Indus Valley Times

କାଠଯୋଡ଼ି ହତ୍ୟାକାଣ୍ଡରେ ଟ୍ୱିଷ୍ଟ: ପରକୀୟା ପ୍ରୀତି ପାଇଁ ଯୋଜନାବଦ୍ଧ ହତ୍ୟା, ପତ୍ନୀହନ୍ତା ସହ ୨ ଦିଅର ଗିରଫ

 Breaking News

କାଠଯୋଡ଼ି ହତ୍ୟାକାଣ୍ଡରେ ଟ୍ୱିଷ୍ଟ: ପରକୀୟା ପ୍ରୀତି ପାଇଁ ଯୋଜନାବଦ୍ଧ ହତ୍ୟା, ପତ୍ନୀହନ୍ତା ସହ ୨ ଦିଅର ଗିରଫ

December 15
22:22 2024

କଟକ, ୧୫/୧୨ : କାଠଯୋଡି ନଦୀ ପଠାରୁ ମଳିଥିବା ମୃତ ମହିଳା କିଏ? ତାଙ୍କର ପରିଚୟ ମିଳୁନଥିବା ବେଳେ ହତ୍ୟାକାରୀଙ୍କ ଠିକଣା ପାଇଲା କମିସନ୍‌ରେଟ୍ ପୁଲିସ୍‌। UPIପେମେଣ୍ଟରୁ ମିଳିଥିଲା ହତ୍ୟାକାରୀର ଠିକଣା। ହତ୍ୟାକାଣ୍ଡ ଘଟିବାର ୩୦ ଘଣ୍ଟା ଭିତରେ ୩ ଅଭିଯୁକ୍ତଙ୍କୁ ଧରିଛି ପୁଲିସ। ହତ୍ୟାକାରୀ ଗିରଫ ହେବା ପରେ ମିଳିଲା ମୃତ ମହିଳାଙ୍କ ପରିଚୟ। ହେଲେ ଏଥିପାଇଁ ପୁଲିସ୍‌କୁ ନାକେଦମ୍ ହେବାକୁ ପଡ଼ିଛି।
୧୩ ତାରିଖ ସକାଳେ କଟକ କନ୍ଦରପୁର ଥାନା ପରମହଂସ ନିକଟସ୍ଥ କାଠଯୋଡି ନଦୀ ପଠାରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ମହିଳାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ହେଲେ ତାଙ୍କ ପରିଚୟ ମିଳିପାରୁନଥିଲା। ଏପରିକି ମହିଳାଙ୍କ ନିଖୋଜ ନେଇ କୌଣସି ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇନଥିଲା। ସିସିଟିଭି, ଆଖପାଖ ଥାନା ଓ ପଞ୍ଚାୟତର ଲୋକଙ୍କ ସହିତ ଯୋଗାଯୋଗ କରିଥିଲା କମିସନରେଟ୍ ପୁଲିସ୍‌। ହେଲେ ମହିଳାଙ୍କ ସମ୍ପର୍କରେ କୌଣସି ସୂଚନା ପାଇନଥିଲା। ଶେଷରେ ମହିଳାଙ୍କ ମୃତଦେହ ପାଖରୁ ମିଳିଥିବା ଟେଲରିଂ ରିସିପ୍ଟ(ସାର୍ଟ ଓ ପ୍ୟାଣ୍ଟ ସ୍ଳିପ୍‌)କୁ ଧରି ଘାଣ୍ଟିଥିଲା କମିସନରେଟ୍ ପୁଲିସ୍‌।
