Indus Valley Times

ଗୃହ ନିର୍ମାଣ, ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ସମୀକ୍ଷା ବୈଠକ

 Breaking News

ଗୃହ ନିର୍ମାଣ, ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ସମୀକ୍ଷା ବୈଠକ

August 09
13:50 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୯/୮: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ, ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ର ଯାଜପୁର ଜିଲ୍ଲା ଗସ୍ତରେ ଆସି ଯାଜପୁର ମ୍ୟୁନିସିପାଲିଟିର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଯାଜପୁର ଓ ବ୍ୟାସନଗର ମ୍ୟୁନିସିପାଲିଟିରେ କାର୍ଯ୍ୟରୀ ହେଉଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।
ସାଧାରଣ ଲୋକଙ୍କୁ ସେବା ଯୋଗାଇଦେବା ଆମ ସମସ୍ତଙ୍କ ଦାୟିତ୍ଵ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। କିଛି ଦିନ ପୂର୍ବରୁ ଜିଲ୍ଲାରେ ହଇଜା ସଂକ୍ରମଣ ବ୍ୟାପକ ହୋଇଥିଲା। ଲୋକମାନଙ୍କର ଜୀବନ ସୁରକ୍ଷା ଆମର ଦାୟିତ୍ବ। ୨୦୧୪ ମସିହା ଠାରୁ ଯଶଶ୍ଵୀ ପ୍ରଧାନ ମନ୍ତ୍ରୀ ସ୍ୱଚ୍ଛ ଭାରତକୁ ଗୁରୁତ୍ଵ ଦେଲେ। ସ୍ଵଚ୍ଛତା ହିଁ ସଭ୍ୟତା ଏହା ଆମର ପରିଚୟ।
ଯାଜପୁର ସହରରେ ବିଭିନ୍ନ ସ୍ଥାନରେ ଅଳିଆ ଜମା ହୋଇ ରହୁଛି। ଡମ୍ପିଂ ୟାର୍ଡରୁ ଅଳିଆ ଯାଇ ନଦୀରେ ମିଶୁଛି। ଏହା ଦ୍ବାରା ଡେଙ୍ଗୁ, ଡାଇରିଆ, ମ୍ୟାଲେରିଆ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସହରର ସ୍ଥିତିକୁ ସୁଧାରିବାକୁ ପଡ଼ିବ।
ସରକାର ସଦାସର୍ବଦା ଲୋକଙ୍କ ସେବାକୁ ଗୁରୁତ୍ୱ ଦେଉଛନ୍ତି। ସମସ୍ତେ ମିଳିମିଶି କାମ କରିବା ଏବଂ ଲୋକଙ୍କୁ ମୌଳିକ ସେବା ଯୋଗାଇଦେବାକୁ ସେ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ସହରର ପରିଷ୍କାର ପରିଚ୍ଛନ୍ନତା, ରାସ୍ତାଘାଟ ନିର୍ମାଣ, ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକ, ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ତଥା ପ୍ରକଳ୍ପ ନିର୍ଦେଶକ, ଡୁଡା ଶ୍ରୀ ଦେବୀ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇ ସହର ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।
ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ବୈଠକରେ ଉପସ୍ଥିତ ରହି ଯାଜପୁର ଓ ବ୍ୟାସନଗର ପୌରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ, ପେଭର ରୋଡ, ଡ୍ରେନେଜ ବ୍ୟବସ୍ଥା, ସି.ଏଫ୍.ସି, ଏସ.ଏଫ୍.ସି ଫଣ୍ଡ ବିନିଯୋଗ, ଟ୍ୟାକ୍ସ କଲେକ୍ସନ, ସହରାଞ୍ଚଳ ପୋଖରୀ ଉନ୍ନତିକରଣ, ଗାରିମା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାଗା ମିଶନ, ସ୍ମାର୍ଟ ଏଲ.ଇ.ଡି ଷ୍ଟ୍ରିଟ ଲାଇଟ୍, ପାର୍କ, ଆହାର କେନ୍ଦ୍ର, ପି.ଏମ ସ୍ୱନିଧି, ଜାତୀୟ ସହରାଞ୍ଚଳ ଜୀବିକା ମିଶନ, ମଶା ନିରାକରଣ ତୈଳ ଉପଯୋଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା। ସକାଳେ ମନ୍ତ୍ରୀ ଡା. ମହାପାତ୍ର ବିରଜା ମା\’ ଙ୍କ ମନ୍ଦିର ଦର୍ଶନ କରି ୧୬ ନମ୍ବର ୱାର୍ଡର ସବର ସାହି ବୁଲି ଭୂମିହୀନ ପରିବାରଙ୍କ ସହିତ ଆଲୋଚନା କରିଥିଲେ। ପରେ ମହାବୀର ଜିମନାସିୟମ ଓ ହଂସିଆନାଳ ପରିଦର୍ଶନ କରିଥଲେ। ପରେ ବରାହ ମନ୍ଦିର, ମହାପ୍ରୟାଣ ଶ୍ମଶାନ ଓ ଡମ୍ପିଂ ୟାର୍ଡ ପରିଦର୍ଶନ କରିଥଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ, ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ, ଦେବୀ ପ୍ରସାଦ ମହାନ୍ତି, ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ପାଢ଼ୀ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।
ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ତଥା ପ୍ରକଳ୍ପ ନିର୍ଦେଶକ, ଡୁଡା ଦେବୀ ପ୍ରସାଦ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930