Indus Valley Times

ରାଜ୍ୟସ୍ତରୀୟ ଶହୀଦ୍ ଜୟୀ ରାଜଗୁରୁ ବଳିଦାନ ଦିବସ ସମାରୋହ ଅନୁଷ୍ଠିତ

 Breaking News

ରାଜ୍ୟସ୍ତରୀୟ ଶହୀଦ୍ ଜୟୀ ରାଜଗୁରୁ ବଳିଦାନ ଦିବସ ସମାରୋହ ଅନୁଷ୍ଠିତ

December 09
12:44 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୯/୧୨: ସ୍ଥାନୀୟ ଜୟୀ ରାଜଗୁରୁ ଟାଉନହଲ ପରିସର ମଧ୍ୟରେ ଜୟୀ ରାଜଗୁରୁ ସ୍ମୃତି ସଂସଦ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ୨୨୦ତମ ଶହୀଦ ଜୟୀ ରାଜଗୁରୁ ବଳିଦାନ ଦିବସ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଐତିହାସିକ ପ୍ରଫେସର ନାରାୟଣ ରାଓ ଦ୍ୱୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଉଦଘାଟନ କରିବା ପରେ ସଂସଦର ସଭାପତି ଶିକ୍ଷାବିତ୍ ଡକ୍ଟର ଧିରେନ୍ଦ୍ର ନନ୍ଦ ତାଙ୍କ ସ୍ୱାଗତ ଭାଷଣରେ କହିଲେ ଓଡିଶା ରାଜ୍ୟ ସରକାରଙ୍କ ତରଫରୁ ସାରା ଦେଶରୁ ବିଭିନ୍ନ ବିଶ୍ୱ ବିଦ୍ୟାଳୟରୁ ଐତିହାସିକ ମାନଙ୍କୁ ନେଇ ହୋଇଯାଇଥିବା ୨୦୧୭ ମସିହାର ଜାତୀୟ ସ୍ତରୀୟ ସେମିନାରର ସଂକଳିତ ତଥ୍ୟ ଅନୁସାରେ ପାଇକ ବିଦ୍ରୋହ ୧୮୦୪ରୁ ଶହୀଦ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଆରମ୍ଭ ହୋଇ ୧୮୧୭ରେ ଏହା ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ବ୍ୟାପକ ରୂପ ଧାରଣ କରିଥିଲା ।
ତେଣୁ ପାଇକ ବିଦ୍ରୋହ ୧୮୦୪ ମସିହାରୁ ଆରମ୍ଭ ବୋଲି ସରକାରୀ ସ୍ୱୀକୃତୀ ମିଳିବା ଉଚିତ ଏବଂ ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁଙ୍କୁ ସମାନ ଭାବରେ ଗୁରୁତ୍ୱ ଦିଆଯିବା ଉଚିତ । ନଚେତ ଏହା ପାଇକ ସଂସ୍କୃତି ତଥା ଓଡିଆ ଜାତି ପ୍ରତି ଅସମ୍ମାନ ହେବ । ମୁଖ୍ୟ ଅତିଥି ପ୍ରଫେସର ରାଓ କହିଲେ ଖୋର୍ଦ୍ଧା ମାଟିର ବୀର ପାଇକଙ୍କ ବୀରତ୍ୱ ଯୋଗୁଁ ଇତିହାସରେ ଖୋର୍ଦ୍ଧାର ସ୍ଥାନ ସ୍ୱତନ୍ତ୍ର । ଏହି ମାଟିରୁ ଆରମ୍ଭ ହୋଇଥିଲା ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଥମ ସଶସ୍ତ୍ର ଗଣ ବିପ୍ଲବ । ଏହି ମାଟିର ପାଇକ ବୀରମାନଙ୍କର ନାମ ସବୁବେଳେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ ।
