Indus Valley Times

ଘୂର୍ଣ୍ଣିବଳୟ ପ୍ରଭାବରେ ସପ୍ତାହେ ଯାଏ ପ୍ରବଳ ବର୍ଷା: ଅରେଞ୍ଜ ଓ୍ବାର୍ନିଂ ଜାରି

 Breaking News

ଘୂର୍ଣ୍ଣିବଳୟ ପ୍ରଭାବରେ ସପ୍ତାହେ ଯାଏ ପ୍ରବଳ ବର୍ଷା: ଅରେଞ୍ଜ ଓ୍ବାର୍ନିଂ ଜାରି

ଘୂର୍ଣ୍ଣିବଳୟ ପ୍ରଭାବରେ ସପ୍ତାହେ ଯାଏ ପ୍ରବଳ ବର୍ଷା: ଅରେଞ୍ଜ ଓ୍ବାର୍ନିଂ ଜାରି
August 07
10:49 2026

କମ୍ଭୁଧର କ୍ଷେତିୀଙ୍କ ରିପୋର୍ଟ
ଭୁବନେଶ୍ୱର,୭/୮: ଲାଗାତାର ଘୂର୍ଣ୍ଣିବଳୟ । ପୁଣି ଲଘୁଚାପ ସମ୍ଭାବନା। ବର୍ଷା ଲାଗି ରହିବ ପ୍ରାୟ ୧୭ ତାରିଖ ପର‌୍ୟ୍ୟନ୍ତ। ଦକ୍ଷିଣ,ଉତ୍ତର,ଉପକୂଳ,ପଶ୍ଚିମ ସବୁଆଡ଼େ ଲଗାଣ ବର୍ଷା ହୋଇପାରେ। ସ୍ଥିତି ଏମିତି ବି ହୋଇପାରେ- ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପର୍ଯ୍ୟାୟକ୍ରମେ ଫୁଲିପାରେ ନଦୀ। ଏମିତି ଆଶଙ୍କା କଲେଣି ବିଶେଷଜ୍ଞ । ଜୁଲାଇ ଶେଷ ସପ୍ତାହର ଲଗାଣ ବର୍ଷା ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି କଲା। ୨୨ ଜିଲ୍ଲା ଲଗାଣ ବର୍ଷା ଓ ବନ୍ୟା ଦାଉରେ ହନ୍ତସନ୍ତ ହେଲା। ଏଭଳି ସ୍ଥିତିରେ ରାଜ୍ୟରେ ପୁଣି ବର୍ଷା ବଢ଼ିବା ଆରମ୍ଭ କରିଦେଲାଣି। ଗତ ୨୪ ଘଣ୍ଟାରେ ଭୁବନେଶ୍ଵର ସମେତ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହୋଇଛି। ବୁଧବାର ବିଳମ୍ବିତ ରାତିରୁ ପାହାନ୍ତିଆ ପର‌୍ୟ୍ୟନ୍ତ ପ୍ରବଳ ବର୍ଷାରେ ଭୁବନେଶ୍ବର ଉବୁଟୁବୁ ହୋଇଛି।
ଏପଟେ ପାଣିପାଗ ବିଭାଗ ପୂର୍ବାନୁମାନ ସୂଚନା ଅନୁସାରେ, ଆଗପଛ ହୋଇ ଏକାଧିକ ଘୂର୍ଣ୍ଣିବଳ ସୃଷ୍ଟି ହେଲାଣି। ଏବେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ ଅଛି। ସେହିପରି ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାଖ ବାଂଲାଦେଶ ଉପରେ ବି ରହିଛି ଏକ ଘୂର୍ଣ୍ଣିବଳୟ।
ଏହା ପ୍ରଭାବରେ ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ବାଲେଶ୍ଵର,ଭଦ୍ରକ,ଯାଜପୁର,କଟକ,ସୁନ୍ଦରଗଡ଼,ଝାରସୁଗୁଡ଼ା,ବରଗଡ଼,ସମ୍ବଲପୁର,ଦେବଗଡ଼,ଅନୁଗୋଳ,ଢେଙ୍କାନାଳ,କେନ୍ଦୁଝର,ଗଜପତି,ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ। ଏହାବାଦ ଅନେକ ଜାଗାରେ ଘଡ଼ଘଡ଼ି ସହ ପବନ,ବର୍ଷା ଆଶଙ୍କା ରହିଛି। ୮ ତାରିଖରୁ ପ୍ରତିଦିନ ଅନେକ ସ୍ଥାନରେ ବର୍ଷା ସହ ଉତ୍ତର ଓଡ଼ିଶାର କେତେକ ଜାଗାରେ ପ୍ରବଳ ବର୍ଷା ରହିବ ୧୨ ତାରିଖ ପର‌୍ୟ୍ୟନ୍ତ। ତା\’ପରେ ବି ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।
