Indus Valley Times

ମୁକୁଳା ଡ୍ରେନରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ : ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

 Breaking News

ମୁକୁଳା ଡ୍ରେନରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ : ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

June 19
10:56 2024

ଭୁବନେଶ୍ବର, ୧୯/୬: ସ୍ଥାନୀୟ ୟୁନିଟ-୩ ମସଜିଦ କଲୋନି ନିକଟରେ ମଙ୍ଗଳବାର ଅପରାହ୍ଣରେ ନାଳରେ ଭାସିଯାଇ ୮ ବର୍ଷ ବୟସର ନାବାଳକ ଆବୁ ବକର ସାହର ମୃତ୍ୟୁ ଘଟଣା ଘଟିବା ପରେ ଆଜି ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।
ଏଥିସହ ସେ ସମୀକ୍ଷା ମଧ୍ୟ କରିଛନ୍ତି। ସେ ବ୍ୟାରିକେଡ୍ କାହିଁକି ହୋଇନି, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଣେ ଗତକାଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୃତକଙ୍କ ଘରକୁ ଯାଇ ସମବେଦନା ଜଣାଇଥିଲେ। ଏହାଛଡ଼ା ରାଜ୍ୟ ସରକାର ମୃତକଙ୍କ ନିକଟ ସଂପର୍କୀୟଙ୍କୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କା ଦିଆଯିବା ନେଇ ଘୋଷଣା କରିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିଗ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣା ମତେ ବ୍ୟଥିତ କରିଛ। ପିଲାଟିର ଆତ୍ମାର ସଦଗତି କାମନା କରିବା ସହ ଏଭଳି ପରିସ୍ଥିତିରେ ପରିବାର ଲୋକଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏଭଳି ଅଘଟଣ ଆଗକୁ ଯେମିତି ନଘଟିବ ସେ ଦିଗରେ ଆମ ସରକାର କାର‌୍ୟ୍ୟ କରିବ ବୋଲି କହିଛନ୍ତି।
ଏହା ପୂର୍ବରୁ ଏହି ଘଟଣା ନେଇ ରାଜସ୍ବ ଓ ବିପର‌୍ୟ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଶୋକ ପ୍ରକାଶ କରିଥିଲେ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ। ଏଥି ସହିତ ସେ ମୃତକଙ୍କ ପରିବାର ପ୍ରତି ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ଘୋଷଣା କରିଥିଲେ।
ସୂଚନାଯୋଗ୍ୟ ଗତକାଲି ଅପରାହ୍ଣ ୧ଟାରେ ଭୁବନେଶ୍ବରରେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ସମୟରେ ୟୁନିଟ-୩ ମସଜିଦ ସାହି ନିକଟରେ କିଛି ଛୋଟ ପିଲା ଖେଳୁଥିଲେ। ଏହି ସମୟରେ ଡ୍ରେନ୍ରେ ଏକ ବେଲୁନ ଭାସୁଥିଲା। ବେଲୁନକୁ ଆଣିବା ପାଇଁ ଏମାନଙ୍କ ମଧ୍ୟରୁ ଜଣେ ୮ ବର୍ଷ ବୟସର ନାବାଳକ ଉଦ୍ୟମ କରିଥିଲା।
କିନ୍ତୁ ସେ ଡ୍ରେନ୍ରେ ଖସିପଡ଼ିଥିଲା। ବର୍ଷା ଯୋଗୁଁ ଡ୍ରେନ୍ରେ ପାଣି ପ୍ରବାହିତ ହେଉଥିବାରୁ ନାବାଳକ ନିଖୋଜ ହୋଇଯାଇଥିଲା। ଅନ୍ୟ ପିଲାମାନେ ଘଟଣା ସଂପର୍କରେ ପରିବାର ଲୋକଙ୍କୁ କହିବା ପରେ ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରାଯାଇଥିଲା। ଶେଷରେ ନାବାଳକକୁ ଲକ୍ଷ୍ମୀସାଗର ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ନାବାଳକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031