Indus Valley Times

ଓଡ଼ିଶାର ୪ଜଣଙ୍କୁ ପଦ୍ମ ପୁରସ୍କାର

 Breaking News

ଓଡ଼ିଶାର ୪ଜଣଙ୍କୁ ପଦ୍ମ ପୁରସ୍କାର

ଓଡ଼ିଶାର ୪ଜଣଙ୍କୁ ପଦ୍ମ ପୁରସ୍କାର
January 26
17:21 2025

ଓଡ଼ିଶା, ୨୬/୧ : ଦେଶର ପ୍ରତିଷ୍ଠିତ ନାଗରିକ ସମ୍ମାନ ‘ପଦ୍ମ’ ପୁରସ୍କାର ଶନିବାର ସନ୍ଧ୍ୟାରେ ଘୋଷଣା ହୋଇଛି । ୨୦୨୫ ମସିହା ସାଧାରଣତନ୍ତ୍ର ଦିବସର ଠିକ୍ ପୂର୍ବରୁ ଘୋଷିତ ପଦ୍ମ ପୁରସ୍କାର ପାଇଁ ଓଡ଼ିଶାର ୪ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମନୋନୀତ କରାଯାଇଛି ।
ମେଡିସିନ୍ କ୍ଷେତ୍ରରେ ପ୍ରତିଷ୍ଠିତ ଡାକ୍ତର ଅଶୋକ କୁମାର ମହାପାତ୍ର , ଓଡ଼ିଶୀରେ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, ଢେଙ୍କାନାଳର ସ୍ଥପତି ଆଦିତ୍ୟ ଗଡ଼ନାୟକ ଓ ବିଶିଷ୍ଟ ସାହିତ୍ୟିକ ପ୍ରତିଭା ଶତପଥୀଙ୍କୁ ଚଳିତବର୍ଷ ଏହି ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛି । ରାଷ୍ଟ୍ରପତି ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ଏହି ପଦ୍ମ ବିଜେତାଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ସମ୍ବର୍ଦ୍ଧିତ କରିବାର କାର‌୍ୟ୍ୟକ୍ରମ ରହିଛି ।
ଡାକ୍ତର ଅଶୋକ କୁମାର ମହାପାତ୍ର
ଭୁବନେଶ୍ୱର ଏମସର ଅବସରପ୍ରାପ୍ତ ନିର୍ଦ୍ଦେଶକ ତଥା ଦେଶର ପ୍ରତିଷ୍ଠିତ ନ୍ୟୁରୋସର୍ଜନ ଭାବେ ପରିଚିତ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ପୁରୀରେ ଜନ୍ମିତ ଡାକ୍ତର ମହାପାତ୍ର ଏମସରେ ପ୍ରାୟ ୪୨ବର୍ଷ ଚାକିରି ଜୀବନ ବିତାଇବା ପରେ ଏବେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟରତ ଅଛନ୍ତି । ସେ ଲକ୍ଷ୍ନୌସ୍ଥିତ ସଞ୍ଜୟଗାନ୍ଧି ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ଡାକ୍ତର ମହାପାତ୍ର ୧୬ଟି ପୁସ୍ତକ ସମେତ ୮୭୦ଟି ଗବେଷଣାତ୍ମକ ପେପର ପ୍ରକାଶିତ କରିଛନ୍ତି । ସେ ପ୍ରାୟ ୧୦କୋଟି ଟଙ୍କା ରିସର୍ଚ୍ଚ ଅନୁଦାନ ଆକାରରେ ମଧ୍ୟ ପାଇଛନ୍ତି ।
ପ୍ରତିଭା ଶତପଥୀ
କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ପାଇଥିବା ୮୦ବର୍ଷୀୟା ପ୍ରତିଭା ଶତପଥୀ ଓଡ଼ିଶାର ଜଣେ ପ୍ରତିଷ୍ଠିତ କବି ଓ ସାହିତ୍ୟିକା ଭାବେ ପରିଚିତ । ତାଙ୍କ ଦ୍ୱାରା ରଚିତ ଅନେକ କବିତା ପୁସ୍ତକର ହିନ୍ଦି ଅନୁବାଦ ମଧ୍ୟ ହୋଇ ପାଠକୀୟ ଆଦୃତି ଲାଭ କରିଛି ।
ଆମ କବିତା, ଅଧା ଅଧା ନକ୍ଷତ୍ର, ତନ୍ମୟ ଧୂଳି,କହି ନହେଲେ ଆଦି କବିତା ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ରାଜ୍ୟ ସାହିତ୍ୟ ଏକାଡେମୀ, ଶାରଳା ପୁରସ୍କାର ମଧ୍ୟ ପାଇଛନ୍ତି।
