Indus Valley Times

ଚୋରା ମଦ କାରବାର ବନ୍ଦ ଦାବୀ ରେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ଶତାଧିକ ମହିଳା, ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଅସନ୍ତୋଷ

 Breaking News

ଚୋରା ମଦ କାରବାର ବନ୍ଦ ଦାବୀ ରେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ଶତାଧିକ ମହିଳା, ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଅସନ୍ତୋଷ

ଚୋରା ମଦ କାରବାର ବନ୍ଦ ଦାବୀ ରେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ଶତାଧିକ ମହିଳା, ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଅସନ୍ତୋଷ
July 10
21:29 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୦/୭ : ଏକ ପଟେ ରାଜ୍ୟ ସରକାର ନିଶାମୁକ୍ତ ସମାଜ ଗଠନ ପାଇଁ ବ୍ୟାପକ ସଚେତନତା ଓ ଚଢ଼ାଉ ଅଭିଯାନ ଚଳାଉଥିବା ବେଳେ ଅନ୍ୟପଟେ ଖୋରଧା ସଦର ଥାନା ଅଧୀନ ବ୍ରଜମୋହନପୁର ଗ୍ରାମପଞ୍ଚାୟତର ଗୋପୀନାଥପୁର ବେହେରା ସାହିରେ ଦୀର୍ଘ ପାଞ୍ଚ ବର୍ଷ ଧରି ଚୋରା ମଦ କାରବାର ଚାଲିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଗ୍ରାମବାସୀ ମାନେ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରିଥଲେ ମଧ୍ୟ ଚୋରା ମଦ କାରବାର ବନ୍ଦ ହୋଇନଥିବାରୁ ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ପହଞ୍ଚି ହସ୍ତକ୍ଷେପ ଦାବି କରିଛନ୍ତି। ପ୍ରଶାସନ ତୁରନ୍ତ କଠୋର ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି।
ଗ୍ରାମବାସୀ ଙ୍କ ଅଭିଯୋଗ ଅନୁସାରେ, ବେହେରା ସାହିର ସରକାରୀ ଜମିରେ ନିର୍ମିତ ଏକ ଘରୁ ହାକିମ ବେହେରା ଓ ତାଙ୍କ ମା\’ ପାର୍ବତୀ ବେହେରା ପ୍ରାୟ ପାଞ୍ଚ ବର୍ଷ ଧରି ବେଆଇନ ଭାବେ ଚୋରା ମଦ ବିକ୍ରି କରୁଛନ୍ତି।
ଦିନସାରା ଏଠାରେ ମଦ କିଣିବା ପାଇଁ ଲୋକଙ୍କ ଭିଡ଼ ଲାଗି ରହୁଥିବାରୁ ଅଞ୍ଚଳରେ ଅଶାନ୍ତି, ଗାଳିଗୁଲଜ, ମାରପିଟ ଓ ପାରିବାରିକ କଳହ ବଢ଼ିଚାଲିଛି।
ମଦ୍ୟପାନର ପ୍ରଭାବରେ ଅନେକ ପରିବାର ଆର୍ଥିକ ଓ ସାମାଜିକ ଭାବେ ଭାଙ୍ଗି ପଡ଼ିଥିବାବେଳେ ଯୁବପିଢ଼ି ଓ ନାବାଳକ ମାନେ ନିଶା ଆଡ଼କୁ ଟାଣି ହେଉଥିବା ନେଇ ମହିଳାମାନେ ଉଦବେଗ ପ୍ରକାଶ କରିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କାରବାର ବନ୍ଦ କରିବା ପାଇଁ ଗ୍ରାମବାସୀ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ। ଗତ ଜୁଲାଇ ୭ ତାରିଖରେ ଗ୍ରାମବାସୀ ହାକିମ ବେହେରାଙ୍କ ଘରୁ ୫ ପେଟି ଚୋରା ମଦ ଜବତ କରି ପୁଲିସ ଜିମା ଦେଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତ ହାକିମ ବେହେରା କୁ ଥାନା କୁ ନେଇ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାକୁ ଛାଡି ଦେଇଥିଲେ ।
ଅଭିଯୁକ୍ତଙ୍କ ବିରୋଧରେ ସ୍ଥାୟୀ ଆଇନଗତ ପଦକ୍ଷେପ ଗ୍ରହଣ ନ କରାଯାଇଥିବାରୁ କିଛିଦିନ ମଧ୍ୟରେ ପୁଣି ଚୋରା ମଦ ବିକ୍ରି ଆରମ୍ଭ ହୋଇଯାଇଛି।
ଏହାକୁ ନେଇ ପୁଲିସର କାର୍ଯ୍ୟଶୈଳୀ ଉପରେ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଦାବିପତ୍ରରେ ମହିଳାମାନେ ଉଲ୍ଲେଖ କରିଛନ୍ତି ଯେ, ବେଆଇନ କାରବାର ଚାଲୁଥିବା ଘରଟି ସରକାରୀ ଜମିରେ ଥିବାରୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାକୁ ଉଚ୍ଛେଦ କଲେ ଚୋରା ମଦ କାରବାର ସ୍ଥାୟୀ ଭାବେ ବନ୍ଦ ହୋଇପାରିବ।
ଏହା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର ମାମଲା ରୁଜୁ କରି ନିୟମିତ ଚଢ଼ାଉ କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।
ଶତାଧିକ ମହିଳା ଏକାଠି ହୋଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ନିଶାମୁକ୍ତ ସମାଜ ଗଠନ ପାଇଁ ସରକାର ଅଭିଯାନ ଚଳାଉଥିବା ବେଳେ ଗ୍ରାମାଞ୍ଚଳରେ ଏଭଳି ଚୋରା ମଦ କାରବାର କିପରି ନିର୍ବିଘ୍ନରେ ଚାଲିଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ଏବେ ଜିଲ୍ଲା ପ୍ରଶାସନ, ପୁଲିସ ଓ ଅବକାରୀ ବିଭାଗ ଏହି ଅଭିଯୋଗ ଉପରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031