Indus Valley Times

ବଦଳିଲା ବର୍ଣ୍ଣବୋଧ ପୁସ୍ତକର ରୂପରେଖ, ନୂଆ ରୂପରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

 Breaking News

ବଦଳିଲା ବର୍ଣ୍ଣବୋଧ ପୁସ୍ତକର ରୂପରେଖ, ନୂଆ ରୂପରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ବଦଳିଲା ବର୍ଣ୍ଣବୋଧ ପୁସ୍ତକର ରୂପରେଖ, ନୂଆ ରୂପରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
February 02
18:00 2025

ଭୁବନେଶ୍ବର, ୨/୨ : ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଅବସରରେ ତାଙ୍କ ରଚିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡ଼ିଜିଟାଲ କପି ଉନ୍ମୋଚିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍‌ଣରେ ଏହାକୁ ଉନ୍ମୋଚନ କରିଛନ୍ତି। ଆଜି ପବିତ୍ର ଶ୍ରୀପଞ୍ଚମୀ ଓ ସରସ୍ଵତୀ ପୂଜା।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଯେତେବେଳେ ଭାରତ ସ୍ଵାଧୀନତା ଲାଭ କରିଥିଲା ସାକ୍ଷରତା ହାର ଥିଲା ମାତ୍ର ୧୨ ପ୍ରତିଶତ, ଅର୍ଥାତ ୧୯୦୦ ମସିହା ବେଳକୁ ଏହା ଏକକ-ଅଙ୍କ ବିଶିଷ୍ଟ ଥିଲା। ସେତେବେଳେ ଓଡ଼ିଆ ଭାଷାର ଆଉ ଏକ ସମସ୍ୟା ଥିଲା। ଯଦିଓ ଓଡ଼ିଆ ଭାଷା ଓ ସାହିତ୍ୟକୁ ଅନେକ ସାରସ୍ଵତ ସାଧକ ଋଦ୍ଧିମନ୍ତ କରିଥିଲେ, ତାହା ସାଧାରଣ ଜନତାଙ୍କ ଭାଷା ରୂପେ ଆଦୃତ ହୋଇପାରିନଥିଲା। କାରଣ, ଲିଖିତ ଓଡ଼ିଆ ଭାଷାର ଗଠନ, ଉଚ୍ଚାରଣ, ଲିଖନ ଏବଂ ଶୁଦ୍ଧତା ନିଶ୍ଚିତ ଭାବେ ଜଟିଳ ଥିଲା।
ତେଣୁ, ଏତେ ସଂଖ୍ୟକ ଲୋକଙ୍କୁ ଶିକ୍ଷାଦାନ କରିବା ପାଇଁ ହେଲେ ପ୍ରଥମେ ଭାଷାକୁ ସରଳ ଭାବେ, ବୋଧଗମ୍ୟ ଭାବେ ପ୍ରସ୍ତୁତ କରିବାକୁ ହେବ। ଏହା ସହିତ ଭାଷାର ନିଜତ୍ଵ, ମୂଳ ସ୍ୱରୂପକୁ ରଖିବାକୁ ପଡ଼ିବ। ତେଣୁ, ଏହାର ସମାଧାନ କରିବା ପାଇଁ ଲେଖା ହୋଇଥିଲା ‘ବର୍ଣ୍ଣବୋଧ’। ଏହାର ରଚୟିତା ଭକ୍ତକବି ମଧୁସୂଦନ ରାଓ, ଅତି ଚମତ୍କାର ଭାବେ ଅକ୍ଷର, ବର୍ଣ୍ଣ, ଯୁକ୍ତାକ୍ଷର, ଶବ୍ଦ, ଶବ୍ଦ ଗଠନ, ବାକ୍ୟ ଗଠନକୁ କିପରି ସରଳ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କୁ ଶିଖାଇ ହେବ ଏହି ପୁସ୍ତକରେ ପ୍ରତିପାଦିତ କରିଛନ୍ତି।
ଶ୍ରୀ ମାଝୀ କହିଛନ୍ତି, ବର୍ଣ୍ଣବୋଧର ଭାଷା ଅତ୍ୟନ୍ତ ସହଜ ଓ ସରଳ। ପଶୁ, ପକ୍ଷୀ, ସକାଳ, ସନ୍ଧ୍ୟା, ଆଖପାଖର ଦୃଶ୍ୟ ଭଳି ସହଜ ଉଦାହରଣ ସବୁ ଦେଇ, ସେ କୋମଳ ମନକୁ ଆକର୍ଷିତ କରିଥିଲେ। ଏହି ବହିଟି ଅତି କମ୍‍ ଦିନରେ ପ୍ରତ୍ୟେକ ଓଡ଼ିଆ ପରିବାରର ଅଂଶ ପାଲଟିଗଲା। ୧୮୯୫ରେ ବହିଟି ପ୍ରଥମେ ପ୍ରକାଶିତ ହୋଇଥିଲା। ଏହାର ଲୋକପ୍ରିୟତା ଏହି କଥାରୁ ଅନୁମେୟ ଯେ ୧୮୯୫ ରୁ ୧୯୦୧ ଭିତରେ ବହିର ଆଠଟି ସଂସ୍କରଣ ହୋଇ ସାରିଥିଲା
ଏହାକୁ ଆହୁରି ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ଵାରା ବର୍ଣ୍ଣବୋଧର ନୂଆ ଶୋଭନ ସଂସ୍କରଣ ପ୍ରକାଶ କରିବା ଅତ୍ୟନ୍ତ ଆନନ୍ଦର ବିଷୟ। ମୂଳ ଲେଖାକୁ ପରିବର୍ତ୍ତିତ ନ କରି ଅବିକଳ ଛାପିବା ଦ୍ଵାରା ଏହାର ଭାବ, ଭାଷାକୁ ସମ୍ମାନ ଦିଆଯାଇଛି। ମୁଁ ଆଶା କରୁଛି, ଆମର କୁନି କୁନି ପିଲାମାନଙ୍କୁ ଏହି ପୁସ୍ତକ ଖୁବ୍‍ ଭଲ ଲାଗିବ। ଓଡ଼ିଆ ଭାଷାକୁ ସହଜରେ ଶିଖିବା ପାଇଁ ଏହା ସେମାନଙ୍କ ପକ୍ଷରେ ସହାୟକ ହେବ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031