Indus Valley Times

ଆଜି ହେଉଛି ପବିତ୍ର ରାଧାଷ୍ଟମୀ

 Breaking News

ଆଜି ହେଉଛି ପବିତ୍ର ରାଧାଷ୍ଟମୀ

ଆଜି ହେଉଛି ପବିତ୍ର ରାଧାଷ୍ଟମୀ
August 31
11:25 2025

ଭୁବନେଶ୍ୱର, ୩୧/୮ : ଆଜି ହେଉଛି ପବିତ୍ର ରାଧାଷ୍ଟମୀ । ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀ ଭଳି ରାଧାଷ୍ଟମୀର ମହତ୍ତ୍ୱ ରହିଛି । ଯେବେ ଯେବେ ଶ୍ରୀକୃଷ୍ଣଙ୍କ ନାମ ନିଆଯାଏ ସେତେବେଳେ ଶ୍ରୀରାଧାଙ୍କ ନାମ ମଧ୍ୟ ଆପେ ଆପେ ନିଆଯାଇଥାଏ ।
ଏହି ନାମ ଦ୍ୱୟ ସବୁଦିନ ପାଇଁ ଯୋଡି ରହିଥାଏ । ଶ୍ରୀରାଧାଙ୍କ ନାମ ବ୍ୟତୀତ ଶ୍ରୀକୃଷ୍ଣଙ୍କ ନାମ ନେଲେ କୌଣସି ସୁଫଳ ମିଳିନଥାଏ ବୋଲି ନିଜେ ଶ୍ରୀକୃଷ୍ଣ କହିଛନ୍ତି । ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ ।
ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ” ଭାବରେ ପାଳନ କରି ଥାଆନ୍ତି । ରାଧାଷ୍ଟମୀ ବ୍ରତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀରେ ପାଳନ କରାଯାଏ। ରାଧାଷ୍ଟମୀ ବୈଷ୍ଣବ ମାନଙ୍କ ମଧ୍ୟରେ ବିଶେଷ ଭାବରେ ପ୍ରଚଳିତ ।
ପୌରାଣିକ କଥାନୁସାରେ, ଏକଦା ସୂର୍ଯ୍ୟଦେବ ବ୍ରହ୍ମାଣ୍ଡ ପରିଭ୍ରମଣ କରୁ କରୁ ନାନା ପ୍ରକାରର ଐଶ୍ୱର୍ଯ୍ୟ ଦେଖି ତପସ୍ୟା କରିବାକୁ ମନ ବଳାଇଲେ । ତେଣୁ ସେ ମନ୍ଦର ପର୍ବତ ଗୂହାରେ କଠିନ ତପସ୍ୟାରତ ହେଲେ । ଫଳରେ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେଲା, ଦେବତାଗଣ ଭୟଭୀତ ହେଲେ। ଇନ୍ଦ୍ର ଏବଂ ଅନ୍ୟ ଦେବତାଗଣଙ୍କ ଯାଇ ଶ୍ରୀହରିଙ୍କୁ ପ୍ରାର୍ଥନା କଲେ। ଶ୍ରୀହରି ଦେବଗଣଙ୍କୁ ଆଶ୍ୱାସନା ଦେଇ ସୂର୍ଯ୍ୟଙ୍କୁ ଦର୍ଶନ ଦେଇ କହିଲେ “ହେ ଦିବାକର, ତୁମେ ତପସ୍ୟାରେ ସିଦ୍ଧି ଲାଭ କରିଛ । ତୁମେ ବର ପ୍ରାର୍ଥନା କର ।
ସୂର୍ଯ୍ୟଦେବ କହିଲେ ପ୍ରଭୁ, ମୋତେ ଗୋଟିଏ ଗୁଣବତୀ କନ୍ୟାର ବର ଦିଅନ୍ତୁ ଏବଂ ଆପଣ ଚିରଦିନ ସେହି କନ୍ୟାପ୍ରତି ବଶୀଭୂତ ରହିବେ । ଏହା ବ୍ୟତୀତ ମୋର ଆଉ କିଛି ଇଚ୍ଛା ନାହିଁ ।
