଶିକ୍ଷା ହୋଇପାରେ, କିନ୍ତୁ ଏହାକୁ ଦୂର କରିବା ପାଇଁ ସରକାର, ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମସ୍ତଙ୍କର ମିଳିତ ସହଯୋଗର ଆବଶ୍ୟକତା ରହିଛି ।

ଯାହାକୁ ନେଇ ଏତେ କଳ୍ପନା….ଜଳ୍ପନା, କଥା….କାହାଣୀ, ବିଶ୍ୱାସ….ଅନ୍ଧବିଶ୍ୱାସ….ସିଏ କିନ୍ତୁ ନିଜ ମା’ ସରଶୀ କୋଳରେ ଥାଇ ଆଖିମିଟିକା ମାରି ଯେପରି କହୁଥିଲା, ମୁଁ ଅଶୁଭ ନୁହେଁ… ପରିବାର ପାଇଁ କ୍ଷତିକାରକ ନୁହେଁ… ମୁଁ ଦେବଶିଶୁ….ମଙ୍ଗଳକାରୀ…

                              ଭୁବନେଶ୍ୱର

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930