Indus Valley Times

ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ବିଶ୍ୱକର୍ମା, ବିଭିନ୍ନ କର୍ମସ୍ଥଳରେ ଚାଲିଛି ଆରାଧନା

 Breaking News

ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ବିଶ୍ୱକର୍ମା, ବିଭିନ୍ନ କର୍ମସ୍ଥଳରେ ଚାଲିଛି ଆରାଧନା

ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ବିଶ୍ୱକର୍ମା, ବିଭିନ୍ନ କର୍ମସ୍ଥଳରେ ଚାଲିଛି ଆରାଧନା
September 17
11:35 2025

ଭୁବନେଶ୍ୱର, ୧୭/୯ : ପ୍ରତିବର୍ଷ କନ୍ୟା ସଂକ୍ରାନ୍ତି ଦିନ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହେଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ, ଏହିଦିନ ଭଗବାନ୍ ବିଶ୍ଵକର୍ମାଙ୍କ ଜନ୍ମ ହୋଇଥିଲା। ବିଶ୍ଵକର୍ମାଙ୍କୁ ବିଶ୍ଵର ପ୍ରଥମ ଯନ୍ତ୍ରୀ କୁହାଯାଏ । ସକଳ ଶିଳ୍ପକଳାର ସେ ଜନକ। ତାଙ୍କୁ ନିର୍ମାଣର ଅଧିଦେବତା ବୋଲି କୁହାଯାଏ । ବ୍ରହ୍ମାଙ୍କ ନିର୍ଦ୍ଦେଶନାରେ ଦେବସିଳ୍ପି ବିଶ୍ଵକର୍ମା ସମଗ୍ର ସୃଷ୍ଟି ଅର୍ଥାତ୍ ବିଶ୍ଵ ଭୁବନ ନିର୍ମାଣ କରିଥିଲେ। ଦେବତା ମାନଙ୍କର ସମସ୍ତ ସଶସ୍ତ୍ର ବିମାନ ଆଦି ତାଙ୍କ ଦ୍ଵାରା ନିର୍ମିତ।
ସ୍ଵର୍ଗର ଅମରାବତୀ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ। ବିଶ୍ଵକର୍ମା ଇନ୍ଦ୍ରପୁରୀ, ଦ୍ବାରିକା, ହସ୍ତିନାପୁର, ସ୍ୱର୍ଗଲୋକ, ସ୍ୱର୍ଣାଳଙ୍କା ଆଦି ନିର୍ମାଣ କରିଛନ୍ତି। ସେଥିପାଇଁ ଏହି ଅବସରରେ ବିଭିନ୍ନ ଯନ୍ତ୍ର ତଥା ଯନ୍ତ୍ରପାତି ର ପୂଜା କରାଯାଇଥାଏ। ଏହି ଦିନ କଳକାରଖାନା , ଶିଳ୍ପ ପ୍ରତିଷ୍ଠାନରେ ବିଧିବିଧାନ ସହ ଭଗବାନ୍ ବିଶ୍ଵକର୍ମାଙ୍କୁ ପୂଜା କରାଯାଇଥାଏ । ବିଭିନ୍ନ ଶିଳ୍ପକଳା ରେ ଜଡିତ ଗୋଷ୍ଠୀ ବେଶ୍ ଜାକଜମକରେ ବିଶ୍ଵକର୍ମା ପୂଜା କରିଥାନ୍ତି। ବିଶ୍ଵକର୍ମାଙ୍କ ପୂଜା କରିବା ଦ୍ୱାରା ଭକ୍ତ ମାନଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
ପୌରାଣିକ କାହାଣୀ ଅନୁଯାୟୀ, ଜଗନ୍ନାଥଙ୍କ ଦାରୁ ବିଗ୍ରହ ବିଶ୍ଵକର୍ମା ନିର୍ମାଣ କରୁଥିଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ବାଙ୍କୀ ମୁହାଣରୁ ସଂଗ୍ରହ କରିଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ବିଭିନ୍ନ ସ୍ଥାନରୁ ଦକ୍ଷ ଶିଳ୍ପୀ ମାନଙ୍କୁ ଆଣି କାମରେ ଲଗାଇଥିଲେ, କିନ୍ତୁ ସେମାନେ ବିଗ୍ରହ ଗଢିବାରେ ବିଫଳ ହୋଇଥିଲେ। ରାଜା ରାଣୀଙ୍କ ମନରେ ଭାଳେଣି ପଡ଼ିଲା। ସେମାନେ ଫେରିବାର କିଛି ଦିନ ପରେ ଜଣେ ବୁଢ଼ା ବଢେଇ ଆସି ମୂର୍ତ୍ତି ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କଲେ । ସେ ସର୍ତ୍ତ ରଖିଲେ ଏକୋଇଶ ଦିନ ପର‌୍ୟ୍ୟନ୍ତ ମନ୍ଦିରର ଦ୍ୱାର ଫିଟିବ ନାହିଁ, ସେ ଉପବାସ ରହି ମୂର୍ତ୍ତି ନିର୍ମାଣ କରିବେ ।
ଏଥିରେ ରାଜା ରାଜି ହୋଇ ମନ୍ଦିର ଦ୍ୱାର ବନ୍ଦ୍ କଲେ । ତେବେ କିଛି ଦିନ ପରେ ଭିତରୁ ଠକ୍ ଠକ୍ ଶବ୍ଦ ଆସିବା ବନ୍ଦ୍ ହୋଇଯିବାରୁ ରାଣୀ ଗୁଣ୍ଡିଚା ଧର‌୍ୟ୍ୟ ଧରି ରହି ପାରିଲେ ନାହିଁ । ବୁଢ଼ା ବଢେଇ ଉପବାସରେ ମୃତ୍ୟୁ ବରଣ କରିଛି ବୋଲି ରାଣୀ ଭାବିଲେ ଓ ରାଜାଙ୍କୁ ଦ୍ୱାର ଖୋଲିବା ପାଇଁ ଅନୁରୋଧ କଲେ । ଦ୍ୱାର ଉନ୍ମୁକ୍ତ କଲା ପରେ ଦେଖାଗଲା ଯେ ବୁଢ଼ା ବଢେଇ ଅନ୍ତର୍ଦ୍ଧ୍ୟାନ ହୋଇଯାଇଛନ୍ତି । ଆଉ ମୂର୍ତ୍ତି ଅଧା ଗଢା ଅବସ୍ଥାରେ ରହିଯାଇଛି। ଏଥିରେ ରାଜା ରାଣୀ ଘୋର ଚିନ୍ତାରେ ପଡ଼ିବାରୁ ଶୂନ୍ୟବାଣୀ ହେଲା ଯେ, ମୋର ଯେଉଁ ରୂପରେ ଆବିର୍ଭାବ ହେବାର ଇଚ୍ଛା ମୁଁ ସେହି ରୂପରେ ହିଁ ଆବିର୍ଭାବ ହୋଇଛି । ତେଣୁ ଏଥିରେ ଶୋଚନ କରିବାର କିଛି ନାହିଁ। ଏହି ବୁଢ଼ା ବଢେଇ ଥିଲେ ସ୍ଵୟଂ ଦେବ ଶିଳ୍ପୀ ବିଶ୍ଵକର୍ମା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930