Indus Valley Times

ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୂହିକ ବିବାହ ଅନୁଷ୍ଠିତ

 Breaking News

ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୂହିକ ବିବାହ ଅନୁଷ୍ଠିତ

ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୂହିକ ବିବାହ ଅନୁଷ୍ଠିତ
April 22
10:52 2026

ଅକ୍ଷୟ କୁମାର ରାଉତଙ୍କ ରିପୋର୍ଟ
ଯାଜପୁର,୨୨/୪ : ଗୋଟିଏ ଜାଗାରେ ୬୦ ଯୋଡ଼ା ବର କନ୍ୟାଙ୍କ ଏକା ସାଙ୍ଗରେ ବାହାଘର। ବର ବଧୂ ବେଶରେ ସୁସଜ୍ଜିତ ହୋଇଥିଲେ ନବ ଦମ୍ପତି। ତାହା ପୁଣି ବାଜା ରୋଷଣୀ ସହ ନୃତ୍ୟ ସଙ୍ଗୀତର ଆସରରେ ଖୁବ୍ ଧୁମଧାମରେ ପାରମ୍ପରିକ ରୀତିନୀତିରେ ହୋଇଥିଲା ବିବାହ କାର୍ଯ୍ୟକ୍ରମ। କେବଳ ସମ୍ପର୍କୀୟ ନୁହେଁ, ବରଂ ବରଯାତ୍ରୀରେ ସାମିଲ ହୋଇଥିଲେ ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ କର୍ମଚାରୀଗଣ।
ସରକାରଙ୍କ ପକ୍ଷରୁ ଯାଜପୁର ଜିଲ୍ଲାରେ ଏଭଳି ଏକ ନିଆରା ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଆଜି ରାଜ୍ୟର ୨୭ଟି ଜିଲ୍ଲାରେ ୧,୦୦୦ରୁ ଉର୍ଦ୍ଧ୍ୱ କନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି ।
ଏହି କ୍ରମରେ ଆଜି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲାର ଷଠିପୁର ସ୍ଥିତ ଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ୬୦ ଯୋଡ଼ା ଦମ୍ପତିଙ୍କ ବିବାହ କାର୍ଯ୍ୟ ଆୟୋଜିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅମ୍ବର କୁମାର କର ଯୋଗ ଦେଇ କହିଥିଲେ ଯେ, ଉତ୍କଳ ଜନନୀ, ଲିଙ୍ଗେଶ୍ୱର ମହାଦେବ ଏବଂ ମାଆ ବିରଜାଙ୍କ ଆଶୀର୍ବାଦ ନେଇ ଆଜି ସାମୂହିକ ବିବାହ କର୍ମ ସମ୍ପନ୍ନ ହୋଇଛି।
ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ସାମାଜିକ କଲ୍ୟାଣକାରୀ ଯୋଜନା। ଆଜି ଯେଉଁମାନେ ବିବାହ କରିଛନ୍ତି, ସେମାନେ ସମସ୍ତେ ଏକ ବିଶେଷ ମୁହୂର୍ତ୍ତର ସାକ୍ଷୀ ହୋଇପାରିଛନ୍ତି।
ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି ନବ ଦମ୍ପତି ଏକା ସାଙ୍ଗେ ହାତ ଧରି ଆଗକୁ ବଢିବା ସହ ଚଲାପଥ କୁସୁମିତ ହେଉ ବୋଲି ଜିଲ୍ଲାପାଳ ପ୍ରାର୍ଥନା କରିଥିଲେ।
ପୂର୍ବରୁ ଅନୁସୂଚିତ ଜାତି, ଜନଜାତି, ରାସନ କାର୍ଡଧାରୀ, ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଗୋଷ୍ଠୀ, ନିର୍ଦ୍ଦିଷ୍ଟ ଦୁର୍ବଳ ଜନଜାତି ଗୋଷ୍ଠୀ, ବିଧବା, ଦିବ୍ୟାଙ୍ଗଙ୍କ ମଧ୍ୟରୁ ବିବାହ ପାଇଁ ୬୦ ଯୋଡ଼ି ବରକନ୍ୟାଙ୍କୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିଲା।
ମଙ୍ଗଳବାର ସକାଳ ୮ ଟାରେ ବର କନ୍ୟାଙ୍କ ପଞ୍ଜୀକରଣ ହେବା ପରେ ବିବାହ କର୍ମ ଆରମ୍ଭ ହୋଇଥିଲା। ୯.୩୦ ରେ ବାଜା ରୋଷଣୀ ସହ ସମସ୍ତ ବରଙ୍କୁ ନେଇ ସମ୍ପର୍କୀୟ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏକ ବରଯାତ୍ରୀ ଶୋଭାଯାତ୍ରା କରିଥିଲେ।
ନୃତ୍ୟ ବାଦ୍ୟର ତାଳେ ତାଳେ ସମସ୍ତେ ଖୁସିରେ ଏହି ବିଶେଷ ମୁହୂର୍ତ୍ତକୁ ସ୍ମରଣୀୟ କରିପାରିଥିଲେ।
ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିବା ଶିଙ୍ଗ ବାଦ୍ୟ, ଶଙ୍ଖ, ତୁରୀର ଶବ୍ଦରେ ମନ୍ଦିର ପ୍ରାଙ୍ଗଣ ହୋଇଥିଲା ଉତ୍ସବମୁଖର। ପଣ୍ଡିତମାନଙ୍କ ମନ୍ତ୍ର ଧ୍ବନିରେ ଏବଂ ମାଆମାନଙ୍କ ହୁଳୁହୁଳିରେ ସୃଷ୍ଟି ହୋଇଥିଲା ଏକ ଅପୂର୍ବ ପରିବେଶ।
ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ,ଦେବୀ ପ୍ରସାଦ ମହାନ୍ତି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପାର୍ବତୀ ସାହୁ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶରତ ପାତ୍ର, କୋରେଇ ବିଡ଼ିଓ ଅବନିକାନ୍ତ ସାହୁ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଯୋଗ ଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ।
ପ୍ରଶାସନ ପକ୍ଷରୁ ଜଳପାନ, ଥଣ୍ଡା ପାନୀୟ ଏବଂ ସାମୂହିକ ଦିବା ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବିବାହ କରିଥିବା ସମସ୍ତ କନ୍ୟାମାନଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ସେଥି ମଧ୍ୟରୁ ୪୫ ହଜାର ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ୍ ଖାତାକୁ ପଠାଇ ଦିଆଯାଉଥିବା ବେଳେ ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଉଛି।
ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ପୋଲିସ ଫୋର୍ସ, ଅଗ୍ନିଶମ କର୍ମଚାରୀ ଓ ଆମ୍ବୁଲାନ୍ସ ମୁତୟନ କରାଯାଇଥିଲା।
କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗର କର୍ମଚାରୀ, ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31