Indus Valley Times

ଗଜପତି : ଲଗାଣ ବର୍ଷାରେ ଉଜୁଡ଼ିଲା ଚାଷଜମି ଓ ଜଳବନ୍ଦୀ ହେଲା ଗ୍ରାମ: କ୍ଷତିଗ୍ରସ୍ତ ଚାଷଜମି ଓ ଜଳମଗ୍ନ ଗ୍ରାମ ପରିଦର୍ଶନ କଲେ ପାରଳା ବିଧାୟକ

 Breaking News

ଗଜପତି : ଲଗାଣ ବର୍ଷାରେ ଉଜୁଡ଼ିଲା ଚାଷଜମି ଓ ଜଳବନ୍ଦୀ ହେଲା ଗ୍ରାମ: କ୍ଷତିଗ୍ରସ୍ତ ଚାଷଜମି ଓ ଜଳମଗ୍ନ ଗ୍ରାମ ପରିଦର୍ଶନ କଲେ ପାରଳା ବିଧାୟକ

ଗଜପତି : ଲଗାଣ ବର୍ଷାରେ ଉଜୁଡ଼ିଲା ଚାଷଜମି ଓ ଜଳବନ୍ଦୀ ହେଲା ଗ୍ରାମ: କ୍ଷତିଗ୍ରସ୍ତ ଚାଷଜମି ଓ ଜଳମଗ୍ନ ଗ୍ରାମ ପରିଦର୍ଶନ କଲେ ପାରଳା ବିଧାୟକ
October 29
22:17 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୯/୧୦ : ବାତ୍ୟା “ଅର୍ଣ୍ଣବ” ଯୋଗୁଁ ଲଗାଣ ବର୍ଷାର କରାଳ ପ୍ରଭାବରେ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଦେଖା ଦେଇଛି ଜଳବନ୍ଦୀ ସ୍ଥିତି। ଅନବରତ ତୁହାକୁ ତୁହା ଭୀଷଣ ବର୍ଷା ଯୋଗୁଁ ହଜାର ହଜାର ଏକର ଚାଷଜମି କ୍ଷତିଗ୍ରସ୍ତ ହେବା ସହ ଅନେକ ଗ୍ରାମ ବର୍ତ୍ତମାନ ବର୍ଷାଜଳରେ ଜଳବନ୍ଦୀ ହୋଇ ରହିଛି।
ଏହାକୁ ନେଇ ଚାଷୀଙ୍କ ମହଲରେ ଗଭୀର ଚିନ୍ତା ଓ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଛି ଆଶଙ୍କା। ଦିନରାତି ଏକ କରି ଫସଲ ଅମଳର ସ୍ୱପ୍ନ ଦେଖୁଥିବା ଚାଷୀଙ୍କ ଆଶା ଉପରେ ଲଗାଣ ବର୍ଷା ପାଣି ଫେରାଇ ଦେଇଛି।
ଏଭଳି ଦୁର୍ଦ୍ଦିନ ପରିସ୍ଥିତରେ କ୍ଷତିଗ୍ରସ୍ତ ଚାଷୀ ଓ ଜଳବନ୍ଦୀ ଗ୍ରାମବାସୀଙ୍କ ସମସ୍ୟା ବୁଝିବା ପାଇଁ ଆଗେଇ ଆସିଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ। ସେ ଗୋଷାଣୀ ବ୍ଲକର ବିଭିନ୍ନ କ୍ଷତିଗ୍ରସ୍ତ ଚାଷଜମି ଓ ଜଳମଗ୍ନ ଗ୍ରାମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କ ସମସ୍ୟା ଓ ଦୁର୍ଦ୍ଦଶା ସମ୍ପର୍କରେ ଅବଗତ ହୋଇଥିଲେ।
ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଚାଷଜମି ଜଳମଗ୍ନ ହୋଇ ପଡ଼ିଥିବା ଯୋଗୁଁ ଚାଷୀମାନେ ଗୁରୁତର ଭାବେ କ୍ଷତିର ଶିକାର ହୋଇ ଚାଷୀକୁଳ ବର୍ତ୍ତମାନ ଆଖିରେ ଲୁହ ଗଡ଼ାଇ ଚିନ୍ତାରେ ରହିଛନ୍ତି ।
ଫସଲ ଉପରେ ନିର୍ଭର କରି ପରିବାର ଚଳାଉଥିବା ଚାଷୀଙ୍କ ପାଇଁ ଏହି ପରିସ୍ଥିତି ଏକ ବଡ଼ ଆର୍ଥିକ ସଙ୍କଟ ସୃଷ୍ଟି କରିଛି। ଅନ୍ୟପଟେ, ଗ୍ରାମଗୁଡ଼ିକରେ ବର୍ଷାଜଳ ଜମି ରହିବା ଫଳରେ ସାଧାରଣ ଜୀବନଯାପନ ମଧ୍ୟ ପ୍ରଭାବିତ ହୋଇଛି।