ଦୁର୍ଗାଚରଣ ରଣବୀର
ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀରଙ୍କ ନୃତ୍ୟ ଶିକ୍ଷା ପ୍ରଦାନରେ ୨୫ରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି । ଭୁବନେଶ୍ୱର, କଟକ, ନୂଆଦିଲ୍ଲୀ, କୋଲକାତା ଓ ଆମେରିକା ସମେତ ବହୁ ସ୍ଥାନରେ ସେ ନୃତ୍ୟ ଶିକ୍ଷା ପ୍ରଦାନ କରିଛନ୍ତି ।
ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଂସ୍କୃତିକ ପରିଷଦର ଭିଜିଟିଂ ପ୍ରଫେସର ମଧ୍ୟ ଥିଲେ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ସଙ୍ଗୀତ ନିକେତନ, ଲଳିତ କଳା ପୀଠ ସମେତ କୋଲକାତାର ଶତାବ୍ଦୀ ନୃତ୍ୟୟନା ଓ ନ୍ୟୁୟର୍କର ଲୋଟସ ଆର୍ଟରେ ସେ ନୃତ୍ୟଗୁରୁ ଭାବେ କାର୍ଯ୍ୟ କରିଚନ୍ତି । ସେ ନିଜର ଗୋଟିଏ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟାୟନ’ ଭୁବନେଶ୍ୱରରେ ସ୍ଥାପନ କରିଛନ୍ତି ।
ଆଦିତ୍ୟ ଚରଣ ଗଡ଼ନାୟକ
ଢେଙ୍କାନାଳରେ ଜନ୍ମିତ ସ୍ଥପତି ଆଦିତ୍ୟ ଗଡ଼ନାୟକଙ୍କୁ ‘କଳା’ କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ୬୨ବର୍ଷୀୟ ଶ୍ରୀ ଗଡ଼ନାୟକ ଏବେ କିଟ୍ ବିଶ୍ୱବିଦ୍ୟାଳୟର ସ୍ଥପତି ସ୍କୁଲର ମୁଖ୍ୟ ଭାବେ କାର‌୍ୟ୍ୟରତ ଅଛନ୍ତି ।
ଭାରତର ଜଣେ ଜଣାଶୁଣା ସ୍ଥପତି ଭାବେ ଜଣାଶୁଣା ଶ୍ରୀ ଗଡ଼ନାୟକ ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ ମଡ଼ର୍ଣ୍ଣ ଆର୍ଟ ଗ୍ୟଲେରୀର ଡିଜି ଭାବେ କାର୍ଯ୍ୟ କରିଛନ୍ତି ।
ବିକେ ଆର୍ଟ କଲେଜ ଓ ଲଣ୍ଡନର ସ୍ଲାଡେ ସ୍କୁଲ ଅଫ ଫାଇନ ଆର୍ଟରୁ ଡିଗ୍ରୀ ହାସଲ କରିଥିବା ଶ୍ରୀ ଗଡ଼ନାୟକ ନୂଆଦିଲ୍ଲୀର ରାଜଘାଟଠାରେ ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି ସ୍ଥାପନ ଓ ନ୍ୟାସନାଲ ପୁଲିସ ମେମୋରିଆଲରେ ସେଂଟ୍ରାଲ ମେମୋରିଆଲ ଷ୍ଟ୍ରକଚର ସ୍ଥାପନ ଓ ନ୍ୟାସନାଲ ୱାର ମୋମେରିଆଲ କମ୍ପେ୍ଲକ୍ସରେ ସୁଭାଷ ଚନ୍ଦ୍ର ବୋଷଙ୍କ ମୂର୍ତ୍ତି ସ୍ଥାପନରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିଲେ ।
ସୂଚନାଯୋଗ୍ୟ, ଚଳିତବର୍ଷ ପଦ୍ମ ପୁରସ୍କାର ପାଇଁ ରାଷ୍ଟ୍ରପତି ମୋଟ ୧୩୯ଜଣଙ୍କ ନାଁ ଅନୁମୋଦନ କରିଛନ୍ତି । ଏଥିରେ ୭ଜଣଙ୍କୁ ପଦ୍ମବିଭୂଷଣ, ୧୯ଜଣଙ୍କୁ ପଦ୍ମଭୂଷଣ ଓ ୧୧୩ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ । ୨୩ଜଣ ମହିଳା ଥିବାବେଳେ ୧୦ଜଣ ପ୍ରବାସୀ ଭାରତୀୟ ଓ ୧୩ଜଣଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ମିଳିବ ବୋଲି ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031