Indus Valley Times

ଖୋରଧା ଜିଲ୍ଲା ପେନ୍ସନର୍ସ ଆସୋସିଏସନର ବାର୍ଷିକ ଉତ୍ସବ, ଭବନ ନିର୍ମାଣ ପାଇଁ ସହଯୋଗର ପ୍ରତିଶୃତି ଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

 Breaking News

ଖୋରଧା ଜିଲ୍ଲା ପେନ୍ସନର୍ସ ଆସୋସିଏସନର ବାର୍ଷିକ ଉତ୍ସବ, ଭବନ ନିର୍ମାଣ ପାଇଁ ସହଯୋଗର ପ୍ରତିଶୃତି ଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଖୋରଧା ଜିଲ୍ଲା ପେନ୍ସନର୍ସ ଆସୋସିଏସନର ବାର୍ଷିକ ଉତ୍ସବ, ଭବନ ନିର୍ମାଣ ପାଇଁ ସହଯୋଗର ପ୍ରତିଶୃତି ଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
July 28
10:29 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୮/୭ : ଅବସରପ୍ରାପ୍ତ କର୍ମଚାରୀ ମାନେ ନିଜ କର୍ମମୟ ଜୀବନରୁ ଅର୍ଜନ କରିଥିବା ଦୀର୍ଘ ଅନୁଭବ, ଜ୍ଞାନ ଓ ପ୍ରଶାସନିକ ଦକ୍ଷତାକୁ ସମାଜର କଲ୍ୟାଣରେ ବିନିଯୋଗ କରିବା ସହ ଯୁବପିଢ଼ିକୁ ଦିଗଦର୍ଶନ ଦେବା ଆବଶ୍ୟକ ବୋଲି ଖୋରଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ କହିଛନ୍ତି।
ଖୋରଧା ଜିଲ୍ଲା ପେନସନର୍ସ ଆସୋସିଏସନର ବାର୍ଷିକ ଉତ୍ସବ ଶ୍ୟାମା ମାଧବ ବାସନ୍ତୀ ଦେବୀ ପାଠାଗାର ସଭାଗୃହରେ ଆସୋସିଏସନର ସଭାପତି ଭୀମସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ଜଗଦ୍ଦେବ କହିଥିଲେ ଯେ, ଖୋରଧା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସାଧାରଣ ଲୋକଙ୍କ ସହଯୋଗ, ପରାମର୍ଶ ଓ ସଚେତନ ଭାଗୀଦାରି ଅତ୍ୟନ୍ତ ଜରୁରୀ। ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପାଖରେ ଥିବା ପ୍ରଶାସନିକ ଅଭିଜ୍ଞତା ଓ ଦକ୍ଷତା ଜିଲ୍ଲାର ବିକାଶମୂଳକ କାର୍ଯ୍ୟରେ ସହାୟକ ହୋଇପାରିବ।
ସେ କହିଥିଲେ ଯେ, ୧୯୮୮ ମସିହାରେ ପଞ୍ଜିକୃତ ହୋଇଥିବା ଖୋରଧା ଜିଲ୍ଲା ପେନସନର୍ସ ଆସୋସିଏସନର ଏପର୍ଯ୍ୟନ୍ତ ନିଜସ୍ୱ ଭବନ ନ ଥିବା ଦୁଃଖଦାୟକ।
ଏହି ସଂଗଠନର ନିଜସ୍ୱ ପେନସନର୍ସ ଭବନ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ ପ୍ରକାର ସହଯୋଗ ଓ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକଙ୍କ ଏହି ଘୋଷଣାକୁ ଉପସ୍ଥିତ ପେନସନର୍ସମାନେ ସ୍ୱାଗତ କରିଥିଲେ।
ଏହି ଅବସରରେ ଦୀର୍ଘ ବର୍ଷ ଧରି ଆସୋସିଏସନକୁ ସୁଦୃଢ଼ ଭାବେ ପରିଚାଳନା କରିଆସୁଥିବା ସମ୍ପାଦକ ହାଜୀ ନସିମୁଦ୍ଦିନ୍ ଖାଁଙ୍କୁ ବିଧାୟକ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ସଂଗଠନର ବିକାଶ ଓ ପେନସନର୍ସଙ୍କ ସ୍ୱାର୍ଥ ସୁରକ୍ଷା କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ଅବଦାନକୁ ବକ୍ତାମାନେ ଉଚ୍ଚ ପ୍ରଶଂସା କରିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖୋରଧା ର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର କହିଥିଲେ ଯେ, ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀମାନେ ନିଜ କର୍ମଜୀବନରେ ସମାଜ ଓ ସରକାରଙ୍କ ସେବା କରିଛନ୍ତି।
