Indus Valley Times

ଯାଜପୁରଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ

 Breaking News

ଯାଜପୁରଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ

October 02
21:34 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨/୧୦ : ଆଜି ଯାଜପୁର ଜିଲ୍ଲା ସଦର ମହକୁମାସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଅଛି।
ସକାଳ ୮ ଘଟିକା ୩୦ ମିନିଟ ସମୟରେ ଜିଲ୍ଲାପାଳ ଅମ୍ବର କୁମାର କର ଓ ସମ୍ମାନିତ ଅତିଥି ମାନେ କିଆନାଳୀ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ପରେ ଜିଲ୍ଲା ସ୍କୁଲ, ଯାଜପୁର ପରିସରରେ ଥିବା ମହାତ୍ମା ଗାନ୍ଧୀ, ଲାଲ ବାହାଦୁର ଶାସ୍ତ୍ରୀ ଏବଂ ସଂସ୍କୃତି ଭବନ ପରିସରରେ ଥିବା ମହାତ୍ମା ଗାନ୍ଧୀ ଓ ଅନ୍ୟ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।
ପରେ ପରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଏକ ସାଧାରଣ ସଭା ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜନ୍ମଜୟନ୍ତୀ ଅବସରରେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପ ଗୁଚ୍ଛ ଅର୍ପଣ କରିଥିଲେ।
ପରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଧର୍ମଯାଜକ ପଣ୍ଡିତ ସଞ୍ଜୟ ମିଶ୍ର ଗୀତା ପାଠ, ଧର୍ମଯାଜକ ମହମ୍ମଦ ସାଫିଉଦ୍ ଜମା କୋରାନ ପାଠ ଓ ଧର୍ମଯାଜକ ଅନିରୁଦ୍ଧ ମିଂଜ ବାଇବେଲ ପାଠ କରିଥିଲେ। ସୁରଧୁନୀ ଗ୍ରୁପ କଳାକାର ମାନଙ୍କ ଦ୍ବାରା ଗାନ୍ଧିଜୀଙ୍କ ଆଶ୍ରମ ଭଜନ ବୈଷ୍ଣବ ଜନତୋ ଏବଂ ରଘୁପତି ରାଘବ ରାଜାରାମ ପରିବେଷଣ କରାଯାଇଥିଲା।
ଆଜିର ଜୟନ୍ତୀ ଉତ୍ସବ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ କର ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଲେ ମହାତ୍ମା ଗାନ୍ଧୀ, ଯାହାଙ୍କୁ ସମଗ୍ର ବିଶ୍ୱ \”ଅହିଂସା ଓ ସତ୍ୟର ପ୍ରତୀକ\” ଭାବେ ଜାଣେ, ସେମାନଙ୍କର ଆଦର୍ଶ କେବଳ ସ୍ୱାଧୀନତାର ସଂଗ୍ରାମକୁ ନୁହେଁ, ଆଜିର ସମାଜକୁ ମଧ୍ୟ ପଥଦର୍ଶନ କରୁଛି।
ଗାନ୍ଧୀଜୀଙ୍କ ଜୀବନ ଆମକୁ ଶିଖାଏ ସତ୍ୟ ହେଉଛି ଜୀବନର ସର୍ବୋଚ୍ଚ ଧ୍ୟେୟ, ଅହିଂସା ହେଉଛି ସବୁଠୁ ବଡ଼ ଶକ୍ତି, ସରଳତା ଓ ସ୍ୱଚ୍ଛତା ହେଉଛି ନିଜର ମଣିଷତ୍ୱର ସୁନ୍ଦରତା ଆଜିର ଦିନଟିରୁ ଆମେ ସଙ୍କଳ୍ପ କରିବା ସତ୍ୟ ଓ ଅହିଂସାରେ ଆମର ଆସ୍ଥା ରହିବ, ସ୍ୱଚ୍ଛତା ଅଭିଯାନକୁ ଆମେ ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗାଁରେ ଆଗେଇ ନେବା, ନିଜେ ସ୍ୱଚ୍ଛ ରହିବା, ଅନ୍ୟମାନଙ୍କୁ ସ୍ୱଚ୍ଛତାରେ ପ୍ରେରିତ କରିବା। ଆଜିର ପିଲାମାନେ ହେଉଛନ୍ତି କାଲିର ଭବିଷ୍ୟତ ପ୍ରତ୍ୟେକ ପିଲାମାନେ ଦୈନନ୍ଦିନ ଜୀବନରେ ସତ୍ୟ, ଅହିଂସା, ସ୍ବରାଜ, ସ୍ୱଚ୍ଛତା, ଦୟା, ଶ୍ରମଦାନ ଓ ସେବା କୁ ଅନୁସରଣ କରିବା ଆବଶ୍ୟକ ।
