Indus Valley Times

ଗୋଶାଳା ଜମିକୁ ନେଇ ବିବାଦ ; ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ବିରୋଧରେ ଗୁରୁତର ଅଭିଯୋଗ କଲେ ଜମି କ୍ରେତା

 Breaking News

ଗୋଶାଳା ଜମିକୁ ନେଇ ବିବାଦ ; ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ବିରୋଧରେ ଗୁରୁତର ଅଭିଯୋଗ କଲେ ଜମି କ୍ରେତା

ଗୋଶାଳା ଜମିକୁ ନେଇ ବିବାଦ ; ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ବିରୋଧରେ ଗୁରୁତର ଅଭିଯୋଗ କଲେ ଜମି କ୍ରେତା
July 05
20:31 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୫/୭ : ଖୋରଧା ଓ ଜଟଣୀ ଅଞ୍ଚଳର ପ୍ରାୟ ୩୦୦ରୁ ଅଧିକ ଜମି କ୍ରେତାଙ୍କୁ ନେଇ ଦୀର୍ଘ ଦୁଇ ଦଶନ୍ଧି ଧରି ଚାଲିଥିବା ମୁକୁନ୍ଦପ୍ରସାଦ ମୌଜା ଚାଚେରା ସାହି ସମ୍ମୁଖରେ ଥିବା ଗୋଶାଳା ଜମି ବିବାଦ ପୁଣିଥରେ ଚର୍ଚ୍ଚାକୁ ଆସିଛି।
ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜଗନ୍ନାଥ ଭିଲେଜ କୋଅର୍ଡିନେସନ କମିଟି ସଭାପତି ନାରାୟଣ ଦାଶ, ଖୋରଧା ଜିଲ୍ଲା ପ୍ରଶାସନ, ରାଜସ୍ୱ ବିଭାଗ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିରୋଧରେ ଏକାଧିକ ଗୁରୁତର ଅଭିଯୋଗ ଆଣିବା ସହ ଘଟଣାର ନିରପେକ୍ଷ ତଦନ୍ତ ଓ ତ୍ୱରିତ ନ୍ୟାୟ ଦାବି କରିଛନ୍ତି। ଶ୍ରୀ ଦାଶ ଙ୍କ କହିବା ଅନୁଯାୟୀ, ୧୯୩୦ ମସିହାରେ ମୁକୁନ୍ଦପ୍ରସାଦ ମୌଜାରେ ଥିବା ଜମି ବ୍ୟକ୍ତିଗତ ମାଲିକଙ୍କଠାରୁ ଜମି କ୍ରୟ କରାଯାଇ ସେଠାରେ ତିନୋଟି ଗୋଶାଳା ସ୍ଥାପନ କରାଯାଇଥିଲା।
ପରବର୍ତ୍ତୀ ସମୟରେ ସେଗୁଡ଼ିକୁ ଏକତ୍ର କରି \’ଶ୍ରୀ ଜଗନ୍ନାଥ ପୁରୀ ଗୋଶାଳା, ଖୋରଧା\’ ନାମରେ ସୋସାଇଟି ଭାବେ ପଞ୍ଜିକୃତ କରାଯାଇଥିଲା। ୧୯୬୨ ବନ୍ଦୋବସ୍ତ ରେକର୍ଡରେ ମଧ୍ୟ ଏହି ଜମି ଗୋଶାଳା ନାମରେ ରହିଥିବା ନେଇ ସେ ଦାବି କରିଛନ୍ତି।
ତାଙ୍କ ଅଭିଯୋଗ ଅନୁସାରେ, ୧୯୯୬ ମସିହାରେ ଗୋଶାଳା ପରିଚାଳନା କମିଟିର ସଂକଳ୍ପ ଅନୁଯାୟୀ ମୁକୁନ୍ଦପ୍ରସାଦର ପ୍ରାୟ ୩୦ ଏକର ଜମି ବିକ୍ରୟ କରାଯାଇଥିଲା।
ପରବର୍ତ୍ତୀ ସମୟରେ ଲର୍ଡସ୍ ରିଅଲ୍ ଇଷ୍ଟେଟ୍ ଓ କ୍ୟାପିଟାଲ୍ ଇଷ୍ଟେଟ୍ ମାଧ୍ୟମରେ ଏହି ଜମି ଖୋରଧା ଓ ଜଟଣୀର ପ୍ରାୟ ୩୦୦ ଜଣ କ୍ରେତା କିଣିଥିଲେ।
