Indus Valley Times

ବିଜେପି ସରକାରଙ୍କୁ ନିର୍ବାଚିତ କରି ବଡ଼ ଭୁଲ୍ କରିଥିବା ଅନୁଭବ କରୁଛନ୍ତି ଲୋକେ: ସୋଫିଆ ଫିରଦୌସ

 Breaking News

ବିଜେପି ସରକାରଙ୍କୁ ନିର୍ବାଚିତ କରି ବଡ଼ ଭୁଲ୍ କରିଥିବା ଅନୁଭବ କରୁଛନ୍ତି ଲୋକେ: ସୋଫିଆ ଫିରଦୌସ

July 17
13:57 2025

ଭୁବନେଶ୍ୱର,୧୭/୭: ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ଓ ବିକ୍ଷୋଭ ଦେଖାଦେଇଛି। ଏହି ଘଟଣାରେ କଂଗ୍ରେସ ଆଜି ସାରା ରାଜ୍ୟରେ ଓଡ଼ିଶା ବନ୍ଦ ଡାକରା ଦେଇଛି। ତେବେ ଆନ୍ଦୋଳନ ଚାଲିଥିବା ଭିତରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ବଡ଼ ବୟାନ ଦେଇଛନ୍ତି। ସେ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିବା ସହ ଦାବି ନ ଶୁଣିଲେ ଆନ୍ଦୋଳନ ଜୋରଦାର ହେବ ବୋଲି ମଧ୍ୟ କହିଛନ୍ତି।
ସୋଫିଆ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି, “ଆମେ ବିଧାନସଭାରେ ନାରୀ ନିର‌୍ୟାତନା ପ୍ରସଙ୍ଗ ଉଠାଇଥିଲୁ। ସେତେବେଳେ ଯଦି ସରକାର ସଚେତନ ହୋଇଥାନ୍ତେ, ଆଜି ଏଭଳି ଦୁଃଖଦ ଘଟଣା ଘଟିନଥାନ୍ତା। ଏହି ଘଟଣାକୁ ରାଜ୍ୟ ସରକାରଙ୍କ ଅପାରଗତାର ପରିଚୟ। ଛାତ୍ରୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଇ ନ ଥିଲା। ଏହା ଏକ ବଡ଼ ବ୍ୟବସ୍ଥାଗତ ବିଫଳତା। ସରକାର ଓ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଜଣେ ଛାତ୍ରୀଙ୍କ ଜୀବନ ଚାଲିଗଲା।” ତେବେ ତାଙ୍କୁ ନ୍ୟାୟ ଦେବା ପାଇଁ ଆମର ଏହି ଆନ୍ଦୋଳନ ଜାରି ରହିବ। ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବେ ନ ହେଲେ ଇସ୍ତଫା ଦେବା ପରେ ଆମ ଆନ୍ଦୋଳନ ବନ୍ଦ ହେବ ବୋଲି ସୋଫିଆ କହିଛନ୍ତି।
ସୂଚନା ଅନୁଯାୟୀ, ଦ୍ୱିତୀୟ ବର୍ଷର ବି.ଏଡ ଛାତ୍ରୀ ସୌମ୍ୟାଶ୍ରୀ ବିଶୀ ତାଙ୍କ ବିଭାଗର ମୁଖ୍ୟ ସମୀର ସାହୁଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନ, ମାନସିକ ର୍ନିଯାତନା ଓ ବ୍ଲାକମେଲର ଅଭିଯୋଗ ଆଣିଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନ ଏହି ଅଭିଯୋଗ ଉପରେ କୌଣସି ପଦକ୍ଷେପ ନେଇନଥିବାରୁ ସୌମ୍ୟାଶ୍ରୀ ନିରାଶ ହୋଇ କଲେଜ ପରିସରରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ତିନି ଦିନ ଧରି ଭୁବନେଶ୍ୱର ଏମ୍ସରେ ଜୀବନ ମରଣ ସଂଘର୍ଷ ପରେ ସେ ମୃତ୍ୟୁବରଣ କରିଥିଲେ।
ଏହି ଘଟଣା ପରେ ବାଲେଶ୍ବରରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜିଲ୍ଲାବ୍ୟାପୀ ବନ୍ଦ ଡାକରା ଦିଆଯାଇଥିଲା, ଯାହା ସାଧାରଣ ଜୀବନକୁ ପ୍ରଭାବିତ କରିଥିଲା। ବିଜେଡି ନେତା ଏବଂ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଏହି ଘଟଣାକୁ “ବ୍ୟବସ୍ଥାର ବିଫଳତା” ବୋଲି ଅଭିହିତ କରିଛନ୍ତି। ସେ ଏକ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ଏହା ପାଇଁ ଦାୟୀ କରିଛନ୍ତି।
ଏହି ଘଟଣାରେ କଲେଜର ଅଧ୍ୟକ୍ଷଙ୍କ ସମେତ ଅନ୍ୟ କେତେଜଣ ଅଧ୍ୟାପକଙ୍କୁ ଗିରଫ କରାଯାଇଛି। ଓଡ଼ିଶା ପୁଲିସର କ୍ରାଇମ ବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି। ଏହାସହ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ଚାରି ଜଣିଆ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିଛି, ଯେଉଁମାନେ ଯୌନ ଉତ୍ପୀଡ଼ନ ଅଭିଯୋଗ ଓ ଏହାର ପରିପ୍ରେକ୍ଷୀରେ କଲେଜର ନିୟମ ପାଳନ ସ୍ଥିତି ତଦନ୍ତ କରିବେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031