Indus Valley Times

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓଡ଼ିଶା ସରକାର ଡ଼ଃ ମୁକେଶ ମହାଲିଙ୍ଗଙ୍କ ଖୋର୍ଦ୍ଧା ଜିଲ୍ଲା ଭେକ୍ଟର ବାହିତ ରୋଗ ସମୀକ୍ଷା

 Breaking News

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓଡ଼ିଶା ସରକାର ଡ଼ଃ ମୁକେଶ ମହାଲିଙ୍ଗଙ୍କ ଖୋର୍ଦ୍ଧା ଜିଲ୍ଲା ଭେକ୍ଟର ବାହିତ ରୋଗ ସମୀକ୍ଷା

July 05
11:47 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ

ଖୋର୍ଦ୍ଧା, ୫/୭ : ଶୁକ୍ରବାର ଓଡ଼ିଶାର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଂସଦୀୟ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଏକ ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଅପରାହ୍ନରେ ଜିଲ୍ଲା ସଦର ମହକୁମା ଗୋପବନ୍ଧୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଓ ଜିଲ୍ଲା ପ୍ରଶାସନ ସହ ଏକ ସମୀକ୍ଷା ବୈଠକ ନେଇଥିଲେ ।
ଉକ୍ତ ବୈଠକରେ ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ନିର୍ଦେଶକ , ଜନସ୍ୱାସ୍ଥ୍ୟ ଡାକ୍ତର ନୀଳକଣ୍ଠ ମିଶ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ଖୋର୍ଦ୍ଧା ଶ୍ରୀ କିଶୋର କୁମାର ପଣ୍ଡା, ଉପଜିଲ୍ଲାପାଳ ଭୁବନେଶ୍ୱର ଡ. ମନୋରଞ୍ଜନ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଯୋଗଦେଇଥିଲେ ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସ୍ୱାସ୍ଥ୍ୟ ସମସ୍ୟା ଓ ସ୍ଵାସ୍ଥ୍ୟ ସେବା ଉପରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
ବର୍ତ୍ତମାନ ବର୍ଷାଋତୁ ହୋଇଥିବାରୁ ମାନ୍ୟବର ମନ୍ତ୍ରୀ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ଭଳି ଭେକ୍ଟର ବାହିତ ରୋଗ ବ୍ୟାପିବାର ଯଥେଷ୍ଟ ଆଶଙ୍କା ଥାଏ ବୋଲି ପ୍ରକାଶ କରି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଭେକ୍ଟର ବାହିତ ରୋଗ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ କୌଣସି ଗୋଟିଏ ସ୍ଥାନରେ ଯେପରି ଦେଖା ନ ଯାଏ ସେଥିପ୍ରତି ସମସ୍ତ କାର୍ଯ୍ୟନ୍ଵୟନ ଅଧିକାରୀ ଯତ୍ନବାନ ହେବା ସହ ଏହାକୁ ଶତପ୍ରତିଶତ ନିୟନ୍ତ୍ରଣ କରି ଶୁନ ମୃତ୍ୟୁ ହାର ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଭୂଷଣ୍ଡପୁର ଅଞ୍ଚଳକୁ ମନ୍ତ୍ରୀ ଗୁରୁତ୍ୱାରୋପ କରି ସମସ୍ତ ଚିକିତ୍ସା ସେବା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସ୍ୱାସ୍ଥ୍ୟ ବିଭାଗ ,ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଅଧିକ୍ଷଣ ଯନ୍ତ୍ରୀ ଇଂ ରଶ୍ମିତା ଦାସଙ୍କୁ ଭୂଷଣ୍ଡପୁର ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ସେବା ଉପରେ ପୁଙ୍ଖାନୁପୁଙ୍ଖ ପଚାରି ବୁଝି ଗୋଷ୍ଠୀ ଶୌଚାଳୟ ତୁରନ୍ତ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ବେଗୁନିଆ, ବୋଲଗଡ଼, କଳାଙ୍ଗ ପଂଚାୟତ ରେ ସ୍ୱାସ୍ଥ୍ୟ ସେବା ଓ ବିଶୁଦ୍ଧ ପାନୀୟ ଜଳ ଉପରେ ଗୁରୁତ୍ୱାରୋପ କରି ଥିଲେ ।
ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପାଇଁ ଭୂଷଣ୍ଡପୁର, କଳାଙ୍ଗ ଆଦି ଅଞ୍ଚଳ ଗୁଡ଼ିକରେ ପ୍ରତି ଦୁଇ ଦିନରେ ଥରେ ବ୍ଲିଚିଙ୍ଗ ପକାଇବାକୁ ନିର୍ଦ୍ଦେଶ ଦେବାସହ ଭୂଷଣ୍ଡପୂର ଓ ଟାଙ୍ଗୀ ବ୍ଲକକୁ ଗୁରୁତ୍ଵ ଦେବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ପ୍ରଶାସନକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ହାତଧୁଆ କାର‌୍ୟ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା, ଟାଙ୍ଗୀ ବ୍ଲକରେ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପାଇଁ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରିବା ନିମନ୍ତେ ମାଇକ ପ୍ରଚାର, କଣ କରିବା ଉଚିତ୍ କଣ ନ କରିବା ଉଚିତ୍ ପ୍ରଚାର ପତ୍ର ବାଣ୍ଟିବା ସହ ଆଶା ଦିଦି, ଅଙ୍ଗନୱାଡ଼ି କର୍ମୀ ମାନେ ଘର ଘର ବୁଲି ସଚେତନତା ଜାଗ୍ରତ କରିବାକୁ ମନ୍ତ୍ରୀ ଶ୍ରୀଯୁକ୍ତ ମହାଲୀଙ୍ଗ ନିର୍ଦ୍ଦେଶ ଦେଇଥିଲେ ।
ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଙ୍କ ପରାମର୍ଶ କ୍ରମେ ଜିଲ୍ଲାରେ ଖୁବ୍ ଶୀଘ୍ର ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି, ଆବାସିକ ଗୃହ ନିର୍ମାଣ, ଅକ୍ସିଜେନପ୍ଲାଣ୍ଟ ଏକ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରାଇବା ଏବଂ ଆଇ ସି ୟୁ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ ମାନ୍ୟବର ବିଧାୟକଙ୍କୁ ନେଇ ସମୀକ୍ଷା ବୈଠକ କରାଇ ଯଥାଶୀଘ୍ର ପ୍ରସ୍ତାବ ସରକାରଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଖୋର୍ଦ୍ଧା ଜିଲ୍ଲାର ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନଙ୍କରେ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବାସହ କୌଣସି ସ୍ଥାନରେ ପାଣି ନ ଜମିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବାସହ ସମସ୍ତ ଜିଲ୍ଲାବାସୀ ନିଜ ଘରକୁ ଓ ଚତୁର୍ପାର୍ଷ୍ୱକୁ ସଫା ସୂତରା ରଖି କୌଣସି ସ୍ଥାନରେ ପାଣି ଯମିବାକୁ ନଦେବା ପାଇଁ ପରାମର୍ଶ ଦେଇଛନ୍ତି ।
ପାଣି ଜମିଲେ ଡେଙ୍ଗୁ ଲାର୍ଭା ଜନ୍ମ ନେଇ ସାତଦିନ ମଧ୍ୟରେ ଏହା ଏଡିସ ବା ବାଘୁଆ ମସାରେ ପରିଣତ ହୋଇ କାମୁଡ଼ିଲେ ଡେଙ୍ଗୁ ଭଳି ମାରାତ୍ମକ ରୋଗ ବ୍ୟାପିଥାଏ । ଏଣୁ ଏ ଦିଗରେ ସମସ୍ତେ ସଚେତନ ରହି କାର‌୍ୟ୍ୟ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ସୁସ୍ଥ ଜୀବନ ସୁସ୍ଥ ସମାଜ ସରକାରଙ୍କ ଲକ୍ଷ ବୋଲି ମନ୍ତ୍ରୀ ସ୍ପଷ୍ଟୋକ୍ତି ବ୍ୟକ୍ତ କରିଥିଲେ । ସେହିପରି ହଟ୍ ସ୍ପଟ୍ ଅଞ୍ଚଳ ଜୟଦେବ ବିହାର, ପଟିଆ ଆଦି ଅଞ୍ଚଳ ଗୁଡିକରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ, ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗୀତାଂଶୁ ଦାଶ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦିଲ୍ଲୀପ ହିଆଲ, ଡେପୁଟି କଲେକ୍ଟର ଜରୁରୀ ଶ୍ରିତପା ମିଶ୍ର, ନିର୍ବାହୀ ଅଧିକାରୀ, ଖୋର୍ଦ୍ଧା ପୌର ପରିଷଦ ରିଜ୍ୱାନ କାବକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ଡିପାର୍ଟ ମେଣ୍ଟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031