Indus Valley Times

ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

 Breaking News

ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

September 06
18:19 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର,୬/୯: ଆସୁଛି ନୂଆଁଖାଇ।ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର।ଆଉ କିଛି ଦିନପରେ ପାଳନ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ।
ଏଥିପାଇଁ ସହର ତଥା ଗ୍ରାମାଞ୍ଚଳ ରେ ଥିବା ହାଟ,ବଜାର,ଛୋଟ ବଡ଼ ଦୋକାନ ମାନଙ୍କରେ ଭିଡ଼ ଜମିବା ଆରମ୍ଭ ହୋଇ ଗଲାଣି।
ମହିଳା ମାନେ ଘର ଦ୍ଵାର ସଫାସୁତୁରା ସାଙ୍ଗକୁ ଲିପାପୋଛା ରେ ବ୍ୟସ୍ତ ରହିଲେଣି।ଗୋଟିଏ ପଟେ ନୂଆଁଖାଇ ପାଳନ ପାଇଁ ଲୋକେ ସଜବାଜ ହେଉଥିବା ବେଳେ ଅନ୍ୟପଟେ ବଜାରରେ ପନିପରିବା ର ଆକାଶ ଛୁଆଁ ଦର।
ପନିପରିବା ବେପାରୀ ମାନେ ମୌକା ଦେଖି ଛକ୍କା ମାରୁଥିବା ବେଳେ ଗରିବ ଖଟିଖିଆ ଙ୍କ ପାଇଁ ଦୁସ୍ତର ହୋଇପଡିଛି ପନିପରିବା ଦର।ପାରମ୍ପରିକ ରୀତି ନୀତି ଅନୁଯାୟୀ ପଞ୍ଚମୀ ତିଥି ରେ ନୂଆଁ ଖିଆ ଯାଇଥାଏ।ନୂଆଁଖାଇ ପୂର୍ବରୁ ଜ୍ୟୋତିଷ ମାନେ ଗଣନା କରି ଅମୃତ ବେଳା ନିର୍ଦ୍ଧାରଣ କରିଥାନ୍ତି।
ଏହି ଦିନ ମାଟି ମାଁ,ଗ୍ରାମ ଦେବାଦେବୀ ତଥା ଘରର ଇଷ୍ଟ ଦେବାଦେବୀ ଙ୍କୁ ପୂଜା କରି ପ୍ରଥମ ଧାନ ଫସଲ ର ଚୁଡ଼ା କୁ ନୂଆଁ ରୂପେ ଭୋଗ ଲଗାଇଥାନ୍ତି। ଏହି ପର୍ବ କେଉଁ ଆବହମାନ କାଳରୁ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ ତଥା ସହରରେ ମହାଆଡ଼ମ୍ବରରେ ପାଳିତ ହୋଇ ଆସୁଛି।ପ୍ରଥମ ନୂତନ ଧାନ ଧରାପୃଷ୍ଟରେ ଉତ୍ପାଦିତ ହେଇଥାଏ।
ସେହି ଧାନ କୁ ଚୁଡ଼ା କରି ଗ୍ରାମ ଦେବାଦେବୀ,ମାଁ ସମଲେଶ୍ଵରୀ,ମାଁ ପାଟନେଶ୍ୱରି ତଥା ଘରର ଦେବା ଦେବୀ ଙ୍କୁ ଅର୍ପଣ କରାଯାଇଥାଏ।ନୂଆଁଖାଇ ର ବିଶେଷ ଆକର୍ଷଣ ହେଉଛି କୁରେଇ ପତ୍ର।ଏହି ପତ୍ର ର ଠୋଲା ରେ ନୂଆଁ ଚୁଡ଼ା ରଖାଯାଇ ପୂଜା ପରେ ଖିଆ ଯାଏ।
ଏହିଦିନ ନୂତନ ବସ୍ତ୍ର ପରିଧାନ ସହ ଘରେ ବିଭିନ୍ନ ପ୍ରକାରର ପିଠା,ମଣ୍ଡା,ଖିରି ତିଆରି କରି ମାଁ ଲକ୍ଷ୍ମୀ ଙ୍କ ସହ ନିଜ ଇଷ୍ଟ ଦେବା ଦେବୀ ଙ୍କୁ ଅର୍ପଣ କରିଥାନ୍ତି। ନୂଆଁଖାଇ ସରିଲା ପରେ ପ୍ରଥା ଅନୁଯାୟୀ ଛୋଟ ମାନେ ବଡ଼ ମାନଙ୍କ ପାଦ ଧରି ମୁଣ୍ଡିଆ ମାରି ତାଙ୍କର ଆଶୀର୍ବାଦ ଗ୍ରହଣ କରିଥାନ୍ତି।
ଏହିଦିନ ଭାଇ ଭାଇ ମଧ୍ୟରେ ଥିବା ଝଗଡ଼ା ମନୋମାଲିନ୍ୟ କୁ ଭୁଲି ଏକାଠି ବସି ନୂଆଁ ଖାଇଥାନ୍ତି।ବନ୍ଧୁ ବାନ୍ଧବ ସମ୍ପର୍କୀୟ ତଥା ସାନ ବଡ଼ ସମସ୍ତେ ଜୁହାର ଭେଟ ହୋଇ ସ୍ନେହ,ଶ୍ରଦ୍ଧା,ଆଦର ରେ ଭାବ ଆଦାନ ପ୍ରଦାନ ହୋଇଥାନ୍ତି।
ଏଣୁ ଏହି ପର୍ବ ଏକ ଭାଇଚାରାର ଉଦାହରଣ। ନୂଆଁଖାଇ ପରଦିନ ପାଳନ ହୁଏ ନୂଆଁଖାଇ ବାସି ତିହାର।ଏହି ଦିନ ଛେଲି,ମେଣ୍ଢା,କୁକୁଡ଼ା ଆଦିଙ୍କ ମାଂସ କୁ ଆଣି ରାନ୍ଧି ବନ୍ଧୁ କୁଟୁମ୍ବ ଏକାଠି ବସି ନୂଆଁଖାଇ ବାସି ର ମଜା ନେଇଥାନ୍ତି।
ଖାଇସାରି ନାଚ ଗୀତ ର ଆସର୍ ଜମେ।ଡାଲଖାଇ,ରସରକେଲି,ମାଏଲାଜଡ ଆଦି ପାରମ୍ପରିକ ଗୀତ ବାଦ୍ୟ ନାଚରେ ଦୁଲୁକି ଉଠେ ଗାଁ ଠୁ ସହର। ଚଳିତ ବର୍ଷ ଭଲ ବର୍ଷା ଯୋଗୁଁ ଭଲ ଫସଲ ହେବାର ଆଶା ରଖି ଚାଷୀ ମହଲରେ ଉତ୍ସାହ ଦେଖା ଦେଇଥିବା ପରିଲକ୍ଷିତ ହୁଏ।
ଏହି ପର୍ବରେ ସାମିଲ ହେବା ପାଇଁ ଦେଶ ବିଦେଶରେ ରହୁଥିବା ଆତ୍ମୀୟ ସୋଦର ମାନେ ଘରକୁ ଫେରୁଥିବା ବେଳେ ସମସ୍ତଙ୍କ ମନରେ ଉତ୍ସାହ ଦେଖା ଦେଇଛି।ଅନୁମାନ କରାଯାଉଛି ଚଳିତ ବର୍ଷ ଏହି ପର୍ବ ଉତ୍ସାହ ର ସହ ମହାଆଡ଼ମ୍ବରରେ ପାଳିତ ହେବ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31