ଆସନ,ପ୍ରାଣାୟମ,ଏବଂ ଧ୍ୟାନ ହେଉଛି ଯୋଗର ମୂଳଦୁଆ : ଜାତି ,ଧର୍ମ, ବର୍ଣ୍ଣ, ଭାଷା,ଲିଙ୍ଗ ବୟସ ଯୋଗ ସମସ୍ତଙ୍କ ଧ୍ୟାନ ହେଉ : ଆଇନ ମନ୍ତ୍ରୀ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା ,୨୧ /୬ : ଆସନ, ପ୍ରାଣାୟମ ଏବଂ ଧ୍ୟାନ ହେଉଛି ଯୋଗର ମୂଳଦୁଆ। ଯୋଗ କରିବା ଦ୍ୱାରା ଶାରୀରିକ ସୁସ୍ଥତା, ମାନସିକ ସ୍ପଷ୍ଟତା ଏବଂ ଭାବନାତ୍ମକ ସନ୍ତୁଳନକୁ ବୃଦ୍ଧି କରିଥାଏ। ଜାତି, ଧର୍ମ, ବର୍ଣ୍ଣ, ଭାଷା, ଲିଙ୍ଗ ଓ ବୟସର ଉର୍ଦ୍ଧ୍ୱରେ ଉଠି ଯୋଗକୁ ସମସ୍ତଙ୍କ ଦୈନନ୍ଦିନ ଜୀବନର ଅଂଶ କରିବା ଆବଶ୍ୟକ। ଯୋଗ କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ବରଂ ମନକୁ ଶାନ୍ତ ଓ ଚିନ୍ତାଧାରାକୁ ସକାରାତ୍ମକ କରିଥାଏ।”
ଏହା କହିଛନ୍ତି ଓଡ଼ିଶାର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଜିଲ୍ଲା ପ୍ରଶାସନ, ଖୋରଧା, କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଯୋଗ ମହୋତ୍ସବ ସମିତିର ମିଳିତ ଆନୁକୂଳ୍ୟରେ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଉତ୍ସବରେ ଯୋଗଦେଇ ସେ ଏହି ମତ ପ୍ରକାଶ କରିଥିଲେ।
ରବିବାର ସକାଳୁ ଷ୍ଟାଡିୟମ ପରିସର ଯୋଗପ୍ରେମୀଙ୍କ ଉପସ୍ଥିତିରେ ଉତ୍ସବମୁଖର ହୋଇଉଠିଥିଲା।
ଶତାଧିକ ଛାତ୍ରଛାତ୍ରୀ, ଯୁବକ-ଯୁବତୀ, ବରିଷ୍ଠ ନାଗରିକ, ସରକାରୀ ଅଧିକାରୀ ସମାଜସେବୀ ଓ ଗଣମାଧ୍ୟମ ପ୍ରତିନିଧି ଏକାଠି ହୋଇ ଯୋଗାଭ୍ୟାସରେ ସାମିଲ ହୋଇଥିଲେ।
ପ୍ରଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ କହିଥିଲେ ଯେ, ବର୍ତ୍ତମାନର ଚାପପୂର୍ଣ୍ଣ ଜୀବନଶୈଳୀରେ ମନୁଷ୍ୟ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାର ସମ୍ମୁଖୀନ ହେଉଛି। ଏଭଳି ପରିସ୍ଥିତିରେ ଯୋଗ ଏକ ସହଜ, ସରଳ ଓ ପ୍ରାକୃତିକ ଉପାୟ ଭାବେ ସୁସ୍ଥ ଜୀବନର ଦିଗଦର୍ଶନ ଦେଇଥାଏ।
ନିୟମିତ ଯୋଗ ଓ ପ୍ରାଣାୟାମ ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ମାନସିକ ସନ୍ତୁଳନ ମଧ୍ୟ ବଜାୟ ରହିଥାଏ। ସେ ସମସ୍ତଙ୍କୁ ପ୍ରତିଦିନ କିଛି ସମୟ ଯୋଗ ପାଇଁ ବ୍ୟୟ କରିବାକୁ ଆହ୍ୱାନ ଜଣାଇଥିଲେ।
ସମ୍ମାନୀୟ ଅତିଥି ଭାବେ ଖୋରଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ କହିଥିଲେ ଯେ, “ଯୋଗ ହେଉଛି ସବୁଠାରୁ ଶ୍ରେଷ୍ଠ ଔଷଧ।”
