ଖୋଲିଲା ଭୁବନେଶ୍ୱର ଛାତ୍ର ଅପହରଣ ପଛର ଗୁମର, ସ୍କୁଲ ସାଙ୍ଗ ହିଁ ରଚିଥିଲା ଷଡଯନ୍ତ୍ର
ଭୁବନେଶ୍ବର ୩/୨: ରାଜଧାନୀରୁ ଛାତ୍ର ଇଶାନଙ୍କୁ ଅପହରଣ ମାମଲାରେ ବଡ ଖୁଲାସା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଇଶାନର ସ୍କୁଲ ସାଙ୍ଗ ବୋଲି ଜଣାପଡିଛି । ସେ ସମସ୍ତ ତଥ୍ୟ ଦେଇ ଅପହରଣର ପ୍ଲାନ୍ ପ୍ରସ୍ତୁତ କରିଥିଲେ । ଗିରଫ ପରେ ଅଭିଯୁକ୍ତ ସ୍କୁଲ ସାଙ୍ଗକୁ ଇଶାନ ଚିହ୍ନିଛନ୍ତି । ତେବେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ରିମାଣ୍ଡରେ ଆଣିବ ପୋଲିସ ।
ସୂଚନାଯୋଗ୍ୟ ଯେ, ରବିବାର ଭୁବନେଶ୍ବର ଝାଡପଡା ବ୍ୟବସାୟୀ ରାମରୂପ ଅଗ୍ରୱାଲଙ୍କ ପୁଅ ଇଶାନ ଅଗ୍ରୱାଲଙ୍କୁ ଲକ୍ଷ୍ମୀସାଗର ଅଞ୍ଚଳରୁ ଉଠାଇ ନେଇଥିଲେ ଅପହରଣକାରୀ। ଇଶାନଙ୍କୁ ଛାଡିବା ପାଇଁ ୩୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିଥିଲେ । ଧରାପଡିବା ଭୟରେ ଅପହରଣକାରୀମାନେ ଇଶାନଙ୍କୁ ନେଇ ବିଭିନ୍ନ ସ୍ଥାନରେ କାରରେ ବୁଲୁଥିଲେ । ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ନମ୍ବରରୁ ଫୋନ୍ କରି ରାମରୂପଙ୍କୁ ଟଙ୍କା ମାଗୁଥିଲେ । ନଚେତ ପୁଅକୁ ମାରିଦେବେ ବୋଲି ବେକରେ ଛୁରୀ ଲଗାଇ ଫଟୋ ପଠାଉଥିଲେ । ଏନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ରାମରୂପ । କମିଶନରେଟ୍ ପୋଲିସ ୩ଟି ଟିମ୍ ଗଠନ କରି ଆରମ୍ଭ କରିଥିଲା ଅପରେସନ୍ ।
ଅପହରଣକାରୀମାନେ ବ୍ରହ୍ମପୁର, ନୟାଗଡ ଖୋର୍ଦ୍ଧା ଏଭଳି ୩ଦିନ ମଧ୍ୟରେ କାରରେ ପାଖାପାଖି ୮ ଶହ କିଲୋମିଟର ବୁଲିଥିଲେ । ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ଏମାନଙ୍କୁ ଧରିବା ପୋଲିସ ପାଇଁ କାଠିକର ପାଠ ହୋଇଥିଲେ ବି ପୋଲିସ ଏମାନଙ୍କ ପିଛା କରି ଚାଲିଥିଲା । ଯେଉଁ ଗାଡିରେ ଅପହୃତଙ୍କୁ ରଖିଥିଲେ ସେହି ଗାଡିର ଆଗ ଓ ପଛରେ ଅପହରଣକାରୀଙ୍କ ଅନ୍ୟ ସଦସ୍ୟମାନେ ଏସକର୍ଟ କରି ଯାଉଥିଲେ । ଫୋନ୍ କଲ୍ ଟ୍ରାକ୍ ଧରା ପଡିବା ଭୟରେ ଭିଡିଓ କଲ୍ କରି ବି ଅପହରଣକାରୀ ଧମକ ଦେବା ସହ ରାମରୂପଙ୍କୁ ଟଙ୍କା ମାଗୁଥିଲେ ।
ଛାତ୍ରଙ୍କୁ ଉଦ୍ଧାର ପାଇଁ ସ୍ପେଶାଲ ସ୍କ୍ବାର୍ଡ ଏସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ବରେ ୧୯ ଜଣଙ୍କୁ ନେଇ ୪ଟି ଟିମ୍ ଗଠନ ହୋଇଥିଲା । ସମସ୍ତେ ବନ୍ଧୁକ ସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିଲେ । ଶେଷରେ ଅପହରଣକାରୀ ଧରାପଡିଥିଲେ ପୋଲିସ ହାତରେ । ଅପହରଣରେ ବ୍ୟବହୃତ କାର୍ ଜବତ ହୋଇଛି । ଅଭିଯୁକ୍ତଙ୍କ ପୁରୁଣା ରେକର୍ଡ ପୋଲିସ ଖୋଜୁଛି ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ କହିଛନ୍ତି ।