ଉକ୍ତ ଜନ୍ମ ଜୟନ୍ତୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଧ୍ୟକ୍ଷା, ପୌର ପରିଷଦ, ଯାଜପୁର ଶ୍ରୀମତୀ ରଞ୍ଜୁଲତ ହୋତା କହିଲେ ଆଜିର ଦିନ ଆମ ପାଇଁ ଏକ ଗର୍ବର ଦିନ। ଆମେ ଆଜି ସମଗ୍ର ଦେଶର ପିତାମହ— ମହାତ୍ମା ଗାନ୍ଧୀଙ୍କ ଜନ୍ମଦିବସ ପାଳନ କରୁଛୁ। ଗାନ୍ଧୀଜୀଙ୍କ ଜୀବନ କେବଳ ସ୍ୱାଧୀନତାର ସଂଗ୍ରାମରେ ସୀମିତ ନୁହେଁ, ସେଥିରେ ଥିଲା ସତ୍ୟର ପଥ, ଅହିଂସାର ଶକ୍ତି, ସରଳତାର ସନ୍ଦେଶ ଓ ସ୍ୱଚ୍ଛତାର ଆଦର୍ଶ।
ଗାନ୍ଧୀଜୀଙ୍କ \”ସ୍ୱଚ୍ଛତା\”ର ଆହ୍ୱାନକୁ ଆମେ ସମସ୍ତେ ଦୈନନ୍ଦିନ ଜୀବନରେ ଅନୁସରଣ କରିବା ଦରକାର। ଏହି ଜୟନ୍ତୀ ଉତ୍ସବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ଦାମୋଦର ବେହେରା ଗାନ୍ଧୀଜୀଙ୍କର ୧୫୬ ତମ ଓ ଶାସ୍ତ୍ରୀଙ୍କର ୧୨୨ ତମ ଜନ୍ମ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ଜିବନାଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ଜାତିର ପିତା ମହାତ୍ମାଗାନ୍ଧୀ ସତ୍ୟ ଓ ଅହିଂସାର ପ୍ରତୀକ ଥିଲେ। ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଯୋଗଦାନ ଭାରତୀୟ ମୁକ୍ତିସଂଗ୍ରାମକୁ ଏକ ନୂତନ ମୋଡ଼ ଦେଇ ତାଙ୍କୁ ବିଶ୍ଵବାସୀଙ୍କ ନିକଟରେ ମହାମାନବର ମାନ୍ୟତା ଦେଇଥିଲା।
ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀ ଜଣେ ନିଆରା ଜନନାୟକ ଭାବେ ସାରା ବିଶ୍ୱରେ ସୁପରିଚିତ। ଏହି ଦୁଇ ଯୋଗଜନ୍ମା ବରପୁତ୍ର ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ମାନବଜାତିର ଉନ୍ନତି ପାଇଁ ଜୀବନକୁ ଉତ୍ସର୍ଗ କରିଯାଇଛନ୍ତି। ସେମାନଙ୍କ ତ୍ୟାଗ, ତିତିକ୍ଷା ଓ ବଳିଦାନର ପଟାନ୍ତର ନାହିଁ।
ଭାରତୀୟ ମୁକ୍ତି ସଂଗ୍ରାମରେ ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନ, ୧୯୩୦ ରେ ଲବଣ ସତ୍ୟାଗ୍ରହ ଓ ୧୯୪୨ ରେ ଭାରତ ଛାଡ଼ ଆନ୍ଦୋଳନର ଫଳ ସ୍ୱରୂପ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଭାରତବର୍ଷ ପରାଧିନତାର ଶୃଙ୍ଖଳାରୁ ମୁକ୍ତ ହେଲା ବୋଲି କହିଥିଲେ।
ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଗାନ୍ଧୀ ଦର୍ଶନ ଆଜି ସାରା ପୃଥିବୀରେ ଆଦୃତ ହୋଇଛି। ତାଙ୍କ ମତରେ ସବୁ ସମସ୍ୟାର ସମାଧାନର ଚାବିକାଠି ସତ୍ୟ ଓ ଅହିଂସା ବୋଲି ମତବ୍ୟକ୍ତ କରିଥିଲେ।
ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
ପ୍ରାତଃ କାଳରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପୌରାଞ୍ଚଳରେ ରାମଧୂନ ପରିବେଷଣ କରାଯାଇଥିଲା।
ସକାଳ ଘ. ୮.୩୦ ମି. ସମୟରେ ଜିଲ୍ଲା ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବାପୁଜୀଙ୍କ ବାଣୀ ସମ୍ବଳିତ ଏକ ପ୍ରଭାତ ଫେରୀ ଜିଲ୍ଲା ସ୍କୁଲ ପରିସରରୁ ବାହାରି ଗାନ୍ଧୀ ଛକ, ମେଡିକାଲ ଛକ, ସଂସ୍କୃତି ଭବନ ପର‌୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା।
ଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜୟନ୍ତୀ ଉତ୍ସବରେ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31