ଏପରିକି ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ପ୍ରମୁଖ ନାୟକ ଥିଲେ ଜୟୀ ରାଜଗୁରୁ । ତେଣୁ ତାଙ୍କ ଉପରେ ଏକ ଚଳିଚିତ୍ର ନିର୍ମାଣ ସହିତ ଏଭଳି ଏକ ଶହୀଦ ସ୍ତମ୍ଭ ପ୍ରସ୍ତୁତ କରାଯାଉ ଯାହା ସମଗ୍ର ବିଶ୍ୱରେ ଜୟୀ ରାଜଗୁରୁଙ୍କ ସ୍ମୃତି ସମ୍ପର୍କରେ ଆଗାମୀ ଯୁବପିଢ଼ୀଙ୍କୁ ପ୍ରେରଣା ଯୋଗାଇବ । ମୁଖ୍ୟ ବକ୍ତା ଭାବରେ ଡକ୍ଟର ଜନ୍ମେଞ୍ଜୟ ଚୌଧୁରୀ ଜୟୀରାଜଗୁରୁଙ୍କ ଦେଶପ୍ରେମ ଓ ବଳିଦାନ ୧୮୫୭ ମସିହା ସିପାହୀ ବିଦ୍ରୋହର ମଙ୍ଗଳ ପାଣ୍ଡେଙ୍କ ତୁଳନାରେ ଯଥେଷ୍ଟ ଅଧିକ । ପାଇକ ଆନ୍ଦୋଳନର ମୁଳଦୁଆ ପକାଇବା କ୍ଷେତ୍ରରେ ଜୟୀରାଜଗୁରୁଙ୍କ ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଇଂରେଜ ଶକ୍ତି ତାଙ୍କୁ ଯେଉଁପରି ଏକ ବରଗଛରେ ଦୁଇଟି ଶକ୍ତ ଡ଼ାଳରେ ବାନ୍ଧି ଅତି ବିଭତ୍ସ ତଥା ନୃଶଂସ ଭାବେ ହତ୍ୟା କରିଥିଲେ ତାହା ଆଜି ମଧ୍ୟ ପାଇକ ଜାତି ମନେ ରଖିଛି । ସ୍ୱତନ୍ତ୍ର ଅତିଥି ଭାବରେ ଦୈନିକ ସମାଲୋଚନା ଓ ବଡ ଖବରର ସଂପାଦକ ଅର୍ଦ୍ଧେନ୍ଦୁ ଦାସ ଯୋଗଦେଇ କହିଲେ ଏବେ ଆମେ ସମସ୍ତେ ଓଡିଆ ଅସ୍ମିତା ଉପରେ ଲଢେଇ କରୁଛେ । ଓଡିଆଙ୍କ ଜନଜୀବନ ଉପରେ ଅଣଓଡିଆଙ୍କ ମାତ୍ରାଧିକ ପ୍ରଭାବ ବିରୋଧରେ ୨୦୨୧ରୁ ଆରମ୍ଭ ହୋଇଥିବା ଏହି ଲଢେଇ ୨୦୨୪ରେ ଶେଷ ହୋଇଥିଲା ଏବଂ ଓଡିଆ ସ୍ୱାଭିମାନ ଓ ଅସ୍ମିତାର ବିଜୟ ହୋଇଥିଲା ।
କିନ୍ତୁ ଏହି ରାଜ୍ୟରେ ପ୍ରଥମ ଓଡିଆ ଅସ୍ମିତାର ଲଢେଇ ଆଜକୁ ୨୨୨ ବର୍ଷ ତଳେ ଅମର ଶହୀଦ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ହୋଇଥିଲା ଗୋରା ଜାତି ଆଗରେ ମୁଣ୍ଡ ନ ନୁଆଇବାର ବଜ୍ର ଶପଥ ହିଁ ୧୮୦୪ ମସିହାରେ ଆରମ୍ଭ ହୋଇଥିବା ପାଇକ ସଂଗ୍ରାମକୁ ଜନ୍ମ ଦେଇଥିଲା, ଯାହାକି ଆଜି ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ ବୋଲି ବିବେଚନା କରାଯାଉଛି ।
ସମ୍ମାନୀତ ଅତିଥି ଭାବରେ ଖୋର୍ଦ୍ଧା ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି ଯୋଗଦେଇ କହିଲେ ଖୋର୍ଦ୍ଧାର ପାଇକ ମାନଙ୍କ ବୀରତ୍ୱର ପଟ୍ଟାନ୍ତର ନାହିଁ । ଏହି ବୀର ମାଟିରେ ଏକ ପାଇକ ସଂଗ୍ରାହଳୟ ସ୍ଥାପନ ହେବା ଉଚିତ୍ ବୋଲି ଦାବି କହିଥିଲେ ।
