ଡିଜିଟାଲ୍ ବିଦ୍ୟୁତ୍ ବିଲ୍ ପରିଚାଳନା ପାଇଁ ‘ଦୀପ୍ତି’ ପୋର୍ଟାଲ୍ ଶୁଭାରମ୍ଭ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୨୬/୯: ଅଙ୍ଗନୱାଡି କେନ୍ଦ୍ରକୁ ଆହୁରି ସଶକ୍ତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ରାଜ୍ୟବ୍ୟାପୀ ‘ଅଙ୍ଗନ କା ଉତ୍ସବ’ ଅଭିଯାନ। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭର୍ଚୁଆଲ୍ ମାଧ୍ୟମରେ ଏହାର ଶୁଭାରମ୍ଭ କରିବା ସହ ଅଙ୍ଗନୱାଡି କର୍ମୀଙ୍କ ପାଇଁ ଦୁଇଟି ବଡ଼ ଘୋଷଣା କରିଛନ୍ତି।
ସବୁଠାରୁ ବଡ଼ ଖବର ହେଉଛି, ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ବାର୍ଷିକ ପୋଷାକ ଭତ୍ତା ୧,୩୯୦ ଟଙ୍କାରୁ ବଢ଼ି ୧,୫୦୦ ଟଙ୍କା କରାଯାଇଛି। ଏଥିପାଇଁ ସରକାର ୨୨.୩୦ କୋଟି ଟଙ୍କା ବ୍ୟୟ କରିବେ ଏବଂ ରାଜ୍ୟର ପ୍ରାୟ ୧.୪୮ ଲକ୍ଷ ଅଙ୍ଗନୱାଡି କର୍ମୀ ଓ ସହାୟିକା ସିଧାସଳଖ ଉପକୃତ ହେବେ। ଏହି ଭତ୍ତାରେ କେନ୍ଦ୍ର ସରକାର ୬୦୦ ଟଙ୍କା ଏବଂ ରାଜ୍ୟ ସରକାର ୯୦୦ ଟଙ୍କା ଯୋଗାଇବେ।
ବିଦ୍ୟୁତ୍ ବିଲ୍ ପାଇଁ ଆସିଲା DIPTI ପୋର୍ଟାଲ
ଏହି ଅବସରରେ DIPTI (Direct Invoice Payment & Tracking Interface) ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହା ମାଧ୍ୟମରେ ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ରର ବିଦ୍ୟୁତ୍ ବିଲ୍ ଯାଞ୍ଚ, ପୈଠ ଓ ଟ୍ରାକିଂ ସମ୍ପୂର୍ଣ୍ଣ ଡିଜିଟାଲ୍ ବ୍ୟବସ୍ଥାରେ ହେବ। ମହିଳା ଓ ଶିଶୁ ବିକାଶ ବିଭାଗ ଓ ଡିସକମ୍ର ମିଳିତ ପ୍ରୟାସରେ ବିକଶିତ ଏହି ପୋର୍ଟାଲ ଓଡ଼ିଶାର ପ୍ରଥମ ସରକାରୀ ଡିଜିଟାଲ୍ ପାୱାର ବିଲ୍ ମ୍ୟାନେଜମେଣ୍ଟ ସିଷ୍ଟମ୍।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଦ୍ୱାରା ଅଙ୍ଗନୱାଡି କର୍ମୀଙ୍କ ଉପରେ ଥିବା ଆର୍ଥିକ ଓ ପ୍ରଶାସନିକ ଚାପ କମିବ, ଫଳରେ ସେମାନେ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ, ପୋଷଣ ଏବଂ ପ୍ରାଥମିକ ଶିକ୍ଷା ଉପରେ ଅଧିକ ସମୟ ଦେଇପାରିବେ।
୩ ଦିନ ଧରି ଚାଲିବ ଉତ୍ସବ
୨୭ରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟର ୭୪,୨୨୪ ଅଙ୍ଗନୱାଡି କେନ୍ଦ୍ରରେ ‘ଅଙ୍ଗନ କା ଉତ୍ସବ’ ପାଳନ କରାଯିବ। ପୋଷଣ ମାସ ଓ ସେବା ସଂକଳ୍ପ ଅଭିଯାନ ସହ ଜଡ଼ିତ ଏହି କାର୍ଯ୍ୟକ୍ରମରେ ୩୭.୧୧ ଲକ୍ଷରୁ ଅଧିକ ହିତାଧିକାରୀ ଏବଂ ୧୩.୦୩ ଲକ୍ଷ ଶିଶୁ ଅଂଶଗ୍ରହଣ କରିବେ।
ପ୍ରଥମ ଦିନ ପୋଷଣ ପିଠା ଓ ରନ୍ଧନ ପ୍ରତିଯୋଗିତା, ଦ୍ୱିତୀୟ ଦିନ ଶିଶୁଙ୍କ ପାଇଁ ଖେଳ, କାହାଣୀ ଓ ପୋଷ୍ଟିକ ଖାଦ୍ୟ ବଣ୍ଟନ, ତୃତୀୟ ଦିନ ପୋଷଣ, ସୁଭଦ୍ରା, ମମତା, ପିଏମ୍-ଆବାସ ଭଳି ଯୋଜନା ସଚେତନତା କାର୍ଯ୍ୟକ୍ରମ ସହ ‘ତିରଙ୍ଗା ଥାଳି’ ପରିବେଷଣ କରାଯିବ।