ଅବସର ପରେ ମଧ୍ୟ ସେମାନେ ନିଜର ଅଭିଜ୍ଞତାକୁ ସମାଜର କଲ୍ୟାଣରେ ବିନିଯୋଗ କରିବା ସହ ଆଧ୍ୟାତ୍ମିକ ଚିନ୍ତନ, ସମାଜସେବା ଓ ନୈତିକ ମୂଲ୍ୟବୋଧର ପ୍ରଚାରରେ ସକ୍ରିୟ ରହିବା ଆବଶ୍ୟକ।
ସେ ସମସ୍ତ ପେନସନର୍ସଙ୍କ ସୁସ୍ଥ, ସକ୍ରିୟ ଓ ଗୌରବମୟ ଅବସର ଜୀବନ କାମନା କରିଥିଲେ।
ଉପସଭାପତି ବିମଳ ଚନ୍ଦ୍ର ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆସୋସିଏସନର ସମ୍ପାଦକ ହାଜୀ ନସିମୁଦ୍ଦିନ୍ ଖାଁ ବାର୍ଷିକ ବିବରଣୀ ପାଠ କରି ସଂଗଠନର ବର୍ଷ ବ୍ୟାପୀ କାର୍ଯ୍ୟକଳାପ, ସାମାଜିକ ଅବଦାନ ଓ ପେନସନର୍ସଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।
ସେ ପେନସନ ସମ୍ବନ୍ଧୀୟ ବିଭିନ୍ନ ଦାବି ଉପସ୍ଥାପନ କରି ସରକାର ସେଗୁଡ଼ିକର ଶୀଘ୍ର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି କରିଥିଲେ।
କାର୍ଯ୍ୟକାରୀ ସଭାପତି ମାୟାଧର ମହାଲିକ, ଉପଦେଷ୍ଟା ସତ୍ୟବାଦୀ ବଳିଆରସିଂହ, ପୂର୍ବତନ ଆରକ୍ଷୀ ଅଧୀକ୍ଷକ ଦେବପ୍ରସାଦ ମଜୁମଦାର ଏବଂ ସମାଜସେବୀ ଦିଲ୍ଲୀପ କୁମାର ହୋତା ପ୍ରମୁଖ ଅବସରପ୍ରାପ୍ତ କର୍ମଚାରୀଙ୍କ ଏକତା, ପାରସ୍ପରିକ ସହଯୋଗ ଓ ସାମାଜିକ ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ। ଅବସର ଜୀବନକୁ ସମାଜସେବା, ଜନସଚେତନତା ଓ ମାନବିକ କାର୍ଯ୍ୟରେ ଉତ୍ସର୍ଗ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ।
କୃଷ୍ଣଚନ୍ଦ୍ର ହରିଚନ୍ଦନ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଡା. ବାସୁଦେବ ପାତ୍ର, ଡା. ଚପଳା କୁମାରୀ ପଣ୍ଡା, ଶତ୍ରୁଘ୍ନ ବିଷୋଇ, ପ୍ରଫୁଲ୍ଲ କୁମାର ସାହୁ, ପ୍ରାଧ୍ୟାପକ ମନମୋହନ ବଳିଆରସିଂହ, ଶାନ୍ତିଲତା ବଳିଆରସିଂହ, ବିନାୟକ ପାଇକରାୟ, ବିଭୂତିଭୂଷଣ ମହାପାତ୍ର, ବ୍ରଜେଶ୍ୱର ପତି, ବୈକୁଣ୍ଠନାଥ ମହାପାତ୍ର, ସନାଉଲା ଖାଁ ଓ ବୈଦ୍ୟନାଥ ବରାଳ ପ୍ରମୁଖ ପେନସନର୍ସଙ୍କ ବିଭିନ୍ନ ସମସ୍ୟା, ସ୍ୱାସ୍ଥ୍ୟ ସୁରକ୍ଷା, ସାମାଜିକ ସୁରକ୍ଷା, ପେନସନ ସୁବିଧା ଓ କଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ନିଜ ମତ ରଖିଥିଲେ।
ଶେଷରେ ଯୁଗ୍ମ ସମ୍ପାଦକ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ବହୁ ସଂଖ୍ୟକ ଅବସରପ୍ରାପ୍ତ କର୍ମଚାରୀ, ଅଧିକାରୀ ଓ ସଂଗଠନର ସଦସ୍ୟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ସଭା ଶେଷରେ ସମସ୍ତେ ସଂଗଠନର ଏକତାକୁ ଆହୁରି ସୁଦୃଢ଼ କରିବା ସହ ପେନସନର୍ସଙ୍କ ସ୍ୱାର୍ଥରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930