ସମ୍ମାନୀତ ବକ୍ତା ବିଶିଷ୍ଟ ନାଟ୍ୟକାର, ନିଟ୍ୟ ନିର୍ଦ୍ଦେଶକ, ନାଟ୍ୟ ପ୍ରଶିକ୍ଷକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଧ୍ୟାପକ ଦେବାନନ୍ଦ ନାୟକ ଜୟୀ ରାଜଗୁରୁଙ୍କର ଆତ୍ମବିଶ୍ୱାସ, ସ୍ୱାଭିମାନ ଓ ଦେଶ ପ୍ରେମ ତୁଳନା କରିବା କଷ୍ଟକର ଏବଂ ତାଙ୍କର ଦେଶଭକ୍ତି ଓ ତ୍ୟାଗ ଜାତୀୟ ଇତିହାସରେ ସ୍ୱର୍ଣ୍ଣାକ୍ଷର ହୋଇ ରହିବ ବୋଲି କହିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଅମର ଶହୀଦ୍ ବାନାମ୍ବର ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ମରଣୋତର ‘ଅମର ଶହୀଦ୍ ସମ୍ମାନ’ ତାଙ୍କର ଦାୟାଦ ନିକୁଞ୍ଜ କିଶୋର ପଟ୍ଟନାୟକଙ୍କୁ, ସ୍ୱାଧୀନତା ସଂଗ୍ରାମୀ କୁଦନ ରାମଙ୍କ ଉଦ୍ଦେଶ୍ୟରେ ମରଣୋତର ‘ସ୍ୱାଧିନତା ସଂଗ୍ରାମୀ ସମ୍ମାନ’ ତାଙ୍କର ଦାୟାଦ ଶୁରେଶ ରାମଙ୍କୁ ଏବଂ ପାଇକ ସଂସ୍କୃତିର ପୁନର୍ଜାଗରଣ ପାଇଁ ପ୍ରଧ୍ୟାପକ ଦେବାନନ୍ଦ ନାୟକଙ୍କୁ ‘ଜୟୀ ରାଜଗୁରୁ ସମ୍ମାନ-୨୦୨୫’ରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ପ୍ରାରମ୍ଭରେ ସ୍ମୃତି ସଂସଦର ସଂପାଦକ ଶକ୍ତି ଶଙ୍କର ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଶେଷରେ ବରିଷ୍ଠ ସଭ୍ୟ ଡି ନାଗେଶ୍ୱର ପାତ୍ର ଧନ୍ୟବାଦ ଦେଇଥିଲେ ଏବଂ ସୁପ୍ରିତା ଉଥାନସିଂହ ସ୍ୱାଗତ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ଭଜନ, ଓଡିଶୀ, ସମ୍ବଲପୁରୀ, ଓ ଦେଶାତ୍ମବୋଧକ ନୃତ୍ୟ ପରିବଷେଣ ଜିତେନ୍ଦ୍ର ବାରିକଙ୍କ ସହଯୋଗରେ କରାଯାଇଥିଲା ।
ପାଇକ ସର୍ଦ୍ଦାର ସୁବାସ ଜେନାଙ୍କ ସହ ଯୋଗକ୍ରମେ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ପାଇକ ଆଖଡା ଦଳମାନଙ୍କ ପାଇକ ରଣ କୌଶଳ ପ୍ରଦର୍ଶନ ସହିତ ନଗର ପରିକ୍ରମା କରିଥିଲେ । ପ୍ରାତଃ ସମୟରେ ଗଡ ଼ଖୋର୍ଦ୍ଧାସ୍ଥିତ ପଂଚପାଇକଙ୍କ ପ୍ରତିମୂର୍ତିରେ ସଂସଦର ବରିଷ୍ଠ ସଭ୍ୟ ସତ୍ୟ ସୁନ୍ଦର ରଣାଙ୍କ ନେତୃତ୍ୱରେ ମାଲ୍ୟାର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଧ୍ୟାପକ ଗୋପାଳକୃଷ୍ଣ ଦାସ, ମନ୍ଦିରା ରାୟ ଚୂଡାମଣି, ନରହରି ନନ୍ଦ, କବି ବିକ୍ରମ ଚମ୍ପତି, ପ୍ରଣତି ଚମ୍ପତି, ନମିତା ସାହୁ ପମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31