Indus Valley Times

ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲିଲେ ଏସ୍ପି, ଶୃଙ୍ଖଳିତ ଭସାଣି ଉପରେ ଗୁରୁତ୍ୱ

 Breaking News

ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲିଲେ ଏସ୍ପି, ଶୃଙ୍ଖଳିତ ଭସାଣି ଉପରେ ଗୁରୁତ୍ୱ

ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲିଲେ ଏସ୍ପି, ଶୃଙ୍ଖଳିତ ଭସାଣି ଉପରେ ଗୁରୁତ୍ୱ
October 12
10:49 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୨/୧୦ : ଖୋର୍ଦ୍ଧା ସହରର ବିଭିନ୍ନ ବଜାର କମିଟି ,କ୍ଳବ ,ଯୁବକ ସଙ୍ଘ ପକ୍ଷରୁ ପୂଜା ପାଉଥିବା ମା ଗଜଲକ୍ଷ୍ମୀ ପୂଜା ଖୁବ ଧୁମଧାମରେ ପାଲିତ ହେଉଛି।
ଖୋର୍ଦ୍ଧାରେ ଗଜଲକ୍ଷ୍ମୀ ପୂଜା ଭାଇଚାରର ପର୍ବ। ଏଠାରେ ସବୁ ସମ୍ପ୍ରଦାୟର ଲୋକମାନେ ପୂଜାରେ ନିଜକୁ ସାମିଲ କରିଥାନ୍ତି। ମା’ଗଜଲକ୍ଷ୍ମୀଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ଖୋର୍ଦ୍ଧା ସହର। ସବୁଠି ରହିଛି ଉତ୍ସାହର ମାହୋଲ। ମନ୍ତ୍ର ଉଚ୍ଚାରଣ, ଘଣ୍ଟ କାହାଳି,ସାଂସ୍କୃତିକ କାର୍ଯ୍ୟକ୍ରମ, ବାଦ୍ୟଯନ୍ତ୍ରରେ କମ୍ପୁଛି ପୂଜାମଣ୍ଡପ। ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର ।
ସହରର ୩୨ ମଣ୍ଡପରେ ପୂଜା ପାଉଛନ୍ତି ମା’। ଶୁକ୍ରବାର ଖୋର୍ଦ୍ଧା ଏସ୍‌ପି ବିବେକାନନ୍ଦ ଶର୍ମା, ପୌରାଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ସୌର୍ଯ୍ୟରଞ୍ଜନ ମହାନ୍ତି, ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ ପ୍ରମୁଖ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଥିଲେ।
ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏସ୍ପି ଶ୍ରୀଶର୍ମା ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରୁଥିବା ଦେଖୁବାକୁ ମିଳିଥିଲା। ଅନ୍ୟପକ୍ଷରେ ଆସନ୍ତା ୧୨ ତାରିଖ ରବିବାର ମିଳିତ ଭସାଣି ଉତ୍ସବ ଅନୁଷ୍ଠିତ ହେବ।
ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପୂଜା ମଣ୍ଡପ ଗୁଡିକ ବୁଲି ଆସନ୍ତା କାଲି ହେବାକୁ ଥିବା ଭସାଣି ଉତ୍ସବରେ ଡିଜେ ମୁକ୍ତ ଭସାଣି ଓ ଶାନ୍ତି ଶୃଙ୍ଖଳା ସମ୍ପର୍କରେ ପୂଜା କମିଟିର କର୍ମକର୍ତ୍ତାଙ୍କୁ ଅବଗତ କରୁଥିବାର ଦେଖିବାକୁ ମିଳିଛି । ଟାଉନ ହଲ୍ ନିକଟରେ ମଞ୍ଚ ପ୍ରସ୍ତୁତ କରାଯାଉଛି। ପ୍ରଶାସନ ଏବଂ ଭସାଣି ଉତ୍ସବ କମିଟି ପକ୍ଷରୁ ଶୋଭାଯାତ୍ରା ରୁଟ୍ ଫାଇନାଲ କରାଯାଇଛି।
ଏହି ରୁଟରେ ଥିବା ବଡ଼ଗଛ ଏବଂ ରାସ୍ତାର ଆବଶ୍ୟକ ମରାମତି କରାଯାଇଛି ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା କହିଛନ୍ତି ଯେ, ପୂର୍ବ ନିଷ୍ପତ୍ତି ଅନୁଯାୟୀ ଭସାଣି ଶୋଭଯାତ୍ରା ହେବ। ଶୋଭାଯାତ୍ରା ସମୟରେ ଡାକବାଜୀ ଯନ୍ତ୍ର ବ୍ୟବହାର ଲାଗି ପୂଜା କମିଟି ମାନେ ଆବଶ୍ୟକ ଅନୁମତି ନେବେ।
ଅତି ଶବ୍ଦଭେଦି ବାଣ ଏବଂ ଡାକବାଜି ଯନ୍ତ୍ରର ବ୍ୟବହାର ଶବ୍ଦ ୬୫ ଡେ.ସି ରୁ ଯେପରି ଅଧିକ ବ୍ୟବହାର କରାଯିବ ନାହିଁ । ଅଶ୍ଳୀଳ ସଙ୍ଗୀତ ପରିବେଷଣ, ଡିଜେ ଏବଂ ଲେଜର ଲାଇଟ ବ୍ୟବହାର ଉପରେ କଟକଣା କରାଯାଇଛି ଓ ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି ଶର୍ମା କହିଛନ୍ତି ।
ସାଦା ପୋଷାକରେ ପୋଲିସ ତଦାରଖ କରିବେ। ଭସାଣି ସମୟରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମା ହେବା ସମ୍ଭାବନା ରହିଛି। ଭସାଣି ସମୟରେ ସହର ଦେଇ ଭାରିଯାନ ଚଳାଚଳ ବନ୍ଦ ରହିବ। ଆଇନଶୃଙ୍ଖଳା, ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯିବ। ସମସ୍ତ ପୂଜା କମିଟି ଅପରାହ୍ନ ୪ଟା ସୁଦ୍ଧା ଭସାଣି ସ୍ଥଳରେ ପହଞ୍ଚିବେ।
ସନ୍ଧ୍ୟା ୬ଟା ସୁଦ୍ଧା ଭସାଣି ଶୋଭାଯାତ୍ରା ଆରମ୍ଭ ହେବ, ରାତି ୧୦ଟା ସୁଦ୍ଧା ସମାପନ ହେବ। ପୌର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ।
ସେଠାରେ ପର୍ଯ୍ୟାପ୍ତ ମାତ୍ରାରେ ଆଲୋକୀକରଣ ଏବଂ ଆବଶ୍ୟକ ବ୍ୟବସ୍ଥା କରା‌ଯିବ ବୋଲି ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି କହିଛନ୍ତି।
ଭସାଣି ସମୟରେ କୌଣସି ଅଘଟଣକୁ ଦୃଷ୍ଟିରେ ରଖି ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରା‌ଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930