Indus Valley Times

ବରୀ ଶହୀଦଙ୍କ ଉପଯୁକ୍ତ ସ୍ମୃତିରକ୍ଷା ହେଉ

 Breaking News

ବରୀ ଶହୀଦଙ୍କ ଉପଯୁକ୍ତ ସ୍ମୃତିରକ୍ଷା ହେଉ

August 09
10:03 2025

Odisha Government must pay due honour to Bari martyrs
ସ୍ମରଜିତ ମହାନ୍ତି
ସ୍ୱାଧୀନତା ସଂଗ୍ରାମରେ ଯାଜପୁର ଜିଲ୍ଲାର ଅବଦାନ ବିଶେଷ ମହତ୍ୱ ରଖେ । ସ୍ୱାଧୀନତା ସଂଗ୍ରାମରେ ଯାଜପୁର ଜିଲ୍ଲାର ୪ ଜଣ ମହାନ ଦେଶ ଭକ୍ତ ଦେଶ ପାଇଁ ଶହୀଦୟ ହୋଇଛନ୍ତି । ସେମାନେ ସମସ୍ତେ ବରୀ ଅଞ୍ଚଳର । ଏହି ମହାନ ଦେଶ ଭକ୍ତ ମାନେ ହେଲେ ସାଉଁଟି ମଳିକ, ସାନନ୍ଦ ସ୍ୱାଇଁ, ହାଡ଼ିବନ୍ଧୁ ପଣ୍ଡା ଓ ମାୟାଧର ଭୁଇଁଆ ।
୧୯୪୨ ମସିହା ଗହ୍ମା ପୂର୍ଣ୍ଣିମା ଦିନ କିଛି ସ୍ୱାଧୀନତା ସଂଗ୍ରାମୀଙ୍କୁ ବ୍ରିଟିଶ ପୋଲିସ ଗିରଫ କରିବାକୁ କଳାମାଟିଆକୁ ଆସୁଥିବା ଜାଣି ଗୋପବନ୍ଧୁ ଚୌଧୁରୀଙ୍କ ଡ଼ାକରାରେ ବରୀ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନେ ସେମାନଙ୍କୁ ବିରୋଧ କରିବାକୁ ଏକତ୍ରିତ ହୋଇଥିଲେ । ସେଠାରେ ଏତେ ପରିମାଣର ସ୍ୱାଧୀନତା ସଂଗ୍ରାମୀ ଏକତ୍ରିତ ହେବେ ଏହି କଳନା ବ୍ରିଟିଶ ପୋଲିସ କରିନଥିଲା । ପୋଲିସ ପହଞ୍ଚିବା ପରେ ସଂଗ୍ରାମୀଙ୍କ ଦ୍ୱାରା ଘେରାବନ୍ଦୀ ହୋଇଯାଇଥିଲା । ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ସହିତ ଯୋଗଦେଇଥିଲେ ସାଉଁଟି, ସାନନ୍ଦ, ହାଡ଼ିବନ୍ଧୁ ଓ ମାୟାଧର । ସମସ୍ତଙ୍କ ଆଗରେ ରହି ନିଜ ଦେଶପ୍ରେମକୁ ପରିପ୍ରକାଶ କରୁଥିଲା ବେଳେ ପୋଲିସ ଗୁଳିଚାଳନା କରିଥିଲେ । ସଂଗ୍ରାମୀମାନେ ମାଟିରେ ଲୋଟିପଡିଥିଲା ବେଳେ ଏହି ଚାରିଜଣ କିନ୍ତୁ ପୋଲିସ ଆଗରେ ଛାତି ଦେଖାଇ ଦେଇଥିଲେ । ଗୁଳିମାଡରେ ଏହି ମହାନ ସଂଗ୍ରାମୀଙ୍କ ରକ୍ତରରେ ରକ୍ତ ରଞ୍ଜିତ ହୋଇଥିଲା ଦେଶର ମାଟି । ଆଜିବି ସେମାନଙ୍କ ବଳିଦାନ ବରୀ, ଯାଜପୁର ଜିଲ୍ଲା, ରାଜ୍ୟ ଓ ଦେଶ ମନେପକାଉଛି । ସାରା ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଏମାନଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ।
ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଭାଇ ଗୋପବନ୍ଧୁ ଚୌଧୁରୀ ଜଗତସିଂହପୁରରୁ ବରୀକୁ ଆସି ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଛନ୍ତି । ତାଙ୍କ ସହିତ ତାଙ୍କ ପତ୍ନୀ ରମାଦେବୀ, ପୁତ୍ର ମନମୋହନ ଚୌଧୁରୀ, ପୁତ୍ରବଧୁ ସୁମିତ୍ରା ଚୌଧୁରୀ, ଝିଅ ଚୁନି ଅପା, ଜ୍ୱାଇଁ ଶରତ ଚନ୍ଦ୍ର ମହାରଣାଙ୍କ ସମେତ ବହୁ ସ୍ୱାଧୀନତା ସଂଗ୍ରାମୀ ବରୀରେ ରହି ଆଶ୍ରମ ପ୍ରତିଷ୍ଠା କରି ବିଭିନ୍ନ ରଚନାତ୍ମକ କାର୍ଯ୍ୟ କରିଛନ୍ତି । ବରୀର ଶହ ଶହ ପୁରୁଷ ଓ ମହିଳା ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଛନ୍ତି ନିଜ ପିଲା ପରିବାର ଛାଡି । ଜେଲ ଯାଇ ଅକଥନୀୟ ନିର୍ଯ୍ୟାତନା ସହିଛନ୍ତି । ବରୀରେ ଗୋପବନ୍ଧୁ ଚୌଧୁରୀ ଏକ ନିଷ୍କର ହାଟ ପ୍ରତିଷ୍ଠା କରିଥିଲେ । ଯାହା ଆଜିବି ବରୀ ଅଞ୍ଚଳର ସବୁଠାରୁ ବଡ଼ ହାଟ । ଆଜି ପର୍ଯ୍ୟନ୍ତ ଏହା ନିଷ୍କର ହାଟର ମାନ୍ୟତା ପାଇଛି ।
ବରୀ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମ ବିଷୟରେ ଜାଣି ମହାତ୍ମା ଗାନ୍ଧୀ ବରୀ ଗସ୍ତ କରିଛନ୍ତି । ହରିଜନ ପଦଯାତ୍ରା ସମୟରେ ଗାନ୍ଧୀ ଛତିଆ ବୈରି ରେଳ ଷ୍ଟେସନରେ ଓହ୍ଲାଇ ଚମ୍ପାପୁର ଦେଇ କେନ୍ଦ୍ରାପଡା ଗସ୍ତ କଲାବେଳେ ଧୂମାତ ଦେଇ ଇନ୍ଦୁପୁର ଠାରେ ବ୍ରାହ୍ମଣୀ ଘାଟ ପାର କରି କାଇପଡାରେ ପହଞ୍ଚି ରାତ୍ରି ଯାପନ କରି ପରଦିନ ପଦଯାତ୍ରାରେ ଆସି ବିଭିନ୍ନ ସଭା ସମିତିରେ ଯୋଗଦେଇ ବରୀର ଅନ୍ୟତମ ଜମିଦାର ବାମନ ଚରଣ ଦାସଙ୍କ ଚଉପାଢ଼ୀରେ ରାତ୍ରି ଯାପନ କରିଥିଲେ । ସେଠାରେ ସେ ବାମନ ଚରଣ ଦାସଙ୍କ ବଳଦେବ ଜୀଉ ମନ୍ଦିରରେ ହରିଜନ ପ୍ରବେଶ କରାଇବାକୁ ବାମନ ଚରଣ ଦାସଙ୍କୁ ପରାମର୍ଶ ଦେଇଥିଲେ । ତାଙ୍କ ପରାମର୍ଶ କ୍ରମେ ବାମନ ଚରଣ ଦାସ ତାଙ୍କ ମନ୍ଦିରରେ ହରିଜନ ପ୍ରବେଶ କରାଇଥିଲେ । ରାତ୍ରି ଯାପନ ପରଦିନ ସେ ବାଗଦା ମେଳଣ ପଡ଼ିଆରେ ଏକ ସଭାକୁ ସମ୍ବୋଧନ କରିଥିଲେ । ଏହାପରେ ସେ ବରୁଆଁ ରାଜଘାଟ ପାର ହୋଇ ଯାଜପୁର ଦେଇ ଭଦ୍ରକ ଯାଇଥିଲେ । ହେଲେ ବିଡ଼ମ୍ବନା ବରୀ ଅଞ୍ଚଳର ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ନାମ ଫଳକଟିଏ ଆଜି ପର୍ଯ୍ୟନ୍ତ ସ୍ଥାପିତ ହୋଇ ପାରି ନାହିଁ । ନିଷ୍କର ହାଟ ସ୍ଥାୟୀ ହୋଇ ପାରିଲା ନାହିଁ । ଯେଉଁ ରାସ୍ତା ଦେଇ ଗାନ୍ଧୀ ପଦଯାତ୍ରା କରିଥିଲେ ସେହି ରାସ୍ତାକୁ ଗାନ୍ଧୀ ମାର୍ଗରେ ନାମିତ କରାଯାଇ ପାରିଲା ନାହିଁ ।
ସଂଗ୍ରାମୀଙ୍କ ଦାୟାଦମାନେ ଏବେ ରହିଥିଲା ବେଳେ ସଂଗ୍ରାମୀଙ୍କ ପରିଚୟ ହଜି ହଜିଯାଉଛି । ହୁଏତ ଆଉ କିଛି ବର୍ଷ ପରେ କିଛି ପିଢୀ ପରେ ସେମାନଙ୍କ ନା, ସେମାନଙ୍କ ପରିଚୟ ଲୋକେ ଆଉ ଜାଣିବାକୁ ପାଇବେ ନାହିଁ । ସରକାର ସଂଗ୍ରାମୀ ଓ ତାଙ୍କ ପରିବାରକୁ ସ୍ୱତନ୍ତ୍ର ପରିଚୟ ଦିଅନ୍ତୁ । ସଂଗ୍ରାମୀଙ୍କ ପରିଚୟ ରକ୍ଷା ପାଇଁ ଉଦ୍ୟମ ଟିକିଏ କରନ୍ତୁ । ଏହା କରିବା କଣ ସରକାରଙ୍କ କର୍ତ୍ତବ୍ୟ ନୁହେଁ କି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930