ତାପରେ ଶ୍ରୀହରି ”ତଥାସ୍ତୁ” କହି ସେଠାରୁ ଚାଲିଗଲେ । ଏହାପରେ ଏହି ପୃଥିବୀରେ ଶ୍ରୀହରି କେବଳ ଶ୍ରୀରାଧାଙ୍କର ବଶୀଭୂତ। ଶ୍ରୀରାଧା ଏବଂ ଶ୍ରୀହରିଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ପୃଥିବୀର ଭାର ଲାଘବ ପାଇଁ ଶ୍ରୀହରି ବୃନ୍ଦାବନର ନନ୍ଦାଳୟରେ କୃଷ୍ଣଙ୍କ ରୂପରେ ଅବତୀର୍ଣ୍ଣ ହେଲେ। ସୂର୍ଯ୍ୟଦେବ ସେଠାରେ ବୃଷଭାନୁ ରାଜା ନାମରେ ଜନ୍ମ ଗ୍ରହଣ କଲେ।
ଶ୍ରୀରାଧା ତାଙ୍କର କନ୍ୟା ରୂପେ ଅବତୀର୍ଣ୍ଣ ହେଲେ। ଶ୍ରୀହରି ମଥୁରାରେ ଜନ୍ମଗ୍ରହଣ କରି ନନ୍ଦାଳୟକୁ ଆସିଲେ। ସୂର୍ଯ୍ୟଦେବ ବୈଶ୍ୟ କୁଳରେ ବୃଷଭାନୁ ନାମରେ ଜନ୍ମ ଗ୍ରହଣ କଲେ। ଯଥା କାଳେ ଗୋପ କନ୍ୟା କୀର୍ତ୍ତିଦାଙ୍କ ସହିତ ତାଙ୍କ ବିବାହ ହେଲା, ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ବିଶାଖା ନକ୍ଷତ୍ରରେ କୀର୍ତ୍ତିଦାଙ୍କ ଗର୍ଭରେ ଶ୍ରୀରାଧା ଜନ୍ମ ଗ୍ରହଣ କଲେ।
ଗୋପଗୋପୀ ଗଣ ଆନନ୍ଦରେ ଶ୍ରୀରାଧାଙ୍କ ଜନ୍ମ ପାଳନ କରିଥିଲେ। କାଳକ୍ରମେ ଶ୍ରୀରାଧା ଚନ୍ଦ୍ରସେଣା ନାମକ ନପୁଂସକ ଗୋପାଳଙ୍କୁ ବିବାହ କଲେ, କିନ୍ତୁ ସେ ପରମପୁରୁଷ ଜ୍ଞାନରେ ଶ୍ରୀକୃଷ୍ଣଙ୍କ ସହ ବିହାର କଲେ। ତେଣୁ ଶ୍ରୀକୃଷ୍ଣଙ୍କର କରୁଣା ଲାଭ ପାଇଁ ଶ୍ରୀରାଧାଙ୍କ ଜନ୍ମଦିନକୁ ଶ୍ରୀରାଧାଷ୍ଟମୀ ଭାବରେ ପାଳନ କରାଯାଏ । ଓଡ଼ିଶାରେ ଶ୍ରୀମନ୍ଦିର ଓ ସାକ୍ଷୀଗୋପାଳ ମନ୍ଦିରରେ ଏହି ନୀତି ଯଥାବିଧି ପାଳନ କରାଯାଏ।
ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀ ଭଳି ରାଧାଷ୍ଟମୀ ର ମହତ୍ତ୍ୱ ରହିଛି । କୁହାଯାଏ ରାଧାଷ୍ଟମୀ ବ୍ରତ କଲେ ସବୁ ପାପ ନାଶ ହୋଇଥାଏ । ବିବାହିତ ମହିଳା ରାଧାଷ୍ଟମୀ ବ୍ରତ ଅଖଣ୍ଡ ସୌଭାଗ୍ୟବତୀ, ସୁଖ ସମୃଦ୍ଧି ଓ ଶାନ୍ତି ପାଇଁ ରଖିଥାନ୍ତି । କେବଳ ଏତିକି ନୁହେଁ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ରାଧାଷ୍ଟମୀ ବ୍ରତ ପାଳନ କରାଯାଇଥାଏ । ଧାର୍ମିକ ଗ୍ରନ୍ଥ ଅନୁସାରେ ଯେଉଁ ବ୍ୟକ୍ତି ରାଧାଶ୍ରୀଙ୍କୁ ପ୍ରଶନ୍ନ କରି ଦିଅନ୍ତି, କୃଷ୍ଣ ଆପେ ଆପେ ପ୍ରଶନ୍ନ ହୋଇ ଯାଆନ୍ତି । ତେଣୁ କୁହାଯାଏ ଶ୍ରୀକୃଷ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଶ୍ରୀରାଧାଙ୍କୁ ପ୍ରଶନ୍ନ କରିବାକୁ ପଡ଼ିଥାଏ । ଶ୍ରୀରାଧାଷ୍ଟମୀ ବ୍ରତ କରିବା ଦ୍ୱାରା ଲକ୍ଷ୍ମୀ ଗୃହକୁ ଆସିଥାନ୍ତି ଓ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930