ଟେଲରିଂ ରିସିପ୍ଟ ଦୋକାନ କେଉଁଠି? ସେ ସମ୍ପର୍କରେ ଜାଣିବା ପାଇଁ ପୁଲିସ ଟେଲରିଂ ରିସିପ୍ଟକୁ ଗଣମାଧ୍ୟମରେ ସର୍କୁଲେଟ୍ କରିଥିଲା। ଠିକ୍ ସେତିକି ବେଳେ ଗଞ୍ଜାମ ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳରୁ ପୁଲିସ୍ ପାଖକୁ ଏକ ଫୋନ୍ କଲ ଆସିଥିଲା। ଜଣେ ବ୍ୟକ୍ତି କହିଥିଲେ ସେହି ଟେଲରିଂ ଦୋକାନଟି ଜଗନ୍ନାଥ ପ୍ରସାଦରେ ରହିଛି। ଏହାପରେ କମିସନରେଟ୍ ପୁଲିସ୍ ଜଗନ୍ନାଥ ପ୍ରସାଦ ଥାନା ପୁଲିସ୍ ସହିତ ଯୋଗାଯୋଗ କରିଥିଲା। ଯାଞ୍ଚ ବେଳେ ଉକ୍ତ ଦୋକାନୀର ରିସିପ୍ଟ ସହିତ ମୃତଦେହ ପାଖରୁ ମିଳିଥିବା ରିସିପ୍ଟର ମେଳ ଖାଇନଥିଲା। ତେବେ ସେହି ଦୋକାନୀ ପୁଲିସକୁ ଲିଙ୍କ ଦେଇଥିଲା।
ଟେଲରିଂ ରିସିପ୍ଟଟି ଗୁଜରାଟର ବୋଲି କହିଥିଲେ। ଏହାପରେ କମିସନରେଟ୍ ପୁଲିସ୍ ଗୁଜରାତ ପୁଲିସ୍ ସହ ଯୋଗାଯୋଗ କରିଥିଲା। ବହୁ ଖୋଜାଖୋଜି ପରେ ଟେଲରିଂ ଦୋକାନର ଠିକଣା ମିଳିଥିଲା। ଯାଞ୍ଚ ବେଳେ ଟେଲରିଂ ଦୋକାନର ରିସିପ୍ଟରେ ‘ବାବୁ’ ଲେଖାଯାଇଥିଲା। ହତ୍ୟାକାରୀ ନିଜର ପୂରା ନାଁ ଦେଇନଥିବାରୁ ପୁଲିସ୍ ପାଇଁ ଅଡୁଆ ବଢ଼ିଥିଲା। ଯାହାକୁ ନେଇ ପୁଲିସ୍ ଚିନ୍ତାରେ ପଡ଼ିଥିବା ବେଳେ ସାମ୍ନାକୁ ଆସିଥିଲା ଆଉ ଏକ ତଥ୍ୟ। ‘ବାବୁ’ ନାମଧାରୀ ବ୍ୟକ୍ତି ଜଣକ UPIରେ ଟେଲ୍‌ରିଂ ଦୋକାନୀଙ୍କୁ ୧୦୦ ଟଙ୍କା ପ୍ରଦାନ କରିଥିଲେ।
ବାସ୍ ତା’ପରେ କମିସନରେଟ୍ ପୁଲିସ୍ ସେହି UPIନମ୍ୱରକୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଜଣାପଡ଼ିଥିଲା ‘ବାବୁ’ ନାମଧାରୀ ବ୍ୟକ୍ତି ହେଉଛନ୍ତି ଜଗନ୍ନାଥ ଦେହୁରୀ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ବଡ଼ଶୋବଳ ଗାଁରେ। ଜଗନ୍ନାଥଙ୍କ ଠିକଣା ସିନା ମିଳିଲା, ହେଲେ ନିର୍ଦ୍ଦିଷ୍ଟ ଲୋକେସନ୍ ମିଳୁନଥିଲା। ବାରମ୍ୱାର ତାଙ୍କ ଲୋକେସନ୍ ପରିବର୍ତ୍ତନ ହେଉଥିଲା। ତର୍ଜମା ପରେ ଜଣାପଡ଼ିଲା ଜଗନ୍ନାଥ ଟ୍ରେନ୍‌ରେ ସୁରତକୁ ଯାଉଛନ୍ତି। ଏଥିପାଇଁ ରାୟଗଡ଼ା ଏସ୍‌ପିଙ୍କ ସହଯୋଗ ଲୋଡ଼ିଥିଲା କମିସନ୍‌ରେଟ ପୁଲିସ୍‌। ରାୟଗଡ଼ା ପୁଲିସ୍‌ର ଏକ ଟିମ୍ ସେହି ଟ୍ରେନ୍‌ରେ ଚଢ଼ି ଯାଞ୍ଚ କରିଥିଲା। ଶନିବାର ରାତିରେ ଜଗନ୍ନାଥ ଦେହୁରୀକୁ ଟ୍ରେନ୍‌ରୁ ଉଠାଇ ଆଣିଥିଲା।