ବିକ୍ରୟ ଦଲିଲ ପଞ୍ଜିକୃତ ହେବା ସହ କିଛି କ୍ରେତାଙ୍କ ନାମରେ ମ୍ୟୁଟେସନ୍ ମଧ୍ୟ ହୋଇଥିବା ଦାବି କରାଯାଇଛି। ତେବେ ୨୦୦୫ ମସିହାରେ କୌଣସି ସୂଚନା ନ ଦେଇ ଖୋରଧା ତହସିଲ ପ୍ରଶାସନ ବେଆଇନ ଭାବେ ଜମିର ରେକର୍ଡକୁ \’ଶ୍ରୀଜଗନ୍ନାଥ ବିଜେ, ପୁରୀ\’ ନାମରେ ପରିବର୍ତ୍ତନ କରିଥିବାରୁ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜମିକୁ ନିଲାମ କରିବା ଉଦ୍ୟମ କରାଯାଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଏହା ବିରୋଧରେ ସେମାନେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ଏବଂ ନିଲାମ ପ୍ରକ୍ରିୟା ସ୍ଥଗିତ ହୋଇଥିବା ସହ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ମିଳିଥିଲା ବୋଲି ଦାବି କରିଛନ୍ତି।
କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ଚୂଡ଼ାନ୍ତ ସମାଧାନ ହୋଇନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଆଜି ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଆହୁରି ଅଭିଯୋଗ କରାଯାଇଛି ଯେ, ଦୁଇଟି ଉଚ୍ଚ ନ୍ୟାୟାଳୟ ମାମଲାରେ ନିର୍ଦ୍ଦେଶ ଏବଂ ବର୍ତ୍ତମାନର ଆଇନମନ୍ତ୍ରୀଙ୍କ ପକ୍ଷରୁ ତଦନ୍ତ ପାଇଁ ସୁପାରିସ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଚୂଡ଼ାନ୍ତ ପଦକ୍ଷେପ ନିଆଯାଇନାହିଁ।
ସୂଚନା ଅଧିକାର ଆଇନ ଅନୁଯାୟୀ ସେ ସମ୍ପର୍କରେ ସୂଚନା ମଗାଯାଇଥିଲେ ମଧ୍ୟ କୌଣସି ସୂଚନା ମିଳୁନଥିବାର ଅଭିଯୋଗ କରାଯାଇଛି।
ବର୍ତ୍ତମାନ ମୁକୁନ୍ଦପ୍ରସାଦ ମୌଜାର ପ୍ରାୟ ୧୧ ଏକର ଜମିକୁ କିଛି ତୃତୀୟ ପକ୍ଷ ଦଖଲ କରିବାକୁ ଉଦ୍ୟମ କରୁଥିବା ବେଳେ ପ୍ରଶାସନ ନୀରବ ରହିଥିବାରୁ ଜମି କ୍ରେତାମାନେ ଉଦବେଗ ପ୍ରକାଶ କରିଛନ୍ତି।
ଏ ନେଇ ପୋଲିସ ଓ ପ୍ରଶାସନକୁ ଏକାଧିକ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଇନଥିବା ସେମାନେ କହିଛନ୍ତି।
ଶେଷରେ ଜମି କ୍ରେତାମାନେ ସରକାରଙ୍କୁ ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ ତଥ୍ୟ ସାର୍ବଜନୀନ କରିବା, ବୈଧ କ୍ରେତାଙ୍କ ସ୍ୱାର୍ଥ ସୁରକ୍ଷା କରିବା ଏବଂ ଦୀର୍ଘ ୨୦ ବର୍ଷର ବିବାଦର ତ୍ୱରିତ ସମାଧାନ କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି।
ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ବୃହତ୍ତର ଗଣଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ ଭିଲେଜ କୋଅର୍ଡିନେସନ କମିଟି ସଂପାଦକ ଭଗବତି ପ୍ରାସାଦ ମହାନ୍ତି, ଯୁଗ୍ମ ସଂପାଦକ ସମ୍ବିତ କୁମାର ମହାପାତ୍ର, ଆଇନ ପରାମର୍ଶଦାତା ବସନ୍ତ କୁମାର ଦାଶ ଏବଂ ଦିବାକର ପରିଚ୍ଛା, କୋଷାଧକ୍ଷ ମୁକ୍ତି ପ୍ରାସାଦ ମିଶ୍ର ଏବଂ ପରିଚାଳନା ପରିଷଦର ୩୦ ରୁ ଉର୍ଦ୍ଧ୍ବ ସଭ୍ୟ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031