ଆଗାମୀ ଦୁଇ ସପ୍ତାହ ପାଇଁ ପାଣିପାଗ ବିଭାଗ ଦେଖାଇଥିବା ସମ୍ଭାବ୍ୟ ଚିତ୍ର ଦର୍ଶାଉଛି,ରାଜ୍ୟରେ ବର୍ଷା ଲାଗି ରହିବ। ୬ରୁ ୧୨ ତାରିଖ ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସହ ୧୨ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ୧୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ରୂପ ନେବା ସମ୍ଭାବନା ଅଛି। ତେଣୁ ୧୪ରୁ ୨୦ ତାରିଖ ମଧ୍ୟରେ ଅନେକ ଦିନ ଓଡ଼ିଶାରେ ବର୍ଷା ରହିବ । କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି,ଓଡ଼ିଶାରେ ପ୍ରାୟ ୧୬/୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ବଙ୍ଗୋପସାଗରରେ ୭-୮ ତାରିଖବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୯ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ। ଏହା ଆଗକୁ ୧୧-୧୨ ତାରିଖବେଳକୁ ଅବପାତ ରୂପ ନେବା ସମ୍ଭାବନାକୁ ଏଡ଼ାଇ ଦିଆଯଇନପାରେ।
ଏହାର ପ୍ରଭାବରେ ୮ରୁ ୧୧ ଯାଏଁ ଦକ୍ଷିଣ ଓ ଉପକୂଳରେ ଅଧିକ ବର୍ଷ ହେବ। ୧୨ରୁ ଉତ୍ତର,ପଶ୍ଚିମ ଏବଂ ଉପକୂଳରେ ବର୍ଷା ଅଧିକ ରହିପାରେ । ଲଗାଣ ବର୍ଷା ପ୍ରଭାବରେ ପ୍ରଥମେ ଦକ୍ଷିଣ ପରେ ଉତ୍ତରରେ ନଦୀଗୁଡ଼ିକର ଜଳସ୍ତର ବଢ଼ିପରେ । ସାରା ଓଡ଼ିଶାରେ ବର୍ଷା ବଢ଼ୁଥିବାରୁ ବନ୍ୟା ଆଶଙ୍କା ଦେଖା ଦେଇପାରେ।
ରାଜ୍ୟରେ ବର୍ତ୍ତମାନ ନଦୀଗୁଡ଼ିକର ଜଳପତ୍ତନ ଚିନ୍ତାଜନକ ସ୍ତରଠାରୁ ଢେର ତଳେ ରହିଛି। ମାତ୍ର ବର୍ଷା ବଢ଼ିଲେ ପୁଣି ବନ୍ୟା ଆଶଙ୍କା ଦେଖା ଦେଇପାରେ। ଗୁରୁବାର ସନ୍ଧ୍ୟା ୬ଗବେଳେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୩.୮୯ ଫୁଟ ଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୩ ହଜାର ୬୦୯ ଘନଫୁଟ ପାଣି ପ୍ରବେଶ କରୁଥିବାବେଳେ ୮ଟି ଗେଟ ଦେଇ ୧ ଲକ୍ଷ ୫୫ ହଜାର ୭୭୨ ଘନଫୁଟ ପାଣି ଛଡ଼ଯାଉଛି। ମୁଣ୍ଡୁଳିରେ ୩.୮୯ ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେଉଥିଲା। ନରାଜରେ ଜଳସ୍ତର ୨୫.୦୬ ମିଟର ଥିବାବେଳେ ଜଳପତ୍ତନ ସ୍ଥିର ରହିଥିଲା । ଜେନାପୁରରେ ବ୍ରାହ୍ମଣୀ ଜଳସ୍ତର ୨୦.୨୬ ମିଟର,ବୈତରଣୀ ଆଖୁଆପଦାରେ ୧୭.୧୨ ମି,ଆନନ୍ଦପୁରରେ ୩୪.୧୮ ମି,ବୁଢ଼ାବଳଙ୍ଗ ଏନଏଚ ୫ ଗୋବିନ୍ଦପୁରରେ ୩.୭୬ ମି,ଜଳକା ମଥାନିରେ ୬.୪୪ ମିଟରରେ ପ୍ରବାହିତ ହେଉଥିଲା । ସବୁଠି ଜଳସ୍ତର ସାମାନ୍ୟ ବଢ଼ିଛି। ବର୍ତ୍ତମାନ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଥିବାବେଳେ ପୁଣି ଥରେ ନଦୀରେ ଜଳପତ୍ତନ ବଢ଼ିବା ନେଇ ଲୋକେ ଭୟଭୀତ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930