ବାଲେଶ୍ୱରରେ ଏବିଭିପି ଓଡ଼ିଶା ପୂର୍ବର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ : ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି, ଶୈକ୍ଷିକ ଓ ସାମାଜିକ ସ୍ଥିତି ଉପରେ ହେବ ଆଲୋଚନା
ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୨୬/୯ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓଡ଼ିଶା ପୂର୍ବ ପ୍ରାନ୍ତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବାଲେଶ୍ୱର ମୋତିଗଞ୍ଜ ସ୍ଥିତ ରାଜସ୍ଥାନ ଭବନଠାରେ ଅନୁଷ୍ଠିତ ହେବାକୁ ଯାଉଛି।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମସ୍ତ ପ୍ରାନ୍ତ ପଦାଧିକାରୀ, ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ସଦସ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ବିଭାଗ ପ୍ରମୁଖ ଓ ସଂଯୋଜକ, ଜିଲ୍ଲା ପ୍ରମୁଖ ଓ ସଂଯୋଜକ, ସମସ୍ତ ଆୟାମ, ଗତିବିଧି ଓ କାର୍ଯ୍ୟର ପ୍ରାନ୍ତ ପ୍ରମୁଖ ଓ ସଂଯୋଜକ ତଥା ଜିଲ୍ଲା ଓ ବିଭାଗ ଛାତ୍ରୀ ପ୍ରମୁଖଙ୍କୁ ମିଶାଇ ମୋଟ ୧୨୦ ଜଣ ପ୍ରମୁଖ କାର୍ଯ୍ୟକର୍ତ୍ତା ସାମିଲ ହେବେ।
ଏହି କାର୍ଯ୍ୟକାରିଣୀ ବୈଠକରେ ବର୍ତ୍ତମାନ ରାଜ୍ୟରେ ଥିବା ଶୈକ୍ଷିକ ଏବଂ ସାମାଜିକ ପରିସ୍ଥିତି ଉପରେ ବିସ୍ତୃତ ଚର୍ଚ୍ଚା କରାଯିବ। ବିଶେଷ କରି ଶିକ୍ଷା, ସାମାଜିକ, ରାଜ୍ୟର ସୁରକ୍ଷା, ଆର୍ଥିକ ଏବଂ ସମସାମୟିକ ବିଷୟ ଉପରେ ଆଲୋଚନା କରାଯାଇ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ କରାଯିବ।
ଏହା ସହିତ ଆସନ୍ତା ୨୮ ସେପ୍ଟେମ୍ବରରେ ଶୁଭେଚ୍ଛୁ, ପୁରାତନ ଏବଂ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ମଧ୍ୟ ଅନୁଷ୍ଠିତ ହେବ, ଯେଉଁଥିରେ ସମସ୍ତ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିବେ।
ଏହି ବୈଠକରେ ଆଗାମୀ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ଏବିଭିପି ପକ୍ଷରୁ ବଡ଼ ରଣନୀତି ପ୍ରସ୍ତୁତ କରାଯିବ।
ଏଥିପାଇଁ ହେବାକୁ ଥିବା ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକରେ ଓଡ଼ିଶାର ବିଭିନ୍ନ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ୟା ଏବଂ ଆଗାମୀ ନିର୍ବାଚନୀ ରଣନୀତି ଉପରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ। ଏଥିସହ ଏବିଭିପିର ସାଙ୍ଗଠନିକ ସ୍ଥିତି, ଆଗାମୀ ଦିନରେ ସଂଗଠନର ବିସ୍ତାର ଏବଂ ଏହାର ସୁଦୃଢ଼ୀକରଣକୁ ନେଇ ବିଶେଷ ସମୀକ୍ଷା ଓ ଚର୍ଚ୍ଚା କରାଯିବ ବୋଲି ଏବିଭିପି ପକ୍ଷରୁ ସୂଚନା ଦିଆଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଏବିଭିପି ଓଡ଼ିଶା ପୂର୍ବର ରାଜ୍ୟ ସହ-ସମ୍ପାଦକ ଉଜ୍ଜ୍ୱଳ ପ୍ରଦୀପ ସାମଲ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କ୍ଷୀରୋଦ ପଣ୍ଡା ଓ ଜ୍ୟୋତିରେଖା ଭୂୟାଁ, ପ୍ରାନ୍ତ ଗଣମାଧ୍ୟମ ସହ – ସଂଯୋଜକ ଓମକାର ମହାନ୍ତି ଏବଂ ବାଲେଶ୍ୱର ଜିଲ୍ଲା ସଂଯୋଜକ ଜୀତମ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।






