Indus Valley Times

ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ତମ ଜୟନ୍ତୀ

 Breaking News

ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ତମ ଜୟନ୍ତୀ

ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ତମ ଜୟନ୍ତୀ
March 05
12:59 2026

ଭୁବନେଶ୍ୱର, ୫/୩ : ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ତମ ଜୟନ୍ତୀ । ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ବିଜୁ ବାବୁ । ଆଜି ବି ସେ ଓଡ଼ିଶାବାସୀଙ୍କ ମନରେ ତାଙ୍କର ସ୍ମୃତି ତାଜା ହୋଇ ରହିଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୁଅ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓଡ଼ିଶା ବିଧାନସଭା ପରିସରରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।
ବିଜୁ ବାବୁଙ୍କ ପୁରୀ ନାମ ବିଜୟାନନ୍ଦ ପଟ୍ଟନାୟକ । ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଦିନ କଟକର ତୁଳସୀପୁରଠାରେ ଜନ୍ମ ନେଇଥିଲେ । ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କର ତୃତୀୟ ସନ୍ତାନ ଥିଲେ । ସେ ଏକାଧାରାରେ ଜଣେ ଦକ୍ଷ ରାଜନୀତିଜ୍ଞ, ବିମାନ ଚାଳକ ଏବଂ ଫୁଟବଲ୍ ଖେଳାଳୀ ଥିଲେ ।
କଟକର ରେଭେନ୍ସା କଲେଜିଏଟ ସ୍କୁଲରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢ଼ିଥିଲେ । ପାଠପଢ଼ା ସହିତ ଖେଳ ପ୍ରତି ତାଙ୍କର ବେଶ୍ ରୁଚି ରହିଥିଲା । ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡ଼ାଣ ଶିକ୍ଷାରେ ଯୋଗଦେଇଥିଲେ ।
ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ \”ଭୂମିପୁତ୍ର\” ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ସହ, ପୁରସ୍କାର ସ୍ୱରୂପ ମିଳିଥିବା କୋଟି କୋଟି ଟଙ୍କା ସେ ଇଣ୍ଡୋନେସିଆର ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ । ବିଜୁ ପଟ୍ଟନାୟକ ଡାକୋଟା ବିମାନ ଚଳାଉଥିଲେ ।
ବିଜୁ ବାବୁ ଜଣେ ଦକ୍ଷ ରାଜନୀତିଜ୍ଞ ଥିଲେ । ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ପର୍ଯ୍ୟନ୍ତ ସେ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୧୯୪୬ରେ ପ୍ରଥମ ଥର ପାଇଁ ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ଏକାଧିକ ବାର ନିର୍ବାଚନ ଜିତିଛନ୍ତି ।
ସେ କଳିଙ୍ଗ ଟାଇଲ୍ସ୍, କଳିଙ୍ଗ ଟ୍ୟୁବ୍ସ୍, କଳିଙ୍ଗ ଆଇରନ ୱାର୍କ୍ସ୍, କଳିଙ୍ଗ ଏୟାରଲାଇନ୍ସ୍ ଓ କଳିଙ୍ଗ ରିଫ୍ରାକଟୋରିଜ୍ ଆଦି ନିଜ ଉଦ୍ୟମରେ ପ୍ରତିଷ୍ଠା କରିଥିଲେ ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଓୟୁଏଟି, ଆଞ୍ଚଳିକ ଶିକ୍ଷାନୁଷ୍ଠାନ, ଆଞ୍ଚଳିକ ଗବେଷଣା କେନ୍ଦ୍ର, ଭୁବନେଶ୍ୱର ସୈନିକ ସ୍କୁଲ, ଜାତୀୟ ପ୍ରୌଦ୍ୟୋଗିକ ସଂସ୍ଥାନ , ସୁନାବେଡ଼ା ମିଗ୍ ବିମାନ କାରଖାନା, ପାରାଦ୍ୱୀପ ବନ୍ଦର, ଚୌଦ୍ୱାର ଓଡ଼ିଶା ବୟନଶିଳ୍ପ କଳ, ରାଉରକେଲା ଇସ୍ପାତ କଳ ଓ ତାଳଚେର ଥର୍ମାଲ ପ୍ରକଳ୍ପ ଇତ୍ୟାଦି ତାଙ୍କର ଅବଦାନ ଅଟେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930