Indus Valley Times

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି

 Breaking News

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି
January 14
11:27 2025

ଓଡ଼଼ିଶା,୧୪/୧ : ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏହି ପର୍ବ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ପାଳନ କରାଯାଇଥାଏ । ଯଥା ଦକ୍ଷିଣ ଭାରତରେ ପୋଙ୍ଗଲ, ପଞ୍ଜାବରେ ଲୋରୀ ଓ ଉତ୍ତର-ପୂର୍ବରେ ମାଘ ବିହୁ ଭାବେ ପାଳନ କରାଯାଇଥାଏ। ଆଜି ଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେବ। ଏଥିପାଇଁ ଏହି ସଂକ୍ରାନ୍ତିକୁ ଉତ୍ତରାୟଣ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ।
ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଯୋଗୁଁ ଦିନ କ୍ରମଶଃ ବଡ ହୁଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ସୂର୍ଯ୍ୟଦେବ ଧନୁରସୀରୁ ମକର ରସୀରେ ପ୍ରବେଶ କରିଥାନ୍ତି। ଏହି ଦିନଠାରୁ ସୂର୍ଯ୍ୟ ଉତ୍ତରଦିଗରେ ଚଳନ ଆରମ୍ଭ କରି ୬ ମାସ ଅବସ୍ଥାନ କରିଥାନ୍ତି ।
ଏହି ସମୟକୁ ଅତ୍ୟନ୍ତ ଶୁଭ ସମୟ ଭାବେ ବିବେଚନା କରାଯାଇଥାଏ। ଏହି ସମୟରେ ବିବାହ, ବ୍ରତଘର, ଯଜ୍ଞାନୁଷ୍ଠାନ ଆଦି ଶୁଭ କ୍ରିୟା ସମ୍ପାଦନ କରାଯାଇଥାଏ। ଏହି ସମୟରେ ପୁରାଣ ଅନୁଯାୟୀ ଏହି ସମୟରେ ଯେଉଁ ମାନଙ୍କର ପରଲୋକ ହୁଏ ସେମାନେ ସ୍ୱର୍ଗ ପ୍ରାପ୍ତ ହୋଇଥାନ୍ତି।
ସଂକ୍ରାନ୍ତି ଦିନ ବ୍ରହ୍ମ ମୁହୂର୍ତ୍ତରୁ ଶଯ୍ୟା ତ୍ୟାଗ କରି ନଦୀ କିମ୍ବା ପୁଷ୍କରିଣୀ ଜଳରେ ସ୍ନାନ ସମାପନ କରି ସୂର୍ଯ୍ୟଦେବଙ୍କୁ ଦର୍ଶନ କରିଲେ ସକଳ ପାପରୁ ମୁକ୍ତି ମିଳେ ବୋଲି ଲୋକବିଶ୍ୱାସ ରହିଛି ।
ଏହି ଦିନ ଓଡ଼ିଶାର ପୁରପଲ୍ଲୀରେ ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରି ଦେବତାଙ୍କୁ ଅର୍ପଣ କରାଯାଇଥାଏ ।
ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ ।
ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ଗୋଳିଆ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ ।
ଏହି ଭୋଗ ‘ମକର ଚାଉଳ’ ଭାବେ ପରିଚିତ । ଏହି ଭୋଗ ଖିଆଖେଇ ହୋଇ ଲୋକେ ‘ମକର’ ବସନ୍ତି । କେତେକ ଅଞ୍ଚଳରେ ନୂଆଧାନର ଚାଉଳରେ ପ୍ରସ୍ତୁତ ପୋଡ଼ପିଠା ସହିତ ଗୁଡ, କଦଳୀ, ନଡ଼ିଆ ଓ ଅରୁଆଚାଉଳରେ ଭୋଗ କରାଯାଇ ଦେବାଦେବୀଙ୍କ ପାଖରେ ଦିଆଯାଏ ।
ସୂର୍ଯ୍ୟଙ୍କ ଯୋଗୁଁ କୃଷିକ୍ଷେତରେ ଶସ୍ୟ ଉତ୍ପନ ହେଉଥିବାରୁ କୃଷକମାନେ ମକରସଂକ୍ରାନ୍ତିର ପୂଣ୍ୟକାଳରେ ସୂର‌୍ୟ୍ୟଙ୍କୁ ନୂତନ ଶସ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥା’ନ୍ତି ।

ଗୁଡ଼ି ହେଉଛି ମକର ସଂକ୍ରାନ୍ତିର ମୁଖ୍ୟ ଆକର୍ଷଣ । ଏହି ଦିନ ଗୁଡ଼ି ଉଡା ପ୍ରତିଯୋଗିତାମାନ ଆୟୋଜିତ ହୋଇଥାଏ। ଆକାଶରେ ରଙ୍ଗ ବେରଙ୍ଗର ଗୁଡ଼ି ପର୍ବର ମଜାକୁ ଆହୁରି ଦ୍ବିଗୁଣିତ କରିତୋଳେ । ବିଭିନ୍ନ ନଦୀ ପଠାରେ ମକର ମେଳାର ଆୟୋଜନ କରାଯାଇଥାଏ । ବନ୍ଧୁ ତଥା ପରିବାର ବର୍ଗ ଏକଠି ହୋଇ ସ୍ନେହ ଓ ସୌହାର୍ଧ୍ୟପୂର୍ଣ୍ଣ ଏହି ପର୍ବକୁ ପାଳନ କରିଥାନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031