ଏହା କେବଳ ଶରୀରକୁ ନିରୋଗ ରଖେ ନାହିଁ, ବରଂ ମନୁଷ୍ୟର ଆତ୍ମିକ ବିକାଶରେ ମଧ୍ୟ ସହାୟକ ହୋଇଥାଏ।
ଧ୍ୟାନ ଓ ଯୋଗ ମାଧ୍ୟମରେ ମନୁଷ୍ୟ ନିଜ ଭିତରେ ଥିବା ଶକ୍ତିକୁ ଚିହ୍ନିପାରେ ଏବଂ ଜୀବନକୁ ସଫଳ ଓ ସାର୍ଥକ କରିପାରେ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ବେଉରା କହିଥିଲେ ଯେ, ଯୋଗ ଭାରତୀୟ ସଂସ୍କୃତିର ଏକ ଅମୂଲ୍ୟ ଐତିହ୍ୟ।
ହଜାର ହଜାର ବର୍ଷ ପୂର୍ବରୁ ଋଷି ମୁନିମାନେ ଯୋଗ ଓ ଧ୍ୟାନ ମାଧ୍ୟମରେ ଆତ୍ମଜ୍ଞାନ ଲାଭ କରୁଥିଲେ। ଆଜି ସମଗ୍ର ବିଶ୍ୱ ଯୋଗର ଉପକାରିତାକୁ ସ୍ୱୀକାର କରିଛି ଏବଂ ଏହାକୁ ଏକ ସୁସ୍ଥ ଜୀବନଶୈଳୀର ଅବିଚ୍ଛିନ୍ନ ଅଂଶ ଭାବେ ଗ୍ରହଣ କରୁଛି।
ଏହି ଅବସରରେ ଜିଲ୍ଲା ଭାଜପା ସଭାପତି ବିଶ୍ୱରଞ୍ଜନ ବଡ଼ଜେନା, ଖୋରଧା ପୌରପରିଷଦର ନିର୍ବାହୀ ଅଧିକାରୀ କାବେରୀ ମୁଦୁଲି, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ଉପଜିଲ୍ଲାପାଳ ସ୍ୱସ୍ତିକ ସଂକଳ୍ପ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହିଆଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ପୌରାଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଯୋଗ ଗୁରୁ ବରୁଣ କୁମାର କବିରାଜଙ୍କ ନେତୃତ୍ୱରେ ଉପସ୍ଥିତ ସମସ୍ତେ ବିଭିନ୍ନ ଯୋଗାସନ, ସୂର୍ଯ୍ୟନମସ୍କାର ଓ ପ୍ରାଣାୟାମର ପ୍ରାୟୋଗିକ ଅଭ୍ୟାସ କରିଥିଲେ।
ଗୁରୁଜଙ୍ଗ ସରସ୍ୱତୀ ଶିଶୁ ମନ୍ଦିର ଏବଂ ଆଚାର୍ଯ୍ୟା ସୌଦାମିନୀ ସାହୁଙ୍କ ସହଯୋଗରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ସୁଚାରୁ ଭାବେ ପରିଚାଳିତ ହୋଇଥିଲା।
ଶେଷରେ ମୁଖ୍ୟ ଅତିଥି ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ଶପଥ ପାଠ କରାଇଥିଲେ। ଉତ୍ସାହ, ଉଦ୍ଦୀପନା ଓ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତାରେ ଭରପୂର ଏହି ଜିଲ୍ଲାସ୍ତରୀୟ ଯୋଗ ଦିବସ କାର୍ୟ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା।
ଯୋଗ ମାଧ୍ୟମରେ ସୁସ୍ଥ ଶରୀର, ସୁସ୍ଥ ମନ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନର ସନ୍ଦେଶ ସମଗ୍ର ଜିଲ୍ଲାରେ ପ୍ରସାରିତ ହୋଇଥିବା ଦେଖିବାକୁ ମିଳିଥିଲା।






