Indus Valley Times

ରଥଯାତ୍ରା ପାଇଁ ପୋଲିସ ବିଭାଗର ପ୍ରସ୍ତୁତି: ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ରଥଯାତ୍ରା ଉପରେ ଗୁରୁତ୍ୱ

 Breaking News

ରଥଯାତ୍ରା ପାଇଁ ପୋଲିସ ବିଭାଗର ପ୍ରସ୍ତୁତି: ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ରଥଯାତ୍ରା ଉପରେ ଗୁରୁତ୍ୱ

ରଥଯାତ୍ରା ପାଇଁ ପୋଲିସ ବିଭାଗର ପ୍ରସ୍ତୁତି: ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ରଥଯାତ୍ରା ଉପରେ ଗୁରୁତ୍ୱ
May 21
19:26 2026

କଟକ,୨୧/୫ : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ ପୁରୀରେ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ।
ଏହି ଐତିହାସିକ ମହାପର୍ବକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ରଥଯାତ୍ରା ସମୟରେ ସମସ୍ତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରୁ ସମନ୍ୱିତ ଭାବେ କାର‌୍ୟ୍ୟ କରିବାକୁ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଡିଜିପି।
କୌଣସି ପରିସ୍ଥିତିରେ ଯେପରି ତ୍ରୁଟିବିଚ୍ୟୁତି ନ ଘଟେ, ସେଥିପାଇଁ ପ୍ରତ୍ୟେକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ସେ ପରାମର୍ଶ ଦେଇଥିଲେ। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ବିଭିନ୍ନ ରୀତିନୀତି ନିର୍ଦ୍ଦିଷ୍ଟ ତାରିଖରେ ପାଳନ କରାଯିବ ।
ଆସନ୍ତା ଜୁନ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୧୪ ତାରିଖରେ ନବଯୌବନ ଦର୍ଶନ, ଜୁଲାଇ ୧୬ ତାରିଖରେ ରଥଯାତ୍ରା, ଜୁଲାଇ ୨୦ ତାରିଖରେ ହେରା ପଞ୍ଚମୀ, ଜୁଲାଇ ୨୩ ତାରିଖରେ ସନ୍ଧ୍ୟା ଦର୍ଶନ, ଜୁଲାଇ ୨୪ ତାରିଖରେ ବାହୁଡା ଯାତ୍ରା, ଜୁଲାଇ ୨୫ ତାରିଖରେ ସୁନାବେଶ, ଜୁଲାଇ ୨୬ ତାରିଖରେ ଅଧରପଣା ଏବଂ ଜୁଲାଇ ୨୭ ତାରିଖରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ। ଏହି ସମସ୍ତ ଅବସରରେ ଦେଶ-ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀରେ ସମାଗମ ହେବାର ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ ଓ ଅଧିକ ସକ୍ରିୟ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ରଥଯାତ୍ରାରେ ଭକ୍ତମାନଙ୍କ ସୁରକ୍ଷା ଓ ସୁଚାରୁରୁପେ ଭିଡ଼ ନିୟନ୍ତ୍ରଣ କରିବାକୁ ଚଳିତ ବର୍ଷ ଅନେକ ନୂତନ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା କରାଯାଇଛି। ଯାତାୟାତ ଓ ଟ୍ରାଫିକ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ଅତିରିକ୍ତ ୮ଟି ପାର୍କିଂ ସ୍ଥଳୀ ଚିହ୍ନଟ କରାଯାଇଛି। ରଥ ଟଣା ସମୟରେ ରଥଗୁଡ଼ିକର ସୁଗମ ଗତି ସୁନିଶ୍ଚିତ କରିବାକୁ ରଥ ଆଗରେ ସ୍ୱତନ୍ତ୍ର କ୍ଲିୟରାନ୍ସ ପାର୍ଟି ନିୟୋଜିତ କରାଯିବ। ଅଧିକ ଭିଡ଼ ଥିବା ସ୍ଥାନଗୁଡ଼ିକରେ କ୍ରାକ୍ ଟିମ୍ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ।