ଚାଷୀଙ୍କ ପରିଶ୍ରମରେ ଉତ୍ପାଦିତ ଫସଲ ନଷ୍ଟ ହେବାର ଆଶଙ୍କା ଏବଂ ଗ୍ରାମରେ ଜଳବନ୍ଦୀ ସମସ୍ୟା ସ୍ଥାନୀୟ ଲୋକଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଏଭଳି ସମୟରେ କ୍ଷତିର ସଠିକ୍ ଆକଳନ, ଜଳ ନିଷ୍କାସନ ଏବଂ ପ୍ରଭାବିତ ପରିବାରଙ୍କୁ ସହାୟତା ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।
କ୍ଷତିର ସଠିକ୍ ଆକଳନ ଓ ଆବଶ୍ୟକ ସହାୟତା ପାଇଁ ଜିଲ୍ଲା ପ୍ରଶାସନ’ଙ୍କ ସମେତ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ବିଧାୟକ ରୂପେଶ ପାଣିଗ୍ରାହୀ ।
ପରିଦର୍ଶନ ସମୟରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀ ଓ ଗ୍ରାମବାସୀ’ଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିବେ ବୋଲି ସମ୍ପୃକ୍ତ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଥିବା ଜଣାପଡ଼ିଛି।
କ୍ଷତିଗ୍ରସ୍ତ ଚାଷଜମିର ଉପଯୁକ୍ତ ଆକଳନ କରାଯାଇ ଚାଷୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦେବା ସହ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ରହିଛି।
ଏଭଳି ବିପଦ ସମୟରେ ଜନପ୍ରତିନିଧି’ଙ୍କ କ୍ଷେତ୍ର ପରିଦର୍ଶନ ଓ ଲୋକଙ୍କ ସମସ୍ୟା ଶୁଣିବା ଦ୍ୱାରା ପ୍ରଭାବିତ ଅଞ୍ଚଳର ବାସ୍ତବ ସ୍ଥିତି ପ୍ରଶାସନ ନିକଟରେ ପହଞ୍ଚିବା ସହ ସହାୟତା ପ୍ରଦାନ ହେବା ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।
ଏହି ଗସ୍ତ ପରିଦର୍ଶନ ସମୟରେ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ସହ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁ, ଜିଲ୍ଲା ପରିଷଦ ସଭ୍ୟ ଏସ୍. ବାଲାରାଜୁଙ୍କ ସମେତ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟାନ୍ୟ ଜନପ୍ରତିନିଧି ଉପସ୍ଥିତ ଥିଲେ।
ସମସ୍ତଙ୍କ ମିଳିତ ପ୍ରୟାସରେ କ୍ଷତିଗ୍ରସ୍ତ ଚାଷୀ ଓ ଜଳବନ୍ଦୀ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ହେବା ସହ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ମିଳିବ ବୋଲି ଆଶା ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031