ଜଗନ୍ନାଥ ଦେହୁରୀଙ୍କୁ ପଚରାଉଚରା ପରେ ଜଣାପଡ଼ିଥିଲା ମୃତ ମହିଳା ପରିଚୟ। ସେ ହେଉଛନ୍ତି ତାଙ୍କ ଭାଉଜ ପଦ୍ମାବତୀ ସାମଲ। ତାଙ୍କ ବଡ଼ଭାଇ ବଳରାମ ଦେହୁରୀଙ୍କ ପତ୍ନୀ। କଟକ ଡିସିପି ଜଗମୋହନ ମୀନାଙ୍କ କହିବା ଅନୁସାରେ ପଦ୍ମାବତୀଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ ବଳରାମ। କାହା ସହିତ ପଦ୍ମାବତୀଙ୍କର ପରକୀୟା ପ୍ରୀତି ଥିବା ସନ୍ଦେହ କରୁଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ବଳରାମ ତାଙ୍କ ସାନଭାଇ ଜଗନ୍ନାଥ ଓ ସମ୍ପର୍କୀୟ ଭାଇ ହାପି ଦେହୁରୀଙ୍କ ସହଯୋଗ ଲୋଡିଥିଲେ। ଏଥିରେ ରାଜି ହୋଇଥିଲେ ଜଗନ୍ନାଥ ଓ ହାପି। ହତ୍ୟା କରିବା ପୂର୍ବରୁ ଜଗନ୍ନାଥ ସୁରତରୁ ଗୋଟିଏ ଚାପଡ୍ କିଣି ଘରକୁ ଆସିଥିଲେ।
ଯୋଜନା ମୁତାବକ ମେଡ଼ିକାଲ୍ ଚେକ୍‌ଅପ୍ ବାହାନାରେ ପଦ୍ମାବତୀଙ୍କୁ ଗାଡ଼ିରେ ଧରି ବାଙ୍କୀ ଆସିଥିଲେ ବଳରାମ। ମେଡିକାଲ୍ କାମ ସରିବା ପରେ ସ୍ୱାମୀ ଓ ସ୍ତ୍ରୀ ସ୍କୁଟିରେ କନ୍ଦରପୁର ଥାନା ପରମହଂସ ନିକଟସ୍ଥ କାଠଯୋଡି ନଦୀ ସେଠାକୁ ଯାଇଥିଲେ। ଏମାନେ ପହଞ୍ଚିବା ପୂର୍ବରୁ ଜଗନ୍ନାଥ ଓ ହାପି ପହଞ୍ଚି ସାରିଥିଲେ। ଅଭିଯୋଗ ଅନୁସାରେ ସେଠାରେ ପଦ୍ମାବତୀଙ୍କୁ ଜଗନ୍ନାଥ ଚାପଡ୍‌ରେ ଆକ୍ରମଣ କରିଥିଲେ। ଯାହାଫଳରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତା’ପରେ ତାଙ୍କ ମୁହଁକୁ ବିକୃତ କରାଯାଇଥିଲା। ପରେ ମୃତଦେହକୁ ଫିଙ୍ଗି ଦେଇଥିଲେ।
ଡିସିପି ଜଗମୋହନ ମୀନାଙ୍କ କହିବା ଅନୁସାରେ ମୃତ ପଦ୍ମାବତୀଙ୍କ ସ୍ୱାମୀ ବଳରାମ, ଦିଅର ଜଗନ୍ନାଥ ଓ ସମ୍ପର୍କୀୟ ଦିଅର ହାପିଙ୍କୁ ପୁଲିସ୍ ଗିରଫ କରିଛି। ଏଥିସହ ଏକ ସ୍କୁଟିକୁ ଜବତ କରିଛି। ଅଧିକ ତଦନ୍ତ ଚାଲିଛି ବୋଲି କଟକ ଡିସିପି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31