ଏହାବ୍ୟତୀତ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅତିରିକ୍ତ ସିସିଟିଭି କ୍ୟାମେରା ସ୍ଥାପନ, ଟ୍ରାଫିକ ସୁପରିଚାଳନା ପାଇଁ ରୋଡ ଡିଭାଇଡର, ଡିଲିନେଟର ଏବଂ ଟ୍ରାଫିକ ଜୋନ୍ ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ସୁବିଧା ଏବଂ ଶୃଙ୍ଖଳିତ ଯାତାୟାତ ପରିଚାଳନା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ପୁରୀ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ସମସ୍ତ ଥାନା ଅଞ୍ଚଳରେ ସ୍ୱତନ୍ତ୍ର ଡ୍ରାଇଭ୍ ଚାଲୁ କରିବା, ହୋଟେଲ ଓ ଲଜଗୁଡ଼ିକରେ ନିୟମିତ ଯାଞ୍ଚ କରିବାକୁ ଡିଜିପି ପୁରୀ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ରଥଯାତ୍ରା ସମୟରେ ବାହାର ରାଜ୍ୟର ଅଭ୍ୟାସଗତ ଅପରାଧୀମାନଙ୍କ ଆଗମନ ସମ୍ଭାବନା ଥିବାରୁ ସେମାନଙ୍କ ଫଟୋ ସଂଗ୍ରହ କରି ରେଳ ଷ୍ଟେସନ ଓ ବସ୍‌ଷ୍ଟାଣ୍ଡରେ ଥିବା ଏଲଇଡି ସ୍କ୍ରିନ୍‌ରେ ପ୍ରଦର୍ଶନ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ରକୂଳ ଅଞ୍ଚଳରେ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହାସହ ରେଳବାଇ ପୋଲିସ ପକ୍ଷରୁ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ଜଟଣୀ ରେଳ ଷ୍ଟେସନରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା।
ଏହାସହ ମନ୍ଦିର ନିକଟରେ ରକ୍ଷକ ଯାନ ମୁତୟନ, କ-୯ ସ୍କ୍ୱାଡ୍ ନିୟୋଜନ, ଏନଏସଜି ତାଲିମପ୍ରାପ୍ତ ଏସଓଜି ଟିମ ମୁତୟନ, ଏସଟିୟୁ ଟିମ ନିୟୋଜିତ, ଦଳାଚକଟା ପରି ପରିସ୍ଥିତିକୁ ଏଡାଇବା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ପୋଲିସ ଫୋର୍ସଙ୍କ ରହଣି ପାଇଁ ଆବଶ୍ୟକ ସୁବିଧା, ଶୃଙ୍ଖଳିତ ରଥଟଣା, ବ୍ୟାରିକେଡ୍ ବ୍ୟବସ୍ଥା, ଜିଲା ପ୍ରଶାସନ ସହ ସମନ୍ୱୟ ରଖି ଆଶୁ ସମସ୍ୟାର ସମାଧାନ ଏବଂ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନେଇ ଡିଜିପି ବିସ୍ତୃତ ଆଲୋଚନା କରିଥିଲେ।
ବୈଠକରେ ଆପାତକାଳୀନ ପରିସ୍ଥିତିର ମୁକାବିଲା, ଦୁର୍ଘଟଣା ପରିଚାଳନା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ତ୍ୱରିତ ସମନ୍ୱୟ ସୁନିଶ୍ଚିତ କରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହି ବୈଠକରେ ଡିଜିପି ୟାଇବି ଖୁରାନିଆଙ୍କ ସମେତ କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ର, (ଗୁଇନ୍ଦା) ନିର୍ଦ୍ଦେଶକ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଏବଂ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଓ ପରିବହନ କମିଶନର ଅମିତାଭ ଠାକୁର ,ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930