Indus Valley Times

ଖୋରଧା ରେ ରଘୁ-ଦିବାକରଙ୍କ ୮୬ ତମ ଶହୀଦ ଦିବସ: ଦୁଇଜଣ ଏକତ୍ର ଫାଶୀ ପାଇବା ଥିଲା ଏକ ବିରଳ ଘଟଣା

 Breaking News

ଖୋରଧା ରେ ରଘୁ-ଦିବାକରଙ୍କ ୮୬ ତମ ଶହୀଦ ଦିବସ: ଦୁଇଜଣ ଏକତ୍ର ଫାଶୀ ପାଇବା ଥିଲା ଏକ ବିରଳ ଘଟଣା

ଖୋରଧା ରେ ରଘୁ-ଦିବାକରଙ୍କ ୮୬ ତମ ଶହୀଦ ଦିବସ: ଦୁଇଜଣ ଏକତ୍ର ଫାଶୀ ପାଇବା ଥିଲା ଏକ ବିରଳ ଘଟଣା
April 04
22:50 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୪/୪: ରଣପୁର ପ୍ରଜା ଆନ୍ଦୋଳନର ମହାନ୍ ସଂଗ୍ରାମୀ ଶହୀଦ ରଘୁ-ଦିବାକରଙ୍କ ପାଇଁ କେବଳ ରଣପୁର ନୁହେଁ, ଖୋରଧା ମାଟି ଗୌରବାନ୍ବିତ।
ରଣପୁର ବ୍ଲକ୍ ବାଦଭୂଇଁ ଗ୍ରାମରେ ୧୯୧୦ ଜୁଲାଇ ୧୦ ରେ ଜନ୍ମ ଗ୍ରହଣ କରିଥିବା ରଘୁନାଥ ମହାନ୍ତି ଓ ଗଡ଼ବାଣୀକିଲ ଗ୍ରାମରେ ୧୯୧୧ ନଭେମ୍ବର ୩୦ରେ ଜନ୍ମ ଗ୍ରହଣ କରିଥିବା ଦିବାକର ପରିଡ଼ା ଏକଦା ଖୋରଧା ହାଇସ୍କୁଲର ଛାତ୍ରଥିଲେ।
ଏହି ପରିପ୍ରେକ୍ଷୀରେ ଉଭୟଙ୍କ ଫାଶୀ ଦିବସ ଖୋରଧା ବିଜେବି ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।
ଖୋରଧା ବି.ଜେ.ବି ହାଇସ୍କୁଲ ଓ ଶହୀଦ ରଘୁ-ଦିବାକର ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହାଇସ୍କୁଲ ପରିସରରେ ଥିବା ରଘୁ-ଦିବାକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା ।
ସ୍ମୃତି କମିଟିର ଉପଦେଷ୍ଟା ତଥା ଶହୀଦ ଦିବାକର ପରିଡ଼ାଙ୍କ ବଂଶଜ ଐତିହାସିକ ସତ୍ୟବାଦୀ ବଳିଆରସିଂହ ରଘୁ-ଦିବାକରଙ୍କ ସଂଗ୍ରାମୀ ଭୂମିକା ଉପରେ ଆଲୋକପାତ କରିଥିଲେ ।
ସେ କହିଥିଲେ ଯେ, ଦୁଇ ବନ୍ଧୁ ରାଜ ଶାସନର ଅନ୍ୟାୟ ଅନୀତି ଶୋଷଣ କଷଣ ତଥା ପ୍ରଜା ପୀଡ଼ନ କାର୍ଯ୍ୟ ବିରୋଧରେ ପ୍ରଜା ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ପ୍ରଜା ଆନ୍ଦୋଳନକୁ ଦମନ କରିବାକୁ ରଣପୁର ଆସି ୨୬ଟି ଗଡ଼ଜାତର ପଲିଟିକାଲ ଏଜେଣ୍ଟ ମେଜର ଆର.ଏଲ.ବେଜଲଗେଟ ପ୍ରଜାଙ୍କ ଠେଙ୍ଗା ମାଡ଼ରେ ନିହତ ହେଲେ ।
ଏହି ଘଟଣା ସାରା ବ୍ରିଟିଶ ଶାସିତ ଭାରତରେ ଚହଳ ପକାଇଥିଲା ଓ ଏହାର ବିଚାର କରାଯାଇ ସଂଗ୍ରାମୀ ଜନତାର ନେତା ରଘୁ-ଦିବାକରଙ୍କୁ ୧୯୪୧ ମସିହା ଏପ୍ରିଲ ୪ ତାରିଖରେ ବିହାରର ଭାଗଲପୁର ଠାରେ ଫାଶୀ ଦିଆଯାଇଥିଲା । ଗଡ଼ଜାତୀୟ ସ୍ବାଧୀନତା ସଂଗ୍ରାମରେ ଦୁଇ ଜଣ ଏକତ୍ର ଫାଶୀ ପାଇବା ବିରଳ ଘଟଣା ଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ପାଇକ ସଂଗଠନର ସଭାପତି ଭୀମସେନ ପ୍ରଧାନ ବକ୍ତବ୍ୟ ରଖି ଶହୀଦଙ୍କ ଆଦର୍ଶରେ ଯୁବପିଢି ଅନୁପ୍ରାଣୀତ ହେବାକୁ ଆହ୍ବାନ କରିଥିଲେ।
ପୂର୍ବତନ ରେଳୱେ ଆରକ୍ଷୀ ଅଧିକ୍ଷକ ରାଜେନ୍ଦ୍ର କୁମାର ନରେନ୍ଦ୍ର, ଲକ୍ଷ୍ମୀଧର ସାମନ୍ତରାୟ, କଳିଙ୍ଗ ପାଇକ ସଂଗଠନର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଅବସରପ୍ରାପ୍ତ ଫ୍ଲାଇଟ୍ ଲେଫ୍ଟନାଂଟ ବିଦ୍ୟାଧର ଲେଙ୍କା, ଉପେନ୍ଦ୍ର କୁମାର ସ୍ୱାଇଁ, ଭଗବାନ ପଶ୍ଚିମ କବାଟ, ବିକ୍ରମ ଚମ୍ପତି, ବଂଶୀଧର ଦାସ, ଇତିଶ୍ରୀ ସାହୁ, ମଧୁସୂଦନ ସ୍ୱାଇଁ, ଗୋବିନ୍ଦ ଚନ୍ଦ୍ର ମହାରଣା, ସ୍ତମ୍ଭକାର ସମରେନ୍ଦ୍ର ବଳିଆରସିଂହଙ୍କ ସମେତ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ।
ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା ବିମଳ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31