Legatus

ଏସଡିସିରେ ସାମିଲ୍ ହେଲା ଆଉ ୧୪ ଜିଲ୍ଲା, ଖର୍ଚ୍ଚ ହେବ ୨୨୩ କୋଟି ଟଙ୍କା

 Breaking News

ଏସଡିସିରେ ସାମିଲ୍ ହେଲା ଆଉ ୧୪ ଜିଲ୍ଲା, ଖର୍ଚ୍ଚ ହେବ ୨୨୩ କୋଟି ଟଙ୍କା

ଏସଡିସିରେ ସାମିଲ୍ ହେଲା ଆଉ ୧୪ ଜିଲ୍ଲା, ଖର୍ଚ୍ଚ ହେବ ୨୨୩ କୋଟି ଟଙ୍କା
May 14
18:40 2023

ଭୁବନେଶ୍ବର,୧୪/୫: ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଦେଶ। ଜଗନ୍ନାଥ ସଂସ୍କୃତି ସହିତ ଆମର ଜନଜାତି ସଂସ୍କୃତିର ଗଭୀର ସଂପର୍କ ରହିଛି। ପ୍ରକୃତି ଓ ପରିବେଶର ବିଶେଷ ଗୁରୁତ୍ବ ରହିଛି। ପ୍ରକୃତି, ପୂଜା ଓ ଭାଇଚାରା ଆଦିବାସୀ ସଂସ୍କୃତିର ମୁଖ୍ୟ ଆଧାର। ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ରାଜନୀତି ଆଦି ବିଭିନ୍ନ କ୍ଷେତ୍ରରେ ଆଦିବାସୀମାନେ ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ମୁଁ ସେମାନଙ୍କର ଅବଦାନ ପାଇଁ ଗର୍ବିତ। ରାଜ୍ୟର ୧୪ଟି ଜିଲ୍ଲା (ଅନୁଗୁଳ, ବଲାଙ୍ଗୀର, ବାଲେଶ୍ବର, ବରଗଡ଼, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଂଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼ ଏବଂ ସମ୍ବଲପୁର)ର ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ଭୁବନେଶ୍ବର ୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆରେ ସନ୍ଧ୍ୟା ୫.୩୦ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବିକାଶର ପରିଭାଷାରେ କଳା ଓ ସଂସ୍କୃତିର ଭୂମିକା ସ୍ବତନ୍ତ୍ର। ତେଣୁ ଜନଜାତି କଳା ଓ ସଂସ୍କୃତିର ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି। ରାଜ୍ୟରେ ୬୨ଟି ଆଦିବାସୀ ଗ୍ରୁପ ରହିଛନ୍ତି। ତେଣୁ ଛୋଟବଡ଼ ସବୁ ବ୍ଲକର ସାଂସ୍କୃତିକ ସୁରକ୍ଷା ହେଉଛି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଲକ୍ଷ୍ୟ। ୨୦୧୮ରୁ ୯ଟି ଜିଲ୍ଲାରେ ଏହା କାମ କରୁଥିଲା। ଏଥିରେ ୬୦ଲକ୍ଷରୁ ଅଧିକ ଜନଜାତି ବନ୍ଧୁମାନେ ସାମିଲ ଥିଲେ ।
ଏବେ ଆଉ ୧୪ଟି ନୂଆ ଜିଲ୍ଲା ସାମିଲ ହେଲା। ମୋଟ ୧୭୨ ବ୍ଲକର ୮୦ଲକ୍ଷରୁ ଅଧିକ ଜନଜାତିର ଭାଇଭଉଣୀ ଏହି ସ୍ବତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ହେଲେ। ଆଦିବାସୀ ଓ କଳା ଓ ସଂସ୍କୃତିର ବିକାଶ ପାଇଁ ରାଜ୍ୟ ସରକାର ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ୨୨୩ କୋଟି ଟଙ୍କା ଖର୍ଚ୍ଚ କରିବେ। ଆଦିବାସୀଙ୍କ କଳା ଓ ସଂସ୍କୃତି ବିଷୟରେ ଜାଣିବାକୁ ସମସ୍ତଙ୍କର ଆଗ୍ରହ ରହିଛି। ଭୁବନେଶ୍ବରର ଆଦିବାସୀ ସଂଗ୍ରହାଳୟ ପର‌୍ୟ୍ୟଟକମାନଙ୍କର ଗୁରୁତ୍ବପୂର୍ଣ୍ଣ ସ୍ଥାନ ପାଲଟିଛି। ଜନଜାତିଙ୍କୁ ସଶକ୍ତ କରିବା ଏହି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଲକ୍ଷ୍ୟ।
ଏହି ଅବସରରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଜନଜାତି ଉନ୍ନୟନ ପରିଷଦର ପରାମର୍ଶଦାତା ପ୍ରଦୀପ ମାଝି, ବରିଷ୍ଠ ଅଧିକାରୀ, ବିଭିନ୍ନ ଜିଲ୍ଲାରୁ ଆସିଥିବା ଆଦିବାସୀ ସଂପ୍ରଦାୟର ନାଗରିକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଆମ ରାଜ୍ୟର ମୋଟ ଜନସଂଖ୍ୟାରୁ ୨୨ ପ୍ରତିଶତରୁ ଅଧିକ ହେଉଛନ୍ତି ଆଦିବାସୀ। ଆଦିବାସୀ ସଂସ୍କୃତିକୁ ବଞ୍ଚାଇ ରଖିବା ଓ ସେମାନଙ୍କର ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ହୋଇଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31