ଆସନ୍ତା ଦୁଇ ଦିନରେ ରାଜ୍ୟରେ ପ୍ରବଳ ବର୍ଷିବ, ମତ୍ସ୍ୟଜୀବଙ୍କୁ ସମୁଦ୍ର ଯିବା ମନା
![ଆସନ୍ତା ଦୁଇ ଦିନରେ ରାଜ୍ୟରେ ପ୍ରବଳ ବର୍ଷିବ, ମତ୍ସ୍ୟଜୀବଙ୍କୁ ସମୁଦ୍ର ଯିବା ମନା](http://indusvalleytimes.com/news/wp-content/uploads/2019/07/rain-2-680x365_c.jpg)
ଭୁବନେଶ୍ୱର, ୬/୯: ଘୂର୍ଣ୍ଣିବଳୟ ବଳ ଜୁଟାଉଛି । ସୋମବାର ସକାଳ ସୁଦ୍ଧା ଉତ୍ତର ଓ ପାଶ୍ୱର୍ବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ଆସନ୍ତା ଦୁଇଦିନ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ଲାଗି ରହିବ ।
ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ । ଆସନ୍ତା ଦୁଇଦିନ ସମୁଦ୍ର ଅଶାନ୍ତ ରହିବା ସହ ଦକ୍ଷିଣ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି ।
ପାଣିପାଗ ବିଭାଗର ଆକଳନ ହେଲା, ସୋମବାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ପୁରୀ ଜିଲ୍ଲାର ଗୋଟିଏ ବି ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ମାଲକାନଗିରି, ରାୟଗଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ନବରଙ୍ଗପୁରରେ ସ୍ଥାନେ ସ୍ଥାନେ ପ୍ରବଳ ସମ୍ଭାବନା ଅଛି ।
ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଅଛି । ବୁଧବାରଠାରୁ ବର୍ଷା କମିବ । ତେବେ ୧୧ କିମ୍ବା ୧୨ ତାରିଖବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହି ଲଘୁଚାପ ହେଲେ ପୁଣି ବର୍ଷା ବଢ଼ିବ ।
ରବିବାର ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର, କଟକ, ବାଲେଶ୍ୱର, ପୁରୀ, ଅନୁଗୁଳ, କେନ୍ଦୁଝର, ପାରଳାଖେମୁଣ୍ଡି ଓ ମାଲକାନଗିରିରେ ବର୍ଷା ହୋଇଛି । ସନ୍ଧ୍ୟା ପରଠୁ ରାଜ୍ୟର ଅନେକ ସ୍ଥାନେ ପାଗ ବଦଳିଛି । ଆକାଶ ମେଘାଚ୍ଛନ୍ନ ରହିବା ସହ ବହୁ ଜାଗାରେ ବର୍ଷା ହୋଇଛି ।
ରାଜ୍ୟରେ ଜୁନ୍ ୧ରୁ ଆଜି ସୁଦ୍ଧା ୬୮୧.୯ ମିଲିମିଟର ବର୍ଷା ହୋଇଛି । ଏହା ସ୍ୱାଭାବିକଠାରୁ ୩୦% କମ୍ । କଟକ, ଖୋର୍ଦ୍ଧା, ଜଗତସିଂହପୁର, ମାଲକାନଗିରି, କୋରାପୁଟକୁ ବାଦ୍ ଦେଲେ ବାକି ୨୫ ଜିଲ୍ଲାରେ ବର୍ଷା କମ୍ ରହିଛି ।
ଦୁଇଟି ସମ୍ଭାବ୍ୟ ଲଘୁଚାପ ହେଲେ ବର୍ଷା ଅଭାବ କେତେକାଂଶରେ ଭରଣା ହେବ । ଏହାସତ୍ତ୍ୱେ ବି ବହୁ ବିଳମ୍ବ ହୋଇସାରିଥିବାରୁ ଚାଷ ସ୍ଥିତିରେ ବିଶେଷ ସୁଧାର ଆସିବା ସମ୍ଭାବନା କମ୍ ।